ଜ୍ୟୋତିର୍ଲିଙ୍ଗ ଶ୍ରୀମଲ୍ଲିକାର୍ଜୁନ

Share it

୨. ଜ୍ୟୋତିର୍ଲିଙ୍ଗ ଶ୍ରୀମଲ୍ଲିକାର୍ଜୁନ

ଦ୍ୱିତୀୟ ଶତାବ୍ଦୀର ସାତବାହନ ଶାସକ ମାନଙ୍କ ଦ୍ୱାରା ଏ ମନ୍ଦିର ସ୍ଥାପନ ହୋଇଥିଲା

ଆନ୍ଧ୍ର ପ୍ରଦେଶ କରନୁଲ ଜିଲ୍ଲା ଶ୍ରୀଶୈଳମ୍ ଠାରେ ରହିଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ଜ୍ୟୋତିର୍ଲିଙ୍ଗ ଶ୍ରୀମଲ୍ଲିକାର୍ଜୁନ । ଏଠାରେ ହରହର ମହାଦେବଙ୍କ ନାମ ଅର୍ଜୁନ ଏବଂ ପାର୍ବତୀଙ୍କ ନାମ ମଲ୍ଲିକା । ଏହି ସମ୍ମିଳିତ ନାମରୁ ଏଠାରେ ଥିବା ଜ୍ୟୋତିର୍ଲିଙ୍ଗଙ୍କ ନାମ ହୋଇଛି ଶ୍ରୀ ମଲ୍ଲିକାର୍ଜୁନ ।

ଏଠାର ମନ୍ଦିରକୁ ମଲ୍ଲିକାର୍ଜୁନ ଏବଂ ଶ୍ରୀ ଶୈଳମ୍ ଉଭୟ ନାମରେ ଅଭିହିତ କରାଯାଏ । ଏ କ୍ଷେତ୍ର ଉଭୟ ଶିବ ଏବଂ ଶାକ୍ତ ଉପାସକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ।

କିମ୍ବଦନ୍ତୀ ଅନୁସାରେ ଏକଦା ଶଙ୍କର, ପାର୍ବତୀ ତାଙ୍କର ଦୁଇ ପୁତ୍ର ଗଣେଶ ଏବଂ କାର୍ତ୍ତୀକେୟଙ୍କ ବିବାହ ନିମନ୍ତେ ଉପଯୁକ୍ତ କନ୍ୟା ଅନ୍ୱେଷଣରେ ବାହାରିଲେ । ଶଙ୍କର ରିଦ୍ଧି, ସିଦ୍ଧି ଓ ବୁଦ୍ଧିଙ୍କୁ କନ୍ୟା ଭାବେ ପାଇଲେ । କିନ୍ତୁ ଶିବ ଦୁଇ ପୁଅଙ୍କ ପାଇଁ ସର୍ତ୍ତ ରଖିଲେ ଯିଏ ସାରା ବ୍ରହ୍ମାଣ୍ଡ ଭ୍ରମଣ କରି ଆଗେ ଫେରି ଆସିବ ସେ ପ୍ରଥମେ ବିବାହ କରିବ ।

ଶୁଣିବା ମାତ୍ରେ କାର୍ତ୍ତିକେୟ ତାଙ୍କ ଶିଖି ବାହନ ଆରୋହଣ କରି ବ୍ରହ୍ମାଣ୍ଡ ଭ୍ରମଣରେ ବାହାରିଗଲେ, ଗଣେଶ ତାଙ୍କ କ୍ଷୁଦ୍ର ମୂଷିକ ବାହନ ନେଇ କୁଆଡ଼େ ଯିବେ ?

ସେ ତ ଜ୍ଞାନର ଭଣ୍ଡାର । ସେ ପିତା ଶିବଙ୍କ ଚାରିପଟେ ବୁଲି ଆସିଲେ ଏବଂ କହିଲେ, ପିତା! ମୁଁ ସାରା ବ୍ରହ୍ମାଣ୍ଡ ପରିଭ୍ରମଣ କରି ଫେରି ଆସିଲି । ଗଣେଶ ପିତାଙ୍କୁ ବୁଝାଇ ଦେଲେ ସମସ୍ତ ବ୍ରହ୍ମାଣ୍ଡ ଯାହାଙ୍କ ଶରୀରରେ ସମାହିତ ଓ ଯେଉଁ ପିତା ମାତା ମୋର ସୃଷ୍ଟିର କାରଣ ତାଙ୍କରି ପରିକ୍ରମାହିଁ ବ୍ରହ୍ମାଣ୍ଡ ପରିକ୍ରମା ।

ପ୍ରଭୁ ଶିବ କନିଷ୍ଠ ପୁତ୍ରର ଏ ଯୁକ୍ତିଯୁକ୍ତ କଥା ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲେ ଓ ତିନି ଜଣ କନ୍ୟାଙ୍କୁ ଗଣେଶଙ୍କୁ ବିବାହ କରାଇ ଦେଲେ ।

ସେଠାରେ କାର୍ତ୍ତିକେୟ ସେତେ ବେଳେ ଅନୁପସ୍ଥିତ ଥିଲେ । ଫେରି ଆସି ଏ କଥା ଜାଣିଲେ କାର୍ତ୍ତୀକ । କନିଷ୍ଠ ଭାଈ ଗଣେଶ ବିବାହ କରି ସାରିଛନ୍ତି ଜାଣିଲାପରେ କାର୍ତ୍ତିକେୟ ପିତାଙ୍କୁ ପ୍ରଶ୍ନ କଲେ, ଗଣେଶ କିପରି ଭାବେ ବିଶ୍ୱ ବ୍ରହ୍ମାଣ୍ଡ ପରିକ୍ରମାକଲେ । ଶିବ ତାଙ୍କୁ ସମସ୍ତ କଥା ବୁଝାଇ ଦେଲେ ।

ଏହା ଶୁଣି କାର୍ତ୍ତିକେୟଙ୍କ ମନରେ ବହୁ କ୍ଷୋଭ ହେଲା । ସେ ହିମାଳୟରୁ ପଳାଇ ଗଲେ । ସେ କ୍ରୌଞ୍ଚପର୍ବତ ଶିଖରରେ କୁମାର ବ୍ରହ୍ମଚାରୀ ରୂପରେ ଅବସ୍ଥାନ କଲେ ।

ଶିବ ପାର୍ବତୀ ବୃଷଭ ଆରୋହଣ କରି ତାଙ୍କ ସନ୍ଧାନରେ ବାହାରି ପଡ଼ି କାର୍ତ୍ତିକେୟ ଅବସ୍ଥାନ କରୁଥିବା ପର୍ବତ ପାଖରେ ପହଞ୍ଚି ଗଲେ । କାର୍ତ୍ତୀକେୟ ତାଙ୍କୁ ଦେଖି ଅନ୍ୟତ୍ର ପଳାଇ ଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ଦେବତା ମାନଙ୍କ ଅନୁରୋଧ କ୍ରମେ ସେ ଆଉ ବେଶି ଦୂରକୁ ନ ଯାଇ ନିକଟ ଆଉ ଗୋଟିଏ ପର୍ବତରେ ଯାଇ ଅବସ୍ଥାନ କଲେ । ଶିବପାର୍ବତୀ ସେ ସ୍ଥାନକୁ ଆସି ଯେଉଁ ପର୍ବତ ଉପରେ ଅବସ୍ଥାନ କରିଥିଲେ ସେ ପର୍ବତର ନାମ ହେଲା ଶ୍ରୀଶୈଳମ୍ ।

ଏହା ପରେ କାର୍ତ୍ତୀକେୟ ଆଉ ବିବାହ କଲେ ନାହିଁ ଏବଂ ଚିର କୁମାର ହୋଇ ରହିଲେ ।

ଶ୍ରୀଶୈଳମ୍ ଠାରେ ଥିବା ଶିବଲିଙ୍ଗଙ୍କ ଅତି ପ୍ରିୟ ମଲ୍ଲିକା କୁସୁମ । ମଲ୍ଲି ଫୁଲ ଅର୍ପଣ କରି ସେଠାର ଶିବଲିଙ୍ଗ ପୂଜିତ ହେଉଥିବାରୁ ତାଙ୍କୁ ମଲ୍ଲିକାର୍ଜୁନ ମଧ୍ୟ କୁହାଯାଏ । ଏଠାରେ ମହା ଶିବରାତ୍ରି ମୁଖ୍ୟ ପର୍ବ ଓ ବହୁ ଆଡମ୍ବରରେ ପାଳିତହୁଏ ।

ଶିଳାଲେଖ ମାନଙ୍କରୁ ପ୍ରମାଣ ମିଳେ ଯେ ଦ୍ୱିତୀୟ ଶତାବ୍ଦୀର ସାତବାହନ ଶାସକ ମାନଙ୍କ ଦ୍ୱାରା ଏ ମନ୍ଦିର ସ୍ଥାପନ ହୋଇଥିଲା । ପରେ ଏହାର ଉନ୍ନତି କରଣ, ଜୀର୍ଣ୍ଣ ସଂସ୍କାର କରାଇ ଥିଲେ ବିଜୟନଗର ସାମ୍ରାଜ୍ୟର ମହାରାଜା ହରିହର ପ୍ରଥମ । ଏଠାରେ ଥିବା ବିରେଶ୍ୱର ମଣ୍ଡପ ଓ ପାତାଳ ଗଙ୍ଗା ପାହାଚ ନିର୍ମାଣ କରିଥିଲେ ରେଡ୍ଡୀ ରାଜାଗଣ ।

ପ୍ରାୟ ଦୁଇ ହେକ୍ଟର ପରିମିତ ଯାଗା ଉପରେ ଏ ମନ୍ଦିର ଏବଂ ଏହାର ଚାରିଗୋଟି ପ୍ରବେଶଦ୍ଵାର ବା ଗୋପୁରମ୍ ଅବସ୍ଥିତ । ସମ୍ପୂର୍ଣ୍ଣ ମନ୍ଦିରଟି ଦାକ୍ଷିଣାତ୍ୟ ଦ୍ରାବିଡ଼ କଳାରେ ନିର୍ମିତ । ମନ୍ଦିର ପରିସର ମଧ୍ୟରେ ମୁଖ୍ୟ ଦେବତା ଭାବେ ରହିଛନ୍ତି ମହାଦେବ ମଲ୍ଲିକାର୍ଜୁନ ଏବଂ ଭ୍ରମରାମ୍ମା ଦେବୀ । ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ହର ଗୌରୀଙ୍କ ବାହନ ବୃଷଭ ଶ୍ରୀନନ୍ଦୀଙ୍କର ଏକ ବିଶାଳ ମୂର୍ତ୍ତି ଶ୍ରୀନନ୍ଦୀକେଶ୍ୱର ରହିଛନ୍ତି । ମନ୍ଦିର ଭିତରେ ଗୋଟିଏ ସ୍ଥାନରେ ଏକହଜାର ଶିବଲିଙ୍ଗ ଅଛନ୍ତି ଯାହାକୁ ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ପ୍ରତିଷ୍ଠା କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଆଉ ଏକ ସ୍ଥାନରେ ପାଞ୍ଚଟି ଶିବଲିଙ୍ଗ ଅଛନ୍ତି ଯାହାକୁ ପାଣ୍ଡଵ ମାନେ ପ୍ରତିଷ୍ଠା କରି ଥିଲେ ବୋଲି କୁହା ଯାଏ ।

ମୁଖ୍ୟ ମନ୍ଦିର ମଧ୍ୟ ଭାଗରେ ଏକ ବିରାଟ ମଣ୍ଡପ ଅଛି, ଯାହାର ଛାତକୁ ଧରି ରଖିଛି ବହୁତ ଗୁଡ଼ିଏ ସ୍ତମ୍ଭ । ଏହି କୋଠରୀ ଭିତରେ ନଟରାଜ ଶିବଙ୍କର ଏକ ବିଶାଳ ପ୍ରତିମା ଅଛି ।

ମନ୍ଦିରର ସମସ୍ତ ବ୍ୟବସ୍ଥା ସରକାରୀ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏବଂ ନିୟନ୍ତ୍ରିତ ହୁଏ । ଯାତ୍ରୀ ମାନଙ୍କ ରହିବାପାଇଁ ଏଠାରେ ବିଭିନ୍ନ ଦାମରେ ସାନ ବଡ଼ ହୋଟେଲ ସହ ଉତ୍ତମ ମାନର ଧର୍ମଶାଳା ଓ ଟ୍ରଷ୍ଟ ପରିଚାଳିତ ଘର ମାନ ରହିଛି । ଏଠାରେ ପ୍ରବଳ ଯାତ୍ରୀ ଆଗମନକୁ ଆଖିରେ ରଖି ବ୍ୟବସ୍ଥାକୁ ବହୁ ଶୃଙ୍ଖଳିତ କରାଯାଇଛି ।

ଶ୍ରୀଶୈଳମ୍ ମନ୍ଦିର କୃଷ୍ଣା ନଦୀ ତୀରରେ ଅବସ୍ଥିତ । କୃଷ୍ଣା ନଦୀ ଏଠାରେ ପାତାଳୀ ଗଙ୍ଗା ନାମରେ ପରିଚିତ ହୋଇ ଥାଏ । ଦର୍ଶନାର୍ଥୀମାନେ ପାତାଳଗଙ୍ଗା ଘାଟରେ ସ୍ନାନକରି ଜ୍ୟୋତିର୍ଲିଙ୍ଗ ଶ୍ରୀମଲ୍ଲିକାର୍ଜୁନଙ୍କୁ ଦର୍ଶନ କରି ଥାନ୍ତି ।

ମନ୍ଦିରଠାରୁ ନଦୀଘାଟ ପାଖକୁ ଯିବାପାଇଁ ରହିଛି ପାତାଳ ଗଙ୍ଗା ନାମକ 852 ଟି ପାହାଚ । ପ୍ରତିଦିନ କୃଷ୍ଣା ନଦୀ ଜଳ ଦ୍ୱାରା ଶ୍ରୀମଲ୍ଲିକାର୍ଜୁନଙ୍କୁ ସ୍ନାନ କରାଯାଇ ଥାଏ ।

ଏଠାରେ ଶିବ ଅମାବାସ୍ୟା ତିଥିରେ ଅର୍ଜୁନ ଏବଂ ପାର୍ବତୀ ପୂର୍ଣ୍ଣିମା ତିଥିରେ ମଲ୍ଲିକାରୂପେ ଆବିର୍ଭୁତ ହୁଅନ୍ତିବୋଲି ଲୋକକଥା ରହିଛ । ମହାଦେବ ଶ୍ରୀ ମଲ୍ଲିକାର୍ଜୁନଙ୍କ ମନ୍ଦିର ପଛ ପଟକୁ ଅଛି ପାର୍ବତୀ ମନ୍ଦିର । ମା’ ପାର୍ବତୀ ଏଠାରେ ମଲ୍ଲିକା ନାମରେ ପୂଜିତା ହୁଅନ୍ତି ।

ଏଠାରେ ଆଉ ଗୋଟିଏ ପ୍ରସିଦ୍ଧ ମନ୍ଦିର ହେଉଛି ଭ୍ରମରାମ୍ମାମନ୍ଦିର । କୁହାଯାଏ ମା’ ପାର୍ବତୀ ମାଛି ବା ଭ୍ରମର ରୂପରେ ଦର୍ପିଷ୍ଠ ମହିଷାସୁରକୁ ନିଧନ କରି ଥିଲେ । ଏହି କିମ୍ବଦନ୍ତୀର ପ୍ରତୀକ ବିଗ୍ରହ ଦେବୀ ଭ୍ରମରାମ୍ମା । ଭ୍ରମରାମ୍ମା ମନ୍ଦିର ଭିତରେ ମାଛିଭଳି ଗୁଣୁ ଗୁଣୁ ଶବ୍ଦ ଶୁଭାଯାଏ ବୋଲି ଲୋକ ବିଶ୍ୱାସ ରହିଛି ।

ଏଠାରେ ଶ୍ରୀ ମଲ୍ଲିକାର୍ଜୁନଙ୍କ ଆବିର୍ଭାବ ବିଷୟରେ ଆଉ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ଅଛି । କ୍ରୌଞ୍ଚ ପର୍ବତ ନିକଟରେ ଏକଦା ରାଜା ଚନ୍ଦ୍ରଗୁପ୍ତ ରାଜୁତି କରୁଥିଲେ । ତାଙ୍କର ଗୋଟିଏ ମାତ୍ର କନ୍ୟା ଥିଲେ ଚନ୍ଦ୍ରାବତୀ । ପିତାଙ୍କ ସହ ମନୋମାଳିନ୍ୟ ହେବା ଯୋଗୁଁ ଦିନେ ସେ ଘରୁ ପଳାଇ ଗଲେ ଓ ପର୍ବତ ନିକଟରେ ଏକ ଅରଣ୍ୟରେ ଯାଇ ବାସ କଲେ । ତାଙ୍କର ଗୋଟିଏ କାଳି ଗାଈ ଥାଏ । ସେହି ଗାଈ କ୍ଷୀର ଆହାର ପୂର୍ବକ ସେ ଜୀବନ ଧାରଣ କରୁ ଥିଲେ । କିଛି ଦିନ ପରେ ସେ ଲକ୍ଷ୍ୟ କଲେ ଗାଈ ଚରିବାକୁ ଗଲାବେଳେ କିଏ କ୍ଷୀର ଚୋରାଇ ଦୁହିଁ ନେଉଛି । ଚୋରକୁ ଧରିବାପାଇଁ ଦିନେ ସେ ଗାଈ ପଛେପଛେ ଲୁଚିକରି ଯାଇ ଦେଖିଲେ ଯେ ଜଣେ କୃଷ୍ଣ କାୟ ବ୍ୟକ୍ତି ଗାଈ ଦୁହୁଁଛି । ତାକୁ ଚନ୍ଦ୍ରାବତୀ ଧରି ପକାଇଲାରୁ ସେ ଲୋକଟି କୁଆଡ଼େ ଉଭାନ ହୋଇଗଲା । ତତ୍ପରେ ସେ ଦେଖିବାକୁ ପାଇଲେ ସେହି ସ୍ଥାନରେ ଶିବଲିଙ୍ଗଟିଏ ପଡ଼ିଛି ଏଵଂ ଗାଈ ପହ୍ନାରୁ କ୍ଷୀର ଝରି ସେହି ଲିଙ୍ଗ ଉପରେ ପଡୁଛି ।

ଏହି ଅଲୌକିକ କଥା ସେ ଘରକୁ ଫେରି ପିତାଙ୍କ ଆଗରେ କହିଲେ । କନ୍ୟାଠାରୁ ଏଭଳି କଥା ଶୁଣି ରାଜା ସେଠାରେ ଭବ୍ୟମନ୍ଦିର ଗୋଟିଏ ତୋଳାଇ ଲିଙ୍ଗଙ୍କୁ ପ୍ରତିଷ୍ଠା କରି ତାଙ୍କ ପୂଜାର୍ଚ୍ଚନାର ବ୍ୟବସ୍ଥା କରାଇଲେ ।

ମହାଭାରତ କାଳରେ ମହାବୀର ଅର୍ଜୁନ ଇନ୍ଦ୍ରଙ୍କ ଠାରୁ ଆଦିଷ୍ଟହୋଇ ପାଶୁପତ ଅସ୍ତ୍ର ପ୍ରାପ୍ତି ନିମନ୍ତେ ମହାଦେବଙ୍କୁ ତପସ୍ୟା କରୁ ଥିଲେ । ଥରେ ତାଙ୍କ ଆଗରେ ଚାଲି ଯାଉଥିବା ଗୋଟିଏ ଶୂକର ବେଶ ଧାରୀ ରାକ୍ଷସକୁ ସେ ଶରବିଦ୍ଧ କଲେ । ପ୍ରଭୁ ଶିବ ତାଙ୍କ ସମ୍ମୁଖରେ ଏକ କିରାତ ରୂପରେ ଆବିର୍ଭୁତ ହୋଇ ଏ ଶୁକରଟିକୁ ଦାବୀ କରିବାରୁ ଅର୍ଜୁନଙ୍କ ସହ ତାଙ୍କର ପ୍ରବଳ ସଂଗ୍ରାମ ହେଲା । ତା’ପରେ ଶିବ ନିଜର ପ୍ରତ୍ୟକ୍ଷ ସ୍ଵରୂପ ଦେଖାଇ ଅର୍ଜୁନଙ୍କୁ ପାଶୁପତ ଅସ୍ତ୍ର ପ୍ରଦାନ କରିଥିଲେ ।

ଏହି ସମଗ୍ର ଘଟଣାଟି ଥିଲା ଅର୍ଜୁନଙ୍କୁ ପରୀକ୍ଷା କରିବା ପାଇଁ ଦେବଦେବ ମହାଦେବଙ୍କ ମାୟା । ଏହି ଘଟଣାରୁ ମହାଦେବଙ୍କ ଗୋଟିଏ ନାମ ହେଲା କିରାତାର୍ଜୁନ ବା ଅର୍ଜୁନ । ଏହି ସଂଗ୍ରାମ ସଂଘଟିତ ହୋଇଥିଲା ଇନ୍ଦ୍ରକିଳାଦ୍ରି ପର୍ବତ ନିକଟରେ ଯାହା ବିଜୟୱାଡା ନିକଟରେ ଏବେ ଅବସ୍ଥିତ ।

ଏହି ଉପାଖ୍ୟାନଟି ମହାକବି ଭାରଵୀଙ୍କ କିରାତାର୍ଜୁନୀୟ କାବ୍ୟରେ ଅତି ମନୋଜ୍ଞ ଭାବରେ ବର୍ଣ୍ଣିତ ହୋଇଛି । ଏଥିରୁ ମଧ୍ୟ ଏ ଜ୍ୟୋତିର୍ଲିଙ୍ଗଙ୍କ ନାମ ମଲ୍ଲିକାର୍ଜୁନ ହୋଇ ଥିବା ଅନୁମାନ କରାଯାଏ ।

ଜ୍ୟୋତିର୍ଲିଙ୍ଗ ମଲ୍ଲିକାର୍ଜୁନଙ୍କ ଦର୍ଶନରେ ମନୁଷ୍ୟର ବହୁଜନ୍ମର କଳୁଷ ଖଣ୍ଡନହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବର୍ଷର ସବୁ ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏ ମନୋରମ ପୀଠ ଶ୍ରୀଶୈଳମ୍ ଦର୍ଶନ କରିଥାନ୍ତି ।

ଆମ ସମଗ୍ର ଭାରତବର୍ଷରେ ଅବସ୍ଥିତ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ଶ୍ରୀମଲ୍ଲିକାର୍ଜୁନ ଦ୍ୱିତୀୟ । ନିମ୍ନ ଶ୍ଳୋକରୁ ଏହା ଜଣାଯାଇ ଥାଏ :-
ସୌରାଷ୍ଟ୍ରେ ସୋମନାଥଂ ଚ
ଶ୍ରୀଶୈଲେ ମଲ୍ଲିକାର୍ଜ୍ଜୁନମ୍ ।
ଉଜ୍ଜୟିନ୍ୟାଂ ମହାକାଳମ୍,
ଓଁକାରମ୍ ତ୍ୱମ୍ମଲେଶ୍ୱରମ୍ ।।
ପରଲ୍ୟା ବୈଦ୍ୟନାଥଂ ଚ,
ଡାକିନ୍ୟାଂ ଭିମଶଙ୍କରମ୍ ।
ସେତୁବନ୍ଧେ ତୁ ରାମେଶମ୍
ନାଗେଶମ୍ ଦାରୁକବନେ ।।
ବାରଣସ୍ୟାଂ ତୁ ବିଶ୍ୱେଶଂ,
ତ୍ର୍ୟମ୍ବକଂ ଗୈାତମୀତଟେ ।
ହିମାଳୟେ ତୁ କେଦାରଂ
ଘୃଶ୍ନେଶଂ ଚ ଶିବାଳୟେ ।।

🙏🙏🙏
ଅର୍ଜୁନୀ
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights