ଜୀବନ ବେଦ – ୨୦ : ଭିକ୍ଷା କରିବା ନିମିତ୍ତ ଆଦେଶ

Share it

30th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨୦

ସନ୍ନ୍ୟାସର କଠୋରତା

ବ୍ରହ୍ମଚାରୀମାନଙ୍କୁ ସନ୍ନ୍ୟାସ ଆଡ଼କୁ ନେବାକୁ ହେଲେ ଜ୍ଞାନୀ ଗୁରୁମାନେ ଆଶ୍ରମ ଜୀବନର କଠୋରତା ଭିତରେ ଜୀବର ଜୀବତ୍ଵ ନଷ୍ଟ କରି ସେମାନଙ୍କ ଭିତରେ ଆତ୍ମଶକ୍ତି ସ୍ଫୁରଣ କରିବାକୁ ଚେଷ୍ଟା କରନ୍ତି । ଯେଉଁ ବ୍ରହ୍ମଚାରୀ ମାନେ ପ୍ରଫୁଲ୍ଲ ଅନ୍ତଃକରଣରେ ଓ ହସ ହସ ବଦନରେ ଗୁରୁଦେବଙ୍କର ଅତି କଠୋର ଆଦେଶ ମଧ୍ୟ ପ୍ରତିପାଳନ କରନ୍ତି, ଯେଉଁମାନେ କଠୋରତା ସହ୍ୟ କରି କରି ଏପରି ସହନଶୀଳ ହୋଇଯାନ୍ତି ଯେ ହାତ କଟିଗଲେ ମଧ୍ୟ ଅଶ୍ରୁ ବର୍ଷଣ କରନ୍ତି ନାହିଁ , ସେହିମାନେ ହିଁ ଜ୍ଞାନପନ୍ଥୀ ସନ୍ନ୍ୟାସୀ ହେବାର ଯୋଗ୍ୟ ହୁଅନ୍ତି ।

କାରଣ ସଚ୍ଚିଦାନନ୍ଦସ୍ୱାମୀଙ୍କ ମତରେ ୧୨ ଖଣ୍ଡ ଗ୍ରାମ ପୋଡ଼ି ଭସ୍ମ କରିଦେଲେ ଯେତିକି ପାପ, ଜଣେ ଲୋକକୁ ସନ୍ନ୍ୟାସ ଦେବା ପରେ ତାର ପତନ ହେଲେ ଗୁରୁଙ୍କର ସେତିକି ପାପ ହୁଏ । ଆଶ୍ରମର କଠୋରତା ବିଶେଷତଃ ପଶ୍ଚିମା ସାଧୁ ଗୁରୁଙ୍କ ଶାସନରେ ନଳିନୀକାନ୍ତଙ୍କର ଜୀବତ୍ବ ଏପରି ଭାବରେ ନଷ୍ଟ ହୋଇଯାଇଥିଲା ଯେ, ତାଙ୍କର ଆତ୍ମଶକ୍ତି ସନ୍ନ୍ୟାସ ଗ୍ରହଣ ପରେ କିପରି ସ୍ଫୁରିତ ହୋଇଥିଲା, ତାହା ଆମେ ପରବର୍ତ୍ତୀ ଅଧ୍ୟାୟରେ ଦେଖିପାରିବା ।

ସନ୍ନ୍ୟାସ ଗ୍ରହଣ

ନଳିନୀକାନ୍ତଙ୍କ ସହ୍ୟଶକ୍ତି ଓ ଗୁରୁସେବାରେ ସନ୍ତୁଷ୍ଟ ହୋଇ ସଚ୍ଚିଦାନନ୍ଦ ଦିନେ ରାତ୍ରିରେ ତାଙ୍କୁ ସନ୍ନ୍ୟାସ ଦେବା କଥା ନିଜେ ନିଜେ ପ୍ରକାଶ କଲେ । ୧୩୦୯ ସାଲର ଭାଦ୍ର ୧୧ ଦିନ ଏଥିପାଇଁ ସ୍ଥିର ହେଲା ।

ନଳିନୀକାନ୍ତ ସନ୍ନ୍ୟାସ ନେବେ — ଏହି ଆନନ୍ଦରେ ନିର୍ଜନକୁ ଯାଇ କିଛି କ୍ଷଣ ନୃତ୍ୟ କଲେ । ରାତ୍ରିରେ ନିଦ୍ରା ହେଲା ନାହିଁ । କୌଣସି ପ୍ରକାରେ ଅସ୍ଥିରତା ସହିତ ରାତ୍ରି କଟାଇ ସକାଳୁ ଉଠି ସଚ୍ଚିଦାନନ୍ଦ ଯେ କେତେବେଳେ ସନ୍ନ୍ୟାସ ଦେବେ, ସେ ବିଷୟରେ ଭାବିବାକୁ ଲାଗିଲେ । ପରେ ସଚ୍ଚିଦାନନ୍ଦଙ୍କ ଆଦେଶରେ ମସ୍ତକ ମଣ୍ଡନ କରି ଭାଦ୍ର ମାସର ପ୍ରଖର ସୂର୍ଯ୍ୟ କିରଣକୁ ଟିକିଏ ହେଲେ ଭ୍ରୁକ୍ଷେପ ନକରି ଆନନ୍ଦରେ ପ୍ରାୟ ଏକ ମାଇଲ୍ ଦୂରରେ ଥିବା ଝରଣାରେ ସ୍ନାନ ସମାପନାନ୍ତେ ଆଶ୍ରମକୁ ଫେରିଆସିଲେ। ତତ୍ପରେ ଯଥାରୀତି ଯାଜ୍ଞିକ ଅନୁଷ୍ଠାନ ଉତ୍ତାରୁ ସନ୍ନ୍ୟାସ ଗ୍ରହଣ କଲେ । ନଳିନୀକାନ୍ତ ନିଗମର ନିଗୃଢ଼ ରହସ୍ୟ ଅତିଶୀଘ୍ର ଆୟତ୍ତ କରିଥିବାରୁ ସଚ୍ଚିଦାନନ୍ଦ ତାଙ୍କୁ ନିଗମାନନ୍ଦ ନାମ ପ୍ରଦାନ କଲେ।

ସନ୍ନ୍ୟାସର ଅନୁଭୂତି

ସଚ୍ଚିଦାନନ୍ଦ ସନ୍ନ୍ୟାସୀ ନଳିନୀକାନ୍ତଙ୍କୁ “ଅହଂ ବ୍ରହ୍ମାସ୍ମି ” ( ତୁମେ ବ୍ରହ୍ମ,ତୁମେ ମୁକ୍ତ) — ଏହି ମହାବାକ୍ୟ ଶୁଣାଇଦେଲାକ୍ଷଣି ନଳିନୀକାନ୍ତଙ୍କ ମନର ଅବସ୍ଥା ଆମୂଳ ପରିବର୍ତ୍ତନ ହୋଇଗଲା । ପୂର୍ବ ଚିନ୍ତା ,ପୂର୍ବ କଥା ସେ ଏକା ବେଳକେ ଭୁଲିଗଲେ। ମନରେ ଅଭୂତପୂର୍ବ ଆନନ୍ଦସ୍ରୋତ ଖେଳିଗଲା । ମନେହେଲା, ଯେପରି ସେ ସ୍ଵର୍ଗରୁ ନୂତନ ଭାବ ନେଇ ଖସି ପଡ଼ିଲେ । ଘରଦ୍ୱାର, ପିତାମାତା, ଭ୍ରାତାଭଗ୍ନି, ପ୍ରଭୃତି ସମ୍ପର୍କ ସ୍ମୃତି ପଟରୁ ଉଭେଇଗଲା । ପ୍ରତ୍ୟକ୍ଷ ମନେହେଲା, ଅନନ୍ତ ଦ୍ଵୀପପୁଞ୍ଜ ସମୁଦ୍ରରେ ଭାସିଲା ପରି ତାଙ୍କ ଆଗରେ ବିରାଟ ସତ୍ତା ଭିତରେ ସମସ୍ତ ଜଗତ ଭାସୁଛି । ତାଙ୍କରି ଆଲୋକରେ ଚନ୍ଦ୍ର ସୂର୍ଯ୍ୟ , ଗ୍ରହ ନକ୍ଷତ୍ର ପ୍ରଭୃତି ଜ୍ୟୋତିଷ୍କମଣ୍ଡଳ ଉଭାସିତ ହେଉଛନ୍ତି । ତାଙ୍କର ସସୀମ ଅସ୍ତିତ୍ୱବୋଧ ଲୋପ ପାଇଗଲା ।

ଭିକ୍ଷା କରିବା ନିମିତ୍ତ ଆଦେଶ

ସନ୍ନ୍ୟାସ ଗ୍ରହଣ ପରେ ନିଗମାନନ୍ଦଙ୍କ ପ୍ରତି ଗୋଟିଏ ନୂତନ କାର୍ଯ୍ୟର ଆଦେଶ ହେଲା । ସେ ପ୍ରତିଦିନ କିଛି ଭିକ୍ଷା ଆଣିବେ ଓ ତଦ୍ଦ୍ୱାରା ଉଦର ପୂର୍ତ୍ତି କରିବେ। ଯେତିକି ପ୍ରୟୋଜନ, ପ୍ରତିଦିନ ଠିକ୍ ସେତିକିରୁ ବେଶୀ ଭିକ୍ଷା କରିପାରିବେ ନାହିଁ । ଦୁଇଦିନର ଭିକ୍ଷା ଦିନକେ କରିବା ସନ୍ନ୍ୟାସୀଙ୍କ ପକ୍ଷରେ କର୍ତ୍ତବ୍ୟ ନୁହେଁ ।

ସଚ୍ଚିଦାନନ୍ଦଙ୍କର ରାଜା, ଜମିଦାର ପ୍ରଭୃତି ବହୁତ୍ ବଡଲୋକ ଶିଷ୍ୟ ଥାଆନ୍ତି; କିନ୍ତୁ ସେମାନଙ୍କ ଘରୁ ଖାଇବା ନିଷିଦ୍ଧ। ନିଗମାନନ୍ଦଙ୍କର ଭିକ୍ଷା କରିବା ପ୍ରବୃତ୍ତି ଆଦୌ ନଥିଲା, ଭିକ୍ଷାବୃତ୍ତିକୁ ସେ ବଡ ଘୃଣା କରୁଥିଲେ। ସୁତରାଂ ଯେଉଁଦିନ ଭିକ୍ଷା ମିଳେ ନାହିଁ, ସେଦିନ ଅଗତ୍ୟା ଉପବାସ ରହୁଥିଲେ । ନିଗମାନନ୍ଦଙ୍କୁ ଉପବାସୀ ରହିବା କଥା ଶୁଣିଲେ ସଚ୍ଚିଦାନନ୍ଦ ନାନା ଶ୍ଳେଷପୂର୍ଣ୍ଣ ବାକ୍ୟରେ ତାଙ୍କୁ ତିରସ୍କାର କରନ୍ତି ।
ତାପରେ ଦିନେ ନିଗମାନନ୍ଦ ଭିକ୍ଷାଥାଳୀ ନେଇ ପଥିକମାନଙ୍କ ନିକଟରୁ ଭିକ୍ଷା ମାଗିବା ଉଦ୍ଦେଶ୍ୟରେ ରାସ୍ତାଧାରରେ ଛିଡାହେଲେ। ଜଣେ ପଥିକକୁ ଦେଖି ଭାବିଲେ ଯେ, ସେ ନିଶ୍ଚୟ ଏହି ଆଗନ୍ତୁକଙ୍କୁ ମାଗିବେ; କିନ୍ତୁ ଲୋକଟି ତାଙ୍କ ପାଖକୁ ଆସିବାକ୍ଷଣି ନିଗମାନନ୍ଦଙ୍କ ଛାତି କମ୍ପି ଉଠିଲା ଓ ସେ ଲଜ୍ଜାରେ ପଥିକଙ୍କୁ କିଛି ନମାଗି ଚୁପ୍ ରହିଗଲେ ।

ପୁନରାୟ ଦୂରରୁ ଆଉଜଣେ ଲୋକ ଆସିବା ଦେଖି ମନେ ମନେ ଭାବିଲେ, ତାଙ୍କୁ କହିବେ, ” ମହାଶୟ, ମୁଁ ଗୃହତ୍ୟାଗୀ ସନ୍ନ୍ୟାସୀ; ଗୁରୁଦେବଙ୍କ ଆଦେଶରେ ଭିକ୍ଷା କରିବାକୁ ବାହାରିଛି । ଅନୁଗ୍ରହ କରି କିଛି ଦେଇଯାନ୍ତୁ।” କିନ୍ତୁ ଲୋକଟି ପାଖକୁ ଆସି ଉପସ୍ଥିତ ହେଲା କ୍ଷଣି ଲଜ୍ଜାରେ ତାଙ୍କୁ କିଛି ନକହିପାରି ଚୁପ୍ ରହିଗଲେ ।

ଗୃହସ୍ଥ ମାନଙ୍କର ଦୁଆରକୁ ଭିକ୍ଷା କରିବାକୁ ଯିବା ସମୟରେ ଯଦି ଯାଚିକରି କେହି କିଛି ଦେଲେ ତେବେ ଆଣିଲେ, ନଚେତ୍ ଶୂନ୍ୟ ଝୁଲା ନେଇ ଫେରିଆସିଲେ ।

ଦିନେ ଖାଲି ଝୁଲା ନେଇ ଆଶ୍ରମକୁ ଫେରିଲେ; ସେଦିନ କିଛି ଖାଇବାକୁ ପାଇଲେ ନାହିଁ । ରାତିରେ ସଚ୍ଚିଦାନନ୍ଦ ପଚାରିଲେ ଆରେ ଆଜି କିଛି ମିଳିଛି ? ଖିଆପିଆ ହୋଇଛି ?” ନିଗମାନନ୍ଦ ଅଭିମାନରେ କହିଲେ,” ମୋର ଖିଆପିଆ ହେଉ ବା ନହେଉ ସେଥିରେ ତୁମର ଯାଏ ଆସେ କେତେ ?”

ସଚ୍ଚିଦାନନ୍ଦ ତାଙ୍କ ଅନ୍ତରର ବ୍ୟଥା ବୁଝିପାରି ଆଦେଶ ଦେଲେ ଯେ, ଆଉ ତାଙ୍କୁ ଭିକ୍ଷା ମାଗିବାକୁ ହେବ ନାହିଁ । ସଚ୍ଚିଦାନନ୍ଦଙ୍କର କି ଆଶ୍ଚର୍ଯ୍ୟ ଶକ୍ତି ! ସେହିଦିନ ଠାରୁ ନିଗମାନନ୍ଦଙ୍କୁ ଭିକ୍ଷା କରିବାକୁ ପଡିଲା ନାହିଁ । ଲୋକମାନେ ମନକୁ ମନ ଯାଚି ଡାଲି, ଚାଉଳ ଓ ଅଟା ପ୍ରଭୃତି ଦେଇଗଲେ ।

ନିଗମାନନ୍ଦ ଗୁରୁଭକ୍ତି କାହାକୁ କହନ୍ତି ଜାଣିନଥିଲେ ମଧ୍ୟ ସଚ୍ଚିଦାନନ୍ଦଙ୍କ ପ୍ରତି ତାଙ୍କର ଗୋଟିଏ ସ୍ଵାଭାବିକ ଆକର୍ଷଣ ଥିଲା । ସେ ତାଙ୍କୁ ମୁହଁରେ ଜବାବ ଦେଉଥିଲେ ମଧ୍ୟ ଅନ୍ତରରେ ବହୁତ୍ ଶ୍ରଦ୍ଧା କରୁଥିଲେ ଓ ବାହାରେ ଭକ୍ତି ଭାବ ନ ଦେଖାଉଥିଲେ ମଧ୍ୟ ଲୁଚି ରହି ତାଙ୍କୁ ଅନାଇ ରହୁଥିଲେ ଏବଂ ଗାଧୋଇସାରି ଚାଲିଯିବା ପରେ ତାଙ୍କ ଓଦା ଲୁଗାରୁ ପାଣି ଝରି ଭିଜି ଯାଇଥିବା ମାଟିକୁ ଗୋଟାଇ ଆଣି ଅନ୍ୟର ଅଲକ୍ଷ୍ୟରେ ଖାଇଦେଉଥିଲେ। ( କ୍ରମଶଃ )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights