Mo Lekha
My Facebook Post: 18th August 2022
ମୁଁ ବଳଭଦ୍ରଙ୍କ ଜନ୍ମ ଦିନ ଗହ୍ମାପୁନେଇଁ ବା ରାକ୍ଷି ପୁନେଇ ଦିନ (12.08.2022) ଏ ତଳି ପକେଇଥିଲି ।
ଆଜି 18.08.2022, ଶ୍ରୀକୃଷ୍ଣଙ୍କ ଜନ୍ମଦିନ ।
ମୋ ତଳିଗୁଡିକ ଆଜି ସୁଦ୍ଧା ଏମିତି ହୋଇଛି ।
ଅବଶ୍ୟ ଆମେ ଆମ ଗାଁରେ ବୈଷ୍ଣବମତେ ଆସନ୍ତା କାଲି ପ୍ରଭୁଙ୍କର ଜନ୍ମ ଦିନ ପାଳନ କରିବୁ, ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥାନ ମଥୁରା ବୃନ୍ଦାବନରେ ବି ଆସନ୍ତା କାଲି ଜନ୍ମୋତ୍ସବ ପାଳନ କରାଯିବ ।
ବୈଷ୍ଣବ ପରମ୍ପରା କିଏ ଆରମ୍ଭ କରିଥିଲେ କେଜାଣି । ବୋଧେ ଶ୍ରୀ ଚୈତନ୍ୟ ଆରମ୍ଭ କରିଥିଲେ କି କଣ ।
କଣ ଏ ବ୍ୟବସ୍ଥା ?
ଜାତି ପ୍ରଥାର ଭେଦଭାବ ବିଲୋପ ପାଇଁ ଏହା ଏକ ସୁନ୍ଦର ବ୍ୟବସ୍ଥା । ଭାରତୀୟ ସଂସ୍କୃତିରେ ଆଚାଣ୍ଡାଳ ବ୍ରାହ୍ମଣ ଜମିହୀନ ଠୁ ଜମିଦାର ଭିକାରୀ ଠୁ ରଜା ଠାକୁରପୂଜା ନକରି ମନରେ ଶାନ୍ତି ପାଆନ୍ତି ନାହିଁ ।
ଠାକୁରପୂଜା ମାନେ କଣ ?
ମନ୍ଦାର ଗଛରେ ପତ୍ର ସବୁଜ ଫୁଲ ନାଲି ହେବ, ଟଗର ଗଛରେ ଧଳା ହେବ, କଖାରୁ ଗଛରେ ହଳଦିଆ ହେବ, ମୁଠାଏ ଧାନବୁଣିଲେ ପାଞ୍ଚ ଗଉଣୀ ଫଳିବ,
ଏ ସବୁ ବ୍ୟବସ୍ଥା ଯେଉଁ ସମ୍ୱିଧାନ ଅନୁସାରେ ଯୁଗଯୁଗ ଧରି ଚାଲି ଆସୁଛି ସେଇ ସମ୍ୱିଧାନକୁ କେହି ତ ଜଣେ ଲେଖିଥିବ ନା, ଏଇ କଥା ଭାବନ୍ତି ଭାରତୀୟ ଲୋକ, ତାଙ୍କୁ ଠାକୁର ବା ଭଗବାନ ବୋଲି ସମ୍ୱୋଧନ କରନ୍ତି । ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ବିଭିନ୍ନ ଆଳ, ତିଥି ମାସ ଇତ୍ୟାଦିର ନାମ, ପର୍ବ ପର୍ବାଣୀ, ମହୋତ୍ସବ ।
ଏଇ ଭାବନାକୁ ଦଳେ ଟାଉଟର ଲୋକ ମାର୍କେଟିଂ କରି ଭଲ ଦି ପଇସା ରୋଜଗାର କରିବାର ଫନ୍ଦି ଖଞ୍ଜି ଦେଲେ, ଏହାକୁ କନସେପ୍ଟ ମାର୍କେଟିଂ କୁହାଯାଏ, ଲୋକଙ୍କୁ ଭୁଆଁବୁଲେଇ ନିଜର ପକେଟ୍ ଫୁଲେଇବା, ଆଜିକା ବିଟ୍ କଏନ୍ ବି ସେଇମିତିକା ଗୋଟେ କନସେପ୍ଟ ମାର୍କେଟିଂ, ମାନେ ପ୍ରଡକ୍ଟ ବୋଲି କିଛି ନଥିବ, ସବୁ ଲୋକ ପାଗଳ ପରାୟ ସେଥିରେ ପଇସା ଇନଭେଷ୍ଟମେଣ୍ଟ କରିବେ, ସବା ଉପର ଲୋକଟି କୋଟିପତି ହେବ, ତା ତଳ ଦି ଚାରିଥାକ ଲୋକ ଲକ୍ଷପତି ହେବେ, ସବା ତଳ କୋଟି କୋଟି ଲୋକ କୋଟିପତି ହେବା ନିଶାରେ ନିଜର ସଞ୍ଚିତ ଅର୍ଥକୁ ସ୍ୱାହା କରି ଗୋଟାଏ ବଡ ପ୍ରାପ୍ତି ଆଶାରେ କାଙ୍ଗାଳ ହେଇକି ବୁଲୁଥିବେ ମହା ଆନନ୍ଦରେ ।
ହୁଏତ ଏଇ ପରିକା ଗୋଟେ ଟାଉଟରୀର ବା ଅବ୍ୟବସ୍ଥାର ଫଳଶ୍ରୁତି ହେଲା ଉଚ୍ଚ ନୀଚ୍ଚ ଭେଦଭାବ ସମ୍ପନ୍ନ ଗୋଟେ ଜାତି ପ୍ରଥା ।
ହଁ, ଏହି ଧାରା ଆଗକୁ ଲମ୍ୱି ଇଣ୍ଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ ଢାଞ୍ଚାରେ ଅତ୍ରାଗଚ୍ଛ ଇହ ତିଷ୍ଠ ଆଚମନମ୍ କୁରୁ କିଛି ଲୋକଙ୍କର ଏକଚାଟିଆ ଅଧିକାର ହେଇଗଲା,
କମ୍ପ୍ୟୁଟର କେବଳ କୋଡ୍ ୱାର୍ଡ ଯଥା – ( >~/<_*--^^??×!!+ -...□☆°•••~`▪︎>> ) ଏଇମିତିକା ଚିହ୍ନକୁ କେବଳ ଚିହ୍ନି ପାରିବା ବ୍ୟତୀତ ଆଉ କିଛି ଚିହ୍ନି ପାରିବାର କଥା କେହି ଚିନ୍ତା କଲେନି । ସେହିଭଳି ଆମ 33 କୋଟି ଯାକ ସବୁ କେବଳ ସଂସ୍କୃତ ବ୍ୟତୀତ ଆଉ କିଛି ବୁଝିପାରିବାର ବ୍ୟବସ୍ଥା ରହିଲାନି ବା ତାକୁ ଏକ ପ୍ରକାର ବିଲୁପ୍ତ କରାଇ ଦିଆଯିବାର ମସୁଧା କରାଗଲା ।
ତା ମାନେ 33 କୋଟି ଯାକକୁ ଯାହାକୁ ଅତ୍ର ଆଗଚ୍ଛ, ଇହ ତିଷ୍ଠ କହିଦେବ ସିଏ ଫଟ୍ କିନା ପଳେଇ ଆସିବେ ଓ ତମେ ଯୋଉ ଖଟୁଲି କି ଅରୁଆ ଚାଉଳ ଗୁଆ ଭରା କଦଳୀ ପତର ଦେଖେଇ ଦବ ସିଏ ତାରି ଉପରେ ଚଟ୍ କିନା ବସିପଡିବେ ।
ତମେ ଯଦି ଅତ୍ରାଗଚ୍ଛ ଇହ ତିଷ୍ଠକୁ ଓଡିଆରେ ଗଳା ଫଟେଇ ଯେତେ ଏଠିକି ଆସ ଏଇଠି ବସ ବୋଲି କହିଲେ ବି ସେ 33 କୋଟିରୁ କୋଉ ଗୋଟେ ବି ଆସିବେନି କି ଖଟୁଲି ଛାଡି ତମେ କର୍ଲଅନ୍ ଗଦି ପକା ଖଟ ପକେଇଲେ ବି ସିଏ ତାଉପରେ କେହି ବସିବେନି, କେବଳ ଅରୁଆଚାଉଳ ଗୁଆ ଉପରେ ହିଁ ବସିବେ ।
ରୋଜଗାର ଆଧାରିତ ସୁଖ ସ୍ୱାଛନ୍ଦ୍ୟ ଜନିତ ଇଣ୍ଟେଲେକଚୁଆଲ୍ ପ୍ରପର୍ଟି ରାଇଟକୁ କିଛି ଲୋକଙ୍କ ପାଇଁ କାଳକାଳକୁ ପ୍ରଭାବି ଢଙ୍ଗରେ ବଳବତ୍ତର ଓ ସଂରକ୍ଷିତ ରଖିବା ପାଇଁ ସ୍ନାନ ଶୌଚ ପାରାୟଣ ଚିତ୍ତଶୁଦ୍ଧି କରନ୍ୟାସ ଅଙ୍ଗନ୍ୟାସ ବ୍ୟବସ୍ଥା ଓ ସେହି ଆଳରେ ତୁ ଅଗାଧୁଆ ଛୁଉଁନି, ତୁ ନୁଆ ଲୁଗା ପିନ୍ଧିନୁ, ଏମିତି ଗୋଟେ ଛୁଆଁ ଅଛୁଆଁ ପ୍ରଥାର ସୃଷ୍ଚି ହେଉ ହେଉ ସେ ଧାରାର ଚେର ଆଗକୁ ବଢି ବଢି ଆଜିର ରାଜସ୍ଥାନ ସରସ୍ୱତୀ ଶିଶୁମନ୍ଦିର ମାଟି ପାଣିମାଠିଆରେ ଇନ୍ଦ୍ର, ମେଘୱାଲା ସାମନାରେ ସାକ୍ଷାତ ପ୍ରକଟ ହେଉଥିବା ଅକଥା ବି ଆମେ ଦେଖୁଛେ ।
ଛାଡନ୍ତୁ ସେ ଫାଲତୁ ଅସାମାଜିକ ଅବ୍ୟବସ୍ଥା କଥା,
ସେ ଯାହା ହେଉ, ଏଭଳି ଗୋଟେ କୁବ୍ୟବସ୍ଥାରୁ ସମାଜକୁ ମୁକ୍ତି ଦେବାକୁ ଶ୍ରୀଚୈତନ୍ୟ ଅଥବା କେହି ଜଣେ ଏ ବୈଷ୍ଣବ ପ୍ରଥା ସୃଷ୍ଟି କରିଥିବେ ।
କଥାରେ କୁହାଯାଏ ବାର ଜାତି ତେର ଗୋଲ୍ଲା,
ବୈଷ୍ଣବ ହେଲେ ସବୁ ଗଲା
ତା ମାନେ ଥରେ କେହି ବୈଷ୍ଣବ ହେଇଗଲେ ତାଙ୍କର ଆଉ ଜାତି ପରିଚୟ ରହୁନଥିଲା, ଏପରିକି ତାଙ୍କ ନାମ ବି ବଦଳେଇ ଦିଆଯାଇ କୃଷ୍ଣଦାସ, ଭକ୍ତିବିନୋଦ, ପ୍ରଭୁପାଦ ଏମିତି ସବୁ ନାମ ରଖିଦିଆଯାଉଥିଲା । ବୈଷ୍ଣବମାନଙ୍କୁ ଆପଣ ଯେତେ ପଚାରିଲେ ବି ସେ ତାଙ୍କର ଜାତି ଗୋତ୍ର ପିତା ମାତାଙ୍କ ପରିଚୟ ଗାଁ ନାଁ କୁହନ୍ତି ନାହିଁ। ଏଇଟା ତାଙ୍କ ଗୁରୁଙ୍କର ପ୍ରଥମ ଆଦେଶ, ସେଥିପାଇଁ ।
ତେଣୁ ପୂର୍ବ ଅବ୍ୟବସ୍ଥାର ତଥାକଥିତ ପାଣ ହାଡି ଡମ କଣ୍ଡରା ତନ୍ତି ତେଲି ଚଷା ବାହ୍ମୁଣ… ଯେକୌଣସି ଜାତିର ଲୋକେ ବୈଷ୍ଣବ ହୋଇ ନିଜର ଜାତି ଗୋତ୍ର ଉଚ୍ଚ ନୀଚ୍ଚ ଛୁଆଁ ଅଛୁଆଁ ଭେଦଭାବ ଜନିତ ପରିଚୟ ହରେଇ ବୈଷ୍ଣବ ଭାବରେ ଠାକୁର ପୂଜା ଉପାସନା କରିପାରୁଥିଲେ,
ଏ ବୈଷ୍ଣବ ବ୍ୟବସ୍ଥାରେ ଠାକୁରଙ୍କୁ ଯନ୍ତ୍ର ମନ୍ତ୍ର ତନ୍ତ୍ର ନୁହେଁ କେବଳ ଭାବ ଭକ୍ତି ଗୁଣ କୀର୍ତ୍ତନ ସ୍ତୁତି ମାଧ୍ୟମରେ ସେବା ପୂଜା ବା କୃତଜ୍ଞତା ଜ୍ଞାପନ କରାଯାଏ ।
ଏଇପରି ଏକ ଯୁଗାନ୍ତକାରୀ ବ୍ୟବସ୍ଥା ପାଇଁ ବୋଧେ ଇସ୍କନର ପ୍ରତିଷ୍ଠାତା ଜାତିରେ ତନ୍ତୀ ହୋଇ ମଧ୍ୟ ସେ ପ୍ରଭୁପାଦ ହେବାର ସୁଯୋଗ ପ୍ରାପ୍ତ, ସମଗ୍ର ବିଶ୍ୱରେ ଆଦରଣୀୟ –
ଅବଶ୍ୟ ପ୍ରଭୁପାଦଙ୍କ ନାଁ ଶୁଣିଲେ କିଛି ଲୋକଙ୍କର ପିଚା ପୋଡେ, ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଋଷିଆ, ପାକିସ୍ଥାନ, ବାଂଲା ଦେଶ ସାରା ବିଶ୍ୱର ରାସ୍ତାଘାଟ ଗଳିକନ୍ଦିରେ ଯିଏ ମହା ଆନନ୍ଦରେ ନାଚି ନାଚି ମୋ କୃଷ୍ଣର ନାମ ଗୁଣ କୀର୍ତ୍ତନ କରି ପ୍ରଶଂସନୀୟ, ତାଙ୍କ ଛାଇ ପଡିଲେ ଆମ ୟାଙ୍କର ନାହି ଡିଏଁ, କାରଣ କଣ ହେଇଥିବ କେଜାଣି, ତନ୍ତୀ ଫାକ୍ଟର ଟା ଅଣ୍ଡର କରେଣ୍ଟ ହିସାବରେ କାମ କରୁଥିବ କି ନାହିଁ ସେ କଥା କିଏ କହିବ ?
ଆମ ଓଡିଆ ଭାଗବତ ପ୍ରଥମେ ବୋଧେ ଚଉଦ ଅକ୍ଷରୀ ଥିଲା କି କଣ, ତେଲି ମନେଇ ସାହୁ ତାହାକୁ ନବାକ୍ଷରୀରେ ସଜେଇ ସାଜେଇ ସୁନ୍ଦର ନବାକ୍ଷରୀ ଭାଗବତ କରିଥିଲେ ବୋଲି ମୁଁ କେବଳ କଥାଟା ଶୁଣିଛି, ସେ ଭାଗବତକୁ କୁଆଡେ ଆମର ଇଏ ସବୁ ଦିନାକେତେ ପ୍ରବଳ ବିରୋଧ କଲେ, ତେଲି ଭାଗବତ କହି । କିନ୍ତୁ ଲୋକେ ମାନିଲେ ନାହିଁ, ଭାଗବତର ଭାଷା ଭାବ ପଦବିନ୍ୟାସ ଲାଳିତ୍ୟ ଲୋକଙ୍କ ମନକୁ ଏତେ ଆନନ୍ଦ ଦେଲା ଯେ ୟାଙ୍କର ଚୋପ କାଟୁ କଲାନି ବୋଲି କୁହାଯାଏ ।
ଦେଖୁ ନାହାନ୍ତି ଓଡିଶାର ପରାଜୟ ଓ ଦୁର୍ଦ୍ଦଶା ପାଇଁ ଆଜି ବି କଥା କଥାକେ ଚୈତନ୍ୟଙ୍କ ବୈଷ୍ଣବବାଦୀ ଖୋଳ କରତାଳକୁ ଦାୟୀ କରାଯାଏ, କଥାଟାକୁ ଆମ ଇୟେ ସବୁ ଏମିତି ବୁଝେଇ ଦିଅନ୍ତି ଯେ ସତେ ଯେମିତି ମୁକୁନ୍ଦ ଦେବଙ୍କ ପୂର୍ବରୁ ଆଉ କୋଉ ଓଡିଆ ରଜା କୋଉ ଯୁଦ୍ଧରେ ପରାସ୍ତ ହେଇ ନଥିଲେ,
ଆଜ୍ଞା ଏ ରାଜ୍ୟରେ ଆମ କଟକ ବାରବାଟି କି ବିଡାନାସୀ ଗାଁ ର କଖାରୁଆ, ସାରୁଆ ପା ରାଜସିଂହାସନ ଦଖଲ କରି କଖାରୁଆ ଦେବ, ସାରୁଆ ଦେବ ନାମରେ ଇତିହାସ ବହିରେ ନାଁ ଲେଖେଇ ଦେଇ ଯାଇଛନ୍ତି,
ତାହେଲେ ବିଚରା ଆମ ଯାଜିପୁରିଆ ଶ୍ରୀ ଚୈତନ୍ୟର ଜାତି ହୀନମନ୍ୟତା ଅନ୍ତକାରୀ ବୈଷ୍ଣବ ବ୍ୟବସ୍ଥାକୁ ଆପଣମାନେ ଝୁଣ୍ଟି ଏମିତି ହାମ୍ୱୁଡେଇ ପଡି ଆଜିଯାଏ ବି ଏମିତି କ୍ଷତ ବିକ୍ଷତ ହେଉଛନ୍ତି କାହିଁକି? କେଜାଣି!
ଧେତ୍ ମୁଁ ମୋ ତଳି ଗଛ କଥା ଲେଖୁଥିଲି, କଥାଟା ଫାଲତୁଟାରେ ଆଉ କୁଆଡେ ଲମ୍ୱିଗଲାଣି । କଥାଟାକୁ ଆଉ ଦି ଚାରି ଧାଡିରେ ସାରିଦେବା ।
ସେ ଯାହା ହେଉ, ମୁଁ ବଳ ଭଦ୍ରଙ୍କ ଜନ୍ମଦିନରେ ତଳି ପକେଇବା ଦିନ ଲେଖିଥିଲି –
ଶ୍ରୀବଳଭଦ୍ରଙ୍କ ଜନ୍ମ ଦିନରେ ଏ ନାଲିଆ ଟ୍ରେ ରେ ଟମାଟୋ, ବାଇଗଣ, ନେଳିଆ ଟ୍ରେ ରେ ଫୁଲକୋବି ବନ୍ଧାକୋବି ତଳି ପକାଉଛି
ଏହା ଶ୍ରୀକୃଷ୍ଣଙ୍କ ଜନ୍ମ ଦିନକୁ ଗଛ ଉଠି ଯିବ,
ତାହାକୁ ଶ୍ରୀରାଧାଙ୍କ ଜନ୍ମ ଦିନରେ କୁଣ୍ଡରେ ଲଗେଇବି,
ଏବଂ ସେସବୁ ଶ୍ରୀସୁଭଦ୍ରାଙ୍କ ଜନ୍ମ ଦିନକୁ ଫଳୁଥିବେ ।
ଆଜି ଏ ଫଟୋଟିରେ ଦେଖନ୍ତୁ ତଳି କେମିତି ଉଠିଛି,
ମୁଁ ପ୍ରତ୍ୟେକରୁ 25 ଟି ଲେଖାଏ ଗଛ ଲଗେଇବି ବୋଲି ଭାବିଛି, ଯାହା ବଳିବ ଆପଣମାନଙ୍କର କାହାର ଆବଶ୍ୟକ ହେଲେ ଦେଇ ପାରିବି।
ମହଙ୍ଗା ଅର୍ଥନୀତି :
ମୁଁ ତ ଗୋଟେ ଲଙ୍କା ଗଛ ଲଗେଇଲେ 50 ଟା ଲଙ୍କା ଫଳୁଚି,
ସେଇମିତି ଗୋଟେ ଟମାଟୋ ଗଛ ଲଗେଇଲେ 50 ଟା ଟମାଟୋ ଫଳିବ, ଗୋଟେ ବାଇଗଣ ଗଛ ଲଗେଇଲେ 10 ଟା ବାଇଗଣ ଫଳିବ, ମାଟିରେ ଗଛ ତ ଫଳିବ ମୁଁ ତ ଖାଇବି, ଟମାଟୋ ବଜାର ରେଟ୍ 4 ଟଙ୍କା ହେଉ କି 40 ଟଙ୍କା ମତେ ସେ ଅର୍ଥନୀତି ହିସାବରୁ କଣ ମିଳିବ ?
ମୁଁ ଗତ ବର୍ଷ ଚାରା କିଣି ପଇସା ଖର୍ଚ୍ଚ କରିଥିଲି, ଏ ବର୍ଷ ନିଜେ ଚାରା ପକେଇ ଦେଲି ମଞ୍ଜି ଆଣିକି, ଆସନ୍ତା ବର୍ଷକୁ ମଞ୍ଜି ବି କିଣିବିନି ଭାବୁଚି, ଦେଖୁ ନାହାନ୍ତି ଲଙ୍କା ଶୁଖେଇଚି, ମଞ୍ଜି ରଖିବା ପାଇଁ ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ସମସ୍ତଙ୍କୁ ପରମସତ୍ତାଙ୍କର ସଚ୍ଚିଦାନନ୍ଦ ସ୍ୱରୂପ ଜ୍ଞାନରେ ପ୍ରଣାମ କରୁଛି, ଅବଶ୍ୟ ଆମ ଗାଁ ରେ ଆସନ୍ତା କାଲି ଆମ ଶ୍ରୀକୃଷ୍ଣଙ୍କର ଜନ୍ମ ଦିନ ପାଳନ ହେବ, ବୈଷ୍ଣବ ମତେ, ସ୍ମାର୍ତ୍ତ ମତେ ଆଜି ଅନେକେ ଶ୍ରୀକୃଷ୍ଣଙ୍କର ଜନ୍ମ ଦିନ ପାଳନ କରିବେ ।
ସ୍ମାର୍ତ୍ତର ଅର୍ଥ କଣ କେଜାଣି, ମୁଁ ଜାଣିନି,
ଆପଣମାନେ ଜାଣିଥିଲେ ଲେଖିବା ହୁଅନ୍ତୁ ।
ପ୍ରଣାମ
– ଲକ୍ଷ୍ମୀଧର ନାୟକ
18.08.2022
My Facebook Post