ଜୟୀ ରାଜଗୁରୁ

Share it


ଦିପଦ ଅତୀତ
14 August 2024

ଜୟୀ ରାଜଗୁରୁ
================

ଶିରାଜୌଦ୍ଦାଲାଙ୍କୁ ପଲାସି ଯୁଦ୍ଧରେ ପରାସ୍ତ କରି 1757 ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ବଙ୍ଗପ୍ରଦେଶ ଅଧିକାର କରିଥିଲେ l ପୁଣି 1766 ଖ୍ରୀଷ୍ଟାବ୍ଦରେ ଇଂରେଜ ମାନେ ହାଇଦ୍ରାବାଦର ନିଜାମଙ୍କ ଠାରୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଅଞ୍ଚଳ ପାଇ ମାଡ୍ରାସ ପ୍ରେସିଡେଣ୍ଛିରେ ମିଶାଇ ଦେଇଥିଲେ l କିନ୍ତୁ ବଙ୍ଗ ଅଧିକାର କରିବାର ଦୀର୍ଘ 46 ବର୍ଷ ପରେ ଯାଇ ସେମାନେ ଓଡିଶା ଅଧିକାର କରିଥିଲେ 1803 ସାଲରେ l

ଇଂରେଜ ମାନେ ଓଡିଶା ଅଧିକାରର ମାତ୍ର କେଇ ଦିନ ପରେ ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ସହ ମିଶି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରି ଦେଇ ଥିଲେ l ତାଙ୍କର ଧାରଣା ଥିଲା, ଅଳ୍ପ କେଇ ଦିନ ହେଲା ଇଂରେଜ ମାନେ ବାରବାଟୀ ଦୁର୍ଗ ଦଖଲ କରି ଶାସନ ଆରମ୍ଭ କରିଛନ୍ତି, ତେଣୁ ତାଙ୍କୁ ଏଠାରୁ ତଡିବା ସହଜ ହେବ l କିନ୍ତୁ ଦୁର୍ଦ୍ଦଶ ଇଂରେଜଙ୍କୁ ତଡ଼ିବାକୁ ଯାହା ପ୍ରସ୍ତୁତି ଦରକାର ସେ ତାହା କରି ପାରି ନଥିଲେ l ସେ ଏକାକି ମୁଷ୍ଟିମେୟ କେଇଜଣ ପାଇକଙ୍କୁ ନେଇ ବ୍ରିଟିଶ ବିରୁଦ୍ଧରେ ସଂଗ୍ରାମ ଡାକରା ଦେଇଥିଲେ l

ଇଂରେଜଙ୍କ ସେନାପତି କର୍ନେଲ ହାରକୋର୍ଟଙ୍କୁ ମୁକୁନ୍ଦଦେବ ଓଡିଶାରୁ ମରହଟ୍ଟା ମାନଙ୍କୁ ତଡ଼ିବାକୁ ନିର୍ଦ୍ଦେଶ ଦେଇଥାନ୍ତି l ମୁକୁନ୍ଦ ଦେବଙ୍କ ସହାୟତାରୁ ଇଂରେଜ ମାନେ ସ୍ୱଳ୍ପ ଶକ୍ତି କ୍ଷୟରେ ମରହଟ୍ଟା ମାନଙ୍କୁ ଓଡିଶାରୁ ତଡି ଦେଇ ଥିଲେ l

ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ବିଦ୍ରୋହକୁ ଇଂରେଜମାନେ ବିଦ୍ରୋହ ନ କହି, ରାଜ ଦ୍ରୋହ କହିଲେ l ଏଣୁ ଇଂରେଜ ମାନେ ଖୋର୍ଦ୍ଧା ଉପରେ ଆକ୍ରମଣ କଲେ ଓ ନିଜ ସାମ୍ରାଜ୍ୟରେ ମିଶାଇ ଦେଲେ l ମୁକନ୍ଦଦେବ ରାଜ୍ୟହରା ହୋଇ ବନ୍ଦୀ ହେଲେ ଓ ଜୟୀ ରାଜଗୁରୁଙ୍କୁ ଫାଶୀଦଣ୍ଡ ହେଲା l

ଇଂରେଜ ଐତିହାସିକ ଟୟନବି ଓ ହଣ୍ଟର ଜୟୀ ରାଜଗୁରୁଙ୍କୁ ସଂଗ୍ରାମୀ ନ କହି ତାଙ୍କ ଐତିହାସିକ ବିବରଣୀରେ ତାଙ୍କୁ ରାଜ ଦ୍ରୋହୀ ବୋଲି ଚିତ୍ରିତ କରିଛନ୍ତି l କିନ୍ତୁ ସେ ମୁକୁନ୍ଦ ଦେବଙ୍କ ସେନାପତି ଭାବରେ 1804 ମସିହାରେ ଇଂରେଜ ମାନଙ୍କ ସହ ଲଢ଼ିଥିଲେ ଏହା କହି ଜୟୀ ରାଜଗୁରୁ ଯେ ଜଣେ ଦୁଃସାହସି ବୀର ତା’ର ପ୍ରମାଣ ଦେଇଛନ୍ତି l ପୁଣି ସେହି ଯୁଦ୍ଧରେ ହାରି ପ୍ରାଣଦଣ୍ଡ ପାଇଥିବାରୁ, ସେ ଯେ ମାତୃଭୁମିର ଜଣେ ବୀର ଅମର ଶହୀଦ ଏ କଥା ସେ ଐତିହାସିକ ମାନେ ସ୍ୱୀକାର କରିଛନ୍ତି l ତେବେ ଇତିହାସ ଜୟୀ ରାଜଗୁରୁଙ୍କ ବିଷୟରେ କିଛିଟା ନିରବ ରହିଛି l ମାତ୍ର ଜନଶ୍ରୁତିରେ ସେ ଜୀବନ୍ତ ହୋଇ ଉଠିଛନ୍ତି l ଇତିହାସ ଏବଂ ଜନ ଶ୍ରୁତିର ଦୋଛକିରେ ଦଣ୍ଡାୟମାନ ବୀର ବିପ୍ଲବୀ ହେଉଛନ୍ତି ଜୟୀ ରାଜଗୁରୁ l

ଦେଓଗ୍ରାମ ସନ୍ଧିରେ ଇଂରେଜ ମାନେ 1803 ଡିସେମ୍ବର 17 ରେ ଓଡିଶାକୁ ମରହଟ୍ଟାମାନଙ୍କ ଠାରୁ ନିଜ ଦଖଲକୁ ଆଣିଥିଲେ l ସେମାନେ ପୁରା ଭାରତ ଜୟ କରି ସାରିବା ପରେ ସର୍ବ ଶେଷରେ ଓଡିଶାକୁ ନିଜ ଦଖଲକୁ ନେଇଥିଲେ l ଖୋର୍ଦ୍ଧାର ବୀର ପାଇକ ଗଣ ବହୁ କାଳ ଧରି ଇଂରେଜଙ୍କୁ ନୟାନ୍ତ କରି ରଖି ଥିଲେ l ଖୋର୍ଦ୍ଧାର ରାଜା ଏବଂ ପାଇକ ମାନଙ୍କ ସୁ ସଙ୍ଗଠିତ ବାହିନୀକୁ ସାମନା କରି ବହୁ ଇଂରେଜ ମୃତାହତ ହୋଇଥିଲେ l ଏହି ଦୁଃସାହସିକତାରେ ଇଂରେଜ ମାନେ ଅଭିଭୂତ ହୋଇଥିଲେ l ଜୟୀ ରାଜଗୁରୁଙ୍କ ବୀରତ୍ୱ, କୂଟ ନୀତି ଏବଂ ପରାକାଷ୍ଠା ଇଂରେଜ ମାନଙ୍କୁ ସ୍ତମ୍ଭିଭୂତ କରିଥିଲା l ପାଇକ ମାନଙ୍କର ପ୍ରବଳ ପ୍ରତିରୋଧ ଖୋର୍ଦ୍ଧା ମାଟିରେ ଇଂରେଜ ମାନଙ୍କର ପ୍ରବେଶକୁ ବହୁଦିନ ଧରି ଅଟକାଇ ଦେଇଥିଲା l ଖୋର୍ଦ୍ଧାର ବୀର ମାଟିରେ ଏହି ବିପ୍ଲବ ଏବଂ ପ୍ରତିରୋଧର ମୁଖ୍ୟ ପୁରୋଧା ଥିଲେ ଉତ୍କଳ ଜନନୀର ବୀର ଅମର ସନ୍ତାନ ଜୟୀ ରାଜଗୁରୁ l ମାତୃଭୂମି ପାଇଁ ଲଢ଼ି ସେ ଯେଉଁ ତ୍ୟାଗ ଓ ପରାକାଷ୍ଠା ଦେଖାଇ ଯାଇଛନ୍ତି ତାହା ବାସ୍ତବିକ୍ ଇତିହାସରେ ବିରଳ l

ଇତିହାସରେ ସେ ଯେତିକି ସ୍ଥାନ ପାଇଛନ୍ତି ତା’ ଠାରୁ ଅଧିକ ତାଙ୍କର ନାମ ଜନଶ୍ରୁତିରେ ମିଳେ l ଏହି ଅମର ଶହୀଦ 1739 ମସିହା ଅକ୍ଟୋବର 29ରେ ଅଁଳାନବମୀ ତିଥିରେ ପୁରୀ ନିକଟବର୍ତ୍ତୀ ବୀର ହରେକୃଷ୍ଣପୁର ଶାସନରେ ପିତା ଚାନ୍ଦ ରାଜଗୁରୁ ଓ ମାଆ ହାରାମଣି ଦେବୀଙ୍କ କୋଳ ମଣ୍ଡନ କରି ଭୂମିଷ୍ଠ ହୋଇ ଥିଲେ l ନିଜ ବଂଶ ପରମ୍ପରା ଅନୁସାରେ ସେ ରାଜପୁରୋହିତ ଥିଲେ ହେଁ ସେ ଥିଲେ ମାନୀ, ଜ୍ଞାନୀ, ବହୁଶାସ୍ତ୍ର ବିଶାରଦ ତଥା ରାଜନୈତିକ ପରାମର୍ଶଦାତା l ତାଙ୍କ ଶାସ୍ତ୍ରଜ୍ଞାନର ପାରଦର୍ଶିତା ଯୋଗୁଁ ସେ ଖୋର୍ଦ୍ଧା ରାଜାଙ୍କ ରାଜ ଦରବାରରେ ରାଜ ପୁରୋହିତ ଭାବରେ ନିଯୁକ୍ତି ପାଇଥିଲେ l

ସେ ଏକାଧାରରେ ଖୋର୍ଦ୍ଧା ରାଜାଙ୍କ ମହାମନ୍ତ୍ରୀ, ରାଜନୈତିକ ପରାମର୍ଶ ଦାତା ଏବଂ ସେନାଧ୍ୟକ୍ଷ ଥିଲେ l ଅସାଧାରଣ ପାଣ୍ଡିତ୍ୟ ସହ ସେ ଥିଲେ ସୁଦକ୍ଷ ଯୋଦ୍ଧା l ନିଜେ ବହୁ ସଂସ୍କୃତ ଶ୍ଳୋକ ଲେଖି ସେ ସେଗୁଡିକର ସୁନ୍ଦର ବ୍ୟାଖ୍ୟା କରି ପାରୁ ଥିଲେ l ଜନଶ୍ରୁତିରୁ ଜୟୀ ପିଲାଦିନରୁ ଅସମ୍ଭବ ସାହସୀ ଥିଲେ ବୋଲି ଜଣାପଡିଥାଏ l ଜୟୀ ଛୋଟ ଥିଲା ବେଳେ ଦିନେ ଗୁରୁଣ୍ଡି ଗୁରୁଣ୍ଡି ଉଚ୍ଚା ପିଣ୍ଡା କଡ଼କୁ ଚାଲି ଆସିଥାନ୍ତି l କିଛିଦୂର ନଡ଼ିଆ ଗଛରେ ବନ୍ଧା ହୋଇଥିବା କଳା ଘୋଡ଼ାଟି ପଘା ଛିଣ୍ଡାଇ ଦୋଉଡ଼ି ଆସିଲା l ବାଳକ ଜୟୀ ଅତି ଚତୁରତାର ସହିତ ଆରାମରେ ସେ ଘୋଡା ପିଠି ଉପରେ ଚଢି ଯାଇ ଥିଲେ, ଯାହାକୁ ଦେଖି ତାଙ୍କର ପିତା ଅତି ଆଚମ୍ବିତ ହୋଇଯାଇଥିଲେ l କୌଣସି ସାହିତ୍ୟରେ ଲେଖା ନଥିଲେ ମଧ୍ୟ ରାଜଗୁରୁଙ୍କ ସମ୍ବନ୍ଧରେ ଲୋକ ମୁଖରେ ବହୁ କଥା ଶୁଣାଯାଏ l ଜନଶ୍ରୁତିରେ ଏକ କଥା ମୁଖରିତ ହୁଏ :-
କୁଆଡ଼େ ବିତି ଯାଉଛି କାଳ
ଗଲାଣି ବିତି କେତେଶ ସାଲ
ରହିଛି ଏବେ କଥା l
ଜଇଆ ପଛେ ଜୀବନ ଦେଲା
ନୁଆଁଇ ନାହିଁ ମଥା ll

ଜନଶ୍ରୁତି କହେ ଜୟୀ ରାଜଗୁରୁ ଜଣେ ସିଦ୍ଧ ତନ୍ତ୍ର ସାଧକ ଥିଲେବୋଲି l ସେ ଖୋର୍ଦ୍ଧାଗଡ଼ ବରୁଣାଇ ପାହାଡ଼ରେ ଅବସ୍ଥାପିତା ଦୁଇ ଦେବୀ ବରୁଣେଇ ଅରୁଣେଇଙ୍କୁ ସାଧନାରେ ସନ୍ତୁଷ୍ଟ କରି ସିଦ୍ଧି ପ୍ରାପ୍ତ ହୋଇଥିଲେ l ସେ ତନ୍ତ୍ର ବଳରେ ଏବଂ ଦେବୀଙ୍କ କୃପାରୁ ଶୂନ୍ୟରୁ ଶର ବୃଷ୍ଟି କରି ଶତ୍ରୁକୁ ପରାଜିତ କରୁଥିଲେ l ଏକଥା କାଞ୍ଚି ବେୱା ନାମ୍ନୀ ଜନୈକ ବିଶ୍ୱାସ ଘାତିନି ମହିଳା ଇଂରେଜମାନଙ୍କୁ ଜଣାଇ ଦେଲା l ଇଂରେଜ ମାନେ ଦେବୀଙ୍କୁ ଅପବିତ୍ର କରିବା ଉଦ୍ଦେଶ୍ୟରେ କମାଣରେ ଗୋରୁ ଏବଂ ଘୁଷୁରୀ ମାଂସ ଦେବୀଙ୍କ ଉପରକୁ ଫିଙ୍ଗିଲେ l ଫଳରେ ତନ୍ତ୍ର ଆଉ କାମ ଦେଲା ନାହିଁ l ତେଣୁ ବରୁଣେଇ ଦୁର୍ଗର ପତନ ହେଲା l

ଜୟୀ, ରାଜ ଦ୍ରୋହ ଅପରାଧରେ ଇଂରେଜଙ୍କ ହାତରେ ବନ୍ଦୀ ହେଲେ l ତାଙ୍କୁ କର୍ନେଲ ହାରକୋର୍ଟ କହିଲେ ସେ ଯଦି ଭୁଲ ମାଗିବେ ଓ ପାଇକ ମାନଙ୍କ ଗତିବିଧି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିବେ ତେବେ ତାଙ୍କୁ କ୍ଷମା ଦିଆଯିବ l ଜୟୀଗୁରୁ ଉତ୍ତର ଦେଇଥିଲେ, “ହୁଏତ ସୂର୍ଯ୍ୟ ପଶ୍ଚିମଦିଗରେ ଉଦୟ ହୋଇପାରେ କିନ୍ତୁ ଜୟୀ ରାଜଗୁରୁ କେବେ କ୍ଷମା ମାଗି ପାରିବ ନାହିଁ l ଓଡ଼ିଆ ପୁଅ କାହା ପାଖରେ କ୍ଷମା ମାଗେ ନାହିଁ l” ଏକଥା ଶୁଣି ହାରକୋର୍ଟ ଭୀଷଣ ରାଗି ଗଲେ ଓ ତାଙ୍କଠାରୁ କଥା ଆଦାୟ ପାଇଁ ସୈନ୍ୟ ମାନଙ୍କ ଦ୍ୱାରା ଅକଥନୀୟ ଯନ୍ତ୍ରଣା ଦେବାକୁ ଲାଗିଲେ l ତାଙ୍କ ମୁଣ୍ଡକୁ ତଳକୁ କରି ଲଟକାଇ ଦିଆ ଯାଇ ତଳୁ ନିଆଁ ଜଳା ଗଲା ଓ ଚାବୁକର ପ୍ରହାର କରାଗଲା l ଜୟୀ ରାଜଗୁରୁ ଯନ୍ତ୍ରଣା ସହି ନ ପାରି ମୂର୍ଚ୍ଛା ଗଲେ କିନ୍ତୁ ପାଇକ ମେଳିର ସୂତ୍ର କହିଲେନାହିଁ l

ଜୟୀ ରାଜଗୁରୁଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରି ମେଦିନୀପୁର ଵାଘି ତୋଟା ଠାରେ ଅତି ଅମାନୁଷିକ ଭାବେ 1806 ମସିହା ଡିସେମ୍ବର 6 ଦିନ ଫାଶୀ ଦିଆ ଗଲା l ଗୋଟିଏ ବରଗଛର ଦୁଇଟି ଡାଳକୁ ଟାଣି ଆଣି ରାଜଗୁରୁଙ୍କ ଦୁଇଗୋଡ଼କୁ ବାନ୍ଧି ଛାଡି ଦିଆଯାଇ ଥିଲା ଓ ତାଙ୍କ ଶରୀର ଦୁଇ ଫାଳ ହୋଇ ଚିରି ହୋଇ ଯାଇଥିଲା l ସେଦିନ ମେଦିନୀପୁର ମାଟି ପିଇଥିଲା ଏହି ଦେଶ ପ୍ରେମୀ ଉତ୍କଳ ସନ୍ତାନର ଉଷୁମ ରକ୍ତ l କେହିକେହି କହନ୍ତି ଦୁଇଟି ବଳୁଆ ହାତୀଙ୍କ ଶୁଣ୍ଢରେ ତାଙ୍କ ଗୋଡ଼ ଦୁଇଟିକୁ ବାନ୍ଧି ବିପରୀତ ଦିଗରେ ଛାଡ଼ିଦିଆ ଯାଇଥିଲା l ଜୟୀ ରାଜଗୁରୁଙ୍କ ଏହି ଅମାନୁଷିକ ଫାଶୀ ପାଇଁ କାହା ମୁହଁରେ ଆହା ପଦଟିଏ ବାହାରି ନଥିଲା l ଏଣୁ ଲୋକ ମୁଖରେ ଗୀତଟିଏ ଶୁଣାଯାଏ :-
କାଉ ବୋଲେ ରାଉ ରାଉ,
ଜୟୀ ରାଜଗୁରୁ ଫାଶୀ ପାଇଲେ
କେହି ନ କହିଲେ ଥାଉ ll

ଜୟୀରାଜଗୁରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମରଶହୀଦ ଥିଲେ l ଫାଶି ପୂର୍ବରୁ ତାଙ୍କୁ ଯେତେ ବେଳେ ତାଙ୍କ ଶେଷ ଇଚ୍ଛା କଅଣ ବୋଲି ପଚରା ଯାଇଥିଲା ସେ ଅପୂର୍ବ ବୀରତ୍ୱ, ନିର୍ଭୀକତା ଓ ସାହସିକତାର ସହ କହିଥିଲେ,”ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଏବଂ ଦେହରେ ଟୋପାଏ ମାତ୍ର ରକ୍ତବିନ୍ଦୁ ଥିବାଯାଏ ମାତୃଭୁମିର ସ୍ୱାଧୀନତା ହାସଲ ପାଇଁ ସଂଘର୍ଷ ଚାଲୁ ରହିବ l ଏହା ମୋର ଜୀବନର ଅନ୍ତିମ ଲକ୍ଷ୍ୟ l”

ଓଡିଶା ତଥା ଭାରତ ମୁକ୍ତି ସଂଗ୍ରାମର ଏହି ଶହୀଦ ମହାନ କ୍ରାନ୍ତିବୀର ଜୟୀ ରାଜଗୁରୁ ଆମ ଓଡିଶା ବାସୀଙ୍କର ତଥା ସମଗ୍ର ଭାରତର ଚିର ବନ୍ଦନୀୟ ଓ ନମସ୍ୟ l

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights