ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୩୩
ତ୍ରିକୂଟ ସ୍ଥାନ
ଆତ୍ମଶକ୍ତି ଉପରେ ନିର୍ଭର କରି ଯୋଗୀମାନେ ତ୍ରିକୂଟ ସ୍ଥାନ ପର୍ଯ୍ୟନ୍ତ ବାୟୁ ସାହାଯ୍ୟରେ ଗମନ କରି ପାରନ୍ତି । କିନ୍ତୁ ଏହି ତ୍ରିକୂଟ ସ୍ଥାନରେ ଉପନୀତ ହେଲାକ୍ଷଣି ଗୁରୁଙ୍କର ସାହାଯ୍ୟର ପ୍ରୟୋଜନ ହୁଏ। ନିଗମାନନ୍ଦ ସମ୍ପ୍ରଜ୍ଞାତ ସମାଧିଦ୍ୱାରା କ୍ରମେ ବିଜ୍ଞାନମୟ କୋଷକୁ ଅତିକ୍ରମ କଲେ ଏବଂ ଏହି କୋଷର କ୍ରିୟାକୁ ରୋଧ କରି ଆନନ୍ଦମୟ କୋଷର ତୋରଣଦ୍ବାରରେ ଉପନୀତ ହେଲେ ।
ନିରାଲମ୍ବପୁରୀ
ଏହି ତୋରଣ ଦ୍ଵାର ଶ୍ରୀଗୁରୁଙ୍କ କୃପା ବ୍ୟତୀତ ଅତିକ୍ରମ କରାଯାଇପାରେ ନାହିଁ । ଶ୍ରୀଗୁରୁଙ୍କ କୃପାରୁ ନିଗମାନନ୍ଦ ତ୍ରିକୂଟ ସ୍ଥାନ ଅତିକ୍ରମ କରି ନୀରାଲମ୍ବପୁରୀରେ ପରମାତ୍ମାଙ୍କ ସହିତ ନିମଜ୍ଜିତ ହେଲେ । ତାଙ୍କର ଅସମ୍ପ୍ରଜ୍ଞାତ ସମାଧି ଲାଭ ହେଲା ।
ପ୍ରାୟ ଚବିଶ ଘଣ୍ଟା ଅତୀତ ହୋଇଗଲା; ତଥାପି ସନ୍ନ୍ୟାସୀଙ୍କର ଚେତନାଭଙ୍ଗର କୌଣସି ଲକ୍ଷଣ ଦେଖା ନଯିବାରୁ ସରଯୁ ଦେବୀ ଚିନ୍ତିତ ହୋଇପଡିଲେ । ସେ ଦେଖିଲେ ଯେ, ତାଙ୍କର ଶ୍ୱାସ ପ୍ରଶ୍ଵାସ ବନ୍ଦ ହୋଇଯାଇଛି । ବାହ୍ୟକ ଭାବରେ ମୃତ୍ୟୁର ସମସ୍ତ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସେ ବସିଛନ୍ତି । ଚବିଶ ଘଣ୍ଟା ଅତୀତ ହେବା ପରେ ସରଯୁ ଦେବି ନିଗମାନନ୍ଦଙ୍କ ଉପଦେଶ ଅନୁସାରେ କ୍ରିୟା କରି ତାଙ୍କର ବାହ୍ୟଚେତନା ଫେରାଇ ଆଣିଲେ ।
ଅପୂର୍ବ ଆନନ୍ଦ ଲାଭ କରି ନିଗମାନନ୍ଦ ଚବିଶ ଘଣ୍ଟା ପରେ ବାହ୍ୟଜ୍ଞାନ ଫେରିପାଇଲେ । ଆନନ୍ଦସାଗରରେ ନିମଜ୍ଜିତ ହୋଇ ଫେରି ଆସିବାକୁ ଏହି ଜଗତ ତାଙ୍କ ନିକଟରେ ନୂତନ ବୋଧ ହେଲା । ସେ ଅନ୍ୟ ଉଚ୍ଚଭାବ ସବୁ ଭୁଲିଗଲେ ;ତାଙ୍କର ଗୋଟିଏ ଆନନ୍ଦମୟ ଭାବ ମାତ୍ର ଅବଶିଷ୍ଟ ରହିଲା । ପ୍ରଥମ ଦିନର ଅଭିଜ୍ଞତା ପରେ ନିଗମାନନ୍ଦ ପୂର୍ବାପେକ୍ଷା ଅଧିକ ସାହସୀ ହୋଇ ଦ୍ଵିତୀୟ ଥର ସମାଧିରେ ବସିବା ପୂର୍ବରୁ ତିନି ଦିନ ପରେ ବାହ୍ୟଜ୍ଞାନ ଫେରେଇ ଆଣିବାକୁ ସରଯୁ ଦେବୀଙ୍କୁ ଆଦେଶ ଦେଇ ମୁହୂର୍ତ୍ତକ ଭିତରେ ସହସ୍ରାରସ୍ଥିତ ନିରାଲମ୍ବ ପୁରୀର ଚିତ୍ ସତ୍ତାରେ ନିମଜ୍ଜିତ ହେଲେ । ତାଙ୍କ ଉପଦେଶ ମତେ ତିନିଦିନ ପରେ ତାଙ୍କର ବାହ୍ୟ ଚେତନା ଫେରାଇ ଅଣାହେଲା । ନିଗମାନନ୍ଦ ସମାଧିଭଙ୍ଗ ପରେ ଦଶଦିନ ପର୍ଯ୍ୟନ୍ତ ଦୁର୍ବଳତା ଅନୁଭବ କଲେ ।
ତୃତୀୟ ଥର ସମାଧିରେ ବସିବା ପୂର୍ବରୁ ସାତ ଦିନ ପରେ ବାହ୍ୟଜ୍ଞାନ ଫେରେଇ ଆଣିବାକୁ ଆଦେଶ ଦେଇ ନିଗମାନନ୍ଦ ଆସନରେ ଉପବିଷ୍ଟ ହେଲେ । ଏହି ସମାଧି ଅବସ୍ଥାରେ ସେ ବ୍ରହ୍ମାଣ୍ଡର ସପ୍ତ ଭୂମିରେ ଦିନେ ଦିନେ ଅବସ୍ଥାନ କରି ପ୍ରତ୍ୟେକ ଲୋକ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କଲେ । ଦେହସ୍ଥ ସୂକ୍ଷ୍ମ ଚକ୍ର ସହିତ ସ୍ଥୂଳଲୋକର ଅତି ଘନିଷ୍ଠ ସମ୍ବନ୍ଧ। ନିଗମାନନ୍ଦ ଗୋଟିଏ ଗୋଟିଏ ଚକ୍ରରେ ଅବସ୍ଥାନ କରି ପ୍ରତ୍ୟେକ ଲୋକଙ୍କର ସୃଷ୍ଟି ବୈଚିତ୍ର୍ୟ ଦର୍ଶନ କରି ଅବଶେଷରେ ବ୍ରହ୍ମଲୋକରେ ଉପସ୍ଥିତ ହେଲେ। ସପ୍ତମ ଦିନ ଅତିବାହିତ ହୋଇଗଲା ।
ସମାଧିଭଙ୍ଗ ନ ହେବାର ଦେଖି ସରଯୁ ଦେବୀ ଅତିଶୟ ଚିନ୍ତିତ ହୋଇ ପଡିଲେ । ସେ ନାନା ପ୍ରକ୍ରିୟା ଦ୍ଵାରା ବାହ୍ୟଜ୍ଞାନ ଫେରେଇ ଆଣିବାକୁ ଚେଷ୍ଟା କଲେ କିନ୍ତୁ କାହିଁରେ କିଛି ଫଳ ହେଲା ନାହିଁ । ଯଜ୍ଞେଶ୍ଵର ବାବୁ ମଧ୍ୟ କୌଣସି ଉପାୟ ନଦେଖି ଜଣେ ମହିଳା ଡାକ୍ତରଙ୍କୁ ଡକାଇ ବହୁ କଷ୍ଟରେ ସନ୍ନ୍ୟାସୀଙ୍କ ଚେତନା ଫେରାଇ ଆଣିଲେ । ରାଜଯୋଗର ଚରମାବସ୍ଥାରେ ପରମାତ୍ମାଙ୍କ ଦର୍ଶନ ହୁଏ ବା ପରମାତ୍ମାଙ୍କ ସହିତ ଯୋଗ ସ୍ଥାପିତ ହୁଏ ଅଥବା ପରମାତ୍ମଙ୍କ ଠାରେ ଆତ୍ମାର ଲୟ ହୁଏ । ଯେ କୌଣସି ଭାଷା ଦ୍ଵାରା ପ୍ରକାଶ କଲେ ମଧ୍ୟ ଏ ଅଵସ୍ଥା ବୁଝି ହୁଏ ନାହିଁ, କେବଳ ସମ୍ପ୍ରଜ୍ଞାତ ସମାଧି ସାହାଯ୍ୟରେ ଏହା ଉପଲବ୍ଧି କରି ହୁଏ ।
ଏହି ସମାଧି ସୁଖଲାଭ କଲାପରେ ନିଗମାନନ୍ଦ ପ୍ରାୟ ସବୁବେଳେ ଏକ ପ୍ରକାର ସମାଧିରେ ସମୟ କଟାଇଲେ। ଯେତେବେଳେ ଇଚ୍ଛା ହୁଏ ସେତେବେଳେ ସମାଧି ମଗ୍ନ ହୋଇପଡନ୍ତି । କିନ୍ତୁ ଲୋକେ କାଳେ ଉଦବିଗ୍ନ ହେବେ ଭାବି ସତ୍ୱର ନିମ୍ନ ଲୋକ ଭୂମିକୁ ଅବତରଣ କରି ଆସନ୍ତି ।
ନିର୍ବିକଳ୍ପ ସମାଧିଲାଭ
କ୍ରମେ ନିଗମାନନ୍ଦ ସମାଧିକୁ ଖୁବ୍ ଆୟତ୍ତ କରି ପକାଇଲେ ।ଟିକିଏ ସ୍ଥିର ହୋଇ ବସିଲା ମାତ୍ରେ କୁଣ୍ଡଳିନୀର ଉର୍ଦ୍ଧ୍ୱ ଗମନ ପ୍ରାକୃତିକ ନିୟମରେ ହେବାକୁ ଲାଗିଲା ଓ ଇଚ୍ଛା ମାତ୍ରକେ ନିଗମାନନ୍ଦ ପୁନରାୟ ତାହାକୁ ଯଥା ସ୍ଥାନକୁ ଫେରେଇ ଆଣିବାର ଶକ୍ତି ଲାଭ କଲେ ।
ଏହାପରେ ନିଗମାନନ୍ଦ ଲୋକସଙ୍ଗ ତ୍ୟାଗ କରି ମଧ୍ୟେ ମଧ୍ୟେ କାମାକ୍ଷା ପାହାଡକୁ ବୁଲିବାକୁ ଗଲେ । ଏହି ସମୟରେ କାମାକ୍ଷା ମନ୍ଦିରରେ ନିତ୍ୟାନନ୍ଦ ସ୍ଵାମୀ ବୋଲି ଜଣେ ସାଧୁ ଥାନ୍ତି । ତାଙ୍କ ସହିତ ନିଗମାନନ୍ଦଙ୍କର ଅତ୍ୟନ୍ତ ସୌହାର୍ଦ୍ଦ୍ୟ ଜନ୍ମିଲା । ତାଙ୍କ ନିକଟରେ ନିଗମାନନ୍ଦ ପ୍ରକାଶ କଲେ ଯେ,ସେ ବେଦାନ୍ତର ନିର୍ବିକଳ୍ପ ସମାଧି ଆଣିବେ । ଏହାଶୁଣି ନିତ୍ୟାନନ୍ଦ ସ୍ଵାମୀ କହିଲେ ଏପରି ସମାଧି ଆଣିଲେ ବିପଦ ହେବ। ଏହି ସମାଧି ପରେ କେହି କ୍ଵଚିତ ଫେରନ୍ତି । ନିଗମାନନ୍ଦ ତାଙ୍କ କଥା ନମାନି କାମାକ୍ଷା ପାହାଡ ଉପରେ ଗୋଟିଏ ନିର୍ଜନ ସ୍ଥାନ ନିର୍ଦ୍ଧିଷ୍ଟ କଲେ । ପରଦିନ ଶୀଘ୍ର ପାନାହାର ଶେଷ କରି କାହାକୁ କିଛି ନକହି ଏକାକୀ ପାହାଡ ଉପରେ ଯାଇ ପୂର୍ବ ନିର୍ଦ୍ଧିଷ୍ଟ ସ୍ଥାନରେ ଉପବେଶନ କରି କହିଲେ , “ଅନେକ ଦିନରୁ ଜ୍ଞାନ ସାଧନା କରି ଆସୁଛି, କେବେହେଲେ ନିର୍ବିକଳ୍ପ ସମାଧି ସୁଖ ଆସ୍ୱାଦନ କରି ନାହିଁ ।” ଏହିପରି ଭାବନା କରି ଜୀବନ ପ୍ରତି ଭ୍ରୁକ୍ଷେପ ନା ରଖି ସେ ଧ୍ୟାନସ୍ଥ ହୋଇ ପଡିଲେ ।
ନିର୍ବିକଳ୍ପ ସମାଧି ପ୍ରଣାଳୀ
ଧ୍ୟାନରେ ବସି ନିଗମାନନ୍ଦ ଅହଂତ୍ଵର ପ୍ରସାର କରିବାକୁ ଲାଗିଲେ । ପ୍ରଥମେ କଳ୍ପନା ଦ୍ଵାରା ସେ ଭାବିଲେ, ଏହି ଶରୀରଟା ମୁଁ, ତାହା ପରେ କାମାକ୍ଷା ପାହାଡ, ପରେ ଆସାମ ପ୍ରଦେଶ, ତା ପରେ ସମଗ୍ର ଭାରତ ବର୍ଷକୁ ମୁଁ ବୋଲି ଭାବିବା ମାତ୍ରେ ଭାରତ ବର୍ଷର ନଦୀ, ପାହାଡ ପର୍ବତ ସମସ୍ତ ତାଙ୍କ ଦୃଷ୍ଟି ଗୋଚର ହେଲା । କ୍ରମେ ତାଙ୍କ ମନ ଉର୍ଦ୍ଧ୍ୱ ଜଗତକୁ ଉଠିବାକୁ ଲାଗିଲା ।
ସେତେବେଳେ ନିଗମାନନ୍ଦ ଗୋଟିଏ କ୍ଷୀଣ ଜ୍ୟୋତି ବିଶିଷ୍ଟ ଆଲୋକ ଦେଖିପାରିଲେ । ଉଠିବା ସଙ୍ଗେ ସଙ୍ଗେ ମନେ ହେଲା, ଯେପରି ଗୋଟିଏ ପରେ ଗୋଟିଏ ଦ୍ଵାର ଖୋଲିଯାଉଛି ଓ ସେ କ୍ରମଶଃ ଉପରକୁ ଉଠିଯାଉଛନ୍ତି। ଅବଶେଷରେ ସେ ସପ୍ତଲୋକ ପାର ହୋଇ ଏକ ଜ୍ୟୋତିର୍ମଣ୍ଡଳରେ ଉପସ୍ଥିତ ହେଲେ । ଏହି ଜ୍ୟୋତିର୍ମଣ୍ଡଳ ମଧ୍ୟରେ ନିଗମାନନ୍ଦ ନିଜକୁ ସର୍ବତ୍ର ଅନୁଭବ କରିପାରିଲେ । ତାହାପରେ ଯେଉଁ ଆନନ୍ଦ ହେଲା, ତାହା ଭାଷାରେ ବ୍ୟକ୍ତ କରିବା ଅସମ୍ଭବ ।
ଗୁରୁ ଭାବର ସଞ୍ଚାର
ଏହି ଅବସ୍ଥାରେ କିଛି କ୍ଷଣ ଅବସ୍ଥାନ କଲାପରେ ହଠାତ୍ ତାଙ୍କ ମନରେ ଦୃଢ଼ ସଂକଳ୍ପ ଜାଗି ଉଠିଲା ଯେ, ‘ମୁଁ ଗୁରୁ’ । ତତ୍କ୍ଷଣାତ ଏହି ଅନନ୍ତ ଜ୍ୟୋତିପୁଞ୍ଜ କେନ୍ଦ୍ରରୂପୀ ଏକ ବିନ୍ଦୁ ଆକାର ଧାରଣ କଲା। ସେହି ବିନ୍ଦୁ ମଧ୍ୟରେ ନିଜକୁ ମଧ୍ୟ ସେ ଗୁରୁ ବୋଲି ଅନୁଭବ କରି ପାରିଲେ । ଏହି ଗୁରୁ ଭାବ ବ୍ୟତୀତ ଅନ୍ୟ କୌଣସି ଭାବର ସତ୍ତା ତାଙ୍କ ଠାରେ ରହିଲା ନାହିଁ !
ଅବତରଣ
କିଛି ସମୟ ପରେ ନିଗମାନନ୍ଦ ଦେଖିଲେ ଯେ ଘୋର ଅନ୍ଧାର । ଏହି ଅନ୍ଧକାର ରାଜ୍ୟକୁ ସେ ବା କିପରି ଆସିଲେ, କିପରି ଯେ ଏହି ଅନ୍ଧକାରରୁ ବାହାର ହେବେ, ତାହା ଠିକ୍ କରିପାରିଲେ ନାହିଁ ।
କିଛି ସମୟ ପରେ ହଠାତ୍ ଦେଖିଲେ ଯେ, ଜାଲ ପରି ଛିଦ୍ରବିଶିଷ୍ଟ ଗୋଟିଏ ଜ୍ୟୋତିର୍ମୟ ପଦାର୍ଥ ସେହି ଅନ୍ଧକାର ରାଜ୍ୟରେ ଦେଖା ଯାଉଛି। ସେହି ଜାଲର ଠିକ୍ ମଧ୍ୟ ଭାଗରେ ଥିବା ଗୋଟିଏ ଛିଦ୍ର ଉପରେ ନିଗମାନନ୍ଦଙ୍କର ଦୃଷ୍ଟି ପଡ଼ିବା କ୍ଷଣି ଛିଦ୍ରଟି କ୍ରମେ ବଡ଼ ହେବାକୁ ଲାଗିଲା । ନିଗମାନନ୍ଦ ସେହି ଛିଦ୍ର ଦେଇ ଖସିପଡିଲେ । ସେ ଏତିକିବେଳେ ଗର୍ଭ ଯନ୍ତ୍ରଣା ପରି ଭୀଷଣ ଯନ୍ତ୍ରଣା ଅନୁଭଵ କଲେ । ସେ କ୍ରମେ ଏହିପରି ନିର୍ଗୁଣରୁ ସଗୁଣ ଅବସ୍ଥାକୁ ଫେରି ଆସିଲେ ।
ତାହା ପରେ ତପଃ, ସତ୍ୟ ପ୍ରଭୃତି ଲୋକ ତାଙ୍କ ଚକ୍ଷୁ ଆଗରେ ପ୍ରତ୍ୟକ୍ଷ ଫୁଟି ଉଠିଲା । ଅବଶେଷରେ ଭୂଲୋକରେ ଉପସ୍ଥିତ ହେବାକ୍ଷଣି ସମଗ୍ର ପୃଥିବୀ ନିଗମାନନ୍ଦଙ୍କର ନୟନଗୋଚର ହେଲା । ତତ୍ପରେ ଭାରତବର୍ଷ ଦେଖାଗଲା । ଅନ୍ୟାନ୍ୟ ବଡ଼ ବଡ ଦେଶ ମହାଦେଶଗୁଡିକ ମଧ୍ୟ ସେ ପ୍ରତ୍ୟକ୍ଷ ଦେଖିପାରିଲେ। ପରେ ଆସାମ ପ୍ରଦେଶ,ଶେଷରେ କାମାକ୍ଷା ପାହାଡ , ପାହାଡ଼ର ବୃକ୍ଷ ଲତା ଦେଖୁ ଦେଖୁ ନିଜ ଦେହ ଦୃଷ୍ଟି ଗୋଚର ହେଲା । ନିଗମାନନ୍ଦ ହଠାତ୍ ଦେହ ଭିତରେ ପଶିଗଲେ । କିନ୍ତୁ କେଉଁ ମୁହୂର୍ତ୍ତରେ କିପରି ଯେ ଦେହ ଭିତରେ ପଶିଲେ, ତାହା ବୁଝିପାରିଲେ ନାହିଁ। ଦେହ ଭିତରୁ ବାହାରିବା ବେଳେ ସେ କିପରି ବାହାରିଛନ୍ତି ତାହା ମଧ୍ୟ ସେ ଜାଣି ପାରି ନଥିଲେ । ଦେହ ଭିତରେ ପ୍ରବେଶ କଳ ମାତ୍ରକେ ତାଙ୍କର ବାହ୍ୟଜ୍ଞାନ ଫେରି ଆସିଲା । କିନ୍ତୁ ‘ ମୁଁ ଗୁରୁ ‘ ଏହି ବିଶେଷ ଭାବ ପ୍ରବଳ ଭାବରେ ଜାଗି ଉଠିଲା ।
ଅପାର ଆନନ୍ଦ ନେଇ ନିଗମାନନ୍ଦ ଯଜ୍ଞେଶ୍ଵର ବାବୁଙ୍କ ଗୃହକୁ ପର୍ତ୍ୟାବର୍ତ୍ତନ କଲେ । ଯଜ୍ଞେଶ୍ଵର ବାବୁ ସନ୍ନ୍ୟାସୀଙ୍କୁ ଫେରି ପାଇ ବିଶେଷ ଆନନ୍ଦିତ ହେଲେ । ଏହି ସମୟରେ ନିଗମାନନ୍ଦଙ୍କ ମୁଖମଣ୍ଡଳ ଅପୂର୍ବ ଜ୍ୟୋତିର୍ମୟ ହୋଇଥିଲା ଏବଂ ତାଙ୍କ ଚକ୍ଷୁରୁ ସର୍ବଦା ଜ୍ୟୋତିର ଝଲକ ବାହାରୁଥିଲା । ଏହି ଆଲୋକ ରଶ୍ମି ଅନ୍ୟ ଲୋକ ମଧ୍ୟ ଦେଖି ପାରୁଥିଲେ ।
( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି