12th July 2024
ପରମହଂସ ଶ୍ରୀ ନିଗମାନନ୍ଦ:ଭାଗ–୪
ମାତୃ ବିୟୋଗ ପରେ ମା’ କିମ୍ବା ତାଙ୍କୁ ଉପଲକ୍ଷ୍ଯକରି ଜଗନ୍ମାତା କେହି ହେଲେ ନଳିନୀକାନ୍ତଙ୍କୁ ପରଲୋକବିଶ୍ବାସୀ ଏବଂ ଭଗବତ୍ ବିଶ୍ବାସୀ କରାଇ ପାରିନାହାନ୍ତି। ମା’ଙ୍କୁ ହରାଇବା ଫଳରେ ତାଙ୍କୁ ଦଶଦିଗ ଶୂନ୍ଯ ବୋଧ ହେଲା। ସେ ମା’ ମା’ ବୋଲି ଯେତେ କାନ୍ଦିଲେ ମଧ୍ଯ କେବେ ହେଲେ ମା’ଙ୍କ ଦର୍ଶନ ଲାଭ କରିପାରିଲେ ନାହିଁ ।
ବାଲ୍ୟକାଳରେ ନିଗମାନନ୍ଦଙ୍କ ମାତୃବିୟୋଗ
ଟ୍ରେନ ସଂଘର୍ଷ
ଦିନେ ନଳିନୀକାନ୍ତ କଲିକତାରୁ ବାହାରି ପ୍ରାୟ ଦେଢ଼ଘଣ୍ଟା ଟ୍ରେନରେ ଆସିବା ପରେ କାଞ୍ଚରାପଡ଼ା ଷ୍ଟେସନ ନିକଟରେ ଆରୋହୀମାନଙ୍କ ଭିତରେ ଭୀଷଣ କୋଳାହଳ ହେବାର ଶୁଣିପାରିଲେ । ସେ ଦେଖିଲେ ଯେ ଆଉ ଗୋଟିଏ ଟ୍ରେନ ବିପରୀତ ଦିଗରୁ ମାଡ଼ିଆସୁଛି । ମୁହୂର୍ତ୍ତକ ଭିତରେ ଦୁଇ ଟ୍ରେନ ମଧ୍ୟରେ ଧକ୍କା ବାଜିବାରୁ କେତେଗୁଡ଼ିଏ ଡବା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା ଓ ବହୁତ ଯାତ୍ରୀ ମୃତାହତ ହେଲେ । କିନ୍ତୁ ନଳିନୀକାନ୍ତ ଗାଡିରୁ ଝରକା ବାଟେ ଡେଇଁପଡ଼ି ଆତ୍ମରକ୍ଷା କରିପାରିଥିଲେ।
ମାତୃବିୟୋଗ
ଏହି ସମୟରେ ନଳିନୀକାନ୍ତଙ୍କର ସ୍ନେହମୟୀ ଜନନୀଙ୍କର ମୃତ୍ୟୁ ହେଲା ମାତୃବିୟୋଗ ସମୟରେ ସେ ମାତୁଳାଳୟ ରାଧାକାନ୍ତପୁରରେ ଥିବାରୁ ମାତାଙ୍କ ସହିତ ଶେଷ ସାକ୍ଷାତ୍ ହୋଇପାରିଲା ନାହିଁ । ତେଣୁ ନଳିନୀକାନ୍ତଙ୍କ ମନରେ ଦାରୁଣ ବ୍ୟଥା ଥିଲା । ମନୁଷ୍ୟ ଦେହର ଏପରି ପରିଣତି ସେହି ତାଙ୍କ ମନ ସାମୟିକ ଭାବରେ ବିଷାଦଗ୍ରସ୍ଥ ହୋଇଗଲା। ଦେହର ନସ୍ୱରତା ବିଷୟରେ ସେ ଗଭୀର ଚିନ୍ତା କରିବାକୁ ଲାଗିଲେ। ସେହିଦିନଠାରୁ ତାଙ୍କର ହାସ୍ୟ – ପରିହାସ ରହିତ ହେବାକୁ ଲାଗିଲା ; ବାଳକ ବଦନରେ ଗାମ୍ଭୀର୍ଯ୍ୟର ଚିହ୍ନ ପରିଲକ୍ଷିତ ହେଲା । ସେ ସବୁବେଳେ ଚିନ୍ତାମଗ୍ନ ରହିବାକୁ ସୁଖ ପାଉଥିଲେ । ମାତୃଦେବୀଙ୍କ ବିୟୋଗ ପରେ ହିଁ ଯଥାର୍ଥ ଭାବରେ ତାଙ୍କ ଆଧ୍ୟାତ୍ମଜୀବନର ସୂତ୍ରପାତ ହୋଇଥିଲା।
କଠୋପନିଷଦ୍ ମତରେ “ମୃତ୍ୟୁ ରୁପୀ ଯମ ହିଁ ମହାଜ୍ଞାନର ପ୍ରବକ୍ତା । ଜଗତରେ ମୃତ୍ୟୁ ହିଁ ଜୀବକୁ ମୁହୂର୍ତ୍ତକପାଇଁ ହେଲେ ମଧ୍ୟ ଅନ୍ତର୍ମୁଖୀ କରିଦେଇଥାଏ ।” ମୃତ୍ୟୁ ସହିତ ନଳିନୀକାନ୍ତଙ୍କର ଏହି ପ୍ରଥମ ସାକ୍ଷାତ୍ । ସେହି ସାକ୍ଷାତ୍ ବ୍ୟର୍ଥ ହୋଇନାହିଁ । ତାଙ୍କ ଜୀବନ ଯେଉଁ ସବୁ ଭାବନା ଦ୍ଵାରା ନିୟନ୍ତ୍ରିତ, ସେ ସମସ୍ତ ଭାବନା ମଧ୍ୟରୁ ଅଧିକାଂଶ ମାତୃବିୟୋଗ ପରଠାରୁ ସଂଜାତ।
ମତୃବିୟୋଗ ପରଠାରୁ ‘ମା କୁଆଡେ ଗଲେ’ ବୋଲି ସେ ଯେତେ ଭାବିତ ହୋଇଛନ୍ତି, ସେହି ପରିମାଣରେ ସେ ମହାମାୟାଙ୍କୁ ପ୍ରାର୍ଥନା କରି ଆକୁଳ ପ୍ରାଣରେ କାନ୍ଦି ଉଠିଛନ୍ତି । ଏହା ହିଁ ତାଙ୍କ ଜୀବନବ୍ୟାପୀ ସାଧନାର ପ୍ରଧାନ ପର୍ବ ।
ଶ୍ରୀ ଶ୍ରୀ ଠାକୁର ବାଲ୍ୟକାଳରୁ ନିଜର ଭାବ ଗୋପନ କରି ଚଳୁଥିଲେ। ଏହା ତାଙ୍କ ଗାମ୍ଭୀର୍ଯ୍ୟର ପରିଚୟ । ତେଣୁ ସେ କିଶୋର ବୟସର ଆବେଗ-ଆକୁଳତା କଥା ଅନ୍ୟ ନିକଟରେ ପ୍ରକାଶ କରୁ ନଥିଲେ। ମାତୃବିଚ୍ଛେଦ ପରେ ସେ ମା’ଙ୍କ ଦର୍ଶନ ଓ ଜଗନ୍ମାତାଙ୍କୁ ଲାଭକରିବ ନିମିତ୍ତ ବିଶେଷ ଭାବରେ ଚେଷ୍ଟା କଲେ। କିଶୋର ନଳିନୀକାନ୍ତ ଭଗବାନଙ୍କୁ ମାତୃରୂପରେ ହିଁ ଦର୍ଶନ କରିବାକୁ ଇଚ୍ଛା କରିଥିଲେ । କିନ୍ତୁ ଜନନୀ ବା ମହାମାୟା କାହାର ଦର୍ଶନ ନ ପାଇ ଅଭିମାନରେ ସେ କେତେ ଯେ ଅଶ୍ରୁ ବର୍ଷଣ କରିଛନ୍ତି, ତାହା ମୁଖରେ ବ୍ୟକ୍ତ କରିହେବ ନାହିଁ । ଉପଯୁକ୍ତ ସମୟ ନହେଲେ ଏ ଜଗତରେ କୌଣସି ଘଟଣା ଘଟେ ନାହିଁ । ଶ୍ରୀ ଶ୍ରୀ ଠାକୁରଙ୍କର ଗୃହତ୍ୟାଗ ବର୍ତ୍ତମାନ ସମାଗତ ନୁହେଁ ବୋଲି ଜାଣି ଜଗନ୍ମାତା ତାଙ୍କୁ ମାତୃରୂପରେ ଦେଖା ଦେଇ ନଥିଲେ ।
ମାତୃ ବିୟୋଗ ପରେ ମା’ କିମ୍ବା ତାଙ୍କୁ ଉପଲକ୍ଷ୍ଯକରି ଜଗନ୍ମାତା କେହି ହେଲେ ନଳିନୀକାନ୍ତଙ୍କୁ ପରଲୋକବିଶ୍ବାସୀ ଏବଂ ଭଗବତ୍ ବିଶ୍ବାସୀ କରାଇ ପାରିନାହାନ୍ତି। ମା’ଙ୍କୁ ହରାଇବା ଫଳରେ ତାଙ୍କୁ ଦଶଦିଗ ଶୂନ୍ଯ ବୋଧ ହେଲା। ସେ ମା’ ମା’ ବୋଲି ଯେତେ କାନ୍ଦିଲେ ମଧ୍ଯ କେବେ ହେଲେ ମା’ଙ୍କ ଦର୍ଶନ ଲାଭ କରିପାରିଲେ ନାହିଁ ।
ସୁତରାଂ ମାତୃହରା ହେତୁ ତାଙ୍କ ଜୀବନରେ ବିଷାଦଯୋଗର ସୂଚନା ଓ ତତ୍ତ୍ୱଜ୍ଞାନ ଲାଭ ନିମିତ୍ତ ବ୍ଯାକୁଳତାର ପ୍ରକୃତ ଉନ୍ମେଷ ଘଟିଥିଲା। ମା ଚାଲିଯିବା ପରେ ଭଗବାନ ତାଙ୍କୁ ବିଶେଷ ଭାବରେ ଭାବିବାର ସୁଯୋଗ ଦେଲେ । ତାଙ୍କର ଚିତ୍ତ ଉଷର ହୋଇଗଲା । ଦୁଃଖର ଆଘାତରେ ତାଙ୍କର ସ୍ନେହାତୁର ଚିତ୍ତ ଗୋଟିଏ କିଛି ଅବଲମ୍ବନ ଖୋଜୁଥିଲା ।
ହିନ୍ଦୁ ସଂସ୍କାର ହେତୁ ସେ ଭଗବାନଙ୍କୁ ମା ବୋଲି ଭାବି ଥରେ ତାଙ୍କ କୋଳରେ ବସି ତାଙ୍କୁ ଜାବୁଡି ଧରିବାକୁ ଇଚ୍ଛା କରିଥିଲେ । ତାହା ପୁଣି ମୃତ୍ଯୁ ସମୟରେ ମା’ କେବଳ ସେକଥା କହିଯାଇଥିବାରୁ — ” ନଳିନୀକୁ କହିବ, ମୁଁ ତାକୁ ଜଗନ୍ମାତାଙ୍କ କୋଳରେ ସମର୍ପଣ କରିଦେଇଗଲି ।”
କିନ୍ତୁ ସେ ଦେଖିଲେ, ଶିଶୁ ଜନ୍ମ ପରେ ମା ପାଇବା ଯେତେ ସହଜ, ଏଇ ଜଗନ୍ମାତାଙ୍କୁ ପାଇବା ସେତେ ସହଜ ନୁହେଁ ।
ଜୀବନରେ ପ୍ରଥମ-ମୃତ୍ଯୁ ସମ୍ମୁଖରେ ଦଣ୍ଡାୟମାନ ହୋଇ ସହଜ ଜ୍ଞାନରେ ନଳିନୀକାନ୍ତ ଦେଖିଲେ, ଏ ସଂସାରରେ ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କେବଳ ମାୟା । ଦେହ ଭସ୍ମୀଭୂତ ହେବା ସଙ୍ଗେ ସଙ୍ଗେ ମା’ ଯେପରି ତାଙ୍କର ଆଦରର ନଳିନୀକୁ ଭୁଲିଗଲେ, ଏକଦା ଚଣ୍ଡିମନ୍ଦିରରେ ଯେଉଁ ଦେବୀ ତାଙ୍କୁ ଦର୍ଶନ ଦେଇଥିଲେ ସେ ଦେବୀ ମଧ୍ଯ ନଳିନୀକାନ୍ତଙ୍କୁ ସେମିତି ଭୁଲିଗଲେଣି ।
ମା’ଙ୍କ ମୃତ୍ଯୁ ପରେ ତାଙ୍କ ସଂସାର ବନ୍ଧନ ଯେପରି ଏକାବେଳକେ ଛିନ୍ନ ହୋଇଗଲା !! ଆଉ ମଧ୍ଯ ପରଲୋକ ଓ ଈଶ୍ବରଙ୍କ ସମ୍ବନ୍ଧରେ ସଂଶୟ ଜାତ ହେବାରୁ ତାଙ୍କ ବାଲ୍ଯକାଳର ସହଜ ଭକ୍ତି ବିଶ୍ବାସ ମଧ୍ଯ ଅନ୍ତର୍ହିତ ହୋଇଗଲା । ସେ କ୍ରମେ କ୍ରମେ ନାସ୍ତିକ ହୋଇ ଉଠିଲେ । ମାତୁଳାଳୟରେ ତିନି ବର୍ଷ ରହି ଦରିଆପୁର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ସେ ଢାକା ପଢିବାକୁ ଗଲେ ।
ପତ୍ନୀ ବିୟୋଗ ପରେ ନଳିନୀକାନ୍ତଙ୍କ ପିତା ଭୁବନମୋହନ ମୁହ୍ଯମାନ ହୋଇପଡିଲେ। ପ୍ରଥମତଃ ପତ୍ନୀ ବିୟୋଗ, ଦ୍ବିତୀୟତଃ ଟ୍ରେନ ସଂଘର୍ଷରୁ ନଳିନୀକାନ୍ତଙ୍କ ଜୀବନରକ୍ଷା — ଏଥିରେ ଭୁବନମୋହନ ଭବିଷ୍ୟତ ଅମଙ୍ଗଳ ଆଶଙ୍କା କରି ପୁତ୍ରର କୋଷ୍ଠୀ ଫଳାଫଳ ଜାଣିବା ପାଇଁ ବ୍ୟଗ୍ର ହୋଇଉଠିଲେ ।
କାଶୀମବଜାରର ରାଣୀ ସ୍ବର୍ଣ୍ଣମୟୀଙ୍କ ସଭାପଣ୍ଡିତ ଶ୍ରୀ ଶ୍ଯାମାଚରଣ ଜ୍ଯୋତିଷାର୍ଣ୍ଣବ କାର୍ଯ୍ଯୋପଲକ୍ଷରେ କୁତବପୁର ଆସିଥିଲେ । ଭୁବନମୋହନ ପୁତ୍ରର କୋଷ୍ଠିଫଳ ଜାଣିବାକୁ ଉକ୍ତ ପଣ୍ଡିତଙ୍କ ସହ ସାକ୍ଷାତ କଲେ ।
ପଣ୍ଡିତ ମହାଶୟ କୋଷ୍ଠୀ ଦେଖି କହିଲେ ଯେ, ସେ ଏପରି ବୈଚିତ୍ରମୟ କୋଷ୍ଠୀ କେବେ ଦେଖିନାହାନ୍ତି। ଏହାଙ୍କ ଭବିଷ୍ୟତ ଜୀବନ ବଡ ରହସ୍ୟମୟ । ବହୁ କର୍ମ, ବହୁ ଜ୍ଞାନ, ବହୁ ମତ, ବହୁ ପଥ, ବହୁ ବିପଦ, ବହୁ ସମ୍ପଦ, ବହୁ ମାନ, ବହୁ ନିନ୍ଦା, ବହୁ ତ୍ଯାଗ ଓ ବହୁ ଲାଭ ଏହାଙ୍କ ଜୀବନର ବିଶେଷତ୍ବ । ପଣ୍ଡିତ ମହାଶୟ ନଳିନୀକାନ୍ତଙ୍କୁ ନାନା ପ୍ରକାର ଆଶୀର୍ବାଦ କରି ବିଦାୟ ଗ୍ରହଣ କଲେ ।
( କ୍ରମଶଃ …)
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି