ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୨
ସେହି ଅବସ୍ଥାରେ ସେ ପ୍ରତ୍ୟକ୍ଷ ଦେଖିଛନ୍ତି ସୂର୍ଯ୍ୟ ସ୍ଥିର, ନିଶ୍ଚଳ; ପୃଥିବୀ ଅବିରାମ ଗତିରେ ଘୁରୁଅଛି ଓ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଅଛି ।
ବାଲ୍ୟ ଚପଳତା
କୁତବପୁରର ପୂର୍ବକଥିତ ପାରିପାର୍ଶ୍ବିକ ଅବସ୍ଥା ଭିତରେ ଶିଶୁ ନଳିନୀକାନ୍ତ କ୍ରମେ ବଡ଼ ହେବା ସଙ୍ଗେ ସଙ୍ଗେ ତାଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାକୁ ଲାଗିଲା। ପ୍ରତିବେଶୀମାନେ ନଳିନୀକାନ୍ତଙ୍କ ଦୌରାତ୍ମ୍ୟ ଅସହ୍ୟ ବୋଧ କଲେ । ସମୟ ସମୟରେ ସେମାନେ ତାଙ୍କ ଅତ୍ୟାଚାରରେ ଉତ୍ୟକ୍ତ ହୋଇ ତାଙ୍କୁ ଶାସ୍ତି ଦେବାପାଇଁ ସଂକଳ୍ପ କରନ୍ତି; ମାତ୍ର ପର ମୁହୂର୍ତ୍ତରେ ତାଙ୍କର ପ୍ରସ୍ପୁଟିତ ପଦ୍ମ ସଦୃଶ ମୁଖକୁ ଚାହିଁବାମାତ୍ରେ ସମସ୍ତ ଭୁଲିଯାଆନ୍ତି ଓ ତାଙ୍କ ଅତ୍ୟାଚାର ବିଷୟରେ ପିତାମାତାଙ୍କୁ ଆଉ ଜଣାନ୍ତି ନାହିଁ । କୁଞ୍ଚିତ କେଶ ମଧ୍ୟରେ ସୁନ୍ଦର ମୁଖକୁ ଚାହିଁଲେ ଅତ୍ୟନ୍ତ କ୍ରୁଦ୍ଧ ବ୍ୟକ୍ତି ମଧ୍ୟ ନ ହସି ରହିପାରେ ନାହିଁ। ଏହିସବୁ ଦୌରାତ୍ମ୍ୟ ଦୂର କରିବାକୁ ଭୁବନମୋହନ ପୁତ୍ରର ଶିକ୍ଷା ଆଡ଼କୁ ମନ ବଳାଇଲେ। ତାପରେ ନଳିନୀକାନ୍ତ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କଲେ।
ଶିକ୍ଷା
ନଳିନୀକାନ୍ତଙ୍କର ଯେଉଁ ଶକ୍ତି ଚାଞ୍ଚଲ୍ୟ ଭିତରେ ପ୍ରକାଶ ପାଉଥିଲା ତାହା ବର୍ତ୍ତମାନ ବିଦ୍ୟାଭାସରେ ନିୟୋଜିତ ହେବାରୁ ଅଳ୍ପଦିନ ଭିତରେ ନିମ୍ନ ପ୍ରାଥମିକ ଶ୍ରେଣୀର ସମସ୍ତ ପାଠ୍ୟ ଆୟତ୍ତ କରିବାରେ ସେ ସମର୍ଥ ହେଲେ।
ଦିବ୍ୟ ଦର୍ଶନ
ଦିନେ ସନ୍ଧ୍ୟା ସମୟରେ ତାଙ୍କ ଖୁଡି ତାଙ୍କ ହାତରେ ସନ୍ଧ୍ୟାବତୀ ଦେଇ ନିକଟବର୍ତ୍ତୀ ଚଣ୍ଡିମଣ୍ଡପକୁ ପଠାଇଦେଲେ। ପ୍ରଦୀପ ହସ୍ତରେ ବାଳକ ମଣ୍ଡପର ସମୀପବର୍ତ୍ତୀ ହେବା ମାତ୍ରେ ମଣ୍ଡପ ଭିତରେ ଅକସ୍ମାତ୍ ନିଆଁ ଦପ୍ କରି ଜଳିଉଠିଲା ଓ ସେହି ନିଆଁ ମଣ୍ଡଳାକୃତି ଧାରଣ କରି ତାହା ମଧ୍ୟରେ ଦଶଭୁଜା ମୂର୍ତ୍ତି ପ୍ରକାଶିତ ହେଲେ।
ବାଳକ ନଳିନୀକାନ୍ତ ପ୍ରଦୀପ ପକାଇଦେଇ ମା’ଙ୍କ ନିକଟକୁ ପଳାଇଗଲେ ଓ ସମସ୍ତ ଘଟଣା ବର୍ଣ୍ଣନା କରି ଥରିବାକୁ ଲାଗିଲେ । ମା’ ତାଙ୍କୁ ଆଶ୍ବସ୍ତ କରି କହିଲେ, “ଭୟ କ’ଣ ବାପ, ମୁଁ ଯେପରି ତୋର ମା’, ଦଶଭୁଜା ସେହିପରି ଜଗତର ମା’ । ମୋତେ ଦେଖି ତୁ କଣ ଭୟ କରୁ ? ମା’ ତୋତେ ଦେଖା ଦେଇଛନ୍ତି ଏହା ତ ସୌଭାଗ୍ୟର ବିଷୟ ।” ସେତେବେଳେ ତାଙ୍କର ବୟସ ନଅ ବର୍ଷ ମାତ୍ର।
ଏହି ଘଟଣାର କେତେକ ଦିନ ପରେ ନଳିନୀକାନ୍ତ ଆଉ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ। କୃଷ୍ଣପକ୍ଷର ଅନ୍ଧକାର ରାତ୍ରି, ନଳିନୀକାନ୍ତ ଗୃହ ମଧ୍ୟରେ ଶୟନ କରିଅଛନ୍ତି – ହଠାତ୍ ନିଦ୍ରାଭଙ୍ଗ ହେବାରୁ ଗୃହ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପ୍ରକାଶିତ ହୋଇଥିବାର ଦେଖିପାରିଲେ। ଆଶ୍ଚର୍ଯ୍ୟର ବିଷୟ ଯେ; ସେ ବିସ୍ମୟାବିଷ୍ଟ ହୋଇ ଯେଉଁ ଆଡ଼କୁ ଚାହିଁଲେ ସବୁଆଡେ ସେହି ଚନ୍ଦ୍ରକୁ ଦେଖିଲେ।
ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ଶୈଶବାବସ୍ଥାରୁ ହିଁ ତାଙ୍କର ଜନ୍ମନ୍ତରୀଣ ସ୍ମୃତି ଅଳ୍ପ ଅଳ୍ପ ମନରେ ଜାଗ୍ରତ ହେଉଥିଲା । ତରୁଣ ବୟସରେ ସେ ‘ସୁଧାଂଶୁବାଳା’ ଓ ‘ତରଣିସେନ ବଧ ‘ ନାମକ ଯେଉଁ ଦୁଇଖଣ୍ଡ ଉପନ୍ୟାସ ଓ ନାଟକ ଲେଖିଥିଲେ, ସେଥିରେ ତାଙ୍କର ଏହି ଜନ୍ମନ୍ତରଣ ସ୍ମୃତିର ଆଭାସ ନିହିତ।
ବାଲ୍ୟକାଳରେ ତାଙ୍କର ବ୍ୟକ୍ତିବୋଧ ଅନୁଭୂତି ମଧ୍ୟ ଉଲ୍ଲେଖ ଯୋଗ୍ୟ । ବୈଦାନ୍ତିକ ଜ୍ଞାନୀ ବା ଯୋଗୀମାନେ ଜନ୍ମଜ୍ମାନ୍ତର ତପସ୍ୟାରେ ଯେଉଁ ଅବସ୍ଥା ଆୟତ୍ତ କରିବାକୁ ସମର୍ଥ ହୁଅନ୍ତି ନାହିଁ, ବାଲ୍ୟକାଳରୁ ହିଁ ଶ୍ରୀ ଶ୍ରୀ ଠାକୁରଙ୍କଠାରେ ତାହା ସ୍ଵତଃସ୍ଫୁର୍ତ୍ତ ହୋଇଥିଲା ।
ହୁଏତ ସେ କେଉଁଠି ଚୁପ୍ ହୋଇ ବସି ରହିବାବେଳେ ଦେଖିଛନ୍ତି ସାରା ଜଗତ ଜ୍ୟୋତିର୍ମୟ ହୋଇଯାଇଛି । ସ୍ଥୂଳଦେହ ପରିତ୍ୟାଗ କରି ଯେପରି ସେ ବିଦ୍ୟୁତ୍ ବେଗରେ ଅତି ଉର୍ଦ୍ଧ୍ବକୁ ଏପରିକି ସୂର୍ଯ୍ୟମଣ୍ଡଳର ପରପାରକୁ ଉଠିଯାଉଛନ୍ତି, ଯେଉଁ ସ୍ଥାନରୁ କି ଗ୍ରହ – ତାରା – ଚନ୍ଦ୍ର – ସୂର୍ଯ୍ୟ ସମନ୍ୱିତ ଭୁମଣ୍ଡଳ ସୁସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହେଉଅଛି। ପୃଥିବୀ ଯେ ଗୋଲ ଏବଂ ସୂର୍ଯ୍ୟ ଯେ ଗୋଟିଏ ସ୍ଥାନରେ ସ୍ଥିର ଅଛି, ଏହି ପୃଥିବୀରେ ବସି ତାହା ଦୃଷ୍ଟିଗୋଚର ହୁଏ ନାହିଁ ।
ଶ୍ରୀ ଶ୍ରୀ ଠାକୁର କହିଛନ୍ତି – ସେହି ଅବସ୍ଥାରେ ସେ ପ୍ରତ୍ୟକ୍ଷ ଦେଖିଛନ୍ତି ସୂର୍ଯ୍ୟ ସ୍ଥିର, ନିଶ୍ଚଳ; ପୃଥିବୀ ଅବିରାମ ଗତିରେ ଘୁରୁଅଛି ଓ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଅଛି । ସେ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ ଆନଦ ଲାଭ କରୁଥିଲେ । କିନ୍ତୁ ଏହି ସାକ୍ଷୀଭାବ ତାଙ୍କର ଆୟତ୍ତାଧୀନ ନଥିବାରୁ ସେ ଖୁବ୍ ଦୁଃଖ ଅନୁଭବ କରୁଥିଲେ । ସେ ଅବସ୍ଥା ପରେ ତାହାର ପୁନରାବୃତ୍ତି ନିମିତ୍ତ ସେ ଯେତେ ଇଛା କରିଛନ୍ତି, ତାହା ଆଉ ହୋଇନାହିଁ। ଦଶ ବାର ଦିନ ପରେ ପୁଣି ସେହି ଅବସ୍ଥା ଆପଣା ମନକୁ ଆସିଯାଉଥିଲା । ତାହା ଉପରେ ନଳିନୀକାନ୍ତଙ୍କର କିଛି ଆୟତ୍ତ ନଥିଲା ବୋଲି ସେହି ଅନୁଭୂତି ଲାଭ ପରେ ତାଙ୍କର ବିଶେଷ ମନୋବ୍ୟଥା ହେଉଥିଲା।
( କ୍ରମଶଃ… )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି