ଜଳମହଲ ଓ ରଜାଝିଅ

Share it

ଶ୍ରୀମତୀ କୃଷ୍ଣପ୍ରିୟା ମହାପାତ୍ର

ସେଇ ଜଳ ମହଲର କାନ୍ଥରେ ଗୋଟିଏ ସୁନ୍ଦର ଶୁଆର ଚିତ୍ର ଥିବାର ଦେଖି ରାଜାପୁଅ ତା ଦେହକୁ ଆଉଁସି ଦେଲା। ଆଉ ତା ପାଟିରୁ ବାହାରି ପଡ଼ିଲା ଏ ଚିତ୍ରଟା ପୁରା ଜୀବନ୍ତ ଦେଖା ଯାଉଛି, ଜୀବନ ପାଆନ୍ତା କି ମୁଁ ଏକୁ ମୋ ରାଜ୍ୟକୁ ନେଇ ଯାଆନ୍ତି। ରାଜାପୁଅ ଏ କଥା କହୁ କହୁ ଶୁଆ ଜୀବନ ପାଇଗଲା। ତାକୁ ଦେଖି ତିନି ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ସେ ଶୁଆ କଥା କହିଲା-
ଦୀପିଦାଣ୍ଡି ପାଖେ ମନ୍ଦିର ଠିଆ
ଭିତରେ ରହିଛି ଗୋଟେ ଫରୁଆ …

ବହୁତ ଦିନ ତଳର କଥାଟିଏ । ଗୋଟିଏ ରାଇଜରେ ବରଷେ ମଡ଼କ ପଡିଲା। ବରଷା ଜମା ହେଲା ନାଇଁ । ଲୋକେ ତ୍ରାହି ତ୍ରାହି ଡାକଦେଲେ । ସେ ରାଇଜର ରାଜା ପଣ୍ଡିତମାନଙ୍କୁ ହକାରୀ ପ୍ରତିକାର କେମନ୍ତେ ହେଇ ପାରିବ ବୋଲି ପଚାରିଲେ।

କିଏ କହିଲା ପୂଜାଯୁଜା କର, କିଏ କଇଲା ଯାଗଯଜ୍ଞ କର , କିଏ କଇଲା ଗୁରୁଙ୍କ ପାଦ ପୂଜା କରି ଅଭିଷ୍ଟ ପ୍ରାପତ କର। ଆଉ କିଏ କହିଲେ ତ ଗୁରୁଙ୍କୁ ହକାରୀ ତାଙ୍କ ତୁଣ୍ଡରୁ ପୋଥି ପୁରାଣ ଶୁଣ । ଏମିତି ଅଚାବୁଆ ପରିସ୍ଥିତି ବେଳେ ରାଜା ଥିର ହେଇ ମହଲରେ ବସି ପାରୁ ନ ଥାଆନ୍ତି।

ଏମନ୍ତ ବୁଲୁ ବୁଲୁ କେତେବେଳେ ଅଗନା ଅଗନି ବନସ୍ତ ଭିତରକୁ ପଳାଇଛନ୍ତି, ସେଇଠୁ କଣ ହେଲା କି ରାଜାଙ୍କ ଆଗରେ ଗୋଟିଏ ଅସୁର ଆସି ଉଭା ହେଇଗଲା। ଅସୁରକୁ ଦେଖି ରାଜା ଛାନିଆ ନ ହୋଇ ଆଗକୁ ଚାଲିଥାଆନ୍ତି।

ଏହା ଦେଖି ଅସୁର କାବା ହୋଇ ପଚାରିଲା
“ହଇଓ ରାଜା ! ମୋତେ ଦେଖି ତୁମକୁ ଡର ଲାଗୁନାହିଁ ?

ରାଜା କହିଲେ – “ନା ମୋତେ ଡର ଲାଗୁନି କାରଣ ମୋ ପ୍ରଜା ଯେତେବେଳେ ଅଖିଆ ଅପିଆ ଅଛନ୍ତି, ମୁଁ ବଞ୍ଚିବାକୁ ମୋ ମନ ଚାହୁଁନି। ସବୁ ସୁଧି ବୁଦ୍ଧି, ଉପାୟ କରେଇ ସାରିଲିଣି ହେଲେ ମୋ ରାଇଜରେ ବରଷା ହେଉନାହିଁ।”

ଅସୁର ହୋ ହୋ ହୋଇ ହସି ଉଠିଲା। ତା’ପରେ କହିଲା “ମୋ କଥା ଯଦି ମାନିବ ତେବେ ତୁମ ରାଇଜରେ ବର୍ଷା ହେବ ଆଉ ଶସ୍ୟ ଫଳିବ ।’

ରାଜା କହିଲେ ହଁ କୁହ କେମିତି ମୋ ରାଇଜରୁ ମଡ଼କ ଦୂର ହେବ । ତମେ ଯାହା କହିବ ମୁଁ କରିବାକୁ ପ୍ରସ୍ତୁତ ଅଛି ।

” ଅସୁର କହିଲା ମୋତେ ତୁମ ଝୁଅକୁ ଦେଇଦିଅ , ଦେଖିବ ତୁମ ରାଇଜରେ ସାଥି ସାଥି ବରଷା ହେବ।”

ରାଜା ଅସୁର କଥା ଶୁଣି ଚମକି ପଡିଲେ। କେମିତି….

ସେ ତାଙ୍କ ଫୁଲ ପରି ସୁକୁମାରୀ ଝୁଅକୁ ଅସୁର ହାତରେ ସଅଁପି ଦେବେ !

ରାଜା କଣ ଭାବୁଛ ?? ଅସୁର ପଚାରିଲା। ଝୁଅକୁ ମୋତେ ଦେଲେ ତୁମ ରାଜ୍ୟର ମଙ୍ଗଳ ହବ। ପ୍ରଜାଙ୍କ ଖୁସି ଚାହୁଁଛ ନା ତୁମର ଖୁସି ??

ରାଜା ଟିକେ ଚିନ୍ତା କରି ଅସୁରକୁ କଥା ଦେଲେ -“ହଁ ଦେଶର ମଙ୍ଗଳ ପାଇଁ ମୁଁ ଛାତିରେ ପଥର ରଖି ମୋ ଝୁଅକୁ ତୁମ ହାତକୁ ଟେକି ଦେବି ।”

ତା’ ପରଦିନ ଅସୁର ରାଜାଙ୍କ ନଅରକୁ ଆସି ରାଜକୁମାରୀଙ୍କୁ ନେଇ ଚାଲିଗଲା।ରାଣୀ ମନ ଦୁଃଖରେ ଖାଇବା ପିଇବା ଛାଡିଦେଲେ। କିଛି ଘଡି ପରେ ରାଇଜରେ ପ୍ରବଳ ବରଷା ହେଲା। ରାଇଜର ଲୋକମାନେ ଭାଆରି ଖୁସିରେ ରଇଲେ।

ଏମିତି କେତେ ଦିନ ଗଲା। ରାଜା ରାଣୀଙ୍କର ଆଉ ଦୁଇଟି ଛୁଆ ହେଲେ। ଅସୁର ରାଜକୁମାରୀକୁ ନେଇ ସେଇ ଅଗନା ଅଗନି ବନସ୍ତ ଭିତରେ ଥିବା ପଦୁଅଁ ପୋଖରୀ ଭିତରେ ଥିବା ମହଲରେ ରଖିଥାଏ।

ରାଜାଝୁଅ ଧୀରେ ଧୀରେ ବଡ଼ ହୋଇ ଗୋଟିଏ ଅପୂର୍ବ ସୁନ୍ଦରୀ ଯୁବତୀ ହୋଇ ଯାଇଥାଏ।ଅସୁର ଯେତେବେଳେ ଆହାର ଆଣିବାକୁ ଯାଏ ରାଜାଝୁଅ ଜଳ ମହଲରୁ ବାହାରି ମନ ଉସତରେ ଗୋଟିଏ ସୁନ୍ଦର ଫୁଲ ଗଛ ମୂଳେ ବସୁଥାଏ। ଥରେ ସେଇପଟ ଦେଇ ଗୋଟିଏ ରାଜାପୁଅ ଘୋଡା ଉପରେ ବସି ଯାଉଥେଲା। ଘୋଡା ଟାପୁର ଶବଦ ଶୁଣି ରାଜଝୁଅ ପାଣି ଭିତରେ ପଶିଗଲା ।

ରାଜାପୁଅ ତ ସେଇ ଦିବ୍ୟସୁନ୍ଦର ଝୁଅଟିକୁ ଦୂରରୁ ଦେଖିଦେଇ ଥାଏ, ତା ମନରେ ଭାରି କଉତୁକ ଜାତ ହେଲା, କେମେତେ ସେଇ ସୁନ୍ଦର ଯୁବତୀକୁ ଆଉ ଥରେ ଦେଖିବ। ଏଇ କଥା ଭାବି ରାତିରେ ସେଇ ପଦୁଅଁ ପୋଖରୀ କୂଳରେ ଗୋଟିଏ ବୁଦା ମୂଳେ ନୁଚି ବସିଲା।

କିଛି ସମୟ ପରେ ଅସୁର ଆହାର ସାରି ଫେରିଅଇଲା। ପୋଖରୀ ପାଖରେ ପହଞ୍ଚି ଦେଖିଲା ଘୋଡ଼ା ଟାପୁର ଚିହ୍ନ ପଡିଛି, ପୁଣି ମଣିଷ ମଣିଷ ବାସେନା ହେଉଛି । ଅସୁର ଚାରିଆଡକୁ ନିଘା କଲା। କେହି କୁଆଡେ ଦେଖା ଯାଉନାହାନ୍ତି। ତା ପରେ ଜଳ ମହଲକୁ ଚାଲିଗଲା।

ରାଜପୁଅ ଶୁଣିଥିଲା ଏଇ ବନସ୍ତରେ ଗୋଟିଏ ଅସୁର ରହେ ଆଉ ସେ ମଣିଷ ମାଉଁସ ଖାଏ। ଯେବେ ସେ ଅସୁର ଚାଲେ, ତା ଆଖ ପାଖ ମାଟି ଅସୁରର ପାଦ ପଡିଲେ ଥରି ଉଠେ। ତେଣୁ ଯେତେବେଳେ ଅସୁର ଆସିଲା ରାଜାପୁଅ ଜାଣି ପାରି ସାବଧାନ ହୋଇଗଲା।

ରଜା ପୁଅଟି ତ ସୁନ୍ଦରୀ ଝୁଅକୁ ଦେଖି ଦେଇଛି, ତା ମନ ସେଇଠି ନାଗିଛି କେମେତେ ସେଇ ସୁନ୍ଦରୀକୁ ବାହା ହୋଇ ତାଙ୍କ ରାଇଜକୁ ନେଇ କି ଯିବ।

ସେଇଠୁ ଅସୁର ପଛେପଛେ ରାଜାପୁଅ ମଧ୍ୟ ପାଣିରେ ପଶିଗଲା। କିଛି ସମୟ ଖୋଜିବା ପରେ ଜଳ ମହଲ ପାଖରେ ପହଞ୍ଚି ଗଲା କିନ୍ତୁ ଅସୁର ଡରରେ ଭିତରକୁ ନ ଯାଇ ବାହାରେ ନୁଚି ରହିଲା।

ସକାଳ ହେଲା ଅସୁର ପୁଣି ଯେତେବେଳେ ଆହାର ନିମନ୍ତେ ବଣକୁ ଚାଲିଗଲା ରାଜକୁମାର ମହଲ ଭିତରେ ପଶିଲା।

ରାଜାପୁଅକୁ ଦେଖି ରାଜକୁମାରୀ ତାଟକା ହୋଇ ଚାହିଁ ରହିଲା l ତା ଜୀବନ କାଳ ଭିତରେ ସିଏ କୋଉ ମଣିଷ ଦେଖିନାଇଁ, ପହିଲେ ଡରି ଯାଇଥିଲା ହେଲେ ଅସୁର କହିଥିବା କଥାଟି ତାର ହେଜ ହେଲା। ସେ ସବୁବେଳେ ରାଜାଝୁଅକୁ କହେ, ବିପଦ ଆଇଲେ ଡ଼ରିବୁନି, ବିପଦ ଆପଦ ବେଳେ କେମିତି ତରଵାରୀ ଚଲେଇବାକୁ ପଡିବ ଶିଖିଥା। ଏବେ ରାଜା ପୁଅକୁ ଦେଖି ରାଜାଝୁଅ ଖଣ୍ଡା ଧରି ତା ଉପରକୁ କୁଦି ପଡିଲା ।

