ଜୀବନ ବେଦ -୧୯ : ଭଗବାନଙ୍କୁ ନ ଚାହିଁଲେ ମଧ୍ଯ ସେ ମିଳନ୍ତି

Share it

29th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୯

ସଚ୍ଚିଦାନନ୍ଦଙ୍କ ପୂର୍ବାଶ୍ରମ
ଊନବିଂଶ ଶତାବ୍ଦୀର ମଧ୍ୟ ଭାଗରେ କାବୁଲର ଦୋସ୍ତ ମହମ୍ମଦ ଖାଁ ଯେତେବଳେ ଇଂରେଜମାନଙ୍କ ସହ ଯୁଦ୍ଧ ଘୋଷଣା କଲେ ; ସେତେବଳେ ଲର୍ଡ ଅକ୍ଲାଣ୍ଡଙ୍କ ଅଧୀନରେ ଥିବା ସିପାହୀମାନଙ୍କ ଭିତରେ ସଚ୍ଚିଦାନନ୍ଦ ଜଣେ ହାବିଲଦାର ଥିଲେ । ଇଂରେଜମାନେ ପେଶବାରରେ ଛାଉଣି ପକାଇଥିବାବେଳେ ସଚ୍ଚିଦାନନ୍ଦ ଦିନେ ରାତ୍ରିରେ ନିକଟସ୍ଥ ପାହାଡ ଉପରେ ଗୋଟିଏ ଆଲୋକ ଦେଖିଲେ ଓ ଏହି ଆଲୋକ ବିଷୟରେ ଉପରସ୍ଥ ଶ୍ୱେତାଙ୍ଗ କର୍ମଚାରୀଙ୍କୁ ଜଣାଇଲେ । ଶତ୍ରୁମାନେ ଏହି ପାହାଡ ଉପରେ ଲୁକ୍କାୟିତ ରହି ଆକ୍ରମଣର ସୁଯୋଗ ଅନ୍ୱେଷଣ କରୁଥିବା ମନେକରି ସଚ୍ଚିଦାନନ୍ଦ କପ୍ତାନଙ୍କୁ ସଙ୍ଗରେ ଧରି ଉକ୍ତ ପାହାଡ ଉପରକୁ ଗଭୀର ରାତ୍ରରେ ଅଗ୍ରସର ହେଲେ। କିଛି ଦୂର ଗଲା ପରେ ଆଲୋକଟି ଦେଖି ନପାରି ଫେରିଆସିଲେ। କ୍ରମାଗତ ଦୁଇ ତିନି ରାତ୍ରି ପର୍ଯ୍ୟନ୍ତ ଉକ୍ତ ଘଟଣାର ପୁନରାବୃତ୍ତି ହେଲା; ମାତ୍ର ସେମାନେ ପାହାଡ ଉପରକୁ ଯାଇ ଶେଷରେ ଆଲୁଅ ନଦେଖି ପ୍ରତ୍ୟାବର୍ତ୍ତନ କଲେ ।

ଦିନେ ରାତିରେ ସଚ୍ଚିଦାନନ୍ଦ ବନ୍ଧୁକ ନେଇ ଏକାକୀ ସେହି ଆଲୁଅକୁ ଲକ୍ଷ୍ଯ କରି ପାହାଡ ଉପରେ ଆରୋହଣ କଲେ । କିଛି ସମୟ ପରେ ସଚ୍ଚିଦାନନ୍ଦ ଉକ୍ତ ଆଲୋକ ନିକଟସ୍ଥ ହୋଇ ଦେଖିଲେ, ଗୋଟିଏ ଗୁହା ଦ୍ଵାରରେ ଜଣେ ଅତି ଶୀର୍ଣ୍ଣକାୟ କଙ୍କାଳ ସାର ବୃଦ୍ଧ ସେହି ଆଲୋକ ଦେଖାଉଛନ୍ତି।

ସଚ୍ଚିଦାନନ୍ଦଙ୍କୁ ନିକଟରେ ଦେଖି ସେ ବୃଦ୍ଧ ଡାକି କହିଲେ,”ମୁଁ ତୁମ ନିମିତ୍ତ ଅପେକ୍ଷା କରିଛି । ମୋର ଦେହତ୍ୟାଗର ସମୟ ଉପସ୍ଥିତ। ବର୍ତ୍ତମାନ ତୁମକୁ ସୈନିକ ବୃତ୍ତି ତ୍ୟାଗ କରି ମୋର ଏହି ଆସନର ଭାର ଗ୍ରହଣ କରି ସାଧୁଜୀବନ ଯାପନ କରିବାକୁ ହେବ ଓ ତୁମକୁ ବେଦାନ୍ତ ସାଧନ ଚତୁଷ୍ଟୟ କରିବାକୁ ପଡ଼ିବ।

“ଏହି ସମୟଠାରୁ ସଚ୍ଚିଦାନନ୍ଦ ସୈନିକ ବୃତ୍ତି ତ୍ୟାଗ କରି ସାଧୁ ହେଲେ ଓ ଦୀର୍ଘକାଳବ୍ୟାପୀ କଠିନ ସାଧନା ପରେ ନିର୍ବିକଳ୍ପ ସମାଧି ଲାଭ କଲେ।

ସ୍ଵାମୀ ସଚ୍ଚିଦାନନ୍ଦଙ୍କ ମୁଖରୁ ଏହି ଅପୂର୍ବ କାହାଣୀ ଶ୍ରବଣ କରି ନଳିନୀକାନ୍ତ ବୁଝିଲେ ଯେ, ପ୍ରତ୍ୟକ୍ଷ ଜ୍ଞାନର ଅଧିକାରୀ ହେଲେ ମଧ୍ୟ ସହଜାତ ସଂସ୍କାର ଓ ବୃତ୍ତିର ସଂସ୍କାର କୌଣସି ପ୍ରକାରେ ଦୂର ହୁଏ ନାହିଁ। ସେହିହେତୁ ସଚ୍ଚିଦାନନ୍ଦଙ୍କ ଭାଷା ଏପରି କଦର୍ଯ୍ୟ । ଭାବରେ ପରିବର୍ତ୍ତନ ହେଲେ ମଧ୍ୟ ହାବିଲଦାର ଭାଷାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏସବୁ କଥା ଶୁଣି ନଳିନୀକାନ୍ତ ମନେ ମନେ ଭାବିଲେ, ଭଗବାନଙ୍କୁ ନ ଚାହିଁଲେ ମଧ୍ୟ ସେ ମିଳନ୍ତି । ଶ୍ରୁତିରେ ପଢିଥିଲେ, ‘ଯମ ଏଷ ବୃଣୁତେ’ — ଈଶ୍ୱର ଯାହାକୁ ମନସ୍ଥ କରନ୍ତି, ସେହି କେବଳ ଈଶ୍ୱରଙ୍କୁ ପାଇପାରେ। ଏହା ପଢିଥିଲେ ମଧ୍ୟ ପ୍ରତ୍ୟକ୍ଷ ବୋଧ କରିପାରି ନଥିଲେ। ନଳିନୀକାନ୍ତ ଭାବିଥିଲେ ଯେ, ସଚ୍ଚିଦାନନ୍ଦ ସ୍ଵାମୀ ସାଧନା କରି ସିଦ୍ଧି ଲାଭ କରିଛନ୍ତି। ସେ ବର୍ତ୍ତମାନ ବୁଝିଲେ ଯେ, ସୁକୃତିଶାଳୀ ବ୍ୟକ୍ତିମାନଙ୍କୁ ଭଗବାନ ଏହିପରି ଭାବରେ ଗୁରୁଙ୍କ ଦ୍ଵାରା କୃପା କରାନ୍ତି ।

ଏହା ଭାବୁ ଭାବୁ ନଳିନୀକାନ୍ତ ନିଜ କ୍ଷୁଦ୍ର ଜୀବନର ସମସ୍ତ କଥା ଭାବିବାକୁ ଆରମ୍ଭ କଲେ । ସେ ନିଜ ସ୍ତ୍ରୀଙ୍କୁ ପାଇବାକୁ ଆସି ଜଗଜ୍ଜନନୀଙ୍କ ସାକ୍ଷାତ୍ କିପରି ଲାଭ କଲେ, କିପରି ବା ଅହେତୁକ ଭାବରେ ଗୁରୁକୃପା ପାଇଲେ ଓ ଜଗଜ୍ଜନନୀଙ୍କର ସାକ୍ଷାତ୍ ଲାଭ ପରେ କିପରି ନିଜକୁ ଜାଣିବା ପାଇଁ ଜ୍ଞାନ ସାଧନାରେ ପ୍ରବୃତ୍ତ ହେଲେ, ସମସ୍ତ କଥା ମୁହୂର୍ତ୍ତକ ଭିତରେ ତାଙ୍କ ମନରେ ଖେଳିଗଲା । ବାମାକ୍ଷେପାଙ୍କ ନିକଟରେ କରିଥିବା ସାଧନା, ଦେବୀଙ୍କ ନିକଟରୁ ବର ଲାଭ ଇତ୍ୟାଦି ବିଷୟ ସଚ୍ଚିଦାନନ୍ଦଙ୍କ ନିକଟରେ କହିବାକୁ ଇଚ୍ଛା କଲେ। ମାତ୍ର ପର ମୁହୂର୍ତ୍ତରେ ମନେହେଲା, ନା, ସେ କଣ ମନେକରିବେ ! ପରେ କଣ ବା କହିବେ ! ଏହା ଭାବି ସେ ଭୟରେ କିଛି କହିପାରିଲେ ନାହିଁ ।

ଜାତି-ବିଚାରର ପ୍ରଶ୍ନ
ସଚ୍ଚିଦାନନ୍ଦ ସ୍ଵାମୀ ନାନା ଅକଥ୍ୟ ଭାଷାରେ ଗାଳି ଦେଲେ ମଧ୍ୟ ନଳିନୀକାନ୍ତଙ୍କୁ ଖୁବ୍ ଆଦର କରୁଥିଲେ । ସଚ୍ଚିଦାନନ୍ଦ ନିଜେ ଅଦ୍ୱିତୀୟ ଜ୍ଞାନ ସାଧନ ସିଦ୍ଧ ପଣ୍ଡିତ ଥିଲେ। ସଂସ୍କୃତ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ସେ ପାଞ୍ଚ ଛଅ ଘଣ୍ଟାବ୍ୟାପୀ ସଂସ୍କୃତରେ ଅନର୍ଗଳ ବକ୍ତୃତା ଦେଇପାରୁଥିଲେ । ସଚ୍ଚିଦାନନ୍ଦ ନିଜେ ନଳିନୀକାନ୍ତଙ୍କୁ ଦର୍ଶନ ଶାସ୍ତ୍ରାଦି ପଢ଼ାଇଥିଲେ। ନଳିନୀକାନ୍ତ ସଚ୍ଚିଦାନନ୍ଦ ସ୍ଵାମୀଙ୍କ ନିକଟରେ ବହୁଦିନ ରହିବା ପରେ ତାଙ୍କର ସାହସ ସଞ୍ଚାର ହେବାରୁ ସେ ପ୍ରଶ୍ନ କରିବାକୁ ଆରମ୍ଭ କଲେ।

ନଳିନୀକାନ୍ତଙ୍କୁ ରୋଷେଇ କରିବାକୁ ବଡ଼ କଷ୍ଟ ହୁଏ; କାରଣ ପାହାଡ ତଳ ଝରଣାରୁ ପାଣି ଆଣି ରାନ୍ଧିବାକୁ ପଡେ । ଦିନେ ନଳିନୀକାନ୍ତ ସଚ୍ଚିଦାନନ୍ଦଙ୍କୁ ପଚାରିଲେ, “ଠାକୁର, ତୁମେ ତ ପରମହଂସ ସନ୍ନ୍ୟାସୀ, ତୁମର ପୁଣି ବର୍ଣ୍ଣାଶ୍ରମ ବିଚାର କଣ ? ତୁମେ ତ ଯାହା ତାହା ହାତରେ ଖାଇପାର, ତେବେ ଅନର୍ଥକ ମୋ ଉପରେ କାହିଁକି ସବୁ ଭାର ପକାଉଛ ?”

ସଚ୍ଚିଦାନନ୍ଦ ପଚାରିଲେ, “ଗୀତା ପଢ଼ିଛୁ ?”
ନଳିନୀକାନ୍ତ କହିଲେ, “ହଁ, ଖୁବ୍ ପଢ଼ିଛି ।”
“ଛତୁଟା ପଢିଛୁ” — ସଚ୍ଚିଦାନନ୍ଦ ରୁକ୍ଷ ସ୍ଵରରେ ଜବାବ ଦେଲେ —

” ଯଦ୍ ଯଦାଚରତି ଶ୍ରେଷ୍ଠସ୍ତତ୍ତଦେବେତ୍ତରୋ ଜନଃ
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।”

“ଏହାର ଅର୍ଥ କଣ କହିଲୁ ? ମୋର ଜାତିବିଚାର ନ ଥିଲେ ମଧ୍ୟ ସମାଜ ସଂସ୍କୃତି ନିମିତ୍ତ ଏସବୁ ମାନି ଚଳିବାକୁ ପଡେ । ଏବେ ବୁଝିଲୁ?”

ନଳିନୀକାନ୍ତଙ୍କ ଶାସ୍ତ୍ରାଲୋଚନା
ନଳିନୀକାନ୍ତ ବାଲ୍ୟକାଳରେ ବିଦ୍ୟା ଅଭ୍ୟାସ କରିବା ସମୟରେ ପ୍ରାକୃତିକ ଭୂଗୋଳରୁ ଭୁବିଦ୍ୟା ପାଠ କରି ଗ୍ରହଣ, ଭୂମିକମ୍ପ ପ୍ରଭୃତିର କାରଣ ଯାହା ଅବଗତ ହୋଇଥିଲେ, ସେଥିରେ ତାଙ୍କ ହୃଦୟରେ ଦାରୁଣ ଦୁଃଖର ବୋଝ ଲଦି ହୋଇଥିଲା । ସେ ଦୁଃଖ କାହାକୁ ଜଣାଇ ନଥିଲେ କିମ୍ବା କେହି ମଧ୍ୟ ଜାଣିପାରି ନଥିଲେ ।

ସମୟେ ସମୟେ ମନେ ହୁଏ, ଗ୍ରହଣ, ଭୂମିକମ୍ପ ପରି ହିନ୍ଦୁ ମାନଙ୍କର ସମସ୍ତ କଥା ମିଛ । ତାଙ୍କର ସ୍ଵଧର୍ମରେ ଆସ୍ଥା ନଥିଲେ ମଧ୍ୟ ହିନ୍ଦୁ ମାନଙ୍କର ମିଥ୍ୟାଗଳ୍ପ ଓ ଧର୍ମ ପିଲା ଖେଳ — ଏ କଥା ମନେ କରିବାକୁ କଷ୍ଟ ବୋଧ ହୁଏ । କୁସଂସ୍କାର ସମ୍ପନ୍ନ ଅସଭ୍ୟ ହିନ୍ଦୁ ବଂଶରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଭାବିବାକୁ ମଧ୍ୟ ମନରେ କଷ୍ଟ ହୁଏ । ସେ ଏହି ସଚ୍ଚିଦାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ରହି ଆର୍ଯ୍ୟ ଶାସ୍ତ୍ରର ଜଟିଳ ରହସ୍ୟ ଭେଦ କରିବାକୁ ଚେଷ୍ଟା କଲେ ।

ବାଲ୍ୟକାଳର ସେହି ଅନୁସନ୍ଧିତ୍ସାବୃତ୍ତି ଜାଗିଉଠିଲା । ତାହା ଫଳରେ ସେ ଜାଣିପାରିଲେ, ପୃଥିବୀ ତ୍ରିକୋଣ, ଚତୁଷ୍କୋଣ ବା ସମତଳ ପ୍ରଭୃତି ଯାହା ସବୁ ଅଶିକ୍ଷିତ ବ୍ୟକ୍ତିଙ୍କ ମୁଖରେ ଶୁଣାଯାଏ, ତାହା ହିନ୍ଦୁ ଶାସ୍ତ୍ରର କଥା ନୁହେଁ । କାରଣ ହିନ୍ଦୁ ମାନଙ୍କ ଶାସ୍ତ୍ରରେ ଅଛି —

“କପିତ୍ଥ ଫଳବତ୍ ବିଶ୍ଵଂ ଦକ୍ଷିଣୋତ୍ତରୟୋଃ ସମମ୍ ।”
(ଗୋଲାଧ୍ୟାୟ)

ଯେଉଁ ହିନ୍ଦୁମାନେ ସୂର୍ଯ୍ୟଦେବଙ୍କୁ ରଥରେ ଆରୋହଣ କରାଇ ଦେଇ ଉଦୟାଚଳରୁ ଅସ୍ତାଚଳକୁ ନେଇଯାଆନ୍ତି, ସେମାନେ ମଧ୍ୟ ହିନ୍ଦୁ ଶାସ୍ତ୍ରର ପ୍ରକୃତ ତଥ୍ୟ ଜାଣନ୍ତି ନାହିଁ । ଶାସ୍ତ୍ରରେ ଲିଖିତ ଅଛି —

“ଚଳା ପୃଥ୍ବୀ ସ୍ଥିରାଭାତି ଭୁଗୋଳୋ ବ୍ୟୋମ୍ନି ତିଷ୍ଠତି। ”
(ଗୋଲାଧ୍ୟାୟ)

ଭାସ୍କରାଚାର୍ଯ୍ୟଙ୍କର ଗୋଲାଧ୍ୟାୟ ଗ୍ରନ୍ଥରୁ ଆଉ ଗୋଟିଏ ଶ୍ଳୋକ ପାଠ କରି ନଳିନୀକାନ୍ତଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଗଲା । ଯେଉଁ ମାଧ୍ୟାକର୍ଷଣ ଆବିଷ୍କାର କରି ନିଉଟନ୍ ପାଶ୍ଚାତ୍ୟ ଜଗତରେ ଯୁଗାନ୍ତର ଉପସ୍ଥାପିତ କରିଛନ୍ତି ଏବଂ ଭାରତବାସୀଙ୍କ ମଧ୍ୟରେ ଇଂରେଜମାନଙ୍କର ସେହି ଅନେକ ଶିଷ୍ୟ ସେହି ଗୌରବରେ ଗୌରବାନ୍ଵିତ ହୋଇ ପୂର୍ବପୁରୁଷ ମାନଙ୍କୁ ଅସ୍ବାଭାବିକ ଦୋଷରେ ଦୋଷୀ ସାବ୍ୟସ୍ତ କରି ବସନ୍ତି, ସେ ତତ୍ତ୍ଵ ହିନ୍ଦୁ ଋଷିଗଣ ବହୁ ପୂର୍ବରୁ ଅବଗତ ହୋଇଥିଲେ।

“ଆକୃଷ୍ଟ ଶକ୍ତିଶ୍ଚିତ ମହୀତୟା ଯତ୍ ଖସ୍ଥଂ ଗୁରୁ ସ୍ୱାଭିମୁଖଂ ସ୍ଵଭକ୍ତ୍ୟା,
ଆକୃଷ୍ୟତେ ତତ୍ ପତିତୀତି ଭାତି ସମେ ସମସ୍ତାତ୍ କ୍ୱପତତ୍ୱିୟଂ ଖେ ।”

(ଗୋଲାଧ୍ୟାୟ)

ସେହିଦିନଠାରୁ ସେ ହିନ୍ଦୁ ଋଷିମାନଙ୍କୁ ଗୁରୁ ପରି ପୂଜା କରିବାକୁ ଲାଗିଲେ। ଏହି ପ୍ରକାରେ କେତେ ଦିନ ଗଲା । ସଚ୍ଚିଦାନନ୍ଦଙ୍କ କଠୋର ବ୍ୟବହାର କ୍ରମେ ସହ୍ୟ କରିବାକୁ ସେ ଅଭ୍ୟସ୍ତ ହୋଇପଡିଲେ ।

ଦିନେ ନଳିନୀକାନ୍ତ ସନ୍ନ୍ୟାସ ଗ୍ରହଣ କରିବା ଇଚ୍ଛା ପ୍ରକାଶ କରି ସଚ୍ଚିଦାନନ୍ଦଙ୍କୁ ଅନୁରୋଧ କଲେ; କିନ୍ତୁ ପିତାଙ୍କର ଅନୁମତି ନ ପାଇଲେ ସଚ୍ଚିଦାନନ୍ଦ ଶାସ୍ତ୍ରାନୁଯାୟୀ ସନ୍ନ୍ୟାସ ଦେବାକୁ ଅସ୍ବୀକାର କଲେ ।

ତାଙ୍କ ଯୁକ୍ତି ଖଣ୍ଡନ କରିବାକୁ ଯାଇ ନଳିନୀକାନ୍ତ କହିଲେ, “କୌଣସି ପିତାମାତା ତାଙ୍କ ପୁତ୍ରକୁ ସନ୍ନ୍ୟାସ ଗ୍ରହଣ କରିବାକୁ ଅନୁମତି ଦେବେ ନାହିଁ । ବ୍ୟାସ ଜଗଦଗୁରୁ, ସେ ମଧ୍ୟ ଶୁକଦେବଙ୍କୁ ସନ୍ନ୍ୟାସୀ ହେବାକୁ ଅନୁମତି ଦେଲେ ନାହିଁ । ଶଙ୍କରଙ୍କୁ ତାଙ୍କ ମାତା ସ୍ୱେଚ୍ଛାରେ ଅନୁମତି ଦେଇ ନାହାନ୍ତି । ଆଇନ ଠାରୁ ନଜିର ବଡ ।”

ଏହା ଶୁଣି ସଚ୍ଚିଦାନନ୍ଦ ହସି ହସି କହିଲେ, “ଆରେ ତୋତେ ଯୁକ୍ତିରେ କୌଣସି ସାଧୁ ପାରିବେ ନାହିଁ ।” ( କ୍ରମଶଃ )


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights