ଜୀବନ ବେଦ – ୨୮ : ଯୋଗୀଗୁରୁ ଦର୍ଶନ

Share it

ଜୀବନ ବେଦ
13th August 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୮

ଯୋଗୀଗୁରୁ ଦର୍ଶନ

କିଛି ସମୟ ପରେ ନିଗମାନନ୍ଦଙ୍କ ହଠାତ୍ ନିଦ ଭାଙ୍ଗି ଯିବାରୁ ସେ ଦେଖିଲେ ଯେ ବଣର ଚାରିଆଡ଼େ ଆଲୋକମୟ ହୋଇଯାଇଛି । ଘଟଣା କଣ ତାହା ଜାଣିବାକୁ ସେ ବୃକ୍ଷ କୋଟରରୁ ବାହାରି ପଡିଲେ । ସମ୍ମୁଖରେ ଦେଖିଲେ, ଗଛ ମୂଳରେ ଶୁଷ୍କ ପତ୍ର ଦ୍ଵାରା ଅଗ୍ନି ପ୍ରଜ୍ଜ୍ଵଳିତ କରି ଜଣେ ମନୁଷ୍ୟ ବସିଛନ୍ତି । ବିଜନ ବନରେ ମନୁଷ୍ୟ ଦେଖି ନିଗମାନନ୍ଦ ନାନା କଥା ଚିନ୍ତା କରିବାକୁ ଲାଗିଲେ । ଭାବିଲେ ହଠାତ୍ ଏଠାକୁ ମନୁଷ୍ୟ ଆସିଲେ କିପରି ? ଏ କଣ ମୋ ପରି ପଥ ଭୁଲି ବିପଥରେ ବୁଲୁଛନ୍ତି ନ କୌଣସି ଭୂତପ୍ରେତ ? ଭୟରେ ତାଙ୍କ ଦେହ ଥରିବାକୁ ଲାଗିଲା ; ବିସ୍ମୟର ଅବଧି ରହିଲା ନାହିଁ ।

ସାହସ କରି ଗଛରୁ ତଳକୁ ଆସି ସେ ଏହି ମନୁଷ୍ୟମୂର୍ତ୍ତିଙ୍କ ନିକଟରେ ଦଣ୍ଡାୟମାନ ହେଲେ । ଗଛରୁ ଓହ୍ଲାଇବା ବେଳେ ଶବ୍ଦ ହେଲେ ମଧ୍ୟ ସେ ବ୍ୟକ୍ତି ଟିକିଏ ହେଲେ ଚାହିଁଲେ ନାହିଁ । ନିଗମାନନ୍ଦ ନିକଟକୁ ଯାଇ ଦେଖିଲେ ଜଣେ କୌପୀନ ପରିହିତ ସାଧୁ ; ନିକଟରେ ଗଞ୍ଜେଇ ଚିଲମ୍ । ସେ ମୁଣ୍ଡ ନୁଆଇଁ ଗଞ୍ଜେଇ ଦଳୁଛନ୍ତି । ଗଞ୍ଜେଇ ଖାଇବା ପାଇଁ ଧୂନି ଜାଳିଛନ୍ତି ।

ଏଠାରେ ଯେ ସାଧୁ ସନ୍ନ୍ୟାସୀ ରହନ୍ତି ଏହା ପୂର୍ବରୁ ନିଗମାନନ୍ଦ କାହାଠାରୁ ଶୁଣି ନଥିଲେ । ସାହସ କରି ସେ ସାଧୁଙ୍କୁ କିଛି ପଚାରିପାରିଲେ ନାହିଁ। ଭୀତତ୍ରସ୍ତ ଭାବରେ ନିକଟକୁ ଯାଇ ବସିଲେ ମଧ୍ୟ ସାଧୁ ତାଙ୍କୁ ଚାହିଁଲେ ନାହିଁ । ପରେ ଚିଲମ ଲଗାଇ ସାଧୁ ନିଜେ ଥରେ ଟାଣି ନିଗମାନନ୍ଦଙ୍କ ଆଡ଼କୁ ତାହା ବଢ଼ାଇ ଦେଲେ । ଗଞ୍ଜେଇ ଟଣା ଶେଷ ହେଲା ମାତ୍ରକେ ଧୂନି ଲିଭାଇ ଦେଇ ଚିମୂଟା ହାତରେ ଧରି ନିଗମାନନ୍ଦଙ୍କୁ ତାଙ୍କୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇ ସାଧୁ ଚାଲିବାକୁ ଲାଗିଲେ ।

ସେ ଏତେ ଶୀଘ୍ର ଚାଲିଲେ ଯେ, ନିଗମାନନ୍ଦ ତାଙ୍କ ପଛରେ ଦଉଡ଼ି ଦଉଡ଼ି ମଧ୍ୟ ପାରିଲେ ନାହିଁ । ନିଗମାନନ୍ଦ ଯାଉ ଯାଉ ବଙ୍କିମଚନ୍ଦ୍ରଙ୍କର ‘କପାଳ କୁଣ୍ଡଳା’ ଗଳ୍ପ ମନେ ପଡ଼ିଗଲା । କାପାଳିକ ଯେପରି ପଥହରା ନନ୍ଦକୁମାରଙ୍କୁ ହତ୍ୟା କରିବାକୁ ନେଇଯାଉଥିଲା, ତାଙ୍କୁ ସେହିପରି ହତ୍ୟା କରିବାକୁ ସାଧୁ ନେଇଯାଉଛନ୍ତି ନା କଣ ? ସେ ତ ନନ୍ଦକୁମାର ପରି ପଥହରା ପଥିକ ଓ ସାଧୁଙ୍କ ଚେହେରା ତ ସେହି କାପାଳିକ ପରି । ଏହା ଭାବି ସେ ସାଧୁଙ୍କ ପଛରେ ନଯାଇ ରହିଗଲେ; କିନ୍ତୁ ସାଧୁ ପଛକୁ ଫେରି ଚାହିଁଲେ ନାହିଁ । ତହୁଁ ନିଗମାନନ୍ଦ ଭାବିଲେ, ନା, ଏ କାପାଳିକ ନୁହନ୍ତି; କାପାଳିକ ହୋଇଥିଲେ ତ ଫେରି ଚାହାନ୍ତେ । ଏହା ଭାବି ନିଗମାନନ୍ଦ ବହୁ କଷ୍ଟରେ ଦୌଡ଼ି ଦୌଡ଼ି ଯାଇ ତାଙ୍କ ପାଖରେ ପହଞ୍ଚିଲେ ।

ସାଧୁ ଓ ନିଗମାନନ୍ଦ ପୂର୍ବପରି ଚାଲି ଚାଲି ଶେଷରେ ଗୋଟିଏ ମୁଣ୍ଡିଆ ନିକଟରେ ଉପସ୍ଥିତ ହେଲେ । ସ୍ଥାନଟି ବେଶ୍ ପରିଷ୍କାର । ନିକଟରେ ଗୋଟିଏ ଛୋଟ ଝରଣା । ଏହିଠାରେ ସାଧୁ ନିଗମାନନ୍ଦଙ୍କ ଆଡ଼କୁ ଫେରି ଚାହିଁଲେ । କି ବିଶାଳ ମୂର୍ତ୍ତି ! ଉଜ୍ଜ୍ବଳ ଗୌରବର୍ଣ୍ଣ, ପ୍ରଶାନ୍ତ ବକ୍ଷସ୍ଥଳ, ପ୍ରଶସ୍ତ ଲଲାଟ, ଘନ କୃଷ୍ଣ ଦୀର୍ଘ କୁଞ୍ଚିତ କେଶ, ଆକର୍ଣ୍ଣ ବିସ୍ତୃତ ନୟନ ଯୁଗଳ, ଜ୍ୟୋତିର୍ମୟ ମୁଖମଣ୍ଡଳ । ଏପରି ସୁନ୍ଦର ମୂର୍ତ୍ତୀ ଦେଖି ନିଗମାନନ୍ଦ ବିସ୍ମୟ ଓ ଆନନ୍ଦରେ ଅଧୀର ହୋଇ ତାଙ୍କ ଚରଣ ତଳେ ପ୍ରଣାମ କଲେ ।

ସାଧୁ ସ୍ନେହରେ ନିଗମାନନ୍ଦଙ୍କ ହାତ ଧରି ଉଠାଇ କହିଲେ, ” ବତ୍ସ , ହଠାତ୍ ରାତ୍ରରେ ବନ ମଧ୍ୟରେ ମୋତେ ଦେଖିଲ । ମୁଁ ତୁମକୁ କିଛି ନ କହି ମୋର ପଶ୍ଚାତ ଧାବନ କରିବାକୁ ଇଙ୍ଗିତ କଲି । ଏଥିରେ ବୋଧହୁଏ ତୁମେ ବିସ୍ମିତ ଓ ଆଶ୍ଚର୍ଯ୍ୟାନ୍ଵିତ ହୋଇଯାଇଛ, ଭୟ ମଧ୍ୟ କରୁଛ । ମୁଁ କିନ୍ତୁ ତମକୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇ ନାହିଁ । କାରଣ ଏଥି ପୂର୍ବରୁ ତୁମେ କିଏ, କାହିଁକି ବୁଲୁଛ, ତୁମର ଅଭାବ କଣ , କାହିଁକି ବା ଗଛ କୋରଡରେ ଥିଲ, ସେସବୁ ମୁଁ ଅବଗତ ହୋଇ ତୁମକୁ ମୁଁ ଆଣିବାକୁ ସେଠାକୁ ଯାଇଥିଲି । ମୋ ଦ୍ଵାରା ତୁମର ବାସନା ସିଦ୍ଧ ହେବ ।”

ଏହା କହି ସାଧୁ ନିଗମାନନ୍ଦଙ୍କର ଏ ଜନ୍ମର, ପୂର୍ବ ଜନ୍ମର ଓ ଭବିଷ୍ୟତର ଅନେକ ଗୁପ୍ତ କଥା ବ୍ୟକ୍ତ କଲେ। ତାହା ଶୁଣି ନିଗମାନନ୍ଦ ଆହୁରି ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲେ । ସେ ବୁଝିଲେ, ଏ ଜଣେ ପ୍ରକୃତ ଯୋଗସିଦ୍ଧ ମହାପୁରୁଷ। ତେଣୁ ସବୁ ଦୁଃଖ କଷ୍ଟ ଭୁଲି ତାଙ୍କୁ ଆତ୍ମସମର୍ପଣ କରି ତାଙ୍କ ନିକଟରେ ଶରଣାର୍ଥୀ ହେଲେ ।

ଯୋଗ ଶାସ୍ତ୍ରାଲୋଚନା

ମହାପୁରୁଷ ପାହାଡ ନିକଟକୁ ଯାଇ ଗୋଟିଏ ସ୍ଥାନରୁ ବଡ଼ ପଥର ଖଣ୍ଡେ ଟାଣି ବାହାର କଲେ । ସେ ପଥର ଖଣ୍ଡ କପିକଳ ପରି ଗୋଟିଏ ଗୁହା ମୁଖରେ ଢ଼ଙ୍କା ହୋଇଥିଲା । ପଥର ବାହାରି ଯିବାରୁ ନିଗମାନନ୍ଦ ପାହାଡ ଦେହରେ ଏକ ପ୍ରକାଣ୍ଡ ଗହ୍ଵର ଦେଖିଲେ । ସେହି ମହାପୁରୁଷ ଓ ନିଗମାନନ୍ଦ ଉଭୟ ଗୁହା ଭିତରକୁ ପ୍ରବେଶ କଲେ । ଭିତରେ ଛୋଟ ଛୋଟ ଦୁଇଟି କୋଠରୀ; ଗୋଟିକରେ ରନ୍ଧନ ଓ ଖିଆ ପିଆ ହୁଏ, ଅନ୍ୟଟିରେ ସାଧନାଦି କରାଯାଏ । ଶେଷୋକ୍ତ କୋଠରୀଟି ତାଳପତ୍ର ପୋଥୀ ଦ୍ଵାରା ପୂର୍ଣ୍ଣ । ପୋଥୀ ଗୁଡ଼ିକ ହିନ୍ଦୀରେ ଲେଖା ।

ସେତେବେଳେ ସୂର୍ଯ୍ୟ ଉଦୟ ହୋଇଯାଇଥିଲା । ନିଗମାନନ୍ଦ ଘର ଭିତରେ ଆହାର ସାମଗ୍ରୀ କିଛି ଦେଖିଲେ ନାହିଁ । ସେତେବେଳକୁ ସେ ଦାରୁଣ କ୍ଷୁଧାରେ ବ୍ୟାକୁଳ ହୋଇ ପଡ଼ିଥିଲେ । ମହାପୁରୁଷ ନବାଗତଙ୍କୁ ଗୋଟିଏ ଝରଣା ଦେଖାଇ ସେଠାରେ ସ୍ନାନ କରିବାକୁ ନିର୍ଦ୍ଦେଶ ଦେଇ କେଉଁ ଆଡେ ଚାଲିଗଲେ । ଅଳ୍ପ କେତେ ସମୟ ପରେ ଫେରି ଆସି ନିଗମାନନ୍ଦଙ୍କୁ କିଛି କନ୍ଦମୂଳ ଖାଇବାକୁ ଦେଲେ । ଏଠାରେ କନ୍ଦମୂଳ ଓ ବନ ଫଳ ବ୍ୟତୀତ ଅନ୍ୟ କିଛି ମିଳେ ନାହିଁ । ମହାପୁରୁଷ ସାତ ଆଠ ଦିନ ଅନ୍ତରରେ ଥରେ ଯାଇ ବସ୍ତିରୁ ଚାଉଳ ମାଗି ଆଣନ୍ତି। ସେଠାରେ ଅବସ୍ଥାନ କରିବା ସମୟରେ ନିଗମାନନ୍ଦ ସପ୍ତାହକେ ଥରେ ମାତ୍ର ଭାତ ଓ କନ୍ଦମୂଳ ସିଝା ଖାଇବାକୁ ପାଉଥିଲେ ।

ମହାପୁରୁଷଙ୍କ ନାମ ଉଦାସୀନାଚାର୍ଯ୍ୟ ଗୁରୁ ସୁମେରୁଦାସଜୀ। ସୁମେରୁଦାସଜୀ ନିଗମାନନ୍ଦଙ୍କୁ ହସ୍ତ ଲିଖିତ ଯୋଗ ଓ ସ୍ୱରୋଦୟ ଶାସ୍ତ୍ର ପାଠ କରାଇବାକୁ ଲାଗିଲେ । ନିଗମାନନ୍ଦ ଅରଣ୍ୟ ମଧ୍ୟରେ ଏତେ ଗୁଡିଏ ଗ୍ରନ୍ଥ ଦେଖି ତାଙ୍କୁ ପଚାରିଲେ, “କିପରି ଭାବରେ ଏସବୁ ଏଠାକୁ ଆସିଲା ? ସୁମେରୁଦାସଜୀ କହିଲେ, “ମୁସଲମାନ ମାନେ ଭାରତ ଆକ୍ରମଣ କରି ଯେତେବେଳେ ହିନ୍ଦୁ ମନ୍ଦିର ଲୁଣ୍ଠନ ଓ ଶାସ୍ତ୍ରାଗାର ଭସ୍ମୀଭୂତ କଲେ, ସେତେବେଳେ ହିନ୍ଦୁ ସାଧୁମାନେ ଅତ୍ୟାଚାର ସହ୍ୟ କରି ନପାରି ସେମାନଙ୍କର ଅମୂଲ୍ୟ ଶାସ୍ତ୍ର ଗୁଡ଼ିକୁ ଘେନି ବଣ ଜଙ୍ଗଲରେ ଆଶ୍ରୟ ନେଲେ । ସେମାନଙ୍କ ଭିତରୁ ଅନେକ ଏଠାରେ ଥିଲେ । ଗୁରୁ ପରମ୍ପରାକ୍ରମେ ଏହି ଶାସ୍ତ୍ର ସବୁ ମୁଁ ପାଇଛି । ପରେ ଭାରତର ସୁଦିନ ହେଲେ ଏସବୁ ଲୋକାଳୟକୁ ଫେରିଯିବ ।”
(କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights