ତୁମରି ସ୍ମୃତିରେ …

Share it

ଅନ୍ୟାୟୀ ଈଶ୍ୱର ବୋଇଲା ନଶ୍ୱର
ସଂସାର କହିଲା ହଁ
ମୋ ପରି ସଂସାରୀ କେମନ୍ତେ ପାଶୋରୀ
ଚୀର ଝର ଝର ଚପଳ ଜାହ୍ନବୀ
ଚୀରସ୍ରୋତା ଗୋଟେ
ଛଳଛଳ ହସ ମୁହଁ

ଅନ୍ୟାୟୀ ଈଶ୍ୱର
ବୋଇଲା ନଶ୍ୱର
ସଂସାର କହୁଛି ହଁ !

ସେଇ ମମତା ପସରା
ତା ପ୍ଳାବନ ଧାରା
ଆଜି ବି ଭେଦାଏ
ମନ ପ୍ରାଣ ହୃଦ
ହୋଇ କଳ କଳ ସୁଅ
ଅନ୍ଧ ଈଶ୍ୱର ଶୁଣି ବି ପାରୁନି
କହୁଛି ନଶ୍ୱର
ସଂସାର କହୁଛି ହଁ !!

ତୁମେ ମୋ ଈଶ୍ୱର
ତୁମେ ସଖା ବନ୍ଧୁ
ତୁମେ ମୋର ଗୁରୁ
ପିତା ମାତା ସହୋଦର
ମୋ ସ୍ମୃତି ସରିତ
ଚିର ଶାଶ୍ୱତ ନିର୍ଝର
କହିଲେ କହୁ
ସଂସାର କହୁ ହଁ
ଈଶ୍ୱର କହୁ ନଶ୍ୱର

ତୁମରି ସ୍ମୃତିରେ
ସୃଜୁଛି ପାଦପ
ଘେନ ମୋ ପ୍ରାର୍ଥନା
ଫଳ ହୋଇ ଫଳୁ
ଫୁଲ ହୋଇ ଫୁଟୁ
ତୁମରି ମମତା ଜ୍ୟୋତ୍ସ୍ନାରେ ଭିଜୁ
ମୋର ହାତ ଗଢା
ଏଇ କଅଁଳ ପାଦପ ପତର

ମୁଁ ଥିବା ଯାଏ
ତୁମେ ଜୀଇଁ ଥାଅ
କହିଲେ କହୁ କେ ନଶ୍ୱର
ସେ ଅନ୍ୟାୟୀ ଅନ୍ଧ ଈଶ୍ୱର
ଅବା ଅନନ୍ତ ବ୍ରହ୍ମାଣ୍ଡ ସଂସାର

ମୁଁ ଯଦି ଜୀବନ୍ତ
ପୂର୍ଣ୍ଣ ପ୍ରାଣବନ୍ତ
କେମନ୍ତେ ମାନିବି
ମୃତ ମୋର ପ୍ରାଣ ଈଶ୍ୱର
ମୋ ଜୀବ ଜୀବନ ନିର୍ଝର
ସଂସାର କହୁ କି ବିଧାତା କହୁ
ମୁଁ କହିବିନି
ମିଛ ଏ ଦୁନିଆ
ମିଛ ଏଇ ସାରା ସଂସାର

ସତ୍ୟର ହେଉ ଜୟ
ଦୃଷ୍ଟିବାଧିତ ବିଧାତା କହୁ କି
ସୃଷ୍ଟିବିମୁଖ ସଂସାର କହୁ ହଁ
ମୁଁ ପାରିବି କି ? କୁହ ।।

ଲକ୍ଷ୍ମୀଧର ନାୟକ
24.03.2022

ମାଡାମଙ୍କ ସ୍ମୃତିରେ ପ୍ରତିବର୍ଷ 5000 ଫୁଲ ଫଳ ଚାରା ଗଛ ସୃଷ୍ଟି କରି ସେସବୁକୁ ଲୋକଙ୍କ ବାଡି ବଗିଚାରେ ଲଗାଇବାକୁ ଦେବାପାଇଁ ନିଷ୍ପତ୍ତି କରି ମୁଁ ମୋର ସାମର୍ଥ୍ୟ ଓ ସାଧନ ଅନୁସାରେ ପ୍ରତିଦିନ ଯଥା ସାଧ୍ୟ ସେ କାର୍ଯ୍ୟଟି କରି ଚାଲିଛି । ଆପଣମାନଙ୍କର କଲ୍ୟାଣ ଏ ଛୋଟିଆ ପ୍ରୟାସଟିକୁ ଆନନ୍ଦପୁରିତ କରୁ ।

ମୋ ଭାବନାରେ ଆନନ୍ଦ ହିଁ ଈଶ୍ୱର । ଆନନ୍ଦ ଯଦିବା ଈଶ୍ୱର ନୋହିଲା ଈଶ୍ୱର ଆଉ ବା କିଏ କି ?

ମୋର ଆନନ୍ଦ ତ ମୋଠାରୁ ଛଡାଇ ନିଆଯାଇଛି, ମୋ ଠାରୁ ଅପହୃତ ହୋଇଥିବା ସେ ଆନନ୍ଦଛନ୍ଦ ଏ ସଂସାରରେ କେଉଁଠି ନା କେଉଁଠି ଫୁଲ ହୋଇ ଫୁଟି, ଫଳ ହୋଇ ଫଳି ଜଗତକୁ ଆନନ୍ଦ ବିତରଣ କରୁଥିବାର ଦେଖି, ସେ ଚିରଆନନ୍ଦମୟୀ ଚିନ୍ମୟ ସତ୍ତା ଚିରଆହ୍ଲାଦିତ ରୁହନ୍ତୁ, ଏହା ହିଁ ସେ ପରମ ପାବନୀ ଶାଶ୍ୱତସତ୍ତାଙ୍କ ଚରଣକମଳରେ ପ୍ରାର୍ଥନା ।


Share it

Join the Conversation

1 Comment

  1. ଅନେକ ଶ୍ରଦ୍ଧାଞ୍ଜଳି ପୁଣ୍ୟମୟୀଙ୍କୁ । ଆପଣଙ୍କର ମହତ୍ କାର୍ଯ୍ୟରେ ସେ ସଦାସର୍ବଦା ବିଦ୍ୟମାନ।

Leave a comment

Your email address will not be published. Required fields are marked *

Verified by MonsterInsights