ଜରତ୍କାରୁ ଉପାଖ୍ୟାନ- ୧ : ନାଗମାତା କଦ୍ରୁ

Share it

ମହାଭାରତ ଆଦିପର୍ବ
ନାଗ ମାତା କଦ୍ରୂ

🌹 ପଣ୍ଡିତ ଅଶୋକ କୁମାର ଭୂୟାଁ 🙏

ପକ୍ଷୀମାତା ବିନତାଙ୍କୁ ଦାସୀ କରିବାପାଇଁ କଦ୍ରୂ ତାଙ୍କର ପୁତ୍ର ବାସୁକୀ ଆଦି ସମସ୍ତ ନାଗ ମାନଙ୍କୁ ଅଶ୍ବପୁଚ୍ଛରେ କଳାବାଳ ହୋଇ ରହିବାପାଇଁ ଆଦେଶ ଦେଲେ କିନ୍ତୁ ବାସୁକି ଓ ତକ୍ଷକ ଆଦି ଆଦେଶ ପାଳନ କଲେ ନାହିଁ। କଦ୍ରୂ ସେମାନଙ୍କୁ ଯଜ୍ଞାଗ୍ନିରେ ଭସ୍ମ ହେବାକୁ ଅଭିଶାପ ଦେଲେ।

ନାଗ ମାନେ ପରସ୍ପର ବିଚାର କଲେ-‘ସର୍ପଯଜ୍ଞ ଜାଣିଥିବା ଆଚାର୍ଯ୍ୟ ଓ ଋତ୍ବିଜ ମାନଙ୍କୁ ଆମେ ଦଂଶନ କରି ମାରିଦେଲେ ସର୍ପଯଜ୍ଞ ହୋଇ ପାରିବ ନାହିଁ।

କେତେକ ଧାର୍ମିକ ନାଗ କହିଲେ-“ଆପତ୍ତିକାଳରେ ସେହି ଧର୍ମ ହିଁ ଉତ୍ତମ ଯେଉଁଥିରେ ଶ୍ରେଷ୍ଠ ଧର୍ମ ଆନୁସାରେ ପଦକ୍ଷେପ ନିଆଯାଏ। ସଂକଟରୁ ବଞ୍ଚିବାପାଇଁ ଅଧର୍ମର ଉତ୍ତରୋତ୍ତର କର୍ମପ୍ରବୃତ୍ତି ସମ୍ପୂର୍ଣ ଜଗତକୁ ନାଶ କରେ।

ଏହିସବୁ ବିଚାରକରି ଏଳପତ୍ର ନାମକ ଏକ ନାଗ କହିଲା, “ଏହି ଲୋକରେ ପୁରୁଷ ଦୈବ ଦ୍ବାରା କ୍ଷୟ ପାଏ। ସେଥିରୁ ରକ୍ଷାପାଇବା ପାଇଁ ସେ ଦୈବର ଆଶ୍ରୟ ନେବା ଉଚିତ। ଏହା ବ୍ଯତୀତ ଦ୍ବିତୀୟ ଉପାୟ ନାହିଁ।

ଦୈବ କଲ୍ଯାଣ ଇଛାକରି ନାଗ ମାନେ ବ୍ରହ୍ମାଙ୍କ ନିକଟକୁ ଗଲେ। ବ୍ରହ୍ମାକହିଲେ ଜରତ୍କାରୁ ନାମରେ ଯାଯାବର କୁଳର ଏକ ମହାନ୍ ତପସ୍ବୀ ଅଛନ୍ତି, ତାଙ୍କର ଆସ୍ତିକ ନାମରେ ଏକ ପୁତ୍ର ହେଲେ, ସେ ଧର୍ମଜ୍ଞ ସର୍ପକୁଳକୁ ରକ୍ଷା କରି ପାରିବ। ନାଗମାନେ କିପରି ରକ୍ଷା ପାଇବେ ବ୍ର୍ରହ୍ମଦେବ ସେ ସୂତ୍ର ବତାଇଦେଲେ।

ନାଗରାଜ ବାସୁକି ତାଙ୍କ ଭଉଣୀର ନାମ ଜରତ୍କାରୁ ରଖି କେବେ କିଏ ଜରତ୍କାରୁ ମୁନି ଆସିବେ, ବିବାହ ପ୍ରସ୍ତାବ ଦେବେ ଅପେକ୍ଷାରେ ରହିଲେ।

ବିଧି ବିଧାନ ଅନୁସାରେ ନାଟକର ପାତ୍ର ସବୁ ସ୍ଥିର ହୋଇଗଲା।

ଜରତ୍କାରୁ ଶବ୍ଦର ବ୍ଯୁତ୍ପତି ହେଲା, ଜରାର ଅର୍ଥ କ୍ଷୟ ଓ କାରୁ ଦାରୁଣ ବାଚକ। ପ୍ରଥମେ ଜରତ୍କାରୁଙ୍କ ଶରୀର କାରୁ ବା ହୃଷ୍ଟପୁଷ୍ଟ (କାରୁ/ଢୁ-ଆ ସାଧାରଣ ଭାବରେ କୁହାଯାଏ) ଥିଲା, ତୀବ୍ର ତପସ୍ୟା ଫଳରେ କ୍ଷୀଣ ହେବାରୁ ତାଙ୍କର ନାମ ଜରତ୍କାରୁ ହେଲା।

ଏଣେ ବାସୁକି ଜରତ୍କାରୁ ମୁନି ଅନ୍ବେଷଣର କାମ ନାଗ ମାନଙ୍କୁ ଦେଇଦେଲେ।

ତପବିଳାସୀ ମୁନି ତପରେ ବ୍ଯସ୍ତ। ଥରେ ଜରତ୍କାରୁ ମୁନି ପୃଥିବୀ ପରିଭ୍ରମଣ କରୁଥାନ୍ତି, ଯେଉଁଠି ସନ୍ଧ୍ୟା ହୁଏ ସେଠାରେ ବିଶ୍ରାମ କରନ୍ତି। ସେ ପବନ ପିଅନ୍ତି ବା ନିରାହାର ରୁହନ୍ତି, ସେଥିପାଇଁ ସେ ଶୁଖି କଣ୍ଟା ହୋଇ ଗଲେ।

ଏହି ଭ୍ରମଣ ସମୟରେ ସେ ଦେଖିଲେ କେତେକ ପିତର ନୀଚ୍ଚକୁ ମୂଖକରି ଏକ ବେଣା ବୁଦାର ଆଶ୍ରନେଇଛନ୍ତି ଓ ଗୋଟିଏ ମୂଷା ସେହି ବେଣା ଗଛକୁ କାଟୁଛି। କିଛି ସମୟ ପରେ ସେମାନେ ଏକ ଅନ୍ଧକାର ଗର୍ତ୍ତରେ ନିପତିତ ହେବେ।

ଏହା ଦେଖି ଜରତ୍କାରୁଙ୍କ ମନ ଦୁଃଖ ହେଲା, ତାଙ୍କୁ ପଚାରିଲେ, ‘ଆପଣ ମାନେ କାହିଁକି ଏପରି କଷ୍ଟ ଭୋଗୁଛନ୍ତି? କୁହନ୍ତୁ ଯଦି ମୁଁ ମୋ ତପସ୍ୟାର ଫଳର କିଛି ଭାଗ ଆପଣଙ୍କୁ ଦାନ କଲେ ଯଦି ଆପଣ ମାନଙ୍କର କଲ୍ଯାଣ ହେବ, ତାହେଲେ ମୁଁ ତାହା ଦେବାକୁ ପ୍ରସ୍ତୁତ ଅଛି।’

ପିତର ମାନେ କହିଲେ, “ବିପ୍ରବର! ତୁମେ ବୃଦ୍ଧ ବ୍ରହ୍ମଚାରୀ ଆମର କଲ୍ଯାଣ କରିବାକୁ ଇଛାକରୁଛ କିନ୍ତୁ ଆମର ସଂକଟକୁ ତପସ୍ୟା ଦ୍ବାରା ନିବାରଣ କରି ହେବ ନାହିଁ। ତପୋବଳ ମଧ୍ୟ ଆମ ନିକଟରେ ଅଛି। ଆମର ବଂଶ ପରମ୍ପରାର ବିଚ୍ଛେଦ କାରଣରୁ ଆମେ ଅପବିତ୍ର ନରକରେ ପତିତ ହେବାକୁ ଯାଉଛୁ।

( କ୍ରମଶଃ…)


ପଣ୍ଡିତ ଅଶୋକ କୁମାର ଭୂୟାଁ
Mob : +91 83277 02400


Share it

Leave a comment

Your email address will not be published. Required fields are marked *

Verified by MonsterInsights