ଆଦିପର୍ବ -ଜରତ୍କାରୁ ଦମ୍ପତ୍ତି : ଭାଗ – ୨ : ସନ୍ତାନହିଁ ଉତ୍କୃଷ୍ଟ ଧର୍ମ
🌹 ପଣ୍ଡିତ ଅଶୋକ କୁମାର ଭୂୟାଁ
ପୂର୍ବ ପ୍ରକାଶିତ ଉତ୍ତାରୁ …
ପିତର ମାନେ କହିଲେ ଆମ୍ଭମାନଙ୍କର ତପୋବଳ ଥାଇମଧ୍ଯ ଆମେ ଅନ୍ଧକୂପରେ ପତିତ ହେବାକୁ ଯାଉଛୁ।
ବ୍ରହ୍ମାଙ୍କ ବଚନ- ‘ସନ୍ତାନହିଁ ଉତ୍କୃଷ୍ଟ ଧର୍ମ।’ ଏବେ ଏହି ଅବସ୍ଥାରେ ଆମର ସ୍ମୃତିବିଭ୍ରମ ଘଟିଲାଣି, ଆମେ କିଛି ଜାଣିପାରୁନାହୁଁ।
ଯା ହେଉ ତୁମେ ଆମପ୍ରତି ଦୟା ଦେଖେଇଲ, ଆମର ପରିଚୟ ଶୁଣ-ଆମେ କଠୋର ଯାଯାବର ବ୍ରତ ପାଳନ କରୁଥିବା ଯାଯାବର ନାମକ ମହର୍ଷି ଅଟୁ। ବଂଶପରମ୍ପରା କ୍ଷୟ ହେବା କାରଣରୁ ଆମ୍ଭମାନଙ୍କର ପୂଣ୍ଯଲୋକରୁ ପତନ ହେବାକୁ ଯାଉଛି। ଆମ କୁଳରେ କୌଣସି ସନ୍ତାନ ନଥିବାରୁ ଆମର ତୀବ୍ର ତପସ୍ୟା ନଷ୍ଟ ହୋଇଗଲା।
ଏବେ ଆମ ପରମ୍ପରାର ଏକମାତ୍ର ଶେଷତନ୍ତୁ (ସନ୍ତାନ) ଅଛି କିନ୍ତୁ ସେ ଥାଇ ନଥିବା ପରି। ଆମେ ଅଲ୍ପଭାଗ୍ଯଙ୍କର ସେହି ମନ୍ଦଭାଗ୍ଯ ସନ୍ତାନ କେବଳ ତପରେ ଲାଗିରହିଛି। ତାହାର ତପସ୍ୟାର ଲୋଭ ଆମକୁ ସଂକଟାପନ୍ନ କରିଛି।
ହେ ଜରତ୍କାରୋ! ତୁମେ ବିବାହ କରି ବଂଶ ରକ୍ଷାକର।
(ଆଜିକାଲି ସାମାଜିକ ବ୍ଯବସ୍ଥାରେ ଏକମାତ୍ର ପୁତ୍ରସନ୍ତାନର କାମନା କୁଳକ୍ଷୟର ଲକ୍ଷଣ ଓ ସନ୍ଯାସୀ, ସୈନିକ ପନ୍ଥାର ବାଧକ।)
ତପୋଧନ! ଆମ୍ଭକୁଳରେ ତୁମେ ଏକମାତ୍ର ଜୀବିତ ଅଛ। ଏହି ବେଣାର (କୁଳର) ଏକ ମାତ୍ର ଚେର (ଜରତ୍କାରୁ) ଯୋଗୁ ଗଛ ଉପୁଡୁନାହିଁ କି ଆମେ ନିମ୍ନଗାମୀ ହୋଇନାହୁଁ। ଏହି ଯେଉଁ ମୂଷାକୁ ତୁମେ ଦେଖୁଛ ସେ ମହାବଳୀ କାଳ ଅଟେ।
ସେହି ତପସ୍ବୀ ମୂଢ ଜରତ୍କାରୁ, ଯିଏ ତପସ୍ୟାକୁ ଶ୍ରେୟ ମନେକରେ, ମନ୍ଦାତ୍ମା ଅଦୂରଦର୍ଶୀ ଜଡ ପାଇଁ ଆମେ ଏହି ଦଶା ଭୋଗୁଛୁ।
ତୁମେ କିଏ, ତୁମର ପରିଚୟ ଦିଅ।
(ପୂର୍ବ ସମ୍ବୋଧନ ଜରତ୍କାରୁ ନାମ ବାଚକ ନୁହେଁ।)
ପତନ୍ମୋମୁଖୀ ପିତରଙ୍କ ପରିଚୟ ପାଇବା ପରେ ଜରତ୍କାରୁ ମୁନି ଶୋକାଭିଭୁତ ହୋଇ କାନ୍ଦି ପକାଇଲେ। କହିଲେ-“ଆପଣମାନେ ମୋର ପୂର୍ବଜ, କୁହନ୍ତୁ ମୋତେ କଣ କରିବାକୁ ହେବ? ‘ପିତର କହିଲେ,’ ତୁମେ ବିବାହ କରି ବଂଶରକ୍ଷା କର।
ଜରତ୍କାରୁ କହିଲେ, ‘ମୋର ଇଛାଥିଲା ମୁଁ ଉର୍ଦ୍ଧ୍ବରେତା ହୋଇ ଏହି ଶରୀରକୁ ସ୍ବର୍ଗ ଲୋକରେ ପହଞାଇବି। ଆପଣମାନଙ୍କ ଦୁର୍ଦ୍ଦଶା ଦେଖି ମୁଁ ମୋର ଅଖଣ୍ଡ ବ୍ରହ୍ମଚର୍ଯ୍ୟ ରକ୍ଷାରୁ ବିରତ ହେଲି। ମୁଁ ଆପଣ ମାନଙ୍କର ମନୋରଥ ପୂର୍ଣ୍ଣ କରିବି। କିନ୍ତୁ, ସେଥିପାଇଁ ଏକ ସର୍ତ୍ତ ରହିବ।
‘ଯଦି କେବେ ମୋର ନାମ ସହ ସମାନ ନାମବାଲୀ କୁମାରୀ କନ୍ଯା ପାଇବି, ମୋର ଯାଚଜ୍ଞାବିନା ଯିଏ ମୋତେ କନ୍ୟା ଦାନ କରିବ ଓ ତାର ପାଳନ-ପୋଷଣ ଭାର ମୋ ଉପରେ ରହିବ ନାହିଁ, ସେହିପରି କନ୍ଯାକୁ ମୁଁ ବିବାହ କରିବି। ଏହା ମୋର ସତ୍ଯ ନିଶ୍ଚୟ।’
ଏହି ବିବାହ ଦ୍ବାରା ଯେଉଁ ପତ୍ନୀ ପ୍ରାପ୍ତ ହେବ, ତାର ଗର୍ଭରୁ ଯେଉଁ ପ୍ରାଣୀ ଉତ୍ପନ୍ନ ହେବ, ସେ ଆପଣମାନଙ୍କୁ ଉଦ୍ଧାର କରିବ।
କ୍ରମଶଃ…
ପଣ୍ଡିତ ଅଶୋକ କୁମାର ଭୁୟାଁ