ଜୀବନ ବେଦ – ୭ : ତୃତୀୟବାର ଛାୟାମୂର୍ତ୍ତି ଦର୍ଶନ

Share it

15th July 2024
ପରମହଂସ ଶ୍ରୀ ନିଗମାନନ୍ଦ:ଭାଗ– ୭
( ପୂର୍ବପ୍ରକାଶିତ ଉତ୍ତାରୁ … )

ନଳିନୀକାନ୍ତଙ୍କ ମନ ବିରକ୍ତ ହୋଇଉଠିଲା । ସେ ଭାବିଲେ, ସବୁବେଳେ ସ୍ତ୍ରୀର ଚିନ୍ତା କରୁଥିବାରୁ ଗତ ରାତ୍ରିରେ ତାହାର ଦର୍ଶନ ହୋଇଥିଲା । ଉତ୍କଟ ରୋଗ ପ୍ରକୋପରେ ପଡ଼ି ବିକାରଗ୍ରସ୍ତ ହୋଇ ମନୁଷ୍ୟ ଯେପରି କେତେ କଣ ଦେଖେ, ସେହିପରି ମୋର ଶୋକଗ୍ରସ୍ତ ମନ ବିକାର ପ୍ରାପ୍ତ ହୋଇ ଏହିପରି ଦର୍ଶନ ଓ ଶ୍ରବଣ କରିଅଛି । ମଲା ମନୁଷ୍ୟ କେବେ କେଉଁ ଦିନ ଫେରିଆସିବ ନାହିଁ । ମୋର ଏହି ଦୁର୍ବଳ ମନର ସୁସ୍ଥତା ଆଣିବା ଆବଶ୍ୟକ। ମିଛରେ ମୁଁ ପଇସା ଖର୍ଚ୍ଚ କରି ଏତେ ଜିନିଷ ଆଣିଲି । ମରିବା ମଣିଷ ଯେ ଖାଏ, ଏକଥା ଚିରକାଳ ଅବିଶ୍ବାସ କରିବା କଥା। ଏପରି ଗୋଟିଏ ବିକୃତ ସିଦ୍ଧାନ୍ତ ଯେ ମୋ ମନକୁ ଆସିଲା, ତାହା ବଡ଼ ଲଜ୍ଜାକର। ଯାହାହେଉ, ଖାଇବା ଜିନିଷ ଗୁଡ଼ିକ ମୁଁ ନିଜେ ଖାଇବି।

ତୃତୀୟବାର ଛାୟାମୂର୍ତ୍ତି ଦର୍ଶନ :
କଲିକତାରେ ମୋକଦ୍ଦମା କାର୍ଯ୍ୟ ଶେଷ ହୋଇନଥିବାରୁ ସେ ନାରାୟଣପୁର କଚେରୀକୁ ଯାଇପାରି ନ ଥିଲେ। ଏହି ସମୟରେ ଦିନେ (ସୁଧାଂଶୁଵାଳାଙ୍କ ମୃତ୍ୟୁର ନବମ ଦିନ) ନଳିନୀକାନ୍ତ ବିଛଣାରେ ଶୋଇଛନ୍ତି, ନିଦ୍ରା ଆସିନାହିଁ, ମୃତ ପତ୍ନୀଙ୍କ କଥା ଭାବୁଛନ୍ତି, ଘରେ ମିଞ୍ଜି ମିଞ୍ଜି ହୋଇ ଆଲୁଅ ଜଳୁଛି । ଘର ଭିତରେ କିଏ ବୁଲୁଥିବାର ଶବ୍ଦ ଶୁଣି ପାରିଲେ । ଶବ୍ଦଟି ଠିକ୍ ସୁଧାଂଶୁବାଳାଙ୍କ ପାଦ ଶବ୍ଦ ଭଳି ତାଙ୍କୁ ଲାଗିଲା ।

ନଳିନୀକାନ୍ତ ପରକାଳ – ଅବିଶ୍ୱାସୀ ଥିବାରୁ ବିସ୍ମୟରେ ଉଠିପଡି ପଚାରିଲେ, ” ଏ ଘରେ କିଏ ? ”

ଉତ୍ତର ହେଲା, ‘ମୁଁ ତୁମର ସୁଧା’ ।

ନଳିନୀକାନ୍ତ କହିଲେ, ‘ ତୁମ କଣ୍ଠ ସ୍ବର ତ ଶୁଣୁଛି, ତୁମକୁ ଦେଖି ପାରୁ ନାହିଁ କାହିଁକି ?’

ଉତ୍ତର ହେଲା , ‘ ତୁମେ ଭୟ ପାଇବ ନାହିଁ ତ ?’

ନଳିନୀକାନ୍ତ କହିଲେ, ତୁମକୁ ଦେଖି ଯଦି ଭୟ ପାଇବି ତେବେ ଖୁସି ହେବି କାହାକୁ ଦେଖି ?

ସେତେବେଳେ ନଳିନୀକାନ୍ତଙ୍କ ସମ୍ମୁଖରେ ଠିକ୍ ସୁଧାଂଶୁବାଳାଙ୍କର ଜୀବନ୍ତ ରୂପ ନୟନଗୋଚର ହେଲା । ନଳିନୀକାନ୍ତ କହିଲେ, ‘ଏତେ ଦୂରରେ କାହିଁକି ? ମୋ ପାଖକୁ ଆସିକି ବସ ।’ ଛାୟାମୂର୍ତ୍ତି ସୁଧାଂଶୁବାଳା ନଳିନୀକାନ୍ତଙ୍କ ବାମ ପାର୍ଶ୍ଵରେ ଆସି ବସିଲେ । ନଳିନୀକାନ୍ତ ବାମହାତରେ ତାଙ୍କୁ ଧରି ତାଙ୍କର ସେହି ଚିର ପରିଚିତ ଚିରନୂତନ ମୁଖମଣ୍ଡଳ ପ୍ରତି ଦୃଷ୍ଟିପାତ କଲାମାତ୍ରେ ଛାୟାମୂର୍ତ୍ତି ସୁଧାଂଶୁବାଳା କହିଲେ; ‘ତୁମେ ମୋର ଶ୍ରାଦ୍ଧ କରିବ ନାହିଁ ?’

ନଳିନୀକାନ୍ତ – ବାବା ଶ୍ରାଦ୍ଧ କରିବେ, ତାଙ୍କୁ କହିଦେଇ ଆସିଛି।

ଛାୟାମୂର୍ତ୍ତି – ତୁମେ ଶ୍ରାଦ୍ଧ କଲେ ମୋର ଯେପରି ତୃପ୍ତି ହେବ ଅନ୍ୟଦ୍ୱାରା କରାଇଲେ ତାହା କଅଣ ସମ୍ଭବ ହେବ ?

ନଳିନୀକାନ୍ତ ହତାଶବ୍ୟଞ୍ଜକ ସ୍ଵରରେ କହିଲେ ; ଆଗରୁ କହିଲ ନାହିଁ କାହିଁକି ? କାଲି ତ ଶ୍ରାଦ୍ଧ ଦିନ, ବର୍ତ୍ତମାନ ମୁଁ କଣ କରିପାରିବି ?

ଛାୟାମୂର୍ତ୍ତି ଟିକିଏ ଭାବି ଉତ୍ତର କଲେ, ‘ତୁମକୁ ଆଉ କିଛି କରିବାକୁ ହେବ ନାହିଁ । ତୁମର ଯାହା ଇଚ୍ଛା ହବ ମୋତେ ଦେବ, ମୁ ସେଥିରେ ତୃପ୍ତି ଲାଭ କରିବି।’

କଥାଟି ଶେଷ ହେବା ସଙ୍ଗେ ସଙ୍ଗେ ଛାୟାମୂର୍ତ୍ତି ଉଭେଇଗଲା । ନଳିନୀକାନ୍ତ ନିସ୍ତବ୍ଧ ଭାବରେ ବସି ରହିଲେ ।

ଶ୍ରାଦ୍ଧ

ନଳିନୀକାନ୍ତ ତତ୍ ପରଦିନ ଗଙ୍ଗାରେ ସ୍ନାନ କରି ଦୁଇଟି ଟଙ୍କା ଧରି ବଜାରକୁ ଗଲେ । ଯେଉଁ ସବୁ ଦ୍ରବ୍ୟ ସୁଧାଂଶୁବାଳାଙ୍କ ପ୍ରିୟ ଥିଲା ଓ ଯାହା ସବୁ ସେ ଖାଇବାକୁ ଭଲ ପାଉଥିଲେ, ସେସବୁ ଦ୍ରବ୍ୟ କିଣିଆଣି ବସାକୁ ଫେରିଲେ। ତାପରେ ଗୃହକୁ ଲିପି ପୋଛିଦେଇ ଗୋଟିଏ ଥାଳିରେ ଶ୍ରାଦ୍ଧ ଜିନିଷ ଗୁଡ଼ିକୁ ଦେବତାଙ୍କର ଭୋଗ ପରି ସଜାଇ ଗୋଟିଏ ବସିବା ଆସନ ଓ ଗିଲାସେ ପାଣି ରଖିଦେଇ ମନେ ମନେ ସୁଧାଂଶୁବାଳାଙ୍କୁ ସ୍ମରଣ କରି କହିଲେ, ‘ମୋର ଏ ସାମାନ୍ୟ ଆୟୋଜନ ଗ୍ରହଣ କର।’ ଏହିପରି ପ୍ରାଥର୍ନା କରି ବସି ରହିଲେ ।

ନଳିନୀକାନ୍ତ ଭାବିଥିଲେ ପୂର୍ବପରି ସୁଧାଂଶୁବାଳା ଉପସ୍ଥିତ ହୋଇ ସଶରୀରରେ ଭୋଜନ କରିବେ । କିନ୍ତୁ ସମୟ କ୍ରମେ ଅତୀତ ହେଲା। ଅଧଘଣ୍ଟା ବିତିଗଲା; ତଥାପି ସୁଧାଂଶୁବାଳା ଆସିଲେ ନାହିଁ କି ଖାଇଲେ ନାହିଁ ।

ନଳିନୀକାନ୍ତଙ୍କ ମନ ବିରକ୍ତି ହୋଇଉଠିଲା । ସେ ଭାବିଲେ, ସବୁବେଳେ ସ୍ତ୍ରୀର ଚିନ୍ତା କରୁଥିବାରୁ ଗତ ରାତ୍ରିରେ ତାହାର ଦର୍ଶନ ହୋଇଥିଲା । ଉତ୍କଟ ରୋଗ ପ୍ରକୋପରେ ପଡ଼ି ବିକାରଗ୍ରସ୍ତ ହୋଇ ମନୁଷ୍ୟ ଯେପରି କେତେ କଣ ଦେଖେ, ସେହିପରି ମୋର ଶୋକଗ୍ରସ୍ତ ମନ ବିକାର ପ୍ରାପ୍ତ ହୋଇ ଏହିପରି ଦର୍ଶନ ଓ ଶ୍ରବଣ କରିଅଛି । ମଲା ମନୁଷ୍ୟ କେବେ କେଉଁ ଦିନ ଫେରିଆସିବ ନାହିଁ । ମୋର ଏହି ଦୁର୍ବଳ ମନର ସୁସ୍ଥତା ଆଣିବା ଆବଶ୍ୟକ। ମିଛରେ ମୁଁ ପଇସା ଖର୍ଚ୍ଚ କରି ଏତେ ଜିନିଷ ଆଣିଲି । ମରିବା ମଣିଷ ଯେ ଖାଏ, ଏକଥା ଚିରକାଳ ଅବିଶ୍ବାସ କରିବା କଥା। ଏପରି ଗୋଟିଏ ବିକୃତ ସିଦ୍ଧାନ୍ତ ଯେ ମୋ ମନକୁ ଆସିଲା, ତାହା ବଡ଼ ଲଜ୍ଜାକର। ଯାହାହେଉ, ଖାଇବା ଜିନିଷ ଗୁଡ଼ିକ ମୁଁ ନିଜେ ଖାଇବି।

ଏହା ଭାବି ନଳିନୀକାନ୍ତ ତିକ୍ତତା ଓ ବିରକ୍ତିର ସହିତ ଆସନରେ ଉପବିଷ୍ଟ ହେଲେ । ହାତ ବଢ଼ାଇ ଖାଇବାକୁ ଯିବାବେଳେ ଶବ୍ଦ ହେଲା, ” ଛି,ଛି, ଏ କ’ଣ କରୁଛ ?” ଏହା କହି ସୁଧାଂଶୁବାଳା ନଳିନୀକାନ୍ତଙ୍କ ହାତ ଚାପି ଧରିଲେ । ନଳିନୀକାନ୍ତ ଅତି ବିସ୍ମୟପୂର୍ଣ୍ଣ ହୃଦୟରେ ଉତ୍ତର କଲେ, “ତୁମେ ତ ଖାଉ ନାହଁ, ତେଣୁ ମୁଁ ଖାଉଛି।”

“ମୁଁ ସେସବୁ ଖାଇଛି, ମୋର ଉଚ୍ଛିଷ୍ଟ ଖାଇବ?” — ଛାୟାମୂର୍ତ୍ତି ନଳିନୀକାନ୍ତଙ୍କ ହାତ ଧରି ଉତ୍ତର କଲେ ଓ ତାଙ୍କ ପ୍ରତି ପ୍ରଫୁଲ୍ଲ ଅନ୍ତଃକରଣରେ କୃତଜ୍ଞତା ପ୍ରକାଶ କଲା ପରି ଚାହିଁ ରହିଲେ ।
ନଳିନୀକାନ୍ତ ପ୍ରଶ୍ନ କଲେ, “ଖାଇଛ ବୋଲି କହୁଛ କିପରି ? ମୁଁ ତ ଏତେ ସମୟ ବସିଛି, କାହିଁ ଖାଇଲ ନାହିଁ ?”

ତହୁଁ ଛାୟାମୂର୍ତ୍ତି ଗମ୍ଭୀର ସ୍ଵରରେ କହିଲେ — ” ମୃତ୍ୟୁ ସଙ୍ଗେ ସଙ୍ଗେ ମନୁଷ୍ୟର ସ୍ଥୂଳଦେହ ଲୋପ ପାଇଯାଏ। କିନ୍ତୁ ଆତ୍ମାର ମୃତ୍ୟୁ ନାହିଁ ବୋଲି ସୂକ୍ଷ୍ମ ଦେହରେ ମନୁଷ୍ୟର ଅସ୍ତିତ୍ବ ରହିଯାଏ। ଏହି ଅବସ୍ଥାରେ ମନୁଷ୍ୟ ସ୍ଥୂଳଦେହ ଉପଯୋଗୀ କୌଣସି ଦ୍ରବ୍ୟ ଭୋଗ କରିବାର କ୍ଷମତା ନଥାଏ। ସୂକ୍ଷ୍ମ ଭାବରେ ସବୁ ପଦାର୍ଥର ସକ୍ଷ୍ମାଂଶ ଗ୍ରହଣ କରେ ମାତ୍ର । ଏହି ଖାଇବା ପଦାର୍ଥ ଗୁଡ଼ିକ ତୁମେ ଯେତେବେଳେ ଦେଇଛ, ସେତେବେଳେ ମୁଁ ଏହାର ସୁକ୍ଷ୍ମାଂଶ ଗ୍ରହଣ କରିଛି ।”

ନଳିନୀକାନ୍ତ କହିଲେ, “ମୁ ବର୍ତ୍ତମାନ ଏଗୁଡ଼ିକ କ’ଣ କରିବି ?”

ଉତ୍ତର ହେଲା,”ଗଙ୍ଗାରେ ଫିଙ୍ଗିଦିଅ।”

ଦେଖୁ ଦେଖୁ ଛାୟାମୂର୍ତ୍ତି ଉଭେଇଗଲେ। ନଳିନୀକାନ୍ତ ନିର୍ବାକ ନିସ୍ପନ୍ଦ ଭାବରେ ବସି ରହିଲେ।
(କ୍ରମଶଃ..)

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights