ତଥାପି ମୋ ଗାଁ ହସୁଛି

Share it

ତଥାପି ମୋ ଗାଁ ହସୁଛି

ବଳଦ ପାଇଁ କି ଗୁହାଳ ନାହିଁ
ଲଙ୍ଗଳ ପାଇଁ କି ଓଲଟେ ନାହିଁ
ଅମଳ ପାଇଁ କି ଖଳାଟେ ନାହିଁ
ରଖିବା ପାଇଁ କି ଅମାର ନାହିଁ
ସବୁତ ବଦଳି ଯାଇଛି
ତଥାପି ମୋ ଗାଁ ହସୁଛି ।

ସକାଳ ହୋଇଲେ ରାବୁନି କାଉ
ପିଢ଼ା ନାହିଁ ଆଉ ମାଡିବ ଲାଉ
ଚାଷ ହେଉନାହିଁ ଭଲରେ ଆଉ
ଖାଆନ୍ତିନି କେହି ମାଣ୍ଡିଆ ଯାଉ
ସେସବୁ ପୁରୁଣା ହେଇଛି
ତଥାପି ମୋ ଗାଁ ହସୁଛି ।

ଓଷା ପରବରେ ଚିତା ପଡୁନି
ନୂଆବୋହୂ ଆଉ ଲାଜ କରୁନି
ପଖାଳ ଖାଇଲେ ଦେହେ ଯାଉନି
ବାଡ଼ିରେ ବି ଛତୁ ଆଉ ଫୁଟୁନି
ସନ୍ଧ୍ୟାରେ ବିଲୁଆ ଆଉ ଭୁକୁନି
ସବୁତ ବଦଳି ଯାଇଛି
ତଥାପି ମୋ ଗାଁ ହସୁଛି ।

ନଥାଉ ପଛକେ ଗୋଠରେ ଗାଈ
କଅଁଳା ବାଛୁରୀ ନଥାଉ ଡେଇଁ
ପୋଖରୀରେ ପଛେ ନଫୁଟୁ କଇଁ
ନମିଳୁ ପଛକେ ଗଛର ଛାଇ
ଶୋଭା ସିନା ହଜି ଯାଇଛି
ତଥାପି ମୋ ଗାଁ ହସୁଛି ।

ଗାଁଆ ପୁଅ ପଛେ ସହର ଧାଉଁ
ପାଠ ପଢି ପଛେ ବେକାର ହେଉ
ଚାଷ ବାସ ପଛେ ଉଜୁଡି ଯାଉ
ଶାଢ଼ୀ ଛାଡି ବୋହୁ ଜିନ୍ସ ନାଉ
ମନଟାକୁ ସିନା ବାଧୁଛି
ତଥାପି ମୋ ଗାଁ ହସୁଛି ।

ମାଟିର ହାଣ୍ଡିରେ ବସୁନି ଭାତ
ବିଲରେ ପଡୁନି ଗୋବର ଖତ
ଚାଳ ଘର ସବୁ ହୋଇଛି ଛାତ
ପୁଅ ମାରୁଅଛି ବାପକୁ ନାତ
କାହାର କଅଣ ଯାଉଛି
ତଥାପି ମୋ ଗାଁ ହସୁଛି ।

ବୋଉ ପରା ଏବେ ମମି ସାଜିଛି
ବାପା ଡାକ ଏବେ ଡାଡି ହୋଇଛି
ପୋଷାକରେ ଦେହ ଦେଖା ଯାଉଛି
ସହରୀ ସହରୀ ଗାଁଆ ବାସୁଛି
ଆଧୁନିକତା ଛୁଙ୍କ ଉଠୁଛି
ତଥାପି ମୋ ଗାଁଆ ହସୁଛି ।

ରଜରେ ଆଉ ଲାଗୁନି ଦୋଳି
ବାଡ଼ି ନାହିଁ ଆଉ ହୋଇବ କୋଳି
ପିଠା ପଣା ନାହିଁ ଭଳି କି ଭଳି
ନାହିିଁ କଂସା ବେଲା ପିତ୍ତଳ ଥାଳି
ସବୁ ସିନା ସ୍ମୃତି ହୋଇଛି
ତଥାପି ମୋ ଗାଁ ହସୁଛି ।

ନନଷ୍ଟିକ ସାଜିଛି ମାଟିର ହାଣ୍ଡି
ନାହିଁ ହାଣ୍ଡିଶାଳ ନାହିଁ ଦେଇପିଣ୍ଡି
ଅନ୍ୟାୟ ଅନୀତି ବଢିଛି
ତଥାପି ମୋ ଗାଁ ହସୁଛି ।


ସଂଗ୍ରାହକ : ପ୍ରମୋଦ କୁମାର ସିଂ
ମୋ : 63790 87994


Share it

Join the Conversation

1 Comment

  1. ଗାଁ ହସିଲେ ଦେଶ ହସେ
    ସୁଖ ଦୁଃଖ ଭଲ ମନ୍ଦ ସମୟ ପ୍ରବାହ ଅଧିନ

    ଆଶା କରିବା ଗାଁ ପଣି ହସିବ

Leave a comment

Your email address will not be published. Required fields are marked *

Verified by MonsterInsights