ରାଜାପୁଅ ତାକୁ କହିଲା ମୁଁ ତୁମ ରୂପରେ ମୋହିତ ହୋଇ ଆସିଥିଲି, ତୁମ ସହିତ ଯୁଦ୍ଧ କରିବାକୁ ନୁହେଁ। ତମର ଯଦି କିଛି ଆପତ୍ତି ନ ଥାଏ ତେବେ ଆମେ ବାହା ହୋଇ ଆମ ରାଇଜକୁ ଚାଲିଯିବା।

ରାଜଝୁଅ କହିଲା ,ମୋତେ ପିଲାବେଳୁ ଅସୁର ପାଳିଛି, ମୋତେ ସିଏ ନଜରବନ୍ଦୀ କରି ରଖିଛି । ମୁଁ ତୁମକୁ ବାହା ହୋଇ ପାରିବିନି ତୁମେ ଚାଲିଯାଅ। ଅସୁର ଜାଣିଲେ ତୁମକୁ ମାରିଦେବ।

ରାଜାପୁଅ କହିଲା ” ମୁଁ ତୁମକୁ ଏଠାରୁ ମୁକ୍ତ କରି ନେଇ ଯିବି।ଅସୁର ମୋର କିଛି କରିବା ପୂର୍ବରୁ ଆମେ ବିବାହ କରି ନେବା । ଯଦି ଅସୁର ଆସିଲା ମୁଁ ତା ସହିତ ଯୁଦ୍ଧ କରିବି, ଆଉ ତାକୁ ହରେଇ ମାରିଦେବି” ।

ରାଜାପୁଅର କଥାରେ ରାଜି ହୋଇ ରଜାଝିଅ ଜଳ ମହଲରୁ ବାହାରି ଆସିଲା। ଦୁଇଜଣ ଯେମିତି ଉପରକୁ ଆସି ଘୋଡାରେ ବସିଛନ୍ତି ଅସୁର ଜାଣି ପାରିଲା। ଗୋଟିଏ ବଡ଼ କୁହାଟ ଦେଇ ଅସୁର ପହଞ୍ଚି ଗଲା ରାଜା ଝିଅ ପାଖରେ, ତାକୁ ଦେଖି ରାଜଝିଅ ଅଚେତା ହୋଇ ପଡିଗଲା। ରାଜାପୁଅ ଅସୁର ସହିତ ଲଢେଇ କରି ହାରିଗଲା। ଅସୁର ତାକୁ କଇଦି କରି ଜଳ ମହଲର ଗୋଟିଏ ବଖରାରେ ରଖିଥାଏ।

ରାଜାଝିଅ ଚେତା ଫେରି ପାଇ ଦେଖିଲା ରାଜାପୁଅର ମକୁଟ ପଡିଛି କିନ୍ତୁ ସିଏ ନାହିଁ। ଭାବିଲା ଅସୁର ତାକୁ ମାରି ଦେଇଛି। ଏମିତି ଦୁଇଦିନ ବିତିଗଲା।

ରାଜା ପୁଅ ନ ଫେରିବାରୁ ମନ୍ତ୍ରୀପୁଅ ଓ କଟୁଆଳପୁଅ ରାଜ କୁମାରଙ୍କୁ ଖୋଜି ଖୋଜି ସେଇ ପୋଖରୀ ନିକଟରେ ପହଞ୍ଚି ଦେଖିଲେ ଘୋଡା ସେଇଠାରେ ବନ୍ଧା ହୋଇଛି ଓ ରାଜାପୁଅର ମକୁଟ ପଡିଛି।
ସେଇଠାରେ ବୁଲୁ ବୁଲୁ ଦେଖିଲେ ସେ ପୋଖରୀ ଭିତରକୁ ପାଦଚିହ୍ନ ଯାଇଛି କିନ୍ତୁ ବାହାରକୁ ଆସିବାର ପାଦଚିହ୍ନ ନାହିଁ।

ସେ ଦୁଇଜଣ ଖଣ୍ଡା ଧରି ପୋଖରୀ ଭିତରକୁ ପଶିଲେ। ସେଠାରେ ଅସୁର ସୁରକ୍ଷିତ ଭାବରେ ରହିବା ପାଇଁ ସେଇ ମହଲର କବାଟ ଚାରିଦିଗକୁ ଖୋଲି ଥାଏ। ଯଦି କେହି ଶତ୍ରୁ ଆସିଲା, ତେବେ ସେ ଅନ୍ୟ ଏକ କବାଟ ଦେଇ ବାହାରି ଯାଏ ।

ଏଇ ସମୟରେ ରାଜାଝୁଅ ଭାବିଲା ଏ ଅସୁର ନ ମରିବା ପର୍ଯ୍ୟନ୍ତ ମୁଁ ଏମିତି ବନ୍ଦୀ ହୋଇଥିବି। ମୋ ବାପା ମାଆ ମୋତେ କାହିଁକି ଅସୁର ହାତରେ ଦେଇ ଦେଲେ ? ମନ ଦୁଃଖରେ ବସି କାନ୍ଦୁଥାଏ।

ଏତିକି ବେଳେ ଅସୁର ଆସି ରାଜାଝୁଅକୁ ପଚାରିଲା – ଖାଇଛୁ କି ନାହିଁ ??

ଅସୁରଠାରୁ କେମିତି ରାଜାପୁଅକୁ ଉଦ୍ଧାର କରିବ ଭାବି ରାଜାଝୁଅ ଅସୁରକୁ ପଚାରିଲା” ତମେ ତ ମୋତେ ପାଳି ପୋଷି ବଡ଼ କରିଛ, ବାପା ମାଆ ଭଳି ସ୍ନେହ ଦେଉଛ ହେଲେ ମୋତେ ବନ୍ଦୀ କରିଛ କାହିଁକି ??? ।ମୋତେ ମୋ ବାପା ତୁମକୁ ଦେଇ ଖୁସିରେ ରହିଲେ। ଭବିଷ୍ୟତରେ ତୁମେ ମରିଗଲା ପରେ ମୁଁ କେମିତି ରହିବି ??

ଅସୁର କହିଲା ” ତୋତେ ଆଜି ମୁଁ ସବୁ କଥା କହିବି, ତୁ ହେଉଛୁ ଗୋଟିଏ ଅଭିଶାପ ପ୍ରାପ୍ତ ଅପସରୀ, ଆଉ ତୁ ଯେଉଁଠି ରହିବୁ ସେ ଜାଗାରେ ବର୍ଷା ହେବନାହିଁ l ଯେଉଁଠାରେ ଜଳ ମହଲ ଥିବ ତୁ କେବଳ ସେଠାରେ ରହି ପାରିବୁ। ସେଥିପାଇଁ ମୁଁ ତୋତେ ଏଇଠାରେ ରଖିଛି ।

ତୋ ବାପା ଜଣେ ପ୍ରଜାପାଳକ ରାଜା, ତାଙ୍କ ଦୁଃଖ ଦେଖି ମୁଁ ତୋତେ ଆଣି ପାଳିଛି। ଏବେ ତୁ ଯେଉଁଠାକୁ ଯିବୁ ବରଷା ହେବ ନାହିଁ। ଯେଉଁଦିନ ତୁ ସେ ଅଭିଶାପରୁ ମୁକତି ପାଇବୁ ତେଣିକି ତୋ ରାଇଜକୁ ଫେରିବୁ।

ମୁଁ ତୋତେ ଶାପମୁକତି କଲାପରେ ଏ ଅସୁର ଜନମରୁ ରକ୍ଷା ପାଇବି। ରାଜାଝୁଅ ପଚାରିଲା ମୁଁ କେମିତି ଅଭିଶାପରୁ ମୁକତ ହେବି ??

ଏଇମିତି କଥା ହେବା ଉତ୍ତାରେ ମନ୍ତ୍ରୀ ପୁଅ ଆଉ କଟୁଆଳ ପୁଅ ମିଶି ରାଜକୁମାରଙ୍କ ପାଖରେ ପହଞ୍ଚି ଯାଇଥିଲେ। ରାଜାପୁଅ ଗୋଟିଏ ଘରେ ବନ୍ଦୀ ହୋଇଥିଲା ତାକୁ ଉଦ୍ଧାର କରିବା ପରେ ସେ ତିନିଜଣ ଯାକ ଅସୁର ସହିତ ଯୁଦ୍ଧ କରିବାକୁ ସ୍ଥିର କଲେ।

ରଜା ପୁଅ କହିଲା ମୁଁ ଅସୁର ସହ ଯୁଦ୍ଧ କରି ତାକୁ ହରେଇ ପାରିଲିନି। ତାର ମୃତ୍ୟୁର ରହସ୍ୟ ବୋଧେ ଅଲଗା କିଛି ଅଛି ଯାହା ଆମକୁ ଜଣା ନାହିଁ।

ତିନିଜଣଯାକ ଏମିତି ଭାବି ଭାବି ବସିଛନ୍ତି ସେଇ ଜଳ ମହଲର କାନ୍ଥରେ ଗୋଟିଏ ସୁନ୍ଦର ଶୁଆର ଚିତ୍ର ଥିବାର ଦେଖି ରାଜାପୁଅ ତା ଦେହକୁ ଆଉଁସି ଦେଲା। ଆଉ ତା ପାଟିରୁ ବାହାରି ପଡ଼ିଲା ଏ ଚିତ୍ରଟା ପୁରା ଜୀବନ୍ତ ଦେଖା ଯାଉଛି, ଜୀବନ ପାଆନ୍ତା କି ମୁଁ ଏକୁ ମୋ ରାଜ୍ୟକୁ ନେଇ ଯାଆନ୍ତି।

ରାଜାପୁଅ ଏ କଥା କହୁ କହୁ ଶୁଆ ଜୀବନ ପାଇଗଲା। ତାକୁ ଦେଖି ତିନି ବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ। ତା ପରେ ସେ ଶୁଆ କଥା କହିଲା-

ଦୀପିଦାଣ୍ଡି ପାଖେ ମନ୍ଦିର ଠିଆ
ଭିତରେ ରହିଛି ଗୋଟେ ଫରୁଆ
ଫରୁଆ ଭିତରେ ଭଅଁର ଟାଏ
ଅସୁର ଜୀବନନାଟିକା ସିଏ
ମରିବ ଅସୁର ଚିପିଲେ ତାକୁ
କରିପାରିବ ଯେ ମୋ ପାଶେ ଆସୁ

ପ୍ରଥମ ଥର ତିନିଜଣ କିଛି ବୁଝି ପାରିଲେନାହିଁ, ପୁଣି ଶୁଆ ସେଇ ପଦକ ଗାଇଲା ଓ ଉଡି ଚାଲିଗଲା।ତା ପରେ ତିନିଜଣ ଯାକ ଶୁଆ କଥାରେ ସରୋବରର ଦୀପିଦାଣ୍ଡି ପାଖକୁ ପହଁରି ପହଁରି ଗଲେ।

ଦୀପିଦାଣ୍ଡିର ଚାରିପଟେ ଦୁଇଟି ସାପ ଜଗି ରହିଛନ୍ତି। ଯେମିତି ରାଜାପୁଅ ଦୀପିଦାଣ୍ଡି ନିକଟରେ ପହଞ୍ଚିଛି ସେ ସାପ ଦୁଇଟି ଫଣା ଟେକି ଫଁ ଫଁ ହେଲେ, କିନ୍ତୁ ରାଜାପୁଅ ନ ଡରି ନିଜ ଖଣ୍ଡା କାଢି ଦେଇଛି ସେ ସାପ ଦୁଇଟି ଧୀରେ ଧୀରେ ଦୀପିଦାଣ୍ଡିରୁ ଓହ୍ଲାଇ ଚାଲିଗଲେ ଆଉ ତା ପରେ ରାଜାପୁଅ ଦୀପିଦାଣ୍ଡିର ଉପରେ ଥିବା ମନ୍ଦିର ଭିତରେ ପଶି ଫରୁଆକୁ ଖୋଜି ପାଇଗଲା।

ଯେମିତି ରଜା ପୁଅ ଫରୁଆକୁ ଧରିଛି, ଅସୁରକୁ ଜଣା ପଡିଗଲା, ସେ ଗୋଟିଏ ରଡି ପକେଇ ଧାଇଁ ଆସିଲା, ହେଲେ ରାଜାପୁଅ ଫରୁଆ ଭିତରେ ଥିବା ଭଅଁରକୁ ଜୋରରେ ଚିପି ଦେଲା। ଭଅଁର ମରିବା ଜାଣି ଅସୁର ଆସି ଦୀପିଦାଣ୍ଡି ପାଖରେ ଛଟପଟ ହୋଇ ପଡିଗଲା । ସିଏ ରାଜା ପୁଅର ହାତରେ ଏଥର ମରିବ ଜାଣି ସାରିଥାଏ।

ତା ପରେ ଅସୁର ରାଜାଝୁଅକୁ ବାକି ଥିବା ଉତ୍ତର ଦେଇ କହିଲା “ତୁ ପଚାରୁଥିଲୁ କେମିତି ଅଭିଶାପରୁ ମୁକ୍ତି ପାଇବୁ ବୋଲି। ଏବେ ଦେଖ ରାଜା ପୁଅ ମୋତେ ମାରିବା ପରେ ତୁ ଅଭିଶାପରୁ ମୁକ୍ତ ହୋଇଗଲୁ। ଏବେ ତୁମେ ଦୁଇଜଣ ବାହା ହୋଇ ସୁଖରେ ରୁହ। ତୋ ବାପା ଠାରୁ ମୁଁ ତୋତେ ଆଣି ଏଠାରେ ସେଥିପାଇଁ ରଖିଥିଲି। ମୁଁ ମଧ୍ୟ ମୁକ୍ତ ହୋଇ ସ୍ୱର୍ଗକୁ ଯାଉଛି।

ତୁ ଯେହେତୁ ଝିଅ ପରି ମୋ ପାଖରେ ଏତେ ଦିନ ଥିଲୁ ମୁଁ ତୁମ ଦୁଇଜଣଙ୍କୁ ଏକାଠି କରିଦିଏ। ଏହା କହି ରାଜାପୁଅ ଓ ରାଜାଝିଅଙ୍କ ହାତକୁ ଏକାଠି କରିଦେଇ ଅସୁର ମରିଗଲା।

ରାଜାଝିଅ ନିଜ ରାଜ୍ୟକୁ ବାହୁଡ଼ି ଗଲା ତା ବାପା ମା ଭାରି ଖୁସି ହେଲେ ଓ ଧୁମଧାମରେ ବାହାଘର କଲେ।

ରାଜା ପୁଅ ଘୋଡାରେ ବସି ରାଜାଙ୍କ ନଅର ଉପରେ ଥିବା ତୋରଣକୁ ଏକାବେଳେକେ ଡେଇଁ ବେଦୀ ଉପରେ ବସିଲା ଓ ରାଜାଝୁଅକୁ ବାହା ହୋଇ ନିଜ ରାଇଜକୁ ନେଇଗଲା।

ଗପୁଡି ଆଈ ଗପ ଶେଷରେ କହିଲା – “ମୁଁ ବାହାଘର ଦେଖି ଯାଇଥିଲି ଯେ ମୋତେ କେହି ତୋରାଣୀ ମନ୍ଦେ ବି ଯାଚିଲେନାହିଁ।

ମୋ କଥାଟି ସରିଲା
ଫୁଲ ଗଛଟି ମରିଲା।
ହେ ଫୁଲ ଗଛ କାହିଁକି ମଲୁ, ??
ନା ମୋତେ ମାଳି ପାଣି ଦେଲାନି।
ହେ ମାଳି ଗଛରେ କାହିଁକି ପାଣି ଦେଲୁନି?
ନା ମୋ ଟିକି ପୁଅ କାନ୍ଦିଲା।
ହେ ଟିକି ପୁଅ କାହିଁ କାନ୍ଦିଲୁ ?
ନା ମୋତେ ପିମ୍ପୁଡି କାମୁଡି ଦେଲା।
ହେ ପିମ୍ପୁଡି କାହିଁ କାମୁଡ଼ିଲୁ ??
ମୁଁ ଭୁଇଁ ତଳେ ତଳେ ଥାଏ। କଅଁଳ ମାଉଁସ ଟିକିଏ ପାଇଲେ ରୁଟ କିନା ଖାଏ

              ସମାପ୍ତ

ଶ୍ରୀମତୀ କୃଷ୍ଣପ୍ରିୟା ମହାପାତ୍ର,
ପୁରୀ, ମୋନଂ- ୬୩୭୦୭୦୫୯୦୩

*** **** ****

ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)

***** ***** ******


Share it

Join the Conversation

3 Comments

  1. ବହୁତ ସୁନ୍ଦର ଗପ । ଆମ ଭାଷାର ବାସ୍ନା ବାରି ହେଇ ଯାଉଛି ଗପ ଟିରୁ । ଅନେକ ଅଭିନନ୍ଦନ ।

Leave a comment

Your email address will not be published. Required fields are marked *

Verified by MonsterInsights