ଜୀବନ ବେଦ – ୨୧ : ଚାରିଧାମ ଭ୍ରମଣ

Share it

1st August 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୧

ଚାରିଧାମ ଭ୍ରମଣ

ଏହା ପରେ ଚାରିଧାମ ଭ୍ରମଣ କରି ଚାରି ମହାବାକ୍ୟ ବିଚାର କରିବାକୁ ଗୁରୁ ସଚ୍ଚିଦାନନ୍ଦଙ୍କ ଆଦେଶ ହେଲା। ଚାରିଧାମ ଭ୍ରମଣ କରି ପ୍ରତି ଧାମର ପ୍ରତିପାଦ୍ୟ ପ୍ରତ୍ୟେକ ମହାବାକ୍ୟ ଆତ୍ମା ମଧ୍ୟରେ ଜାଗୃତ କରିବାକୁ ପଡ଼ିବ । ଭାରତର ତୀର୍ଥ ମାନଙ୍କ ମଧ୍ୟରେ ଏହି ଚାରିଧାମ ସର୍ବ ଶ୍ରେଷ୍ଠ । ବଦ୍ରିକାଶ୍ରମ ତ୍ୟାଗ କ୍ଷେତ୍ର ଥିବାରୁ ସନ୍ନ୍ୟାସୀ ମାନଙ୍କୁ ପ୍ରଥମେ ସେଠାକୁ ଗମନ କରି ତ୍ୟାଗସାଧନା ଓ ପାର୍ଥିବ ଜଗତରେ ଯାହା ଲୋଭନୀୟ ବସ୍ତୁ ଅଛି ,ସେଥିପ୍ରତି ହେୟଜ୍ଞାନ କରିବାକୁ ହେବ। ଚିର ତୁଷାରାବୃତ୍ତ ହିମାଦ୍ରି ଶିଖରକୁ ଯିବାକୁ ହେଲେ ତ୍ୟାଗ ଭାବ ସ୍ଵତଃ ଭିତରେ ଫୁଟି ଉଠେ। ସୁତରାଂ ନିଗମାନନ୍ଦ ମଶୌରି ବାଟେ ବଦ୍ରିନାରାୟଣ ଗମନ କରିବାକୁ ପ୍ରସ୍ତୁତ ହୋଇ ସଚ୍ଚିଦାନନ୍ଦଙ୍କ ନିକଟରୁ ସାଶ୍ରୁ ନୟନରେ ବିଦାୟ ଗ୍ରହଣ କରି ଆଶୀର୍ବାଦ ପ୍ରାର୍ଥନା କଲେ । ଦୟାମାୟାହୀନ ନିର୍ବିକାର ଚୈତନ୍ୟରୂପୀ ଗୁରୁ ସଚ୍ଚିଦାନନ୍ଦଙ୍କ ହୃଦୟ ମଧ୍ୟ ତରଳି ଗଲା। ସଚ୍ଚିଦାନନ୍ଦ ନିର୍ବାକ ନିସ୍ପନ୍ଦ ଭାବେ କିଛିକ୍ଷଣ ରହି କହିଲେ ,” ଠଏର ଯାଅ ଅଭି ” ( ଆଉ କିଛି ଦିନ ଅପେକ୍ଷା କର) । ସୁତରାଂ ନିଗମାନନ୍ଦଙ୍କ ଯିବା ସ୍ଥଗିତ ରହିଲା ।

ତାପରେ କିଛି ଦିନ ଅତୀତ ହୋଇଗଲା । ନିଗମାନନ୍ଦ ପୁନରାୟ ବିଦାୟ ମାଗିବାରୁ ସଚ୍ଚିଦାନନ୍ଦ ନିଜେ ତାଙ୍କ ସହିତ ତୀର୍ଥ ଭ୍ରମଣରେ ବାହାରିବାକୁ ସ୍ଥିର କଲେ । ଆଶ୍ରମର ସମସ୍ତ ବ୍ୟବସ୍ଥା କରିଦେଇ ପୁଷ୍କରଠାରୁ ମଶୌରି ବାଟ ଦେଇ ବଦ୍ରିନାରାୟଣ ଆଡ଼କୁ ଅଗ୍ରସର ହେଲେ । ବାଟ ଚାଲିବା ଅବସ୍ଥାରେ ବହିପତ୍ର ବୋଝ ବହନ କରି ନିଗମାନନ୍ଦଙ୍କୁ ଯିବାକୁ ପଡିଲା । ବହି ମଧ୍ୟରେ ବେଦାନ୍ତଜ୍ଞାନସାଗର , ପ୍ରେମସାଗର, ପଞ୍ଚଦଶୀ ପ୍ରଭୃତି ହାତଲେଖା ହିନ୍ଦୀ ବହି ଥାଏ ।

ମଶୌରି ଓ ବଦ୍ରିନାରାୟଣ ପଥରେ

ମଶୌରି ପାର ହୋଇ ପାହାଡ ଦେହରେ ବନକୁସୁମର ସୌରଭ ଓ ସୁଷମା ଉପଭୋଗ କରି ନାନା ଜାତିର ଆଦୃଷ୍ଟପୂର୍ବ ବନ ବିହଙ୍ଗ ମାନଙ୍କର ଶ୍ରୁତିବିନୋଦନକାରୀ କଳ କୂଜନରେ ମୁଗ୍ଧ ହୋଇ ଓ ପାହାଡ ଉପରେ ଥିବା ଛୋଟ ଛୋଟ ସହରର ସୁଧାଧବଳିତ ସୌଧ ଶ୍ରେଣୀ ଦର୍ଶନ କରି ଗୁରୁ ଓ ଶିଷ୍ୟ ପାର୍ବତ୍ୟପଥ ଅତିକ୍ରମ କରିବାକୁ ଲାଗିଲେ। ସଚ୍ଚିଦାନନ୍ଦଙ୍କର ଖାଲି ପାଦରେ ବାଟ ଚାଲିବା ଅଭ୍ୟାସ ଥିଲା; କିନ୍ତୁ ନିଗମାନନ୍ଦଙ୍କର ସେ ଅଭ୍ୟାସ ନଥିଲେ ମଧ୍ୟ ଜ୍ଞାନ ଲାଭ ପିପାସାରେ ଏସବୁ କଷ୍ଟ ପ୍ରତି ତାଙ୍କର ଭ୍ରୁକ୍ଷେପ ନଥିଲା । ତାଙ୍କର ପଦନଖଗୁଡିକରେ ରକ୍ତ ଜମି କଳା ପଡିଯାଇଥିଲା । ଖଣ୍ଡିଏ ମାତ୍ର କମ୍ବଳରେ ଶୀତ,ଗ୍ରୀଷ୍ମ ଉଭୟ ସହ୍ୟ କରି ଓ ଅନାହାରରେ କାଳଯାପନ କରି ନିଗମାନନ୍ଦଙ୍କର ଶରୀର କ୍ଷୀଣ ହୋଇଯାଇଥିଲା । ସନ୍ନ୍ୟାସୀଙ୍କର ପତନ ହେବ ଭାବି ସଚ୍ଚିଦାନନ୍ଦ ସତର୍କ ପ୍ରହରୀ ପରି ସର୍ବଦା ତାଙ୍କ ସଙ୍ଗରେ ରହିଥିଲେ। ତେଣୁ ତାଙ୍କୁ ଛତୁ ଆହାର କରିବା ବ୍ୟତୀତ ଅନ୍ୟ କିଛି ଆହାରର ସୁବିଧା ମିଳୁନଥିଲା । ଏଥିରେ ନିଗମାନନ୍ଦଙ୍କର ରସନାବୃତ୍ତି ଏକାବେଳେକେ ନିଷ୍ପେଷିତ ହୋଇଯାଇଥିଲା।

ଗୌରୀ ମା’ଙ୍କ ଆଶ୍ରମ

ଯାହା ହେଉ,ଏହି ଭାବରେ ବାଟ ଚାଲୁ ଚାଲୁ ଦିନେ ସନ୍ଧ୍ୟା ହୋଇଗଲା। ଅନ୍ଧକାର ରାତ୍ରି । ରାତ୍ର ଯାପନ କରିବାକୁ ସୁବିଧାଜନକ ସ୍ଥାନ ମିଳୁନାହିଁ । ନିଗମାନନ୍ଦଙ୍କର ଚାଲିବା ଶକ୍ତି କ୍ରମେ ହ୍ରାସ ହୋଇ ଯାଉଛି । ଏସବୁ ଦେଖି ସଚ୍ଚିଦାନନ୍ଦ କହିଲେ ,” ଆହୁରି ଦୁଇ କ୍ରୋଶ ବାଟ ଗଲେ ଜଣେ ସ୍ତ୍ରୀ ସାଧୁଙ୍କର ଆଶ୍ରମ ମିଳିବ । ସେହିଠାରେ ରାତ୍ରି ଯାପନ କରିବା । ସ୍ତ୍ରୀ ସାଧୁଙ୍କ କଥା ଶୁଣି ନିଗମାନନ୍ଦ କୌତୁହଳ ବଶବର୍ତ୍ତୀ ହୋଇ ଚାଲିବାକୁ ଲାଗିଲେ। ଅନ୍ଧାର ରାତିରେ କୌଣସି ପ୍ରକାରେ ବାଟ ଚାଲି ଶେଷରେ ସ୍ତ୍ରୀ ସାଧୁ ଗୌରୀ ମା’ଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ଏହି ଆଶ୍ରମଟି ନିର୍ଜନ ପାହାଡ ଉପରେ ଅବସ୍ଥିତ । ଗୌରୀ ମା ଯେଉଁଠାରେ ଥାନ୍ତି, ତାହାର ଅନତିଦୂରରେ ସେବକମାନଙ୍କର ରହିବାର ସ୍ଥାନ । ଲତା ପତ୍ର ଘୋରା ଚାରି କୋଠରୀ ଯୁକ୍ତ ଗୋଟିଏ ଛୋଟ ଘରେ ଗୌରୀ ମା ରୁହନ୍ତି । ସେ ସର୍ବଦା ଉଲଗ୍ନ ଅବସ୍ଥାରେ ଥାଆନ୍ତି , ମାତ୍ର କାହାରି ସହିତ ସାକ୍ଷାତ୍ କରିବା ସମୟରେ ବସ୍ତ୍ର ପରିଧାନ କରନ୍ତି । ତାଙ୍କର ବୟସ କେତେ ତାହା କେହି କହିପାରିବେ ନାହିଁ । ଦେଖିବାକୁ ବୟସ ଅନୁମାନ ୨୭/୨୮ ବର୍ଷ ; କିନ୍ତୁ ଗୌରୀ ମା’ଙ୍କ ବୟସ ଯାହା ଶୁଣାଯାଏ, ତାହା ସାଧାରଣଙ୍କ ବିଶ୍ୱାସଯୋଗ୍ୟ ହେବ ନାହିଁ । ଉକ୍ତ ଆଶ୍ରମରେ ବିନା ଅନୁମତିରେ ପୁରୁଷ ଲୋକଙ୍କର ପ୍ରବେଶ ଅଧିକାର ନାହିଁ। ଗୌରୀ ମା’ଙ୍କ ସହିତ ସଚ୍ଚିଦାନନ୍ଦଙ୍କର ପୂର୍ବରୁ ପରିଚୟ ଥିଲା ; ସୁତରାଂ ସଚ୍ଚିଦାନନ୍ଦଙ୍କୁ ସାକ୍ଷାତର ଅନୁମତି ମିଳିଗଲା। ନିଗମାନନ୍ଦ ମଧ୍ୟ ତାଙ୍କ ସହିତ ଗଲେ । ସଚ୍ଚିଦାନନ୍ଦଙ୍କ ସହିତ ଗୌରୀ ମା’ଙ୍କର କଣ କଥା ହେଲା କେଜାଣି, ଗୌରୀ ମା କେବଳ ତରୁଣ ସନ୍ନ୍ୟାସୀଙ୍କ ଆଡ଼କୁ ଥରେ ମାତ୍ର ଚାହିଁଲେ ; ମୁହଁରେ କିଛି କହିଲେ ନାହିଁ ।

ବଦରିକାଶ୍ରମ

ଏହା ପରେ ଗୌରୀ ମା’ଙ୍କ ଆଶ୍ରମରୁ ବାହାରି ନିଗମାନନ୍ଦ ବଦରିକା ଆଶ୍ରମରେ ଉପସ୍ଥିତ ହେଲେ।

ଏହି ତ୍ୟାଗ ଭୂମି ବଦରିକାଶ୍ରମରେ ମହାମୁନି ବ୍ୟାସ ତପସ୍ୟା କରି ତାଙ୍କର ତପ ପ୍ରଭାବରେ ସମସ୍ତ ଭାରତକୁ ପୁଣ୍ୟ ଭୂମିରେ ପରିଣତ କରିପାରିଥିଲେ। ବଦରିକାଶ୍ରମରେ ସ୍ଵୟଂ ଶଙ୍କରାଚାର୍ଯ୍ୟ,”ଅୟମାତ୍ମା ବ୍ରହ୍ମ” — ଏହି ପ୍ରକାର ଉପଲବ୍ଧି କରିବାକୁ ପ୍ରତ୍ୟେକ ସନ୍ନ୍ୟାସୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଠାକୁ ଆସି ନିଗମାନନ୍ଦ ବିମଳ ଶାନ୍ତି ଅନୁଭବ କରିବାକୁ ଲାଗିଲେ ଏବଂ ସେଠାରେ କିଛି ଦିନ ଅବସ୍ଥାନ କଲାପରେ ମାନସରୋବର ଦର୍ଶନ କରିବାକୁ ବାହାରିଲେ ।
ମାନସରୋବର

ନିଗମାନନ୍ଦ ମାନସରୋବର ନିକଟରେ ଉପସ୍ଥିତ ହୋଇ ଦେଖିଲେ ତାହା କି ଅପୂର୍ବ ସୁନ୍ଦର ? ମର ଜଗତରେ ନିମାଦ୍ରିର ନିଭୃତ ନିଳୟରେ ଏପରି ନୟନ ମନ ବିମୋହନକାରୀ ଦୃଶ୍ୟ ଲୁକ୍କାୟିତ ଥିବା ଏଥିପୂର୍ବରୁ କଳ୍ପନାର ସହିତ ସୁଦ୍ଧା ସେ ଭାବି ପାରିନଥିଲେ । ବିସ୍ତୀର୍ଣ୍ଣ ସ୍ୱଚ୍ଛ ନୀଳାମ୍ବୁ , ସୁବୃହତ ପଦ୍ମ ପତ୍ର ଓ ତଦ୍ରୂପ ସୁବୃହତ ପ୍ରସ୍ଫୁଟିତ ପଦ୍ମର ଅପରୂପ ଶୋଭା, ଦୁଗ୍ଧ ଧବଳ ଅସଂଖ୍ୟ କଳହଂସଙ୍କର ଶ୍ରୁତି ମଧୁର କାକଳି ସରୋବର ନିଭୃତ ସୁଷମା ବୃଦ୍ଧି କରୁଥିବାର ସେ ଦେଖିଲେ । ଏହିପରି ଅଦୃଷ୍ଟପୂର୍ବ ଦୃଶ୍ୟରେ ଆନନ୍ଦାଧିକ୍ୟ ହେତୁ ନିଗମାନନ୍ଦଙ୍କ ଆଖି ଖୋଲିଗଲା । ସେ ଦେଖିଲେ , ଅପର ତୀରରେ ବହୁସଂଖ୍ୟକ ଯୌବନଭରା ସୁନ୍ଦରୀ ନଗ୍ନକାୟରେ ସରୋବରରେ ସନ୍ତରଣ କରୁଛନ୍ତି । କୌତୁହଳ ବଶବର୍ତ୍ତୀ ହୋଇ ଗୁରୁ ସଚ୍ଚିଦାନନ୍ଦଙ୍କୁ ପଚାରିବାରୁ ସଚ୍ଚିଦାନନ୍ଦ କହିଲେ, ” ଆରେ, ତୋର ଚକ୍ଷୁ ଖୋଲିଯିବାରୁ ଏସବୁ ଦେଖାଯାଉଛନ୍ତି, ଏମାନେ ସବୁ ଅପସରୀ।”
ସୂକ୍ଷ୍ମ ଦୃଷ୍ଟି

ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର ଅନେକ ସମୟରେ କହିଥାନ୍ତି ଯେ, ସପ୍ତଲୋକର ପ୍ରତିଲୋକରେ ସାତଟି ବାୟୁସ୍ତର ଅଛି । ଏହି ଊନ-ପଞ୍ଚାଶ ସ୍ତରରେ ଊନ-ପଞ୍ଚାଶ ବାୟୁ ଅବସ୍ଥିତ । ଲୋକ ସମୂହର ଉତ୍କର୍ଷ ଅପକର୍ଷ ଅନୁସାରେ ବାୟୁରେ ମଧ୍ୟ ତାରତମ୍ୟ ଅଛି । ପୃଥିବୀରେ ଯେଉଁ ସପ୍ତ ସ୍ତର ଅଛି, ଏହା ଭିତରେ ନିମ୍ନ ସ୍ତରର ଜୀବ ଉଚ୍ଚସ୍ତର ଜୀବକୁ ଦେଖି ପାରନ୍ତି ନାହିଁ । କେବଳ ଯେଉଁ ମାନଙ୍କ ଦୃଷ୍ଟି ପ୍ରସାରିତ, ସେହିମାନେ ସୂକ୍ଷ୍ମ ଜୀବ ମାନଙ୍କୁ ଦେଖି ପାରନ୍ତି । ଯୋଗୀମାନଙ୍କ ଦୃଷ୍ଟିରେ ଏହା ଧରାପଡେ। ଯେଉଁମାନଙ୍କ ଦୃଷ୍ଟି ପ୍ରସାରିତ ନୁହେଁ, ସେମାନେ ହିମାଳୟ ପ୍ରଭୃତି ସ୍ଥାନରେ ଅଧିକ କିଛି ଦେଖି ପାରନ୍ତି ନାହିଁ।
ବିରାଟ ସର୍ପ

ଗୁରୁ ଶିଷ୍ୟ ଉଭୟ ସେଠାକୁ ଆହୁରି ଅଗ୍ରସର ହେବାକୁ ଲାଗିଲେ । କିଛି ଦୂରରେ ଦେଖିଲେ , ଗୋଟିଏ ବିରାଟକାୟ ସର୍ପ ଏକ ସ୍ଥାନରେ କୁଣ୍ଡଳୀ କରି ମିଟିମିଟି ଚାହିଁଛି । ସେଠାକାର ସନ୍ନ୍ୟାସୀମାନେ କହିଲେ, ଏ ସର୍ପ ଅଟା ,ମଇଦା ଭିନ୍ନ ଅନ୍ୟ କିଛି ଖାଏ ନାହିଁ । ସ୍ଥାନ ମାହାତ୍ମ୍ୟରେ ପରମ ହିଂସ୍ର ଜୀବ ହେଲେ ମଧ୍ୟ ତାର ଅହିଂସା ଆସିଯାଇଛି । ଏ କଥା ଶୁଣି ନିଗମାନନ୍ଦ ବିସ୍ମିତ ହେଲେ ଓ ହିମାଦ୍ରିର ଅନ୍ୟାନ୍ୟ ଦୃଶ୍ୟ ସବୁ ଦେଖି ଦେଖି ପୁଷ୍କର ଫେରିବାକୁ ମନସ୍ଥ କଲେ। ହିମାଦ୍ରି ଭ୍ରମଣ ବେଳେ ନିଗମାନନ୍ଦଙ୍କ ଦୃଷ୍ଟି ଆଗରେ କେତେ ଯେ ଦୃଶ୍ୟପଟ ଖୋଲି ଯାଇଥିଲା, ତାହା ବର୍ଣ୍ଣନା କରି ହେବ ନାହିଁ ।
( କ୍ରମଶଃ )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights