ଜୀବନ ବେଦ – ୨୪ : ଯୋଗୀଗୁରୁ ଅନୁସନ୍ଧାନ

Share it

6th August 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୪

ଯୋଗସାଧନ

ଯୋଗୀଗୁରୁ ଅନୁସନ୍ଧାନ

ନିଗମାନନ୍ଦ ଗୁରୁ ସଚ୍ଚିଦାନନ୍ଦଙ୍କ ଆଦେଶରେ ଯୋଗୀଗୁରୁ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ ଓ ଅନେକ ସିଦ୍ଧ ମହାତ୍ମାଙ୍କର ଦର୍ଶନ ଲାଭ କଲେ। କିନ୍ତୁ କେହି ତାଙ୍କର ପ୍ରାଣର ପ୍ରବଳ ପିପାସା ନିବାରଣ କରିପାରିଲେ ନାହିଁ । ଯେଉଁମାନେ ଯୋଗୀ ବୋଲି ଖ୍ୟାତ, ସେମାନଙ୍କର କୃପଣତା ଓ କଠୋର ବ୍ୟବହାରରେ ନିଗମାନନ୍ଦ ମର୍ମାହତ ହୋଇପଡିଲେ । ଅନେକ ଭଣ୍ଡ ସାଧୁଙ୍କ କବଳରେ ପଡ଼ି ତାଙ୍କୁ ନାନାଦି ଲାଞ୍ଛନା ଭୋଗ କରିବାକୁ ପଡିଲା, ତଥାପି ସେ ଭଗ୍ନୋତ୍ସାହ ନ ହୋଇ ଗୁରୁ ଅନୁସନ୍ଧାନରେ ପ୍ରବୃତ୍ତ ହେଲେ।

ବ୍ୟାଘ୍ର କବଳରେ ନିଗମାନନ୍ଦ

ଏହିପରି ଭାବରେ ବୁଲି ବୁଲି ଦିନେ ଗୋଟିଏ ବଣ ମଝିରେ ସନ୍ଧ୍ୟା ହୋଇଗଲା । ନିଗମାନନ୍ଦ ଶ୍ରାନ୍ତ ଦୂର କରିବା ନିମିତ୍ତ ଗୋଟିଏ ଗଛ ମୂଳେ ବସିପଡିଲେ। କିଛି କ୍ଷଣ ପରେ ପଛକୁ ଚାହିଁ ଦେଖିଲେ ଏକ ପ୍ରକାଣ୍ଡ ବ୍ୟାଘ୍ର ତାଙ୍କ ଆଡ଼କୁ ଆସୁଛି । ଏହା ଦେଖି ନିଗମାନନ୍ଦ ଭୟରେ ଜଡ ହୋଇଗଲେ । ଏପରି ହେଲା ଯେ,ଉଠି ପଳାଇଯିବାକୁ ମଧ୍ୟ ବଳ ପାଇଲା ନାହିଁ । ସେ ଭାବିଲେ , ମାରିବାକୁ ତ ନିଶ୍ଚୟ ହେବ,ତେବେ ବ୍ୟାଘ୍ରମୁଖ ଦେଖି ମଲେ ପରଜନ୍ମରେ ବ୍ୟାଘ୍ର ହେବାକୁ ପଡ଼ିବ। ଏହା ଭାବି ପାଖରେ ଥିବା କମ୍ୱଳରେ ଶରୀର ଆବୃତ୍ତ କରି ବ୍ୟାଘ୍ର ସମ୍ମୁଖରେ ଚିତ୍ ହୋଇ ପଡ଼ିରହି ମୃତ୍ୟୁକୁ ଅପେକ୍ଷା କରିବାକୁ ଲାଗିଲେ। ବ୍ୟାଘ୍ର ଚିନ୍ତା ନ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କ ମନ ବ୍ୟାଘ୍ର ଚିନ୍ତାରେ ଅସ୍ଥିର ହେବାକୁ ଲାଗିଲା । ଶେଷରେ ତାଙ୍କ ମନ ବ୍ୟାଘ୍ରମୟ ହୋଇଗଲା । ବ୍ୟାଘ୍ର ନିକଟକୁ ଆସି ଚାରିଆଡ଼େ ବୁଲି ତାଙ୍କୁ ଶୁଙ୍ଘି ଦେଇ ଚାଲିଗଲା । ଅଦୁରସ୍ଥିତ ଶୁଖିଲା ପତ୍ର ଖସ୍ ଖସ୍ ହେବାରୁ ନିଗମାନନ୍ଦ ବୁଝିପାରିଲେ ଯେ,ବ୍ୟାଘ୍ର ଚାଲି ଯାଇଛି । ତଥାପି ସେ ଉଠିଲେ ନାହିଁ । ଭାବିଲେ ବ୍ୟାଘ୍ର ଶିକାରୀ ଜନ୍ତୁ ,ଛକି କରି ବସିଛି ,ଉଠିଲା ମାତ୍ରେ ଖାଇବ । କିଛିକ୍ଷଣ ପରେ କେତେକ ବଣୁଆ ଲୋକଙ୍କ ପାଟି ଶୁଣିବାରୁ ନିଗମାନନ୍ଦ ଉଠିକରି ସେମାନଙ୍କ ନିକଟକୁ ଗଲେ। ସେମାନେ ସମସ୍ତ କଥା ଶୁଣି ନିଗମାନନ୍ଦଙ୍କୁ ସେମାନଙ୍କ ଘରକୁ ନେଇଗଲେ ଓ ଆଦର ଯତ୍ନ କରି ଖାଇବାକୁ ଦେଇ ତତ୍ପର ଦିନ ବଣ ପାର କରାଇଦେଇ ଆସିଲେ । ତାପରେ ନିଗମାନନ୍ଦ ପୁନର୍ବାର ଅନିଶ୍ଚିତ ଭାବରେ ଚାଲିବାକୁ ଲାଗିଲେ ।

କୋଟା ରାଜ୍ୟରେ ପଥଭ୍ରାନ୍ତି

ନିଗମାନନ୍ଦ ନାନା ସ୍ଥାନ ଭ୍ରମଣ କରୁ କରୁ କୋଟା ରାଜ୍ୟ ସୀମାରେ ଉପନୀତ ହେଲେ। କୋଟା ରାଜ୍ୟ ରାଜପୁତନାର କରଦରାଜ୍ୟ , ପାର୍ବତ୍ୟ ପ୍ରଦେଶର ବନ୍ଧୁର ପଥ। ଏହି ପଥରେ ଯାଉ ଯାଉ ଦିନେ ସନ୍ଧ୍ୟା ହୋଇଗଲା । ଉଭୟ ଦିଗରେ ଉଚ୍ଚ ପର୍ବତ ଓ ପର୍ବତ ଭିତରେ ଶ୍ୱାପଦସଙ୍କୁଳ ଜନବିରଳ ସଂକୀର୍ଣ୍ଣ ପଥ। କିଛି ଦୂର ଅଗ୍ରସର ହୋଇ ଦେଖିଲେ ଯେ, ପଥ ହରାଇ ବିପଥରେ ପଡିଛନ୍ତି । କିନ୍ତୁ ସେ ଏତେ ଦୂର ଚାଲି ଯାଇଥିଲେ ଯେ, ସେଠାରୁ ଫେରିଯାଇ ବାଟ ଠିକ୍ କରିବା ତାଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ । ଶୋଷରେ ତଣ୍ଟି ଶୁଖି ଯାଉଥାଏ। ପାଦରୁ ରକ୍ତ ଝର ଝର ହୋଇ ବହୁଥାଏ । ଚାରିଆଡ଼େ ଖୋଜିଲେ ମାତ୍ର କୌଣସି ଠାରେ ଝରଣାଟିଏ ସୁଦ୍ଧା ପାଇଲେ ନାହିଁ । ସେତେବେଳକୁ ସନ୍ଧ୍ୟା ହୋଇଗଲାଣି ।

ସହସା କିଛି ଦୂରରେ ସେ ଜଣେ ଯୁବତୀଙ୍କୁ ଦେଖିଲେ । ବିଜନ ବନରେ ଲୋକ ଦେଖି ନିଗମାନନ୍ଦ ଟିକିଏ ଆଶ୍ବସ୍ତ ଓ କେତେକ ପରିମାଣରେ ବିସ୍ମିତ ହେଲେ । ସ୍ତ୍ରୀ ଲୋକଟି ଆଗନ୍ତୁକଙ୍କ ନାମ ଧରି ଡ଼ାକିଲେ — ‘ନିଗମାନନ୍ଦ ‘— ଯେପରି ବହୁଦିନର ପରିଚିତ ବନ୍ଧୁ ! ତାଙ୍କ ଡାକ ସହଜ, ସରଳ ଓ ସର୍ବପ୍ରକାର ସଙ୍କୋଚଶୂନ୍ୟ ବୋଲି ନିଗମାନନ୍ଦଙ୍କୁ ବୋଧ ହେଲା । ବିସ୍ମୟ ବିମୁଗ୍ଧ ହୋଇ ନିଗମାନନ୍ଦ ଯୁବତୀଙ୍କ ଆଡ଼କୁ ଅଗ୍ରସର ହେଲେ । ଯୁବତୀଙ୍କ ଆକୃତି – ପ୍ରକୃତି ଦେଖି ପାହାଡିଆ ସ୍ତ୍ରୀ ଲୋକ ବୋଲି ମନେହେଲା ନାହିଁ । ନାନା ପ୍ରକାର କଳ୍ପନା କରି କରି ନିଗମାନନ୍ଦ ଯୁବତୀଙ୍କ ନିକଟରେ ଉପସ୍ଥିତ ହେଲେ ।

ଯୁବତୀ କହିଲେ,”ନିଗମାନନ୍ଦ, ତୁମକୁ ବଡ଼ ପିପାସା ହେଉଛି ଓ ତୁମେ କ୍ଷୁଧା ତୃଷାରେ ବଡ଼ କାତର ହୋଇପଡିଛ । କିଛି ଦୂର ଆଗକୁ ଯାଅ ଗୋଟିଏ ପର୍ଣ୍ଣ କୁଟୀର ପାଇବ। ସେଠାରେ ତୁମ ପାଇଁ ଖାଦ୍ୟ ଦ୍ରବ୍ୟର ବନ୍ଦୋବସ୍ତ ହୋଇଛି । କ୍ଷୁଧା ପିପାସା ଦୂର କରି ସେଠାରେ ରାତ୍ରି ଯାପନ କରିବ ।”

ନିଗମାନନ୍ଦ ଯୁବତୀଙ୍କ ବାକ୍ୟ ଅନୁସାରେ ଶୀଘ୍ର ଶୀଘ୍ର ଚାଲିବାକୁ ଲାଗିଲେ; କାରଣ ଅନ୍ଧକାର ହେବା ପୂର୍ବରୁ ଜଙ୍ଗଲରୁ ବାହାରିଯିବାକୁ ପଡ଼ିବ । ସେତେବେଳେ ବହୁତ୍ ପ୍ରଶ୍ନ ତାଙ୍କ ମନ ଭିତରେ ଜାଗୃତ ହେବାକୁ ଲାଗିଲା । ( କ୍ରମଶଃ )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights