ଜୀବନ ବେଦ – ୫

Share it

13th July 2024

** ନିଗମାନନ୍ଦଙ୍କ ସାଂସାରିକ ଜୀବନ **

ନଳିନୀକାନ୍ତ ଯୌବନରେ ପଦାର୍ପଣ କରି ବାଲ୍ୟକାଳର ଧର୍ମଭାବ ଗୁଡ଼ିକୁ ହରାଇବସିଲେ । ଭକ୍ତି ଓ ବିଶ୍ବାସ ତିରୋହିତ ହେଲା । ସେ ସର୍ବଦା ମନେ କଲେ ଯେ, ମନୁଷ୍ୟ ମଲେ ତାର ସବୁ ଶେଷ ହୋଇଯାଏ। ଜନ୍ମାନ୍ତର, ପରକାଳ କବିଙ୍କର କଳ୍ପନା ଏବଂ ପୂଜାର୍ଚ୍ଚନା ସମୟର ଅପବ୍ୟବହାର ମାତ୍ର ।

ବିବାହ

ନଳିନୀକାନ୍ତ ନିଷ୍ଠାବାନ, ଶାନ୍ତଶିଷ୍ଟ, ବ୍ରାହ୍ମଣର ପୁତ୍ର ହୋଇ ଦିନକୁ ଦିନ ଯେପରି ମତିଗତିର ପରିଚୟ ଦେଲେ, ସେଥିରେ ଭୂବନମୋହନ ବଡ଼ ଭୟଭୀତ ହୋଇପଡିଲେ । ପୁତ୍ରର ବ୍ରାହ୍ମଣ ଜାତିରେ ଅଭିମାନ ନାହିଁ । କିଏ ବଡ଼, କିଏ ଛୋଟ, କିଏ ସ୍ପୃଶ୍ୟ, କିଏ ଅସ୍ପୃଶ୍ୟ ଏହିସବୁ ଭେଦଭାବ ନଥିବା ଦେଖି ପିତା କୋଷ୍ଠୀର ଫଳ ସତ୍ୟ ହେବା ଆଶଙ୍କା କରି ପୁତ୍ରକୁ ବିବାହ ଦେବାକୁ ମନସ୍ଥ କଲେ ଓ ଗୋଟିଏ ସୁପାତ୍ରୀ ଅନୁସନ୍ଧାନରେ ରହିଲେ । ହାଲିସହରନିବାସୀ ସ୍ୱର୍ଗୀୟ ବୈଦ୍ୟନାଥ ମୁଖୋପାଧ୍ୟାୟଙ୍କର ଗୋଟିଏ କନ୍ୟା ଥିଲା । ଭୁବନମୋହାନ ନିଜେ ଦେଖିଲେ ଯେ, ପାତ୍ରୀଟି ସର୍ବାଙ୍ଗସୁନ୍ଦରୀ ଓ ତାଙ୍କର ଲଜ୍ଜାବିନମ୍ର କଣ୍ଠସ୍ୱର ସଙ୍ଗୀତ ପରି ସୁଶ୍ରାବ୍ୟ । ୧୩୦୪ ସାଲରେ ୧୮ ବର୍ଷ ବୟସରେ ଭୁବାନମୋହନ ପୁତ୍ରକୁ ବିବାହ ଦେଇ ତ୍ରୟୋଦଶ ବର୍ଷୀୟା ପୁତ୍ରବଧୂ ସୁଧାଂଶୁବାଳାଙ୍କୁ ସ୍ଵଗୃହକୁ ଆନୟନ କଲେ ।

ବିବାହ ପରେ

ଏହି ସମୟରେ ନଳିନୀକାନ୍ତ ମାତୁଳାଳୟରେ ଅବସ୍ଥାନ କରୁଥିଲେ । ପୁତ୍ରର ମନୋରଞ୍ଜନ ପାଇଁ ଭୂବନମୋହନ ପୁତ୍ରବଧୂଙ୍କୁ ତାଙ୍କ ନିକଟକୁ ପଠାଇଦେଲେ; କିନ୍ତୁ ନଳିନୀକାନ୍ତ ପିତାଙ୍କ ସେବା ନିମିତ୍ତ ସଙ୍ଗେ ସଙ୍ଗେ ତାଙ୍କୁ ପୁଣି କୁତବପୁରକୁ ପ୍ରେରଣ କଲେ । ଏଥିରେ ମାତାମହୀ କୃଦ୍ଧ ହୋଇ ପଢାପଢିରେ ଖର୍ଚ୍ଚ ବନ୍ଦ କରିଦେବାରୁ ନଳିନୀକାନ୍ତ ଅଧିକ ପଢ଼ିବାର ଆଶା ତ୍ୟାଗ କରି ଓଭରସିଅରୀ ପଢିବାକୁ ଆରମ୍ଭ କଲେ । ଓଭରସିଅରୀ ପାଶକରି ଗ୍ରାମବାସୀଙ୍କ ଅନୁରୋଧରେ କିଛିଦିନ ସ୍ଥାନୀୟ ମଧ୍ୟଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କଲେ ଏଵଂ ସଙ୍ଗେ ସଙ୍ଗେ ନାଟକ ଦଳରେ ମିଶି ଅଭିନୟ କରିବା ଓ ନିଜେ ନାଟକ ଲେଖିବାକୁ ଆରମ୍ଭ କଲେ । ଅନ୍ୟ କୃତ ନାଟକ ତାଙ୍କ ଭାବର ଅନ୍ତରାୟ ବୋଲି ସେ ‘ତରଣୀସେନ ବଧ’ ନାମକ ଖଣ୍ଡିଏ ନାଟକ ଲେଖି ନିଜେ ତରଣୀସେନ ଭୂମିକାରେ ଅଭିନୟ କରୁଥିଲେ ।

କର୍ମଜୀବନ

କିଛିଦିନ ଏହି ଭାବରେ କଟିଯିବା ପରେ ସେ ଚାକିରି ଅନ୍ବେଷଣ କରି ଦିନାଜପୁର ଜିଲ୍ଲାବୋର୍ଡରେ ଓଭରସିଅର କାର୍ଯ୍ୟ ପାଇଲେ । ଦିନାଜପୁର ଠାରେ ଚାକିରିରେ ଯୋଗଦାନ କରି ନଳିନୀକାନ୍ତ ସେହିଠାରେ ଅବସ୍ଥାନ କଲେ । ଯେଉଁ ଉଦ୍ଦେଶ୍ୟରେ ପୁତ୍ରକୁ ବିବାହ ଦେଲେ, ପୁତ୍ରବଧୂଙ୍କୁ ଘରେ ରଖିଲେ କାଳେ ସେ ଉଦ୍ଦେଶ୍ୟ ବ୍ୟର୍ଥ ହେବ, ଏହା ଭାବି ଭୁବନମୋହନ ପୁତ୍ରବଧୂଙ୍କୁ ଦିନାଜପୁର ପଠାଇଦେଲେ। ସେହିଠାରେ ନଳିନୀକାନ୍ତଙ୍କ ଦାମ୍ପତ୍ୟ ଜୀବନ ଆରମ୍ଭ ହେଲା । ଉଭୟଙ୍କ ଭିତରେ ପ୍ରଗାଢ ଅନୁରାଗ ଦେଖି ପିତା ମନେ ମନେ ଆନନ୍ଦିତ ହୋଇ ଭାବିଲେ ଯେ କୋଷ୍ଠି ଫଳ ସମ୍ଭବତଃ ମିଥ୍ୟା ହେବ।

ନଳିନୀକାନ୍ତ ଦିନାଜପୁର ଜିଲ୍ଲା ବୋର୍ଡରେ ଚାକିରି କରି ଚାକିରିରେ ଯେ କି କଷ୍ଟ ତାହା ମର୍ମେ ମର୍ମେ ଉପଲବ୍ଧ କରିବାକୁ ଲାଗିଲେ। ତାଙ୍କୁ ଇଞ୍ଜିନିୟର ଅତୁଳକୃଷ୍ଣ ମୁଖାର୍ଜିଙ୍କ ନିକଟରେ ସର୍ବଦା ଭୟଭୀତ ହୋଇ ରହିବାକୁ ପଡୁଥିଲା । ଏହିପରି ହୀନବୃତ୍ତି ତାଙ୍କର ଅସହ୍ୟ ହେବାରୁ ସେ ସାହେବଙ୍କ ସହିତ ଦିନେ ବଚସା କରି ଚାକିରି ଛାଡିଦେଲେ । ତତ୍ପରେ ସେ କଲିକତାରେ ଦିଗମ୍ବର ମିତ୍ରଙ୍କ ପୌତ୍ରୀ କୃଷ୍ଣପ୍ରମଦା ଦାସୀଙ୍କର ଦାନ୍ତିଆ ପ୍ରଗଣାସ୍ଥିତ ଜମିଦାରୀର ସୁପରଭାଇଜର ନିଯୁକ୍ତି ହୋଇ ପାର୍ବତୀପୁର ଷ୍ଟେସନର ଦୁଇ ତିନି ମାଇଲ ଦୂରରେ ଥିବା ନାରାୟଣପୁର କଚେରୀରେ ଅବସ୍ଥାନ କଲେ । ସେଠାରେ ସପରିବାର ବାସ କରିବା ନିମିତ୍ତ ଗୃହ ଥିବାରୁ ଭୁବନମୋହନ ପୁତ୍ରବଧୂଙ୍କୁ ସେଠାକୁ ପଠାଇଦେଲେ। ପ୍ରାୟ ଛଅ ମାସ ସେଠାରେ ବାସ କରିବା ପରେ ନଳିନୀକାନ୍ତ ଗୃହର କେତେକ ଅସୁବିଧା ଯୋଗୁ ସ୍ତ୍ରୀଙ୍କୁ ପୁଣି କୁତବପୁର ପଠାଇଦେଲେ ।

ନାସ୍ତିକ ଭାବ

ନଳିନୀକାନ୍ତ ଯୌବନରେ ପଦାର୍ପଣ କରି ବାଲ୍ୟକାଳର ଧର୍ମଭାବ ଗୁଡ଼ିକୁ ହରାଇବସିଲେ । ଭକ୍ତି ଓ ବିଶ୍ବାସ ତିରୋହିତ ହେଲା । ସେ ସର୍ବଦା ମନେ କଲେ ଯେ, ମନୁଷ୍ୟ ମଲେ ତାର ସବୁ ଶେଷ ହୋଇଯାଏ। ଜନ୍ମାନ୍ତର, ପରକାଳ କବିଙ୍କର କଳ୍ପନା ଏବଂ ପୂଜାର୍ଚ୍ଚନା ସମୟର ଅପବ୍ୟବହାର ମାତ୍ର । ସେ ଈଶ୍ୱରଙ୍କୁ ଅବିଶ୍ବାସ ନକଲେ ମଧ୍ୟ ବିଶ୍ବାସ କରୁନଥିଲେ । ସେ ଭାବନ୍ତି, ଈଶ୍ୱର ଥାଆନ୍ତୁ ବା ନ ଥାନ୍ତୁ, ମନୁଷ୍ୟର କିଛି ଯାଏ ଆସେ ନାହିଁ। ଆମ୍ଭେମାନେ ଈଶ୍ବରଙ୍କ ହାତର କ୍ରୀଡନକ ମାତ୍ର । ସଂସାରରେ ଯାହାର ଯେତେ ପ୍ରକାର ସୁବିଧା ଅଛି, ତାହା ସେ ଭୋଗ କରିବା ଉଚିତ୍ । ମାତ୍ର ସେ ନାସ୍ତିକ ହେଲେ ମଧ୍ୟ ସର୍ବଦା ନୀତି ପାଳନ କରି ଚଳୁଥିଲେ । ତାଙ୍କ ଭିତରେ ପ୍ରବଳ ଅନୁସନ୍ଧିତ୍ସା ପ୍ରବୃତ୍ତି ଜାଗ୍ରତ ଥିଲା ।

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ –୫(କ୍ରମଶଃ..)


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights