ଜହ୍ନରେ ନଈବଢ଼ି

Share it

ଖୁଜ ଖୁଜ ନାହାରି
ଯିଏ ପାଇଲା ତାହାରି

ସୋଫିଆ ଖୋଜୁଥିଲା କଣ ଗୋଟେ ମୁଣ୍ଡକୁ ତଳକୁ ହାଣି । ଅତ୍ୟନ୍ତ ପ୍ରଖର ତାର ଦୃଷ୍ଟି ଶକ୍ତି । ପ୍ରଚଣ୍ଡ ବୁଦ୍ଧିମତୀ । ନଥିଲା ଚିଜ ସେ ଖୋଜି ପକାଇବ ।

ଖୁଜ ଖୁଜ ନାହାରି ( ଖୋଜ ଖୋଜଣାହାରୀ )
ଯିଏ ପାଇଲା ତାହାରି ।

  H2O ଖୋଜିବା ପାଇଁ ଆସିଛି ସିଏ । ମାଲିକ କହିଛି । ତା ରହୁଥିବା ଯାଗାଟାରେ ଲୋକସବୁ ହାଉଜାଉ ହେଇ ସବୁ ପିଇ ଗଲେଣି । ମିଠା ସାରି ଏବେ ଲୁଣିଆ ବି ପିଇଲେଣି । ଏଇ ଜହ୍ନ ପୃଥିବୀର କଳଙ୍କି ଭଳି ତା ପୃଥିବୀରେ ବି କୁଆଡ଼େ କଳଙ୍କି ଗୁଡ଼। ନେସି ହେଇଗଲାଣି ।

  ଆଉ ଥାନ ବି ନାହିଁ ସେଠି । ମଣିଷ ସେଠାରେ କୁଟାକୁଟି ଧକ୍କାମୁକ୍କି ହେଉଛନ୍ତି । ମାଲିକ ରହିବନି ସେଠି ଆଉ । ତା ଛୁଆ ପିଲା , ବନ୍ଧୁ ବାନ୍ଧବ , ଡଙ୍କା ଚାମଚା ସଭିଙ୍କୁ ଘେନି ଏଇଠି ଘରକରି ରହିବ । ପୃଥିବୀରେ ପଞ୍ଚତତ୍ତ୍ଵରୁ ଗୋଟାକୁ  ଛାଡ଼ି କିଛି ନାହିଁ ଆଉ । ପାଣି ନାହିଁ , ପବନ ନାହିଁ , ମାଟି ନାହିଁ  , ଗଗନ ବି ଦିଶୁନାହିଁ । ଖାଲି ନିଆଁଟା ଭଲ ଦାଉ ଦାଉ ଜଳୁଛି । ଗଗନ , ପବନ , ମନ ସବୁଥିରେ ହୁତୁହୁତିଆ  ନିଆଁ ।

   ସୋଫିଆକୁ କୁହାଯାଇଛି ଯିମିତି ହେଲେ ପାଣି ଖୋଜିକି ଆସିବାକୁ । ସେହି ଚନ୍ଦ୍ରଜାନ ଆସିଥିଲା ଯେ କଣ ଟିକେ ସୂଚନା ଦେଇଛି ହାଇଡ୍ରୋକ୍ସିଲ OH  ଅଛି ବୋଲି  । ସେଥିରେ ପାଣିଥାଏ । ଆଉ ଗୋଟାଏ ଶୂନ ମିଶିଲେ ତ ପାଣି । 

   ଅଛି , ଅଛି ଏଠାରେ ଅଛି H2O  । ସେ ଖୋଜିବ । ଲୁନାର ଏରିଆଟା ଟିକେ ଭିଜା ଭିଜା ଦିଶୁଛି । ଅନ୍ଧାରିଆ ଏଇ ଏରିଆଟା , ଭାରି ହେମାଳ ।  ହଁ ତ, ଏଇଠି ଥିବ ପାଣି ।

  ସୋଫିଆ ଝଟକା ଦେଲା ତା ହାତକୁ । ଇଞ୍ଜେକ୍ସନ ଛୁଞ୍ଚିଟେ ବାହାରି ଆସିଲା । ତାକୁ ଫୋଡି଼ଦେଲା ଜହ୍ନମାମୁଁ ଦିହରେ । ଟାଣି ଆଣିଲା ତା ପେଟ ଭିତରୁ କଣ ସବୁ । ପରୀକ୍ଷା କରି ପକେଇଲା । ଇରେ ହଁ ତ , ଇଏ ତ ପାଣି ବାଲା ହାଇଡ୍ରୋକ୍ସିଲ ।

ଇଉରେକା !! ଇଉରେକା !!!

ସୋଫିଆ ପାଗଳ ହେଇ ଯାଉଥିଲା ।

  ଭାରତୀୟ ଚନ୍ଦ୍ରଜାନଟା ଠିକ୍ କହିଥିଲା ତେବେ । ସେହି ଭାରତୀୟ ଗୁଡ଼। ସବୁଥିରେ ଆଗୁଆ । କଙ୍କଡ଼ା ନୀତି ଯୋଗୁଁ  କୋଉଥିରେ ତାଙ୍କ ନାଁ ସିନା ନାହିଁ । ଭଲ ହେଇଛି  , ଯା ହେଇଛି । ସେ ନିପାଣିଆ  ,ନିର୍ବାତିଆ ପୃଥିବୀଟାରେ ସେମାନେ ଗୋଡ଼ ଟଣାଟଣି , ଲାଙ୍ଗୁଡ଼ ଟଣାଟଣି ହେଉ ଥାଆନ୍ତୁ ।

ତା ମାଲିକ ଖୁସି ତ ସେ ଖୁସି ।

  ଜହ୍ନରେ ରହିବ ତା ମାଲିକ । ପୃଥିବୀରୁ ପାଣି ବୋହି ଆଣିବା କଣ ସହଜ କଥା । ଗୋଟେ ଲିଟର ପାଣି ଆଣିବାକୁ ହଜାର ହଜାର ଡଲାର ଦରକାର । ତାକୁ ପୁଣି ବୁନ୍ଦେ ବୁନ୍ଦେ ଚାଖୁଥାଅ । ଯାଃ , ଦୁଃଖ ଗଲା ।

   ଅନେଇଲା ପୃଥିବୀ ଆଡ଼କୁ ।

ଇରେ ! ଏଟା କଣ !

  ଏଇଟା କଣ ଜହ୍ନର ଜହ୍ନ ?  ପୃଥିବୀଟା କଣ ଏଡ଼େ ଟିକିଏ  ଜହ୍ନ ପାଲଟି ଗଲାଣି ?  କଳଙ୍କି ଗୁଡ଼। ସତରେ ନେସି ହେଇ ରହିଛି ତା ଦିହରେ । ଜହ୍ନ କଳଙ୍କି ଠାରୁ ଆହୁରି କଳା । ଆହୁରି ବଡ଼ ।

  ସୋଫିଆ ପାଣି ଖୋଜି ସାରିଛି । କଠିନ ପାଣି । ସେ  କଠିନତା ତରଳିବ ।  ତରଳିଲେ ବୋହିବ । ବୋହିଲେ ନଈ ହେବ । ପୁଣି ସମୁଦ୍ର ହେବ । ସବୁ ଗାଡ଼ ପୁରିଯିବ ପାଣିରେ  । ଚନ୍ଦ୍ର କଳଙ୍କ ଲିଭିଯିବ ।

ଜହ୍ନରେ ଆସିବ ନଈବଢି଼ !!

ଜହ୍ନ ଉପରେ ଛିଡା ହୋଇ ଉପରକୁ ମୁହଁ କରି ସୋଫିଆ ଗାଉଥିଲା –

ଆ ଲୋ ପୃଥିବୀ ସୁଷମା ରାଣୀ
ଜହ୍ନ ରାଇଜରେ ଖୋଜିବା ପାଣି

(ବାକି ସେହି ନଈବଢି଼ ଦେଖିବା ପାଇଁ ପୃଥିବୀରେ ଜୀବନ ବଞ୍ଚିଥିଲେ ତ ? )


ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ

29 – 10 – 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights