ଜୀବନ ବେଦ- ୧୮ : ଆଶ୍ରମ ଜୀବନ

Share it

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୮

ଆଶ୍ରମ ଜୀବନ

ସେ ସାଧୁଙ୍କର ନାମ ସ୍ଵାମୀ ସଚ୍ଚିଦାନନ୍ଦ ସରସ୍ଵତୀ। ପୁଷ୍କର ତୀର୍ଥରେ ତାଙ୍କ ଆଶ୍ରମ। ନଳିନୀକାନ୍ତ ସେଠାରେ ଉପସ୍ଥିତ ହେଲାକ୍ଷଣି ସଚ୍ଚିଦାନନ୍ଦ ପୁଣି ନାନା ଅକଥ୍ୟ ଭାଷାରେ ଗାଳି ଦେଇ ତାଙ୍କୁ ସେଠାରୁ ତଡିଦେବାକୁ ଚେଷ୍ଟା କଲେ, ମାତ୍ର ନଳିନୀକାନ୍ତ ଏଥିରେ ବିଚଳିତ ନ ହୋଇ ସେଠାରେ ରହିଲେ ଓ ଆଶ୍ରମର କଠୋର ନିୟମ ସଂଯମରେ ନିଜକୁ ଅଭ୍ୟସ୍ତ କରିବାକୁ ଲାଗିଲେ । ସେ କାଠ ହାଣିବା, ବାସନ ମାଜିବା, ଘାସ କାଟିବା, ରନ୍ଧନ କରିବା ଇତ୍ୟାଦି ଯାବତୀୟ କାର୍ଯ୍ୟ କରି ଓ ପ୍ରତ୍ୟହ ସାଧୁଙ୍କର ଅକଥ୍ୟ ବାକ୍ୟବାଣ ସହ୍ୟ କରି ତାଙ୍କର କୃପା ଆକର୍ଷଣ କରିବାକୁ ଚେଷ୍ଟା କଲେ।

ଆଶ୍ରମରେ ଆହାର୍ଯ୍ୟ ଥିଲା ଖଟା ଆଉ ମିଠା ସହିତ ରୁଟି । ଗୋରୁ ଯେପରି କୁଣ୍ଡା ଖାଆନ୍ତି, ସେହିପରି କୁଣ୍ଡାରେ ଏ ରୁଟି ତିଆରି ହୁଏ । ଖଟା ଅର୍ଥାତ୍ ଲଙ୍କାର ତୀବ୍ର ରାଗ ସହିତ ଖଟା ମିଠା ଅର୍ଥାତ୍ ଘୋଳ ଦହି । ଏହା ବ୍ୟତୀତ ଅନ୍ୟ କୌଣସି ପ୍ରକାର ଆହାର୍ଯ୍ୟ ବ୍ୟବସ୍ଥା ସେଠାରେ ନଥିଲା । ଜଣେ ବିଳାସୀ ବଙ୍ଗାଳୀ ଯୁବକଙ୍କ ପକ୍ଷରେ ଏପରି କଠୋର ଜୀବନଯାପନରେ ଅଭ୍ୟସ୍ତ ହେବା ଯେ କି କଷ୍ଟସାଧ୍ୟ, ତାହା ଆଧୁନିକ ସନ୍ନ୍ୟାସୀ, ବ୍ରହ୍ମଚାରୀ ଓ ଗୃହସ୍ଥମାନଙ୍କର ଚିନ୍ତା କରିବାର ବିଷୟ।

ରନ୍ଧନ

ସଚ୍ଚିଦାନନ୍ଦ ଶିଷ୍ୟମାନଙ୍କ ଭିତରେ ନଳିନୀକାନ୍ତ ଏକମାତ୍ର ବ୍ରହ୍ମଚାରୀ ସେବକ ଥିବାରୁ ଅନେକ ସମୟରେ ତାଙ୍କୁ ରନ୍ଧନ କରିବାକୁ ପଡୁଥିଲା । ଦିନେ ନଳିନୀକାନ୍ତ ଚୁଲୀରେ ଭାତ ବସାଇଦେଇ ସଚ୍ଚିଦାନନ୍ଦଙ୍କ ବ୍ରହ୍ମଜ୍ୟୋତି ଉଭାସିତ ମୁଖମଣ୍ଡଳ ପ୍ରତି ଦୂରରୁ ନିର୍ନିମେଷ ନୟନରେ ଚାହିଁ ରନ୍ଧନ କଥା ଭୁଲିଗଲେ। ତେଣେ ଭାତ ପୋଡ଼ି ଗନ୍ଧ ବାହାରିଲା। ଏହା ଦେଖି ସଚ୍ଚିଦାନନ୍ଦ ତାଙ୍କୁ ନାନା ଅକଥା ଭାଷାରେ ଗାଳି ଦେଲେ। ନଳିନୀକାନ୍ତ କିଛି ଉତ୍ତର ନଦେଇ ମନେ ମନେ ଭାବିଲେ,”କାହିଁକି ଏପରି ହେଲା ବୁଝନ୍ତ କି ?”

ଘାସକଟା ଓ କାଠହଣା

କିଛି ଦିନ ପରେ ତାଙ୍କୁ ଆଶ୍ରମର ଗୋରୁମାନଙ୍କ ପାଇଁ ଘାସ କାଟିବାକୁ ଆଦେଶ ହେଲା । ପାହାଡିଆ ଘାସ ଭିତରେ ବଡ଼ ବଡ଼ ଜୋକ ଥାଆନ୍ତି। ନଳିନୀକାନ୍ତଙ୍କର ଜୋକ ପ୍ରତି ବଡ଼ ଭୟ ଥାଏ । ସେ ଦିନେ ବିଚାର କଲେ ଜୋକ ପ୍ରତି ଏତେ ଭୟ କାହିଁକି ? ସେ ତା ମୋତେ ଖାଇଯିବେ ନାହିଁ ? ଏହା ଭାବି ସେ କେତୋଟି ଜୋକ ଆଣି ନିଜ ଦେହରେ ଲଗାଇ ବସି ରହିଲେ । ଏହିପରି କ୍ରମେ ଜୋକ ଭୟ ଦୂର ହେଲା । ଯେଉଁଦିନଠାରୁ ତାଙ୍କର ଏ ଭୟ ଦୂର ହୋଇଛି, ସେହିଦିନଠାରୁ ତାଙ୍କ ଉପରେ ଘାସ କଟା ପରିବର୍ତ୍ତେ କାଠ ହାଣିବା ଭାର ପଡିଲା । ନଳିନୀକାନ୍ତ ଉକ୍ତ କାର୍ଯ୍ୟରେ ମଧ୍ୟ ମନୋନିବେଶ କଲେ। ଦିନେ କୁଠାର ଆଘାତରେ ତାଙ୍କର ଗୋଡ଼ କଟିଯାଇ ରକ୍ତଧାର ପ୍ରବାହିତ ହେଲା । ସେହିଦିନଠାରୁ କାଠହଣା କାର୍ଯ୍ୟ ମଧ୍ୟ ବନ୍ଦ ହେଲା।

ପିତୁଳା ମାଜିବା

ଏହା ପରେ ପିତୁଳା ମାଜିବା କାର୍ଯ୍ୟ ତାଙ୍କ ଉପରେ ପଡ଼ିଲା । ସଚ୍ଚିଦାନନ୍ଦ ବୈଦାନ୍ତିକ ସାଧୁ ହୋଇ ମଧ୍ୟ ଅନେକ ପିତୁଳା ପୂଜା କରୁଥିଲେ। ନଳିନୀକାନ୍ତ ବୈଦାନ୍ତିକ ପିତୁଳା ମାନନ୍ତି ନାହିଁ । ସେ ସଚ୍ଚିଦାନନ୍ଦଙ୍କ ପିତୁଳା ପୂଜାକୁ ଘୃଣା ଚକ୍ଷୁରେ ଦେଖନ୍ତି ଓ ଅଶ୍ରଦ୍ଧାର ସହିତ ପୂଜାଦି କରନ୍ତି ।

ନଳିନୀକାନ୍ତଙ୍କ ପୂଜା ବେଳେ ଏପରି ଭାବ ଦେଖି ସଚ୍ଚିଦାନନ୍ଦ ତାଙ୍କୁ ସାବଧାନ କରିଦେଇ ଦେବତାଙ୍କ ପୂଜା ଏପରି ଅଶ୍ରଦ୍ଧା ଭାବରେ କରିବାକୁ ନିଷେଧ କଲେ। ସେଥିରେ ନଳିନୀକାନ୍ତ ଉତ୍ତର କଲେ, “ଏ ମୂର୍ତ୍ତି ତ ଗୋଟିଏ ଧାତୁ ନିର୍ମିତ ମୂର୍ତ୍ତି । ଏହାକୁ ଦେବତା କିପରି କୁହାଯିବ ? ଧାତୁ ମୂର୍ତ୍ତିର ତ ପ୍ରାଣ ନାହିଁ ।” ଏକଥା ଶୁଣି ସଚ୍ଚିଦାନନ୍ଦ କ୍ରୋଧରେ ଅନେକ ଅକଥ୍ୟ ଭାଷାରେ ଗାଳି ଦେବାକୁ ଲାଗିଲେ ।

ସଚ୍ଚିଦାନନ୍ଦ ସ୍ଵାମୀ ଚାଲିଯିବା ପରେ ନଳିନୀକାନ୍ତ ଉକ୍ତ ମୂର୍ତ୍ତିଟିକୁ ଆସନରୁ ଟାଣି ଆଣି ମୂର୍ତ୍ତିର ଦୁଇ ଗାଲରେ ଦୁଇଟି ଚଟକଣା ବସାଇ ଦେଇ କହିଲେ, ” ତୋ ସକାଶେ ସିନା ମୁଁ ଏତେ ଗାଳି ଖାଇଲି !”

ସଚ୍ଚିଦାନନ୍ଦ କେଉଁଠାରେ ଥିଲେ କେଜାଣି, ହଠାତ୍ ଆସି କହିଲେ , “ଆରେ ତୁ ପରା କହୁଥିଲୁ ସେ ମୂର୍ତ୍ତିରେ ପ୍ରାଣ ନାହିଁ ? ପ୍ରାଣ ନାହିଁ ତ କଥା କହୁଥିଲୁ କାହା ସହିତ ? ଉଭୟ ହସି ହସି ପ୍ରସ୍ଥାନ କଲେ।

ଧୂନି ସଜାଡ଼ିବା

ସଚ୍ଚିଦାନନ୍ଦ ସ୍ବାମୀଙ୍କର ସର୍ବଦା ଧୂନି ଜାଳିବା ଅଭ୍ୟାସ ଥାଏ । ପଶ୍ଚିମା ସାଧୁ ଧୂନିକୁ ବଡ଼ ପବିତ୍ର ମନେ କରନ୍ତି । ଧୂନିରେ ସେମାନେ ଦୁଧ ଗରମ କରନ୍ତି, ଗଞ୍ଜେଇ ଖାଆନ୍ତି, ରୁଟି ସେକନ୍ତି । ତଥାପି ସେମାନଙ୍କର ସଂସ୍କାର ଯେ ସେମାନେ ଧୂନିକୁ ପବିତ୍ର ମନେକରି ପୂଜା କରନ୍ତି ।

ସଚ୍ଚିଦାନନ୍ଦଙ୍କର ନିୟମ ଥିଲା, ଧୂନି କାଠକୁ କେହି ଡେଇଁବେ ନାହିଁ । କିନ୍ତୁ ନଳିନୀକାନ୍ତ ବଙ୍ଗାଳୀ ଯୁବକ, ପ୍ରଥମ ଜୀବନରେ ନାସ୍ତିକ ଥିଲେ, ବର୍ତ୍ତମାନ ମଧ୍ଯ ବୈଦାନ୍ତିକ ଜ୍ଞାନୀ — ସେ ଏସବୁ କଥା ମୋଟେ ମାନନ୍ତି ନାହିଁ ।

ଦିନେ ହଠାତ୍ ଧୂନି କାଠରେ ତାଙ୍କର ଗୋଡ଼ ବାଜିଗଲା । ସେଦିନ ଗୁରୁଦେବ ତାଙ୍କୁ ଖୁବ୍ ତିରସ୍କାର କଲେ । ଦ୍ଵିତୀୟ ଦିନ ପୁଣି ଗୋଡ଼ ବାଜିଲା । ସେଦିନ ମଧ୍ୟ ସଚ୍ଚିଦାନନ୍ଦ ତିରସ୍କାର କରିବାକୁ ଛାଡିଲେ ନାହିଁ। ପୁନର୍ବାର ତୃତୀୟ ଦିନ ଗୋଡ଼ ବାଜିବାକ୍ଷଣି ସଚ୍ଚିଦାନନ୍ଦ ଅଗ୍ନିଶର୍ମା ହୋଇ ଚିମୁଟା ଉତ୍ତୋଳନ କରି କହିଲେ,”ପୁଣି ଏପରି କଲେ ଗୋଡ଼ ଭାଙ୍ଗି ଦେବି ।” ଏଥର ନଳିନୀକାନ୍ତ ସାବଧାନ ହୋଇଗଲେ ।

ସଚ୍ଚିଦାନନ୍ଦଙ୍କର ବ୍ୟବହାର

ଏହିପରି ଅକାତର ଭାବରେ କର୍କଶ ବ୍ୟବହାର ସହ୍ୟ କରିବାର ଦେଖି ନଳିନୀକାନ୍ତଙ୍କ ପ୍ରତି ସଚ୍ଚିଦାନନ୍ଦ ସ୍ବାମୀଙ୍କର ମନ କ୍ରମେ ସ୍ନେହଶୀଳ ହୋଇ ଆସିଲା । ସଚ୍ଚିଦାନନ୍ଦ ଅଶ୍ଳୀଳ ଭାଷାରେ ଗାଳି ଦେଲା ବେଳେ ନଳିନୀକାନ୍ତଙ୍କୁ ବଡ଼ କଷ୍ଟ ବୋଧ ହୁଏ । ନଳିନୀକାନ୍ତ ଭାବନ୍ତି, ଯେଉଁମାନେ ସାଧୁ ଓ ମହାପୁରୁଷ, ସେମାନଙ୍କର ଭାଷା ଏତେଦୂର କଦର୍ଯ୍ୟ ବା କିପରି ହୋଇପାରେ ? ଏହା ଭାବି ସେ ଆଶ୍ରମ ଜୀବନ ଯାପନ କରିବାକୁ ଇଚ୍ଛା କଲେ ନାହିଁ ।

କେବଳ ଏହି ଅଶ୍ଳୀଳ ଭାଷା ଯୋଗୁ ଆଶ୍ରମ ତ୍ୟାଗ କରି ଚାଲିଯିବାକୁ ଇଚ୍ଛା ପ୍ରକାଶ କରିବାରୁ ସଚ୍ଚିଦାନନ୍ଦଙ୍କର ଅନ୍ୟତମ ଶିଷ୍ୟ ନଳିନୀକାନ୍ତଙ୍କୁ ନାନାପ୍ରକାର ଆଶ୍ଵାସନା ଦେଇ କହିଲେ,”ଦେଖ ଭାଇ; ସନ୍ନ୍ୟାସୀ ହେବାକୁ ହେଲେ ଜୀବତ୍ୱକୁ ବଳି ଦେବାକୁ ହେବ। ଅର୍ଥାତ୍ ଆଶ୍ରମ ଜୀବନ ଯାପନ କରି ସନ୍ନ୍ୟାସୀ ବଞ୍ଚିରହିବ ସତ, କିନ୍ତୁ ତାହାର ଜୀବତ୍ଵ କିଛି ରହିବ ନାହିଁ । ସେହି ହେତୁ ସନ୍ନ୍ୟାସୀମାନଙ୍କ ପ୍ରତି ଏ କଠୋର ବ୍ୟବସ୍ଥା ।”

ଏହି ବ୍ରହ୍ମାନନ୍ଦ ସ୍ଵାମୀ — ଯେକି ପରବର୍ତ୍ତୀ ଜୀବନରେ ବ୍ରହ୍ମାନନ୍ଦ ପରମହଂସ ବୋଲି ପରିଚିତ ହୋଇ ‘ବ୍ରହ୍ମାନନ୍ଦୀ ଭଜନ’ ପ୍ରଭୃତି ଅନେକ ଧର୍ମ ପୁସ୍ତକ ଲେଖି ହିନ୍ଦୁସ୍ଥାନରେ ପ୍ରାୟ ପ୍ରତ୍ୟେକଙ୍କ ନିକଟରେ ପରିଚିତ — ତାଙ୍କ ଉପଦେଶରେ ନଳିନୀକାନ୍ତ ଟିକିଏ ସ୍ଥିର ହେଲେ । ମାତ୍ର ତାଙ୍କର ମନ ଏଥିରେ ପୁରା ବୁଝିଲା ନାହିଁ। ନଳିନୀକାନ୍ତ ଭାବିଲେ, ଜୀବର ଜୀବତ୍ୱ ନାଶ କରିବାକୁ ହେଲେ ଯେ ଅକଥ୍ୟ ଭାଷାରେ ଗାଳି ସହିବାକୁ ହେବ, ଏ କିପରି କଥା ? ଏହିପରି ସମୟରେ ସେ ଦିନେ ସଚ୍ଚିଦାନନ୍ଦ ସ୍ଵାମୀଙ୍କ ପୂର୍ବାଶ୍ରମ କଥା ଜାଣିବାକୁ ପାଇଲେ। ( କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Join the Conversation

3 Comments

  1. ନଳିନୀକାନ୍ତ ଙ୍କ ସମ୍ପର୍କ ରେ ଯେତିକି ପଢୁଛି ଆହୁରି ବ୍ୟଗ୍ର ହେଉଛି ମନ ତାଙ୍କ ସମ୍ପର୍କରେ ଜାଣିବା ପାଇଁ।ଲେଖା ଚମତ୍କାର। ଖୁବ୍ ଜୀବନ୍ତ ଲାଗୁଛି ବର୍ଣ୍ଣନା। ନମସ୍କାର।

    1. Thanks
      Please keep reading .
      ଆପଣଙ୍କ ପରି ନ୍ଯାୟପ୍ରିୟ ଶୁଦ୍ଧାତ୍ମାମାନଙ୍କ ନିମନ୍ତେ ଏହା ପଢିବା ଅତ୍ଯନ୍ତ ଆବଶ୍ଯକ।

Leave a comment

Your email address will not be published. Required fields are marked *

Verified by MonsterInsights