ଜୀବନ ବେଦ – ୬

Share it

ନିଗମାନନ୍ଦଙ୍କ ସ୍ତ୍ରୀ ବିୟୋଗ

ଖୁଡୀ କହିଲେ, ବୋହୂ ମୃତ୍ୟୁ ପୂର୍ବରୁ କହିଗଲା – ‘ତାଙ୍କୁ କହିବ, ସେ ସଦ୍ ଗୁରୁଙ୍କ ଆଶ୍ରୟ ନେଇ ଦୀକ୍ଷା ଗ୍ରହଣପୂର୍ବକ ନିସ୍ତ୍ରୈଗୁଣ୍ୟ ସାଧନ କରିବେ ।’ ମୃତ୍ୟୁ ପୂର୍ବରୁ ସୁଧାଂଶୁବାଳା ଯାହା କହିଗଲେ, ତାହା ଭାବି ନଳିନୀକାନ୍ତ ବିସ୍ମିତ ହୋଇପଡିଲେ । “ନିସ୍ତ୍ରୈଗୁଣ୍ୟ ସାଧନ କର” — ଏ କଥା ସେ ଗ୍ରାମ୍ୟ କୂଳବଧୁ ମୁଖରୁ ଶୁଣି କିଛି ବୁଝିପାରିଲେ ନାହିଁ ।

ଛାୟାମୂର୍ତ୍ତି ଦର୍ଶନ

ସ୍ତ୍ରୀଙ୍କୁ ଗୃହକୁ ପଠାଇବାର ପ୍ରାୟ ତିନି ମାସ ପରେ ନଳିନୀକାନ୍ତ ଉକ୍ତ ନାରାୟଣପୁର କଚେରୀରେ ଅବସ୍ଥାନ କରୁଥିବା ସମୟରେ ଦିନେ ରାତ୍ରରେ ସେଟଲମେଣ୍ଟ ସମ୍ବନ୍ଧୀୟ ଗୋଟିଏ ମୋକଦ୍ଦମାର ସାକ୍ଷ୍ୟ ଦେବା ନିମନ୍ତେ କାଗଜ ପତ୍ର ପ୍ରସ୍ତୁତ କରୁଅଛନ୍ତି, ଏପରି ସମୟରେ ହଠାତ୍ ତାଙ୍କ ଆଗରେ ଥିବା ବଡ଼ ଆଲୋକଟି ନିଷ୍ପ୍ରଭ ହୋଇଉଠିିଲା ।

ଆଲୋକ କେହି କମାଇଦେଉଛି ଭାବି ଚାହିଁବା ମାତ୍ରେ ଦେଖିଲେ,ଯେଉଁ ଟେବୁଲ୍ ନିକଟରେ ତାଙ୍କର ସ୍ତ୍ରୀ ପ୍ରତିଦିନ ଆସି ଯେପରି ଠିଆ ହୁଅନ୍ତି, ଠିକ୍ ସେହି ସ୍ଥାନରେ ଟେବୁଲ ଉପରେ ହାତ ଦେଇ ସ୍ତ୍ରୀଙ୍କ ଛାୟାମୂର୍ତ୍ତି ଦଣ୍ତାୟମାନ। ସେତେବେଳେ ତାଙ୍କ ସ୍ତ୍ରୀଙ୍କର କୁତବପୁରଠାରୁ ନାରାୟଣପୁରକୁ ଆସିବା ଏକାନ୍ତ ଅସମ୍ଭବ; ତେଣୁ ଏହା ନିଜର ଗୋଟିଏ ଭ୍ରମ ବୋଲି ଭାବି ପୁଣି ଥରେ ଚାହିଁବାରୁ ଦେଖିଲେ ଯେ ମୂର୍ତ୍ତିଟି ସ୍ଥିର ଭାବରେ ପୂର୍ବପରି ଦଣ୍ତାୟମାନ। ସ୍ଵାଭାବିକ ମୂର୍ତ୍ତି ଅପେକ୍ଷା ତାହା ଟିକେ ଜ୍ୟୋତିର୍ମୟ ; ମୂଖ ଅତ୍ୟନ୍ତ ବିଷାଦ ମଳିନ । ଏହା ଦେଖି ଭୀତ ହୋଇ ନଳିନୀକାନ୍ତ ଚିତ୍କାର କରିଉଠିିଲେ । ସଙ୍ଗେ ସଙ୍ଗେ ସେହି ଛାୟାମୂର୍ତ୍ତି ଉଭେଇଗଲା। ପାଟି ଶୁଣି ନିକଟସ୍ଥ ଘରେ ଥିବା ଚାକରମାନେ ପଳେଇଆସିଲେ; କିନ୍ତୁ ନଳିନୀକାନ୍ତ କାହାକୁ କିଛି କହିଲେ ନାହିଁ ।

ମୂର୍ତ୍ତି ଦର୍ଶନ ପରେ

ସ୍ତ୍ରୀଙ୍କର ଛାୟାମୂର୍ତ୍ତି ଦର୍ଶନ ପରେ ନଳିନୀକାନ୍ତଙ୍କର ମାନେ ହେଲା ଯେ, ସ୍ତ୍ରୀ ଆଉ ଇହଜଗତରେ ନାହାଁନ୍ତି । ତତକ୍ଷଣାତ୍ ଘରକୁ ଯାଇ ଦେଖି ଆସିବାକୁ ମନ ବଡ଼ ବ୍ୟାକୁଳ ହେଲା । ମାତ୍ର ସେତେବେଳେ ହାତରେ ବହୁତ୍ କାର୍ଯ୍ୟ ଥିବାରୁ ଏବଂ ପୂଜା ଛୁଟି ଆଉ ଅଳ୍ପ ଦିନ ଥିବାରୁ ସେହି ସମୟରେ ଯିବାକୁ ସ୍ଥିର କଲେ ।

ଛାୟାମୂର୍ତ୍ତି ଦର୍ଶନ ପରଠାରୁ ତାଙ୍କ ମନ ପ୍ରବଳ ବେଗରେ ଆଲୋଡ଼ିତ ହେବାକୁ ଲାଗିଲା । ପୂର୍ବ ସଂସ୍କାର ସବୁ ମନ ଭିତରେ କ୍ରିୟାଶୀଳ ହେବାରୁ ଏପରି ଭାବନାମୟୀ ମୂର୍ତ୍ତି ଦେଖାଯାଉଛି ବୋଲି ସେ ସ୍ଥିର କଲେ । ଏପରି ମନକୁ ବୁଝାଇ ସେ ଟିକେ ନିଶ୍ଚିନ୍ତ ହେଲେ ।

ସ୍ତ୍ରୀ ମରିଯାଇଛନ୍ତି – ଏପରି ଅମଙ୍ଗଳ ଆଶଙ୍କା କରିବାକୁ ନଳିନୀକାନ୍ତଙ୍କୁ ବଡ଼ ଅପ୍ରିୟ ଓ ଅସୁଖ ବୋଧ ହେଲା । ଅବଶେଷରେ ମାନସିକ ଭ୍ରାନ୍ତି ଓ ଦୃଷ୍ଟି ଭ୍ରମ ବୋଲି ବିବେଚନା କରି ସେ ମନ ଦୃଢ଼ କରିବାକୁ ଚେଷ୍ଟା କଲେ ।

ଏହାର ଦୁଇ ଦିନ ପରେ ପତ୍ର ପାଇଲେ ଯେ, ସ୍ତ୍ରୀ ଅସୁସ୍ଥ । ଏହି ପତ୍ର ପାଇ ମନଟା ବିଶେଷ ଖରାପ ହୋଇଗଲା । ସ୍ତ୍ରୀ ବଞ୍ଚି ରହିଥିବାର ମନରେ ଯେ କ୍ଷୀଣ ଆଶା ଟିକିକ ଥିଲା, ଅସୁସ୍ଥ ସମ୍ବାଦ ଶୁଣି ସେ ଆଶା ତିରୋହିତ ହେଲା । ଉକ୍ତ ଅସୁସ୍ଥତା ସହିତ ମୃତ୍ୟୁର ଘନିଷ୍ଠ ସମ୍ବନ୍ଧ ଅଛି ବୋଲି ନଳିନୀକାନ୍ତ ମନରେ ଭାବିବାକୁ ଲାଗିଲେ ।

ସେ ଭାବିଲେ, ତେବେ କଣ ସ୍ତ୍ରୀ ମୃତ୍ୟୁ ସଙ୍ଗେ ସଙ୍ଗେ ମୋତେ ଶେଷ ଦେଖା ଦେଇ ଗଲେ ? ଯଦି ମୃତ୍ୟୁ ପରେ ଆତ୍ମାର ଅସ୍ତିତ୍ବ ନ ଥାଏ, ତେବେ ମୃତ ବ୍ୟକ୍ତିର ମୂର୍ତ୍ତି ଦେଖାଯିବ ବା କିପରି ? ଏହିପରି ସେ ନାନା ଭାବନା କରିବାକୁ ଲାଗିଲେ; ମାତ୍ର କୌଣସି ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିଲେ ନାହିଁ । ଶେଷରେ ସେ ଭାବିଲେ, ଯେବେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥାଏ, ତେବେ ଘରକୁ ଯିବାଠାରୁ ନଯିବା ବରଂ ଭଲ ହୁଅନ୍ତା । ମାତ୍ର ଏ ସମ୍ବନ୍ଧରେ ଅନ୍ୟ କାହାକୁ କିଛି ଲେଖିବାକୁ ତାଙ୍କର ମନ ହେଲା ନାହିଁ । କାରଣ ସେ ବଞ୍ଚିଛି ଏହା ଭାବିବାକୁ ବଡ଼ ସହଜ; କିନ୍ତୁ ମୃତ୍ୟୁ ସମ୍ବାଦ ବଡ଼ ମର୍ମନ୍ତୁଦ ।

ସ୍ତ୍ରୀ ବିୟୋଗ

ଏହିପରି ନାନା ଚିନ୍ତା କରି ନଳିନୀକାନ୍ତ ଗୃହକୁ ଯିବା ନିମିତ୍ତ ପ୍ରସ୍ତୁତ ହେଲେ ଏବଂ ଯଥା ସମୟରେ ଗ୍ରାମରେ ପହଞ୍ଚି ଜାଣିଲେ ଯେ, ଯେଉଁ ଦିନ ଯେଉଁ ସମୟରେ ସେ ଛାୟାମୂର୍ତ୍ତି ଦର୍ଶନ କରିଥିଲେ, ତାହାର ଚାରି ଦଣ୍ଡ ପୂର୍ବରୁ ସୁଧାଂଶୁବାଳାଙ୍କର ମୃତ୍ୟୁ ଘଟିଛି ।

ଆସ୍ତିକ ଭାବ

ନଳିନୀକାନ୍ତ ଏହି ଦୁଃସମ୍ବାଦ ଶୁଣି ଯେତେ ଚେଷ୍ଟା କରି ମଧ୍ୟ ନିଜକୁ ପ୍ରବୋଧନା ଦେଇପାରିଲେ ନାହିଁ କିମ୍ବା ତାହା ଭୁଲିପାରିଲେ ନାହିଁ । ପରେ ଖୁଡୀଙ୍କଠାରୁ ସ୍ତ୍ରୀ ଙ୍କର ମୃତ୍ୟୁ କାଳୀନ ସମ୍ବାଦ ଶୁଣି ସେ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିିଲେ ।

ଖୁଡୀ କହିଲେ, ମୃତ୍ୟୁର ତିନି ଦିନ ପୂର୍ବରୁ ବୋହୂ ଅଚେତ୍ ହୋଇଯାଇଥିଲା । କେବଳ ନଳିନୀ ନାମ ଶୁଣିଲେ ଆଖି ମେଲି ଚାହୁଁଥିଲା । ବୋହୂ ମୃତ୍ୟୁ ପୂର୍ବରୁ କହିଗଲା, ‘ତାଙ୍କୁ କହିବ, ସେ ସଦ୍ ଗୁରୁଙ୍କ ଆଶ୍ରୟ ନେଇ ଦୀକ୍ଷା ଗ୍ରହଣପୂର୍ବକ ନିସ୍ତ୍ରୈଗୁଣ୍ୟ ସାଧନ କରିବେ ।’

ନଳିନୀକାନ୍ତ ଗୃହରେ ଏକାକୀ ବସି ଚିନ୍ତା କରିବାକୁ ଲାଗିଲେ । ଏହି ଘର, ଏହି ଦ୍ରବ୍ୟସମ୍ଭାର ସମସ୍ତ ଅଛି; ମାତ୍ର ସେ ନାହିଁ । ସୁଖମୟ ସଂସାର ସ୍ବପ୍ନ ପରି ଦୁଇଦିନ ପରେ ଭାଙ୍ଗିଗଲା । ମୃତ୍ୟୁ ପରେ ସବୁ ଶେଷ ହୁଏ କି କିଛି ଥାଏ ? ଯଦି ଶେଷ ହୁଏ, ତେବେ ଛାୟାମୂର୍ତ୍ତି ଆସିଲା କୁଆଡୁ ? ଯଦି ପ୍ରକୃତ ପରକାଳ ଅଛି, ତେବେ ତାଙ୍କ ସହିତ ଥରେ ମାତ୍ର ସାକ୍ଷାତ୍ କରିବି ।

ନଳିନୀକାନ୍ତଙ୍କ ମନ ଭିତରେ ଯେତେବେଳେ ଏହି ସବୁ କଥା ଖେଳୁଥିଲା, ସେହି ସମୟରେ ସେ ରୁଣୁଝୁଣୁ ଶବ୍ଦ ଶୁଣବାକୁ ପାଇଲେ । ସ୍ତ୍ରୀ ଚାଲିଯିବାବେଳେ ପଦାଙ୍ଗୁଠିରେ ଥିବା ଅଙ୍ଗୁରୀୟର ଶବ୍ଦ ପରି ସେ ଶବ୍ଦ ତାଙ୍କୁ ପ୍ରତୀତ ହେଲା । ମୁହୂର୍ତ୍ତକ ପରେ ଶବ୍ଦ ଆସ୍ତେ ଆସ୍ତେ କମିଆସିଲା । ନଳିନୀକାନ୍ତଙ୍କ ନିକଟରେ ସତେ ଯେମିତି କିଏ ଠିଆ ହେଲା । ସେ ସ୍ତ୍ରୀଙ୍କୁ ନିକଟରେ ଅନୁଭବ କରିପାରିଲେ। ତା ପରେ ଆଉ ବେଶି କିଛି ବୁଝି ନପାରି ପୂର୍ବ ଅପେକ୍ଷା ଆହୁରି ଅଧିକ ବ୍ୟାକୁଳ ହେବାକୁ ଲାଗିଲେ । ଭୂବନମୋହନ ପୁତ୍ରବଧୂଙ୍କ ମୃତ୍ୟୁରେ ଅତ୍ୟନ୍ତ ବ୍ୟାକୁଳ ହୋଇପଡିଲେ ।

ମୃତ୍ୟୁ ପୂର୍ବରୁ ସୁଧାଂଶୁବାଳା ଯାହା କହିଗଲେ, ତାହା ଭାବି ନଳିନୀକାନ୍ତ ବିସ୍ମିତ ହୋଇପଡିଲେ । “ନିସ୍ତ୍ରୈଗୁଣ୍ୟ ସାଧନ କର” — ଏ କଥା ସେ ଗ୍ରାମ୍ୟ କୂଳବଧୁ ମୁଖରୁ ଶୁଣି କିଛି ବୁଝିପାରିଲେ ନାହିଁ ।

ନଳିନୀକାନ୍ତ ବିସ୍ମିତ ହୋଇ ନିସ୍ପନ୍ଦ ଭାବରେ ବସି ରହିଲେ । ପରଦିନ ସମବୟସ୍କଙ୍କ ପାଖରୁ ଗୃହକୁ ଫେରିବା ସମୟରେ ରାତ୍ର ପ୍ରାୟ ଦଶଟା ବାଜିଗଲା । ଅନ୍ଧକାର ରାତ୍ରି । ଗ୍ରାମ ଭିତରେ ଗଛ ତଳ ଦେଇ ଗୃହକୁ ଫେରୁଛନ୍ତି, ସମ୍ମୁଖରେ ଥିବା ଶିମୁଳି ଗଛ ମୂଳରେ ହଠାତ୍ ଚମକି ପଡିଲେ । ସ୍ତ୍ରୀଙ୍କର ସେହି ଛାୟାମୂର୍ତ୍ତି । ମୁଖଟି ଅତୀବ ବିଷାଦ ମଳିନ। ନଳିନୀକାନ୍ତଙ୍କ ମନ ବଡ଼ ବ୍ୟାକୁଳ ହୋଇ ଉଠିଲା । ଦ୍ଵିତୀୟ ବାର ଛାୟାମୂର୍ତ୍ତି ଦର୍ଶନ ପରେ ନଳିନୀକାନ୍ତ ପରକାଳକୁ କବିକଳ୍ପନା ପ୍ରସୂତ ବୋଲି ମନେ କରିପାରିଲେ ନାହିଁ ।

ତତ୍ ପର ଦିନ ସକାଳୁ ନଳିନୀକାନ୍ତ ପୁନରାୟ କର୍ମସ୍ଥଳକୁ ଯିବାକୁ ପ୍ରସ୍ତୁତ ହୋଇ ପିତାଙ୍କୁ ଅନୁମତି ମାଗିଲେ । ଭୂବନମୋହନ ବୋହୂର ଶ୍ରାଦ୍ଧ କରିବାଲାଗି ପୁତ୍ରକୁ ରହିଯିବାକୁ କହିଲେ । ନଳିନୀକାନ୍ତ କିନ୍ତୁ କହିଲେ, “ଆପଣ ମୁଖଗ୍ନୀ ଦେଇଛନ୍ତି, ଶ୍ରାଦ୍ଧ କରିବେ । ମୁଁ ମୁନିବଙ୍କର ଜରୁରୀ ମୋକଦ୍ଦମା କାର୍ଯ୍ୟ ଛାଡି ଆସିଛି, ଆପଣଙ୍କ ଅନୁମତି ପାଇଲେ ଯିବି ।” ଭୂବନମୋହନ ଆପତ୍ତି କଲେ ନାହିଁ । ସୁତରାଂ ନଳିନୀକାନ୍ତ କଲିକତା ଚାଲିଆସିଲେ ।

ଅବସର ସମୟରେ ପରାଲୋକତତ୍ତ୍ଵବିଦ୍ ସାଧୁ, ସନ୍ନ୍ୟାସୀ ଓ ପଣ୍ଡିତମାନଙ୍କ ସନ୍ଧାନ ନେବାକୁ ଲାଗିଲେ । ଏହି ସମୟରେ ପୁନାରାୟ ସେହି ଛାୟାମୂର୍ତ୍ତି ନଳିନୀକାନ୍ତଙ୍କ ନିକଟରେ ପ୍ରକଟ ହେଲା । ଏଥର କିନ୍ତୁ ଛାୟାମୂର୍ତ୍ତି ନୁହେଁ, ଦିବ୍ୟ ଜ୍ୟୋତିର୍ମୟ ମୂର୍ତ୍ତି । ପୂର୍ବପରି ବିଷାଦ ରେଖର ଚିହ୍ନ ସୁଦ୍ଧା ଆଉ ନାହିଁ । କିଛି କ୍ଷଣ ପରେ ମୂର୍ତ୍ତି ଉଭେଇଗଲା।
ପରମହଂସ ଶ୍ରୀ ନିଗମାନନ୍ଦ:ଭାଗ– ୬ ( କ୍ରମଶଃ … )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights