24th July 2024
ତୋ ଭାବକୁ ଅଭାବ ହରିଲା କି !!
ଭାବ ବିନୋଦିଆ ରେ ଘନ କାଳିଆ
ଭାବ ତୋ ଅଭାବ ହରିଲା କି ?
ନବ କଳେବର ୨୦୧୫
କେଡେ ମନଲୋଭା ଦୃଶ୍ଯରାଜି ।
କାହିଁ ଗଲା ଭାବ
ଭକତ ଅଭାବ
ସବୁ ତ ଦାଦନ ପରଦେଶୀ
ଚେନ୍ନେଇ ସୁରଟେ
କେରଳ କର୍ଣ୍ଣାଟେ
ମୋ ଗାଁ ଯୁବକ ଭାବେ ବସି
କେଡେ ଯାତ୍ରା ହୋଇ
ଆସି ନପାରଇ
ଝୁରେ ଗାଁ ଦାଣ୍ଡ ଗାଁ ମାଟି
ଭାବେପୂର୍ଣ୍ଣ ମନ
ଅଭାବ କଷଣ
ପ୍ରଭୁ ହେ !
ରଥେ ତୋ ଦର୍ଶନ ନୋହିଲା ଟି
ଗ୍ରାମ୍ଯ ଯୁବାବଳ
ଅର୍ଜନ ବିକଳ
ବିଦେଶେ ଦାଦନ ଯାଏ ଖଟି
ବୃଦ୍ଧ ପିତା ମାତା
ତା ଜାୟା ଦୁହିତା
ଗାଁ ବିଲ କାନ୍ଦେ ମୁଣ୍ଡ ପିଟି
ଭାବୁଥାଇ ମାତା
ଭାବେ ସ୍ତିରୀ ପିତା
ରଥକୁ ଆସିବେ ପୁତ୍ର ପତି
ଭାବେ କନ୍ଯା ପୁତ୍ର
ଛଳଛଳ ନେତ୍ର
ବାପାଂକୁ ତ ମିଳିଲାନି ଛୁଟି
ରଥେ ବି ହେଲାନି ଭେଟାଭେଟି
ଦେଖି ସେ ବାମନ
ପୁରିଥାନ୍ତା ମନ
ପଡିଥାନ୍ତା ଜଗା ଦିବ୍ଯ ଦୃଷ୍ଟି
ଭାବ ବିନୋଦିଆ
ରେ ଘନ କାଳିଆ
ତୋ ଭାବକୁ ଅଭାବ ହରିଲା କି !!
କାଳିଆ ବାମନ
ଦେବୁ କି ବଚନ
ସମ୍ପନ୍ନ ହେବ କି ଗାଁ ମାଟି
ଗ୍ରାମ୍ଯ ଯୁବା ବଳ
ଯିବନି ଦାଦନ
ଆଂଧ୍ର ରାଇଜକୁ ବେଠି ଖଟି
ସୁରଟ କେରଳ
ବମ୍ୱେ ବେଂଗାଲୁର
ଅବା ରାୟପୁର ଇଟା ଭାଟି
ଦେଖରେ କାଳିଆ
ଭାବ ବିନୋଦିଆ
ତୋ ଭାବେ ଅଭାବ ହରେ ନିତି
କହରେ କାଳିଆ
ଭାବ ବିନୋଦିଆ
ତୋ ଭାବେ ଅଭାବ ହରିଲା କି ???
– ଲକ୍ଷ୍ମୀଧର ନାୟକ
( ୨୪.୦୭.୨୦୧୯ )
( ୨୦୧୫ ମସିହା ନବ କଳେବର ବର୍ଷରେ ଏ ସବୁ ମୋ ଗାଁ ଦାଣ୍ଡର ଆନନ୍ଦ ଉଲ୍ଲାସର ଭାବପୁର୍ଣ୍ଣ ମୂହୁର୍ତର କିଛି ଝଲକ, ପୁରୁଣା ସ୍ମୃତି ଉଜାଗର କରିବାକୁ ଯାଇ ଫେସବୁକ କତୃପକ୍ଷ ଆଜି ଉଜାଗର କଲେ ।
ଚଳିତ ବର୍ଷ ରଥକୁ ମୁଁ ଗାଁ କୁ ଯାଇଥିଲି, ଦେଖିଲି ମୋ ଗାଁର କୌଣସି ଘରର କୌଣସି ଯୁବକ ଗାଁରେ ନାହାନ୍ତି, ଗାଁ ଛାଡି ପ୍ରାୟ ସମସ୍ତେ ଦାଦନ ଯାଇଛନ୍ତି ବାହାରକୁ, ରୋଜଗାର ସନ୍ଧାନରେ ।
ଆଜି ଉଠୁ ଉଠୁ ସଖାଳୁ ସଖାଳୁ ଆଖି ଛଳ ଛଳ ହୋଇଗଲା, ବେଶୀ ମନେ ପଡିଲା ଅରୁ କଥା, ବି ଏ ପାଠ ପଢିଚି, ଗୋଟାଏ ବଡ ଚାଷୀ ପରିବାରର ପିଲା, ଗାଁରେ ପନି ପରିବା ତଥା ଅନ୍ଯାନ୍ଯ ଚାଷବାସ କରି ଖୁସିରେ ଥିଲା,
ଗାଁର ଯାନୀଯାତ୍ରା ପର୍ବ ପର୍ବାଣି ମେଳା ମହୋତ୍ସବ ସବୁଥିରେ ଆଗରେ ଥିବ, ଯିଏ ଗତ ବର୍ଷ ଚାଷବାସ ଛାଡି ଋଣବୋଝରୁ ମୁକୁଳିବାକୁ ହାଇଦ୍ରାବାଦରେ ଯାଇ ସିକୁରିଟି ଗାର୍ଡ ଚାକିରୀ କରୁଛି, ତା ଗେହ୍ଲା ଝିଅ ର ଛଲ ଛଲ ଆଖି ମୋତେ ବ୍ଯଥିତ କରିଥିଲା
ମୋ ଗାଁରେ ଏବର୍ଷ ଏମିତି କୌଣସି ପରିବାର ଦେଖିଲି ନାହିଁ, ଯେଉଁ ପରିବାରର ଯୁବକ ବିଦେଶ ଯାଇନି ଦାଦନ ଖଟି, କେବଳ ପେଟ ପୋଷିବାକୁ, କୋଟିପତି ହେବାକୁ ନୁହେଁ,
ମୋର କୁଆଡେ ଏଠି ଗୋଟାଏ ସରକାର ଅଛି, ଧନ୍ଯ କହିବ ସେ ଅପାରଗ ସରକାରକୁ, ଯାହା ମୁଣ୍ଡରେ କେବଳ ନୀର୍ବାଚନ ଜିତିବା ବ୍ଯତୀତ ଆଉ ଅଧଲାକର ବି ବୁଦ୍ଧି ନାହିଁ କି ଯୋଜନା ନାହିଁ ଓଡିଶାକୁ ସମ୍ପନ୍ନ କରିବାକୁ ।
ମୁଁ ଆଜି କଥା ଦେଉଛି
ମୋ ଗାଁ ପିଲାଂକୁ ମୁଁ ଗାଁରେ ରହି ପନ୍ଦର ହଜାର ରୋଜଗାର କରିବାର ଉପାୟ ଯୋଗାଡିବି,
ଚୁଲିକି ଗଲେ ଯାଉ ସେ ସରକାର,
ଶା
ମୋ ଗାଁ କୁ ସମ୍ପନ୍ନ କରିବାକୁ
ମତେ କ’ଣ ଗୋଟାଏ ସରକାର ନିହାତି ଦରକାର !!
ମୋ ବାପା ଅଳପ ପାଠ ପଢିଥିଲେ,
ସେତିକିରେ ସେ କେଡେ କେଡେ ଚିନ୍ତା, କେତେ କେତେ ଯୋଜନା କରି ପକୋଉଥିଲେ, ମୋତେ ସେ ଏତେ ପାଠ ପଢେଇଛନ୍ତି, ମୁଁ ମୋ ଗାଁର ମାତ୍ର ଶହେଟା ପରିବାରପାଇଁ କର୍ମସଂସ୍ଥାନର ବନ୍ଦୋବସ୍ତ କରି ପାରିବିନି ? ଅରୁ ହାଇଦ୍ରାବାଦରେ ଦାଦନ ଖଟିବ ? ମୋ ଗାଁ ପିଲା ପର ରାଜ୍ଯରେ ବେଠି ଖଟିବେ ??
ଏତିକି କାମ କରିବାକୁ କ’ଣ ମତେ ସରକାର ହେବାକୁ ପଡିବ ?
ସାଧାରଣ ଲୋକଟାଏ ଅଚ୍ଛାକଲେ କଣ କିଛି କରିପାରିବନି ? )
-ଲକ୍ଷ୍ମୀଧର ନାୟକ
My Facebook Post: 24th July 2019