ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୩୧
କାମାକ୍ଷା ଗମନ
ସ୍ଵାମୀ ନିଗମାନନ୍ଦ ଗୌହାଟୀରେ ପହଞ୍ଚି କାହା ନିକଟରେ ଉପଯାଚକ ଭାବରେ ଆଶ୍ରୟ ଭିକ୍ଷା କରିବା ତାଙ୍କର ପ୍ରକୃତି ବିରୁଦ୍ଧ ହୋଇଥିବାରୁ କାମାକ୍ଷା ଗମନ ପ୍ରଶସ୍ତ ମନେକରି ସେଠାରେ ଯାଇ ଉପସ୍ଥିତ ହେଲେ । କାମାକ୍ଷା ହିନ୍ଦୁ ମାନଙ୍କ ପ୍ରସିଦ୍ଧ ତୀର୍ଥ। ବହୁ ଧାର୍ମିକ ସଜ୍ଜନଙ୍କର ସେଠାରେ ସମାବେଶ ହୋଇଥାଏ । ହୁଏତ ସେଠାରେ ତାଙ୍କ ପକ୍ଷରେ ସାଧନାର ସୁବିଧା ମିଳି ଯାଇପାରେ ଭାବି ସେ କାମାକ୍ଷା ଯିବାକୁ ମନସ୍ଥ କଲେ । କାମାକ୍ଷା ଯିବା ସମୟରେ ଗୌହାଟୀରେ ଦିନେ ପଥପାର୍ଶ୍ୱସ୍ଥ ଗୃହରୁ ଜଣେ ଭଦ୍ର ଲୋକ ତାଙ୍କୁ ଡାକି କହିଲେ, “ଆହେ ସନ୍ନ୍ୟାସୀ ଠାକୁର ଶୁଣ, ଶୁଣ।” ଆଧୁନିକ ଲୋକ ଯେପରି ବିଦ୍ରୂପ କରନ୍ତି ଭଦ୍ରଲୋକଙ୍କର ସ୍ୱର ମଧ୍ୟ ସେହିପରି ଥିଲା । ସେଥିପ୍ରତି ଲକ୍ଷ୍ୟ ନ ରଖି ଭାଦ୍ରଲୋକଟି ଯେଉଁଠାରେ ବସିଥିଲେ ସେଠାରେ ନିଗମାନନ୍ଦ ଉପସ୍ଥିତ ହେଲେ । ଭଦ୍ରଲୋକ ଜଣକ ନିଗମାନନ୍ଦଙ୍କୁ ବସିବାକୁ ନିର୍ଦ୍ଦେଶ ଦେଇ ପଚାରିଲେ ,”ସନ୍ନ୍ୟାସୀ ଠାକୁର, କେଉଁଆଡେ ଯାଉଛନ୍ତି ?” ନିଗମାନନ୍ଦ କାମାକ୍ଷା ଯାଉଛନ୍ତି ବୋଲି ଉତ୍ତର ଦେଲେ । ଭଦ୍ରଲୋକଟି କହିଲେ, “କାମାକ୍ଷା ଯାଉଛନ୍ତି, କାଲି ଯିବେ; ଏଠାରେ ରହିଯାଆନ୍ତୁ।” ଏଥିରେ ନିଗମାନନ୍ଦ ବିଶେଷ ଆପତ୍ତି ନ କରି ରହିବାକୁ ସମ୍ମତ ହେଲେ।
ଗୃହସ୍ୱାମୀ ଜଣେ ଭୃତ୍ୟକୁ ଗୋଟିଏ କୋଠରୀ ପରିଷ୍କାର କରିବାକୁ କହି ସ୍ୱାମୀଜୀଙ୍କୁ ସେଠାରେ ରହିବା ନିମିତ୍ତ ନିର୍ଦ୍ଦେଶ ଦେଲେ । ତତ୍ପରେ ନିଗମାନନ୍ଦ ସ୍ନାନ କରି ଆସି ଗୀତା ପାଠ କରିବାକୁ ଲାଗିଲେ । ଗୃହସ୍ୱାମୀ କଚେରୀକୁ ଯିବା ସମୟରେ ସନ୍ନ୍ୟାସୀଙ୍କର ଆହାର କରିବା ଓ ରହିବାର କିପରି ବ୍ୟବସ୍ଥା ହୋଇଅଛି ଦେଖିବା ପାଇଁ ସେହି କୋଠରୀରେ ପ୍ରବେଶ କରି ଦେଖିଲେ ଯେ, ସନ୍ନ୍ୟାସୀ ଗୀତା ପାଠ କରୁଛନ୍ତି।
ବାବୁଟି ପଚାରିଲେ, “କି ହେ ସନ୍ନ୍ୟାସୀ ଠାକୁର ! ଆପଣଙ୍କର ଗୀତା ପାଠ ଅଭ୍ୟାସ ନା କଣ ?”
ନିଗମାନନ୍ଦ କହିଲେ,”ଟିକିଏ ଅଭ୍ୟାସ ଅଛି ।” ଗୃହସ୍ଵାମୀ ପଚାରିଲେ,– “କିପରି ଗୀତା ପାଠ କରନ୍ତି ? ଗୁରୁ ବୁଝାଇ ଦେଇଛନ୍ତି, ତାହା ବୁଝି ପାଠ କରୁଛନ୍ତି ନା ମନକୁ ମନ ପଢ଼ୁଛନ୍ତି?”
ନିଗମାନନ୍ଦ ଉତ୍ତର ଦେଲେ — “ନା, ଗୁରୁ ବୁଝାଇ ଦେଇଛନ୍ତି।”
ଗୃହସ୍ଵାମୀ ପଚାରିଲେ — “ଆଚ୍ଛା, କୁହନ୍ତୁ ଦେଖି, “ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ, ଧ୍ରୁବଂ ଜନ୍ମ ମୃତସ୍ୟ ଚ ” — ଏହାର ଅର୍ଥ କଣ ? ଜନ୍ମ ହେଲେ ଯଦି ମରିବା ନିଶ୍ଚୟ ଓ ମୃତ୍ୟୁ ହେଲେ ଯଦି ଜନ୍ମ ନିଶ୍ଚୟ, ତେବେ ଆଉ ଏତେ ଶାସ୍ତ୍ର ପଢା ପଢ଼ି କରି କଣ ହେବ ? ତେଣୁ ମୁଁ ଏସବୁ ଛାଡି ଦେଇଛି । ମୁଁ ମଧ୍ୟ ପୂର୍ବେ ଗୀତା ପଢ଼ୁଥିଲି।”
ନିଗମାନନ୍ଦ କହିଲେ,– “ଜନ୍ମ ହୋଇ ଯଦି ସଦଗୁରୁ ଲାଭ ହୁଏ ଏବଂ ତାଙ୍କରି ଉପଦେଶ ଅନୁଯାୟୀ ସାଧନା କରାଯାଏ, ତେବେ ପ୍ରତ୍ୟକ୍ଷ ଜ୍ଞାନ ହୁଏ ଯେ,’ପ୍ରକୃତରେ ମୋର ଜନ୍ମ ହୋଇ ନାହିଁ।’ ସୁତରାଂ ଯାହାର ଜନ୍ମ ନାହିଁ, ତାଙ୍କର ମୃତ୍ୟୁ ମଧ୍ୟ ନାହିଁ – ଏହା ପ୍ରକୃତରେ ଉପଲବ୍ଧି କରାଯାଏ । ଯିବା ଆସିବା ଖାଲି ଜଡ ଶରୀରର, ଏହି ଜଡ ଦେହ ଉପରୁ ଯେତେବେଳେ ଅଭିମାନ ଓ ଦେହାତ୍ମବୋଧ ଚାଲିଯାଏ, ସେତେବେଳେ ଜଡ ଦେହର ମଧ୍ୟ ଆଉ ଗମନାଗମନ ସମ୍ଭବ ହୁଏ ନାହିଁ ।
ଯୁବକ ସନ୍ନ୍ୟାସୀଙ୍କର ସୁଯୁକ୍ତିପୂର୍ଣ୍ଣ ଉତ୍ତର ଶୁଣି ଗୃହସ୍ବାମୀ କହିଲେ, “ବାଃ, ବାଃ, ଅତି ସୁନ୍ଦର ମୀମାଂସା । ମୋର ଏ ବିଷୟରେ ଆପଣଙ୍କ ସହିତ ଆଉ ଅନେକ ଆଲୋଚନା କରିବାକୁ ଇଚ୍ଛା। ବର୍ତ୍ତମାନ କଚେରୀ ଯିବା ସମୟ ହେଇଯାଉଛି । ସନ୍ଧ୍ୟା ସମୟରେ ଏ ବିଷୟରେ ଆହୁରି ଅନେକ ଆଲୋଚନା କରିବା, ଆପଣ ଚାଲିଯିବେ ନାହିଁ ।”
ଉକ୍ତ ଭଦ୍ରଲୋକଙ୍କ ପରିଚୟ ପାଠକ ମାନଙ୍କର ଜାଣିବା ପ୍ରଥମେ ଆବଶ୍ୟକ । କାରଣ ଶ୍ରୀ ଶ୍ରୀ ଠାକୁରଙ୍କର ସାଧନା ଜୀବନ ସହିତ ତାଙ୍କର ବିଶେଷ ସମ୍ପର୍କ ରହିଛି । ତାଙ୍କର ନାମ ଯଜ୍ଞେଶ୍ୱର ବିଶ୍ବାସ । ସେତେବେଳେ ସେ ଗୌହାଟୀର ସହକାରୀ କମିଶନର ।
ଆଶ୍ରୟ ଲାଭ
ସେଦିନ ସନ୍ଧ୍ୟା ସମୟରେ ନାନା ଆଲୋଚନା ପରେ ଯଜ୍ଞେଶ୍ଵର ବାବୁ ନିଗମାନନ୍ଦଙ୍କର ଅଭିପ୍ରାୟ ଜାଣିପାରି ନିଜ ଆଶ୍ରୟରେ ରଖି ତାଙ୍କୁ ସାଧନାରେ ସାହାର୍ଯ୍ୟ ଦେବାକୁ ଓ ସାଧନାମୂଳକ ସମସ୍ତ କଥା ଗୋପନ ରଖି ସମସ୍ତ ବ୍ୟୟ ଭାର ବହନ କରିବାକୁ ବିଶେଷ ଆଗ୍ରହ ପ୍ରକାଶ କଲେ । ନିଗମାନନ୍ଦ କାମାକ୍ଷା ନ ଯାଇ ଏହିଠାରେ ରହିଲେ । କିଛି ଦିନ ପରେ ଯଜ୍ଞେଶ୍ଵର ବାବୁ ତାଙ୍କ ଉଦ୍ୟାନ ମଧ୍ୟରେ ଗୋଟିଏ ଛୋଟ ଚାଳଘର ତିଆରି କରିଦେବାରୁ ନିଗମାନନ୍ଦ ଏହି ଘରେ ରହି ସାଧନା ଆରମ୍ଭ କଲେ ।
ପୁଣି ସାଧନା ଆରମ୍ଭ
ଯୋଗୀଶ୍ୱର ସୁମେରୁଦାସଙ୍କର ଆଦେଶ ଥିଲା ଯେ, ଷଟ୍ ସାଧନାର ପ୍ରତ୍ୟେକଟିକୁ ଦୁଇ ମାସ ପର୍ଯ୍ୟନ୍ତ ଅଭ୍ୟାସ କରି ଛାଡିଦେବାକୁ ହେବ। ନିଗମାନନ୍ଦଙ୍କର ଷଟ୍ ସାଧନା ଆଉ ତିନି ମାସ ବାକିଥିଲା । ଏହି ସ୍ଥାନରେ ସେ ତାହା ପୂର୍ଣ୍ଣ କଲେ । ( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି