ଜୀବନ ବେଦ ୨୯ : ଯୋଗୀ ଗୁରୁଙ୍କ ନିର୍ଦ୍ଦେଶ

Share it

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୯

ଯୋଗୀ ଗୁରୁଙ୍କ ନିର୍ଦ୍ଦେଶ
ଏହି ପାଶ୍ଚାତ୍ୟ ପ୍ରଦେଶରେ ନିଗମାନନ୍ଦ ଗୁରୁ ସୁମେରୁଦାସଜୀଙ୍କ ନିକଟରେ ତିନି ମାସରୁ କିଛି ଅଧିକକାଳ ରହି ଯୋଗସାଧନାର ପ୍ରାଥମିକ କ୍ରିୟାଗୁଡ଼ିକ ଆୟତ୍ତ କରିପାରିଥିଲେ । ଅନ୍ୟାନ୍ୟ କ୍ରିୟା ଅଭ୍ୟାସ ନିମିତ୍ତ ବନଭୂମି ଅନୁକୂଳ ନୁହେଁ ବୋଲି ସୁମେରୁଦାସଜୀ ଉପଦେଶ ଦେଇ କହିଲେ, ” ବର୍ତ୍ତମାନ ତୁ ଲୋକାଳୟକୁ ଯାଇ ଯୋଗ ସାଧନା କର । କେବଳ ଶାସ୍ତ୍ର ପାଠ କଲେ ଚଳିବ ନାହିଁ ; ସାଧନା କରିବା ଆବଶ୍ୟକ । କିନ୍ତୁ ସାରୁ କନ୍ଦମୂଳ ସିଝା ଖାଇ ତାହା କରିହେବ ନାହିଁ । ଯୋଗ ସାଧନା ବେଳେ ରାଜା ପରି ଘିଅ ଦୁଧ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଖାଇବାକୁ ହେବ । ସେଥିପାଇଁ ଅର୍ଥର ପ୍ରୟୋଜନ । ତୁ ବର୍ତ୍ତମାନ ଲୋକାଳୟକୁ ଯାଇ କୌଣସି ଧନୀ ଗୃହସ୍ଥର ଆଶ୍ରୟରେ ରହି ଯୋଗ ସାଧନା କର ।”

ନିଗମାନନ୍ଦ — କେଉଁ ଆଡ଼କୁ ଯିବି ?

ସୁମେରୁଦାସ — ଏଠାରୁ ମେଦିନୀପୁର ଯା, ସେଠାରେ ତତେ ସାହାଯ୍ୟ କରିବାକୁ ଲୋକ ଯୁଟିଯିବେ ।

ଗୃହ ତ୍ୟାଗ କରିବା ପରେ କେବଳ ବେଦାନ୍ତ ଚର୍ଚ୍ଚା କରିବା ଫଳରେ ନିର୍ବିକଳ୍ପ ଅବସ୍ଥା ପ୍ରତି ନିଗମାନନ୍ଦଙ୍କର ସ୍ଵାଭାବିକ ଆକର୍ଷଣ ଥିଲା ।ସୁତରାଂ ସେ ପଚାରିଲେ,
“ଯୋଗସାଧନାର ଚରମାବସ୍ଥା ହେଉଛି ଅସଂପ୍ରଜ୍ଞାତ ସମାଧି — ଏହି ଅବସ୍ଥା ଲାଭ ପରେ ନିର୍ବିକଳ୍ପ ଅବସ୍ଥା ପାଇଁ କଣ ପୁଣି ସାଧନା କରିବାକୁ ହୁଏ ?” ସୁମେରୁଦାସଜୀ କହିଲେ,” ଅସଂପ୍ରଜ୍ଞାତ ଆଯାନେସେ ନିର୍ବିକଳ୍ପ ଆପସେ ଆଯାୟେଗା ।” ଅସଂପ୍ରଜ୍ଞାତ ସମାଧି ଲାଭ ହେଲେ ଆପଣା ମନକୁ ନିର୍ବିକଳ୍ପ ସମାଧି ହୋଇଯିବ ।

ନିଗମାନନ୍ଦ ତାଙ୍କ ଆଦେଶ ଶିରୋଧାର୍ଯ୍ୟ କଲେ । ବିଦାୟ ପୂର୍ବରୁ ସୁମେରୁଦାସଜୀ ନିଗମାନନ୍ଦଙ୍କର ଭବିଷ୍ୟତ ସମ୍ବନ୍ଧରେ ଅନେକ ଉପଦେଶ ଦେଇ ପ୍ରଫୁଲ୍ଲଚିତ୍ତରେ ତାଙ୍କୁ ପୁର୍ବକଥିତ ପାର୍ବତ୍ୟ ବସ୍ତିରେ ଛାଡି ଦେଇ ଆସିଲେ । ସେଠାରେ ପାହାଡିଆ ଲୋକ ପୁଣି ନିଗମାନନ୍ଦଙ୍କୁ ଫେରି ଆସିବା ଦେଖି ଅତିଶୟ ଆନନ୍ଦିତ ହେଲେ । ନିଗମାନନ୍ଦ ସେଠାରୁ ବ୍ରହ୍ମକୁଣ୍ଡ ନିକଟକୁ ଗଲେ । ବ୍ରହ୍ମକୁଣ୍ଡରୁ ପର୍ଶୁରାମ ତୀର୍ଥ ଯାଉଥିବା ଲୋକଙ୍କ ସହିତ ପୁଣି ସେ ବଙ୍ଗ ଦେଶକୁ ଫେରି ଆସିଲେ ।

ଗୁରୁ ଆଶ୍ରମ ତ୍ୟାଗ କରି ବଙ୍ଗ ଦେଶକୁ ଆସି ପ୍ରଥମେ ନିଗମାନନ୍ଦ ମେଦିନୀପୁର ଗଲେ । ଯାଉ ଯାଉ ଦିନେ ସେ ଏହି ଜିଲ୍ଲାର ତମଲୁକ ସବଡିଭିଜନର ନନ୍ଦି ଗ୍ରାମ ଥାନା ଭିତରେ ଥିବା ହରିପୁର ଗ୍ରାମରେ ଉପସ୍ଥିତ ହୋଇ ଗ୍ରାମର ଦେବାଳୟରେ ରାତ୍ରି ଯାପନ କଲେ । ଅତି ପ୍ରତ୍ୟୁଷରୁ ଗ୍ରାମର ଜମିଦାର ସାରଦାପ୍ରସାଦ ମଜୁମଦାର ସେଠାକୁ ଆସି ନିଗମାନନ୍ଦଙ୍କ ପରିଚୟ ପଚାରି କହିଲେ,’ ଆପଣ କିଏ? କାହିଁକି ବୁଲୁଛନ୍ତି କୁହନ୍ତୁ ତ ?

‘ ନିଗମାନନ୍ଦ ତାଙ୍କୁ ପରିଚୟ ନେବାର କାରଣ ପଚାରିବାରୁ ସେ କହିଲେ,’ କାଲି ରାତିରେ ଜଣେ ଦୀର୍ଘକାୟ ସାଧୁ ସ୍ଵପ୍ନରେ ମୋତେ କହିଲେ,ତୁମ ଦେବାଳୟରେ ଜଣେ ସାଧୁ ରାତ୍ରି ଯାପନ କରୁଛନ୍ତି । ତାଙ୍କୁ ଯୋଗ ସାଧନାରେ ସାହାର୍ଯ୍ୟ କର ; ତୁମର ପ୍ରଭୂତ ମଙ୍ଗଳ ହେବ । ଆପଣ କଣ ସେହି ସାଧୁ ? ଏକଥା ଶୁଣି ନିଗମାନନ୍ଦ ବୁଝିଲେ ଯେ , ତାଙ୍କ ଗୁରୁ ସୁମେରୁଦାସଜୀ ଏବେ ମଧ୍ୟ ତାଙ୍କ ସାଙ୍ଗରେ ଅଛନ୍ତି ।

ନିଗମାନନ୍ଦ ନିଜର ପରିଚୟ ଦେଇ କହିଲେ ଯେ, ସେ ଯୋଗସାଧନା ନିମିତ୍ତ ନାନା ସ୍ଥାନରେ ଭ୍ରମଣ କରୁଛନ୍ତି । ତାଙ୍କ କଥା ଶୁଣି ସାରଦାବାବୁ କହିଲେ, ‘ ଯେଉଁ ପ୍ରକାର ସାହାଯ୍ୟର ପ୍ରୟୋଜନ ହେବ, ତାହା ମୁଁ ଦେବାକୁ ପ୍ରସ୍ତୁତ ଅଛି ।’

ସାରଦାବାବୁଙ୍କ ଘର ପଛରେ ଗୋଟିଏ ବଗିଚା ଥିଲା । ନିଗମାନନ୍ଦ ସାରଦାବାବୁଙ୍କୁ ସେହିଠାରେ ତିନି ଗୋଟି କୋଠରୀ ଯୁକ୍ତ ଗୋଟିଏ ଘର ତିଆରି କରିବାକୁ କହିଲେ। ଘର ପ୍ରସ୍ତୁତ ହୋଇଯିବା ପରେ ନିଗମାନନ୍ଦ ସାରଦାବାବୁଙ୍କୁ କହିଲେ ଯେ, ସେ ଏଠାରେ ସାଧନା କରୁଛନ୍ତି , ଏକଥା ଯେପରି ଅନ୍ୟ କେହି ନ ଜାଣନ୍ତି ।

ଏଥିରେ ସାରଦାବାବୁ ସମ୍ମତ ହେଲେ । ସାରଦାବାବୁ ସେଠାରେ ଜମିଦାର ଓ ସାତ୍ତ୍ୱିକ ଭାବାପନ୍ନ । ତାଙ୍କର କୌଣସି ସାଂସାରିକ ଅଭାବ ନଥିଲା । ନିଗମାନନ୍ଦଙ୍କୁ ସେ ଯୋଗସାଧନାରେ ସାହାଯ୍ୟ କରିବାକୁ ଲାଗିଲେ । ( କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights