11th August 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୭
କାମାକ୍ଷା ଗମନ
କାମାକ୍ଷା ଆସି ନିଗମାନନ୍ଦ ସେଠାରେ ଅସମ୍ଭବ ପ୍ରକାର ସାଧୁ ସମାଗମ ଦେଖିଲେ ।
ଏଠାରେ ଶକ୍ତି ସାଧକମାନେ ମାରଣ, ଉଚ୍ଚାଟନ, ଯୋଗିନୀ, ଭୂତ ପ୍ରେତାଦି ସକାମ ସାଧନା କଲେ ସିଦ୍ଧି ଲାଭ କରନ୍ତି ବୋଲି ପ୍ରବାଦ ଅଛି। ଏଠାରେ ଦେବୀଙ୍କର ଯୋନି ପତିତ ହୋଇଥିଲା । ପ୍ରତିବର୍ଷ ‘ ଆମ୍ବୁବାଚି’ ସମୟରେ ପୀଠରୁ ଅଜସ୍ର ରକ୍ତସ୍ରାବ ହୁଏ ବୋଲି ଲୋକେ କହନ୍ତି । ଜନଶ୍ରୁତିକୁ ପରୀକ୍ଷା କରିବା ନିମିତ୍ତ ନିଗମାନନ୍ଦ ପଣ୍ଡାଙ୍କୁ ପ୍ରତି ରାତ୍ରିରେ ଦୁଇ ଟଙ୍କା ଲେଖାଏଁ ଦେଇ ମନ୍ଦିରାଭ୍ୟନ୍ତରକୁ ଯାଇ ପୀଠ ମଧ୍ୟରେ ହାତ ଦେଇ ଦେଖିଲେ, ଏହା ମିଥ୍ୟା । ତେବେ ଏଠାରେ ଗୋଟିଏ ପାରଦର ପ୍ରସବଣ ଅଛି ବୋଲି ତାଙ୍କର ମନେ ହେଲା ।
ଅମ୍ବୁବାଚି ଗତ ହେଲା । କିଛି ଦିନ ସେଠାରେ ରହିବା ପରେ ତାଙ୍କର ପର୍ଶୁରାମ ତୀର୍ଥ ଦର୍ଶନ କରିବାକୁ ଇଚ୍ଛା ହେଲା। କାମାକ୍ଷାରେ ଶୀତକାଳ ପର୍ଯ୍ୟନ୍ତ ଅପେକ୍ଷା କରି ସେ ଗୌହାଟୀରୁ ଦିବ୍ରୁଗଡ ଆସି କେତେକ ସାଧୁଙ୍କ ସହିତ ଟ୍ରେନରେ ଯାଇ ସାଦିୟାରେ ପହଞ୍ଚିଲେ । ସେଠାରୁ ଦୁର୍ଗମ ଶ୍ୱାପଦସଙ୍କୁଳ ବନଭୂମି ଅତିକ୍ରମ କରି ପର୍ଶୁରାମ ତୀର୍ଥରେ ଉପନୀତ ହେଲେ।
ପର୍ଶୁରାମ ତୀର୍ଥ
ନିଗମାନନ୍ଦ ପର୍ଶୁରାମ ତୀର୍ଥରେ ପହଞ୍ଚି ବ୍ରହ୍ମକୁଣ୍ଡରେ ସ୍ନାନ ସମାପନ କରି ସେହିଠାରେ ଅବସ୍ଥାନ କଲେ । ଦୁଇଦିନ ପରେ ସେ ପ୍ରବଳ ଜ୍ୱର ଓ ଆମାଶୟ ରୋଗରେ ଆକ୍ରାନ୍ତ ହୋଇ ପଡିଲେ । ତାଙ୍କର ଉତ୍ଥାନ ଶକ୍ତି ରହିତ ହୋଇଗଲା । ନିଗମାନନ୍ଦ ବଡ଼ ଚିନ୍ତିତ ହୋଇ ସଙ୍ଗୀ ମାନଙ୍କୁ ଦୁଇ ଚାରିଦିନ ଅପେକ୍ଷା କରିବାକୁ କହିଲେ । କିନ୍ତୁ ସେମାନେ ଦିନେ ନିଗମାନନ୍ଦଙ୍କ ଅଗୋଚରରେ ରାତ୍ରିରୁ ଉଠି ପଳାଇଗଲେ।
ନିଗମାନନ୍ଦ ତା ପରଦିନ ସକାଳେ ଉଠି ଦେଖିଲେ ଯେ, ସଙ୍ଗୀମାନେ ତାଙ୍କୁ ଛାଡି ଚାଲିଯାଇଛନ୍ତି, ଆଉ କେହି ନାହାଁନ୍ତି । ଏକାକୀ ଏହି ପାହାଡିଆ ଜଙ୍ଗଲରେ କେଉଁଠାକୁ ଯିବେ ବୋଲି ଭାବି ତାଙ୍କ ଦେହ ଥରି ଉଠିଲା । ଏହି ସମୟରେ ଜଣେ ପାହାଡିଆ ଲୋକ ଆସି ଉପସ୍ଥିତ ହେଲା । ସେ ନିଗମାନନ୍ଦଙ୍କ ଯନ୍ତ୍ରଣା ଦେଖି ବନ୍ୟ ଲତାପତ୍ର ଆଣି ତାର ରସ ଖାଇବାକୁ ଦେଇ ତା ସାଙ୍ଗରେ ଯିବାକୁ ଇଙ୍ଗିତ କଲା । ନିଗମାନନ୍ଦ ବାଧ୍ୟ ହୋଇ ତା କାନ୍ଧରେ ଭରାଦେଇ ତାହାର କୁଟୀରକୁ ଗଲେ ।
ପାହାଡିଆ ଲୋକଙ୍କ ଆତିଥ୍ୟ
ଆମ୍ଭେମାନେ ସଭ୍ୟ ଶିକ୍ଷିତ ବୋଲି ଅଭିମାନ କରୁ; କିନ୍ତୁ ଅତିଥି ଦେଖିଲେ ଦିନକ ପାଇଁ ମଧ୍ୟ ଆଶ୍ରୟ ଦେବାକୁ କୁଣ୍ଠିତ ହୋଇଥାଉ। କାହାକୁ ବିପଦରେ ପଡ଼ିବା ଦେଖିଲେ ତାଙ୍କୁ ଚାହୁଁ ନାହିଁ; କିନ୍ତୁ ଏ ଅଶିକ୍ଷିତ ଜଙ୍ଗଲି ଲୋକଙ୍କର ଦୟା ଓ ଆତିଥ୍ୟରେ ନିଗମାନନ୍ଦ ମୁଗ୍ଧ ହୋଇଗଲେ। ସେମାନଙ୍କ ସେବା ଶୁଶ୍ରୁଷାରେ କ୍ରମେ ସେ ସୁସ୍ଥ ହେବାକୁ ଲାଗିଲେ ।
ପାହାଡ ଭ୍ରମଣ
ଗୋଟିଏ ସ୍ଥାନରେ ବେଶୀଦିନ ରହିବାକୁ ଭଲ ନ ଲାଗିବାରୁ ନିଗମାନନ୍ଦ ଦିନେ ଦିନେ ପାହାଡ଼ର ଏଣେତେଣେ ବୁଲିବାକୁ ଯାଆନ୍ତି। ଦୂରବର୍ତ୍ତୀ ଆହୁରି ଅନେକ ପାହାଡି ଲୋକଙ୍କ ସହିତ ମଧ୍ୟ ତାଙ୍କର ପରିଚୟ ହେଲା। ସେ ପ୍ରତ୍ୟହ ନୂତନ ନୂତନ ସ୍ଥାନକୁ ଯାଇ ଭ୍ରମଣ କରି ଚାରି ଆଡର ଦର୍ଶନୀୟ ଶୋଭାମାନ ଦେଖିବାକୁ ଲାଗିଲେ । ବସ୍ତି ପରେ ବସ୍ତି, ଜଙ୍ଗଲ ପରେ ଜଙ୍ଗଲ ଅତିକ୍ରମ କରୁ କରୁ ଦିନେ ନିଗମାନନ୍ଦ ବ୍ରହ୍ମକୁଣ୍ଡର ପ୍ରାୟ ୪୦ ମାଇଲ୍ ଉତ୍ତରରେ ଥିବା ଗୋଟିଏ ପାହାଡିଆ ବସ୍ତିରେ ଯାଇ ପହଞ୍ଚିଲେ।
ଏହି ବସ୍ତିରେ ଅବସ୍ଥାନ କରୁଥିବା ସମୟରେ ନିଗମାନନ୍ଦ ଦିନେ ଉପରବେଳା ଗୋଟିଏ ଛିଣ୍ଡା ତାଳି ପକା ଛତା ନେଇ ବୁଲିବାକୁ ଯାଇଥିଲେ । ଅନେକ ଉଚ୍ଚନୀଚ ପାହାଡ ପାର ହୋଇ ସେ ଗୋଟିଏ ସୁନ୍ଦର ମନୋରମ ସ୍ଥାନରେ ଆସି ଉପସ୍ଥିତ ହେଲେ । ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ସେ କ୍ଳାନ୍ତି ଦୂର କରିବା ପାଇଁ ସେଠାରେ ବସିପଡିଲେ। ସେ ବସି ବସି ଭଗବାନଙ୍କର ବିଚିତ୍ର ସୃଷ୍ଟି ରହସ୍ୟ କଥା ଚିନ୍ତା କରିବାକୁ ଲାଗିଲେ । କେତେ ନଦୀ, କେତେ ପାହାଡ, ପର୍ବତ, ଦେଶ ବିଦେଶର କଥା ତାଙ୍କର ମନେ ପଡିଗଲା । ଜନ୍ମଭୂମି କଥା, ଜୀବନର ପୂର୍ବ ଅବସ୍ଥା, ବାଲ୍ୟକାଳ, ମାତାପିତା, ବନ୍ଧୁ ବାନ୍ଧବ, ଆତ୍ମୀୟସ୍ଵଜନଙ୍କ କଥା ଗୋଟି ଗୋଟି କରି ମନରେ ଖେଳିଗଲା ।
ଅବଶେଷରେ ସ୍ତ୍ରୀଙ୍କ କଥା ମନେପଡ଼ିବାରୁ ମନ ଚଞ୍ଚଳ ହୋଇ ଉଠିଲା । ବେଦବେଦାନ୍ତ — ଉପନିଷଦ ପୁରାଣାଦି ଏତେ ଅଭ୍ୟାସ କରିଥିଲେ ହେଁ ସେ ସମୟରେ କେହି ସେ ଚିନ୍ତା ସ୍ରୋତକୁ ବାଧା ଦେଇ ପାରିଲେ ନାହିଁ। ନିଗମାନନ୍ଦ ଭାବିଲେ, ତାହା ହେଲେ ଏତେ ଦିନ ହେଲା କଣ ମିଛରେ ବେଦାନ୍ତ ଅଭ୍ୟାସ କଲି ? କାହିଁ, କେହି ତ ମୋର ଏହି ସଂସ୍କାରର ସ୍ରୋତକୁ ବାଧା ଦେଇ ପାରିଲେ ନାହିଁ ? ସେ କ୍ରମେ ଆତ୍ମହରା ହୋଇ ପଡିଲେ ।
ଭୀଷଣ ଅରଣ୍ୟରେ ପଥଭ୍ରାନ୍ତି ଓ ବୃକ୍ଷ କୋଟରରେ ରାତ୍ରି ଯାପନ
କେତେ ସମୟ ପରେ ଜ୍ଞାନ ଲାଭ ହେବାରୁ ନିଗମାନନ୍ଦ ଦେଖିଲେ ଯେ, ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଯାଇଛି । ପାହାଡିଆ ବସ୍ତିକୁ ଫେରିବେ ବୋଲି ସେ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲେ । ଅନ୍ଧକାରରେ କିଛି ଦୂର ଯାଇ ଦେଖିଲେ ଯେ, ସେ ଯେଉଁ ଆଡ଼କୁ ଯାଉଛନ୍ତି; ସେ ଆଡେ ଭୀଷଣ ଅରଣ୍ୟ । ଏଣେ ତେଣେ ବୁଲି ନିରସ୍ତ ହୋଇ ଭାବିଲେ, “ସମ୍ଭବତଃ ଆଜି ବାଘ ଭାଲୁଙ୍କ କବଳରେ ପ୍ରାଣ ଯିବ।” ଗଛରେ ଚଢିଲେ ବ୍ୟାଘ୍ର ଭଲ୍ଲୁକଙ୍କ ହାତରୁ ବା ରକ୍ଷା ମିଳିପାରନ୍ତା; କିନ୍ତୁ ତାଙ୍କର ସେ ଗଛ ଚଢା ଅଭ୍ୟାସ ଆଦୌ ନାହିଁ ।
ନିକଟରେ ଗୋଟିଏ ବରଗଛ ଡାଳ ତଳକୁ ଝୁଲି ପଡିଥିବାର ଦେଖି ସେ ତାହା ଧରି ଉଠିବାକୁ ଚେଷ୍ଟା କଲେ । ବହୁ କଷ୍ଟରେ ଗଛରେ ଚଢ଼ି ଦେଖିଲେ, ଗଛର ନିମ୍ନଦେଶରେ ଗୋଟିଏ ପ୍ରକାଣ୍ଡ ଗହ୍ଵର; ଜଣେ ମନୁଷ୍ୟ ଖୁବ୍ ସ୍ୱଚ୍ଛନ୍ଦରେ ସେଥିରେ ବସିପାରିବ। ଅନ୍ଧକାର ହେତୁ କିଛି ଦିଶୁ ନଥିଲା । ନିଗମାନନ୍ଦ ଛତାରେ ଆଘାତ କରି ତନ୍ମଧ୍ୟରେ କିଛି ନଥିବାର ଜାଣିଲେ; କିନ୍ତୁ ପରେ ଭୟ ହେଲା, କାଳେ କୌଣସି ଜନ୍ତୁ ଆହାର ଅନ୍ୱେଷଣ ପରେ ଏଠାକୁ ଫେରିଆସିବ ! ଶେଷରେ ସେ ବହୁତ୍ ଭାବି ଭାବି ଛତାଟିକୁ ଗହ୍ଵର ମୁଖରେ ଦେଇ ତା ଭିତରେ କଷ୍ଟରେ ବସି ରହିଲେ । ରାତି ଶେଷକୁ ଟିକିଏ ନିଦ ହେଲା ।
(କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି