ଟେନସନ ଠାକୁର ମନ୍ଦିର , ପାର୍କେଶ୍ବର ମହାଦେବ ଓ ବାଲକୋ ଖାଇ ଦେବୀଙ୍କ ଠିକଣା

Share it

ଟେନସନ ଠାକୁର

ବର୍ତ୍ତମାନ ସମାଜରେ ଟେନସନ କାହାର ନାହିଁ ? ଚାକିରି ଥିଲେ ଟେନସନ, ଚାକିରି ନଥିଲେ ଟେନସନ। ପରୀକ୍ଷା ଥିଲେ ଟେନସନ, ପରୀକ୍ଷା ଦେଇସାରିଲାପରେ କାଳେ ପ୍ରଶ୍ନପତ୍ର ଲିକ ହେଇଯାଇଥିବ, ପରୀକ୍ଷା କ୍ୟାନସେଲ ହେଇଯିବ ତାକୁ ନେଇ ଟେନସନ। ପ୍ରେମ କଲେ ଟେନସନ, ବାହା ହେଲେ ଟେନସନ। ଏମିତି ବିଭିନ୍ନ କ୍ଷେତ୍ରରେ ଟେନସନରେ ଲୋକମାନେ ଅସ୍ତବ୍ୟସ୍ତ।

ଏମାନଙ୍କ ପାଇଁ ଜଣେ ଠାକୁରଙ୍କ ଆବିର୍ଭାବ ହେଇଛି ପଶ୍ଚିମବଙ୍ଗର କୁଚବିହାରରେ। ତାଙ୍କ ନାଁ ହେଲା ଟେନସନ ଠାକୁର। ଏ ଟେନସନ ଠାକୁରଙ୍କ ପୂଜା କେବେ ଆରମ୍ଭ ହେଲା? ଆମକୁ ଫେରିଯିବାକୁ ପଡିବ ଆଠ ବର୍ଷ ପଛକୁ।

ବେକାରି, ଅର୍ଥାଭାବ ଇତ୍ୟାଦି ନାନା ସମସ୍ୟାରେ ଜର୍ଜରିତ କୁଚବିହାରର ମେଖଳୀଗଞ୍ଜର କିଛି ତରୁଣ ସେଥିରୁ ମୁକ୍ତିର ପଥ ପାଇବା ପାଇଁ ସ୍ଥାନୀୟ ପୁରୋହିତ ଗଣେଶ ଅଧିକାରୀଙ୍କ ନିକଟରେ ପହଞ୍ଚିଲେ। ଏମାନଙ୍କ ସମସ୍ୟା ଶୁଣି ଗଣେଶ ଅଧିକାରୀ ତାଙ୍କୁ ଗୋଟେ ଉପାୟ କହିଲେ। କହିଲେ – ବାବୁ ଜୀବନରୁ ଟେନସନ ଦୂର କରିବା ଯେହେତୁ ଲକ୍ଷ ତେଣୁ ତୁମେ ଟେନସନ ଠାକୁରଙ୍କୁ ପୂଜା କର।

ଟେନସନ ଠାକୁରଙ୍କ ନାଁ ତ ଆଗରୁ କେହି ଶୁଣିନଥିଲେ। ଶାସ୍ତ୍ରରେ ବି ତାଙ୍କର କୌଣସି ରୂପ ବର୍ଣ୍ଣନା ନାହିଁ, ମୂର୍ତ୍ତି କେମିତି ହବ ? ସେ ଟେନସନରୁ ମୁକ୍ତି ଦେଲେ ସେ ଅଞ୍ଚଳର ଜଣେ କୁମ୍ଭାର। ସେ ଗୋଟେ ବୋଲ୍ଡରକୁ କାଟି ମଣିଷ ମୁହଁର ଆକୃତି କରିଦେଲେ ।

ସେହି ମୁହଁଟିକୁ ହିଁ ଟେନସନ ଠାକୁର ଭାବରେ ମେଖଳୀଗଞ୍ଜର ତରୁଣମାନେ ପୂଜା କଲେ। ଠାକୁରଙ୍କ ମୁଣ୍ଡରେ ରହିଛି ବାଳ, ଆଉ ହଳେ ବେଶ ମୋଟା ମାଗୁରମାଛିଆ ନିଶ। ସ୍କୁଲ ପରୀକ୍ଷା ହେଉ ବା ଚାକିରିର ଇଣ୍ଟରଭିଉ – ଏଇ ଠାକୁରଙ୍କର ଶରଣାପନ୍ନ ହେଲେ କୁଆଡେ ଟେନସନରୁ ମୁକ୍ତି ମିଳେ ବୋଲି ଏ ଅଞ୍ଚଳର ଲୋକଙ୍କର ବିଶ୍ଵାସ।

ଠାକୁରଙ୍କ ମନ୍ଦିର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହେଇନଥିଲେ ବି ତାଙ୍କ ମୁଣ୍ଡରେ ଗୋଟେ ଛାଉଣି ହେଇଯାଇଛି। ପ୍ରତିବର୍ଷ ଜ୍ୟେଷ୍ଠ ସଙ୍କ୍ରାନ୍ତିରେ ଏହି ନୂଆ ଲୋକଦେବତାଙ୍କର ପୂଜା ହୁଏ। ଫଳମୂଳ ନୈବେଦ୍ୟ ଦିଆଯାଏ। ବୀନା ମନ୍ତ୍ରରେ କେବଳ ଧୂପ ଝୁଣାରେ ପୂଜା ହୁଏ। ଆଉ ପୂଜା ଶେଷରେ ଭୋଗ ଲାଗେ ଖେଚୁଡି।

ଆଜିର ଯୁଗରେ ଟେନସନ ନାହିଁ ଏମିତି ତ ମଣିଷ ନାହାନ୍ତି। ତେଣୁ ହୁଏତ ଟେନସନ ଠାକୁରଙ୍କ ଦରବାରରେ କ୍ରମଶଃ ଭିଡ ବଢିବ। ହୁଏତ କ୍ରମଶଃ ସାରା ବିଶ୍ଵର ବିଭିନ୍ନ ସ୍ଥାନରେ ଟେନସନ ଠାକୁରଙ୍କର ମନ୍ଦିର ବି ହେବ। ଦେଖାଯାଉ।

-ମୃଣାଳ ଚାଟାର୍ଜୀ

ଆପଣଙ୍କ ଲେଖାପଢିଲା ପରେ, ମୋର ମୂତ୍ରେଶ୍ୱର ମହାଦେବଙ୍କ କଥା ମନେ ପଡୁଛି; ଯାହାଙ୍କ ମନ୍ଦିର ଶୋଭାପାଉଛି ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ। ଏଥିପାଇଁ ସ୍ୱପ୍ନାଦେଶ ପାଇଥିଲେ ମୋର ସହପାଠୀ ବନ୍ଧୁ ବିପି ମିଶ୍ର !

– ଜାନକୀଶ ବଡପଣ୍ଡା

ସମ୍ବଲପୁରର ଏକ ପାର୍କ ଭିତରେ ଶିବ ମନ୍ଦିର ଥିବାରୁ ସେଠାରେ ବାବା ମହାଦେବଙ୍କ ନାମ ହେଉଛି “ବାବା ପାର୍କେଶ୍ବର”

– କୁମୁଦ ଶତପଥୀ

ପାଇକମାଳ ବଜାରରୁ ନୃସିଂହନାଥ ଯିବା ରାସ୍ତା୍ର ପ୍ରାୟ ଦୁଇକିଲୋମିଟର ଦୂରତାରେ ଏମିତି ଜଣେ ତେତିଶକୋଟି ଲିଷ୍ଟ ବାହାରର ଠାକୁରାଣୀଙ୍କ କଥା ମନେ ପଡିଗଲା। ତାଙ୍କ ନାଁ ହେଲା “ବାଲକୋ ଖାଇ ଠାକୁରାଣୀ” । ରାସ୍ତାକୁ ଅଧା ମାଡିବସିଥିଲେ। ଭା’ରି ପ୍ରତ୍ୟକ୍ଷ ଠାକୁରାଣୀ। ବାଲକୋ ଟାଉନସିପ୍ କୁ ଖାଇ ମାଟିରେ ମିଶେଇଦେଲେ ଯାହା କି ଉଇ ମାନଙ୍କ ଦ୍ବାରା ସମ୍ଭବ ହୋଇପାରି ନଥାନ୍ତା । ଏବେ ରାସ୍ତା ମାଡିବସି ଅଛନ୍ତି କି ନା କହିପାରିବିନାହିଁ।

– ସୁଧାଂଶୁ ଧଡା

ଭଗତ କୀ କୋଠି(ଜୋଧପୁର)ରେ ରେଲୱେର ଡିଜେଲ ଲୋକ ସେଡ଼ ଅଛି। ସେଠାରେ କର୍ମଚାରୀମାନେ ଶ୍ରୀ ଡିଜେଲେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା କରିଛନ୍ତି।

– ଜ୍ଞାନରଞ୍ଜନ ସ୍ୱାଇଁ

ସବୁ ସରକାରୀ ଦପ୍ତର ଆଗରେ “ଲାଞ୍ଚେଶ୍ବର ମହାଦେବ” ମନ୍ଦିର ପ୍ରତିଷ୍ଠା ହେବା ଜରୁରୀ। ଅଧିକରୁ ଅଧିକ ଲାଞ୍ଚ ଆମଦାନିପାଇଁ ଦପ୍ତରଚର ବାବୁ, ବଡ଼ବାବୁ ତହୁଁ ବଡବାବୁ, ଅତି ବଡବାବୁମାନେ ଲାଞ୍ଚେଶ୍ବରଙ୍କୁ ମୁଣ୍ଡିଆ ମାରି ଦପ୍ତର ପ୍ରବେଶ କରନ୍ତେ।
ବର୍ଷକୁ ଥରେ ଲାଞ୍ଚେଶ୍ବରଙ୍କ ପାଖରେ “ସିବିଆଇ ନିବାରଣ”, “ଭିଜିଲାନ୍ସ ବିଘ୍ନବିନାଶନ ଯଜ୍ଞ” କରନ୍ତେ। ଓଁ ଲାଞ୍ଚେଶ୍ବରାୟ ନମଃ,
ଓଁ କର୍ମଚାରୀଲାଞ୍ଚାଶା ପୂରଣାୟ ସ୍ବାହା।

-ବୈଷ୍ଣବ ଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights