ଜୀବନ ବେଦ – ୮

Share it

16th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୮

ତାଙ୍କର ଇଚ୍ଛା ଯେ ସେ କିପରି ସ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ବାକ୍ୟାଳାପ କରିବେ ।

ପରଲୋକ ତତ୍ତ୍ବ ଅନୁସନ୍ଧାନ :
ଥରେ, ଦୁଇଥର, ତିନିଥର ଛାୟାମୂର୍ତ୍ତି ଦର୍ଶନ କଲା ପରେ ନଳିନୀକାନ୍ତଙ୍କ ମନରେ ପରକାଳର ଅସ୍ତିତ୍ବ ଦୃଢ଼ମୂଳ ହେଲା । ନଳିନୀକାନ୍ତ ଭାବିଲେ, ମନୁଷ୍ୟର ଆତ୍ମୀୟମାନେ ମରିଯାନ୍ତି; କିନ୍ତୁ କିଏ ଆସି ସ୍ନେହ – ବିରହବିଧୁରର ସ୍ମୃତି ପୁନରାୟ ଜାଗ୍ରତ କରାଇଦିଏ ? ଏହି ପରାଲୋକତତ୍ତ୍ଵ ଉଦଘାଟନ କରିବାକୁ ହେବ। ଯଦି ପରଲୋକ ଥାଏ, ତେବେ ତାହା ସହିତ ପୁନରାୟ ସାକ୍ଷାତ୍ କରିବାକୁ ହେବ।

ନାନା ଲୋକଙ୍କ ସହିତ ଆଲୋଚନା କରି ସେ ବୁଝିଲେ ଯେ, କଲିକତାରେ ଥିବା ଥିଓସୋଫିକାଲ୍ ସୋସାଇଟିରେ ପରଲୋକତତ୍ତ୍ୱ ସମ୍ବନ୍ଧରେ ଆଲୋଚନା ହୁଏ ଓ ସେମାନେ ଆତ୍ମା ଅଣାଇ ପରଲୋକ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରନ୍ତି । ଏହି ସମୟରେ ତାଙ୍କର କୁମିରା ବଦଳି ହେବାରୁ ସେ କଲିକତା ବାଟଦେଇ ସେଠାକୁ ଯିବାକୁ ସ୍ଥିର କଲେ।

କୁମିରା ଯିବା ବାଟରେ କଲିକତାରେ ଅବତରଣ କରି କିପରି ମୃତ ବ୍ୟକ୍ତିଙ୍କ ସହିତ ଆଳାପ କରିବାକୁ ହୁଏ ଏବଂ କେଉଁଠାକୁ ଗଲେ ଉକ୍ତ କୌଶଳାଦି ଶିକ୍ଷା କରାଯାଏ ଇତ୍ୟାଦି ବିଷୟରେ ଅବଗତ ହୋଇ ପୁନରାୟ କର୍ମସ୍ଥଳକୁ ଫେରିଆସିଲେ।

ମଧ୍ୟେ ମଧ୍ୟେ କଲିକତାକୁ ଆସି ଉକ୍ତ ସୋସାଇଟିର ସଭ୍ୟମାନଙ୍କ ସହିତ ଆଲୋଚନା, ଆଳାପ ଓ ପରିଚୟାଦି କରି ଅବଗତ ହେଲେ ଯେ, ପରୋଲୋକ ସମ୍ବନ୍ଧରେ ପ୍ରତ୍ୟକ୍ଷ ଭାବରେ ଜ୍ଞାନ ଲାଭ କରିବାକୁ ହେଲେ ମାନ୍ଦ୍ରଜ ନିକଟବର୍ତ୍ତୀ ଆଦ୍ୟାର ଆଶ୍ରମକୁ ଯାଇ ରେଭେରେଣ୍ଡ ଲେଡିବିଟର ସାହେବଙ୍କ ନିକଟରୁ ଏ ବିଷୟରେ ଶିକ୍ଷା କରିବା ଦରକାର । ସେ ଦୁଇ ମାସ ଛୁଟି ନେଇ ମାନ୍ଦ୍ରାଜ ଚାଲିଗଲେ ।

ଥିଓସଫି ଶିକ୍ଷା

ନଳିନୀକାନ୍ତ ଆଦ୍ୟାରଠାରେ ପହଞ୍ଚି ଲେଡିବିଟରଙ୍କ ନିକଟରୁ ପରଲୋକରୁ ଆତ୍ମା ଆଣିବାର କ୍ଷମତା ଅର୍ଜନ କଲେ । ଅଳ୍ପଦିନ ଭିତରେ ମିଡ଼ିୟମ, ମେସମେରିଜିମ୍, ପ୍ଲାନଚେଟ୍, ମେଣୂଟାଲ ଟେଲିଗ୍ରାଫିକ ପ୍ରଭୃତି ବିଦ୍ୟା ଶିକ୍ଷା କଲେ । ସେମାନେ ଯେଉଁ ପାଠ୍ୟ ଦିଅନ୍ତି, ନଳିନୀକାନ୍ତ ଦିନେ ଦୁଇ ଦିନ ମଧ୍ୟରେ ତାହା ଆୟତ୍ତ କରି ପକାନ୍ତି । ନଳିନୀକାନ୍ତ, ‘go to sleep’ ବୋଲି କହି ତାଙ୍କର ଶିକ୍ଷାଦାତାଙ୍କୁ ମୁହୂର୍ତ୍ତକ ମଧ୍ୟରେ ସମ୍ମୋହିତ କରିପକାନ୍ତି; କିନ୍ତୁ ଶିକ୍ଷାଦାତାମାନେ ତାଙ୍କୁ କୌଣସି ପ୍ରକାରେ ସମ୍ମୋହିତ କରିପାରନ୍ତି ନାହିଁ ।

ଯାହାହେଉ, ଅଳ୍ପଦିନ ମଧ୍ୟରେ ସେମାନଙ୍କ ଉପଦେଶ ଅନୁଯାୟୀ କାର୍ଯ୍ୟ କରି ନଳିନୀକାନ୍ତ ହାତେ ହାତେ ଫଳ ପାଇଲେ । ଯେଉଁ ଲୋକର ଆତ୍ମା ଆଣିବାକୁ ଚେଷ୍ଟା କରୁଥିଲେ ତାହା ସଫଳ ହେଲା । ଉକ୍ତ ଆତ୍ମା ମିଡ଼ିୟମ ଭିତର ଦେଇ ନଳିନୀକାନ୍ତଙ୍କ ସହିତ କଥୋପକଥନ କରିବାକୁ ଲାଗିଲେ ।

ଅନେକ ଗୁପ୍ତ ରହସ୍ୟ ଯାହା ତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ, ତାହା ଠିକ୍ ଠିକ୍ ଭାବରେ କହିଦେଲେ। ଜିବିତାବସ୍ଥାରେ ତାଙ୍କ ସ୍ତ୍ରୀ ଗୋଟିଏ ଗାନ ଗାଉଥିଲେ । ନଳିନୀକାନ୍ତଙ୍କୁ ଉକ୍ତ ଗାନ ଟି ବଡ଼ ମଧୁର ବୋଧହେଉଥିଲା । ଅନୁରୋଧକ୍ରମେ ମିଡ଼ିୟମ ବ୍ୟକ୍ତି ଉକ୍ତ ଗାନକୁ ଅବିକଳ ପୂର୍ବ ସ୍ଵରରେ ଗାଇବାକୁ ଲାଗିଲା । ଏହିପରି କିଛି ଦିନ ଆନନ୍ଦରେ କଟିଲା ।

ପରେ ନଳିନୀକାନ୍ତ ବୁଝିଲେ ଯେ, ପ୍ରଣାଳୀ ଦ୍ଵାରା ସେ ପରକାଳର ତତ୍ତ୍ୱାଂଶ ମାତ୍ର ବୁଝିପାରିଛନ୍ତି । କାରଣ ପ୍ରେତାତ୍ମାକୁ ମିଡ଼ିୟମ ଭିତର ଦେଇ ଆଣିବାକୁ ପଡେ ଓ ମିଡ଼ିୟମ ବ୍ୟକ୍ତିଙ୍କୁ ପ୍ରଶ୍ନ କରି ଘଟଣାବଳୀ ଜାଣିବାକୁ ହୁଏ । ଥିଓସୋଫିକଲ ସୋସାଇଟି ଦ୍ଵାରା ଯେଉଁ ବିଦ୍ୟା ଅର୍ଜିତ ହୁଏ, ତଦ୍ଦ୍ୱାରା ମୃତାତ୍ମାକୁ ଆକର୍ଷଣ କରି ପ୍ରତ୍ୟକ୍ଷ ଭାବରେ ମୁଖ୍ୟ ବ୍ୟକ୍ତି ସହିତ ବାକ୍ୟାଳାପ କରି ହୁଏ ନାହିଁ ।

କିନ୍ତୁ ତାଙ୍କର ଇଚ୍ଛା ଯେ ସେ କିପରି ସ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ବାକ୍ୟାଳାପ କରିବେ । ଉକ୍ତ ସୋସାଇଟିରେ ତାଙ୍କ ଏ ଅଭିଳାଷ ପୂର୍ଣ୍ଣ ହେବାର କୌଣସି ଉପାୟ ନ ଦେଖି ଦୁଇ ମାସ ପରେ ଉକ୍ତ ସୋସାଇଟିର ସମସ୍ତ ବିଦ୍ୟା ଆୟତ୍ତ କରି ସେ ପୁନରାୟ କର୍ମସ୍ଥଳ କୁମିରାକୁ ଫେରିଆସିଲେ ।

ମିଡ଼ିୟମଦ୍ଵାରା ମୃତବ୍ୟକ୍ତିଙ୍କ ସହିତ ବାକ୍ୟାଳାପ କରିବା ସମୟରେ ସେ ସବୁ ପ୍ରତ୍ୟକ୍ଷ ସତ୍ୟ ବୋଲି ମନେ କରୁଥିଲେ । କିନ୍ତୁ ଯୋଗସିଦ୍ଧି ପରେ ଏହାର ତତ୍ତ୍ଵ ଆଲୋଚନା କରି ଜାଣିପାରିଲେ ଯେ, ମିଡ଼ିୟମ ଭିତର ଦେଇ ପ୍ରକୃତ ପ୍ରେତାତ୍ମା ଆସେ ନାହିଁ; ତାହା ସମ୍ମୋହିତ ବ୍ୟକ୍ତିଙ୍କ ଆତ୍ମସ୍ଫୁରଣ ମାତ୍ର । ମନୁଷ୍ୟ ଯାହା କହେ ବା ଶୁଣେ, ସେ ସମସ୍ତ ଶବ୍ଦ ବାୟୁମଣ୍ଡଳର ରେକର୍ଡ ହୋଇ ରହେ । ସଂଯତ କରି ମନକୁ ସେହି ସ୍ଥରରେ ଅବସ୍ଥାପିତ କଲେ ପୂର୍ବପରି ସବୁ ଶୁଣାଯାଏ ।

ସମ୍ମୋହନ ବେଳେ ମିଡ଼ିୟମ ବ୍ୟକ୍ତିଙ୍କୁ ମୋହିତ କରି ପକାଇଲେ ଅର୍ଥାତ୍ ସମ୍ମୋହିତ ବ୍ୟକ୍ତିଙ୍କର ଅର୍ଦ୍ଧଚୈତନ୍ୟ ଅବସ୍ଥା ଆନୟନ କଲେ ମିଡ଼ିୟମ ବ୍ୟକ୍ତିର ଆତ୍ମଶକ୍ତି ବର୍ଦ୍ଧିତ ହୁଏ । ତଦ୍ଦ୍ଵାରା ଅତୀନ୍ଦ୍ରିୟ ଦୃଷ୍ଟି ଖୋଲିଯିବାରୁ ମିଡ଼ିୟମ ବ୍ୟକ୍ତି ଅତୀନ୍ଦ୍ରିୟ ଶକ୍ତି ବଳରେ ପ୍ରଶ୍ନକର୍ତ୍ତାଙ୍କର ସବୁ ଗୁପ୍ତ ଖବର ଦେବାକୁ ସକ୍ଷମ ହୁଏ । ( କ୍ରମଶଃ ..)


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights