ଜୀବନ ବେଦ – ୧୬ : ସଂସାର ତ୍ଯାଗ

Share it

24th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୬

ବାମାକ୍ଷେପା ଉତ୍ତର ଦେଲେ, “ବତ୍ସ, ତୋତେ ଶଙ୍କର ସମ୍ପ୍ରଦାୟ ଭୁକ୍ତ ସନ୍ନ୍ୟାସୀ ହେବାକୁ ପଡ଼ିବ । ମୁଁ ଅବଧୂତ ସନ୍ନ୍ୟାସୀ; ସୁତରାଂ ମୋ ଦ୍ଵାରା ଏହା ହୋଇପାରିବ ନାହିଁ । ତୁ ଜ୍ଞାନୀ ଗୁରୁ ଅନୁସନ୍ଧାନ କର । ଅଚିରେ ତୋର ମନୋବାସନା ପୂର୍ଣ୍ଣ ହେବ ।

ତାନ୍ତ୍ରିକ ଗୁରୁଙ୍କ ନିର୍ଦ୍ଦେଶ

ନଳିନୀକାନ୍ତ ବାମାକ୍ଷେପାଙ୍କୁ ପ୍ରାଣର ବ୍ୟାକୁଳତାସବୁ ଜଣାଇ ପ୍ରଶ୍ନ କଲେ, ‘ଗୁରୁଦେବ, ମୁଁ ପ୍ରତ୍ୟକ୍ଷରେ ଦେଖିଲି, ତାରା ଦେବୀଙ୍କର ଜନ୍ମ ମୋ ଦେହରୁ ହେଲା । ତେବେ ମୁଁ କିଏ ଓ ମୋର ସ୍ଵରୂପ କଣ ପ୍ରକାଶ କରନ୍ତୁ ।”

ନଳିନୀକାନ୍ତଙ୍କ ମୁଖରୁ ଈଶ୍ୱର ବାକ୍ୟ ଶ୍ରବଣ କରି ବାମାକ୍ଷେପା କ୍ଷିପ୍ତ ହୋଇ ରୁଦ୍ରରୁପ ଧାରଣ କଲେ । ନେତ୍ରଦ୍ବୟ ଜବାପୁଷ୍ପ ପରି ରଞ୍ଜିତ ହୋଇଉଠିଲା। ବାମାକ୍ଷେପାଙ୍କ ମୁଖମଣ୍ଡଳ ପ୍ରଳୟଙ୍କର ମେଘ ପରି ଗାଢ଼ ଅନ୍ଧକାରମୟ ହୋଇଗଲା। ରୁକ୍ଷ ସ୍ଵରରେ ଭୟଙ୍କର ଚିତ୍କାର କରି କଦର୍ଯ୍ୟ ଭାଷାରେ ସେ କହିଲେ, ‘ହତଭାଗା, ମହାଶକ୍ତିଙ୍କ ଜନ୍ମ ତୋଠାରୁ ?” ବାମାକ୍ଷେପାଙ୍କର ଏହି ଚିତ୍କାରରେ ତାରା ମନ୍ଦିର କମ୍ପିଉଠିଲା । ବାମାକ୍ଷେପା ଅତ୍ୟନ୍ତ ବିରକ୍ତ ହୋଇ ସେ ସ୍ଥାନ ଛାଡି ତାରାମନ୍ଦିରକୁ ଚାଲିଗଲେ । ଏଥିରେ ନଳିନୀକାନ୍ତ ବିନ୍ଦୁମାତ୍ର ଭୀତ ବା ବିଚଳିତ ହେଲେ ନାହିଁ । ଯେଉଁ ପ୍ରଶ୍ନ ତାଙ୍କ ଭିତରେ ଜାଗିଉଠିଛି, ତହିଁର ସମାଧାନ କରିବାକୁ ହେଲେ ଯେତେ ବିପଦ ପଡୁ ପଛକେ ସହ୍ୟ କରିବାକୁ ହେବ ବୋଲି ସ୍ଥିର କରି ନଳିନୀକାନ୍ତ ଦୃଢତା ଅବଲମ୍ବନ କଲେ।

ବାମାକ୍ଷେପା ପରଦିନ ପ୍ରତ୍ୟୁଷରେ ନଳିନୀକାନ୍ତଙ୍କ ନିକଟକୁ ପୁଣି ଆସି କହିଲେ , “ମା ତାରା ଦେବୀଙ୍କୁ ତୋ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଛି । ତତ୍ତ୍ୱଜ୍ଞାନ ଲାଭ କରିବାକୁ ହେଲେ ତୋତେ ସନ୍ନ୍ୟାସ ଗ୍ରହଣ କରିବାକୁ ହେବ । ଏ ପଥରେ ତତ୍ତ୍ଵଜ୍ଞାନ ଲାଭ ହେବ ନାହିଁ ।”

ନଳିନୀକାନ୍ତ ହୃଷ୍ଟଚିତ୍ତରେ କହିଲେ, “ତାହା ହେଲେ ମୋତେ ସନ୍ନ୍ୟାସ ଦିଅନ୍ତୁ ।”

ବାମାକ୍ଷେପା ଉତ୍ତର ଦେଲେ, “ବତ୍ସ, ତୋତେ ଶଙ୍କର ସମ୍ପ୍ରଦାୟ ଭୁକ୍ତ ସନ୍ନ୍ୟାସୀ ହେବାକୁ ପଡ଼ିବ । ମୁଁ ଅବଧୂତ ସନ୍ନ୍ୟାସୀ; ସୁତରାଂ ମୋ ଦ୍ଵାରା ଏହା ହୋଇପାରିବ ନାହିଁ । ତୁ ଜ୍ଞାନୀ ଗୁରୁ ଅନୁସନ୍ଧାନ କର । ଅଚିରେ ତୋର ମନୋବାସନା ପୂର୍ଣ୍ଣ ହେବ । ମାଆ ତୋ ଦ୍ଵାରା ବହୁତ୍ କାର୍ଯ୍ୟ କରାଇବେ ।”

ଏହା କହି ବାମାକ୍ଷେପା ଶିଷ୍ୟଙ୍କୁ ସଙ୍ଗରେ ଧରି ନାନାଆଡେ ବୁଲାଇ କିପରି ଗୁରୁଲାଭ ହେବ, ମା’ ତାଙ୍କ ଦ୍ଵାରା କି କି ବିଷୟ କରାଇ ନେବାକୁ ଚାହାନ୍ତି ଓ ତାଙ୍କର ଭବିଷ୍ୟତ ଜୀବନ ବିଷୟରେ ଅନେକ ଗୁପ୍ତ କଥା କହିଲେ, ଯାହା କି ନଳିନୀକାନ୍ତଙ୍କ ପରବର୍ତ୍ତୀ ଜୀବନରେ ସଫଳ ହେଲା ।

ସଂସାର ତ୍ୟାଗ

ବାମାକ୍ଷେପାଙ୍କ ନିକଟରୁ ବିଦାୟ ନେଇ ନଳିନୀକାନ୍ତ କୁମିରା ଫେରିଆସି ଚାକିରୀରୁ ଇସ୍ତଫା ଦେଇଦେଲେ ଏବଂ ପିତା, ଭ୍ରାତା ପ୍ରଭୃତି ଆତ୍ମୀୟସ୍ଵଜନମାନଙ୍କୁ କିଛି ନ ଜଣାଇ କାଶୀ ଧାମକୁ ଯାତ୍ରା କଲେ ।

‘ମୁଁ କିଏ ‘– ଏହି ତଥ୍ୟାର ତତ୍ତ୍ଵ ଉଦ୍ଘାଟନ କରିବା ସକାଶେ ସେ ପାଗଳ ପ୍ରାୟ ହୋଇଥିଲେ । ସୁତରାଂ କୌଣସି ସାଂସାରିକ ବନ୍ଧନ ତାଙ୍କୁ ସଂକଳ୍ପଚ୍ୟୁତ କରିପାରିଲା ନାହିଁ । ମାତ୍ର ଏ ସମ୍ବାଦ ପାଇ ଆତ୍ମୀୟସ୍ଵଜନମାନେ ଅତ୍ୟନ୍ତ ଅଧୀର ହୋଇପଡିଲେ । ପିତା ଭୁବନମୋହନଙ୍କ ମସ୍ତକରେ ଯେପରିକି ବଜ୍ରପାତ ହେଲା । ପୁତ୍ରର ଶାନ୍ତ ସ୍ଵଭାବ, ମଧୁର ବ୍ୟବହାର, ପିତାଙ୍କ ପ୍ରତି ଅଚଳା ଭକ୍ତି ଗୋଟିକ ପରେ ଗୋଟିଏ ତାଙ୍କ ଆଖି ଆଗରେ ଭାସି ଉଠିଲା। ପୁତ୍ର ସନ୍ନ୍ୟାସ ଜୀବନର କଠୋରତା କିପରି ସହ୍ୟ କରିବା ଏ କଥା ଭାବି ପିତାଙ୍କର କୋମଳ ହୃଦୟ ଅସହ୍ୟ ବେଦନାରେ ମୁହ୍ୟମାନ ହେଲା । ବୃଦ୍ଧ ବାଳକ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଆତ୍ମୀୟସ୍ଵଜନମାନେ ବୃଦ୍ଧଙ୍କୁ ନାନାପ୍ରକାର ସାନ୍ତ୍ଵନା ଦେଲେ ଓ ନଳିନୀକାନ୍ତଙ୍କ ସନ୍ଧାନ ନେବାକୁ ଚାରିଆଡ଼କୁ ଲୋକ ପଠାଇଲେ।

କାଶୀ ଯାତ୍ରା

କାଶୀଧାମରେ ଉପସ୍ଥିତ ହୋଇ ନଳିନୀକାନ୍ତ ଶଙ୍କର ସମ୍ପ୍ରଦାୟ ଭୁକ୍ତ ସନ୍ନ୍ୟାସୀମାନଙ୍କ ସହିତ ସନ୍ନ୍ୟାସର ସାର୍ଥକତା ସମ୍ବନ୍ଧରେ ଆଲୋଚନା କଲେ । ସେତେବେଳ କାଶୀରେ କୃଷ୍ଣାନନ୍ଦ ସ୍ଵାମୀଙ୍କ ପ୍ରଭାବ ଓ ପ୍ରତିପତ୍ତି ଖୁବ୍ ବେଶୀ । ନଳିନୀକାନ୍ତ ତାଙ୍କ ସହିତ ପରିଚିତ ହୋଇ ସନ୍ନ୍ୟାସ ଗ୍ରହଣ କରିବା ସମ୍ବନ୍ଧରେ ଆଲୋଚନା କରିବାକୁ ଲାଗିଲେ। କୃଷ୍ଣାନନ୍ଦ ସ୍ଵାମୀ ନଳିନୀକାନ୍ତଙ୍କୁ ବିଶେଷ ସ୍ନେହ କଲେ ଏବଂ ତାଙ୍କ ଭିତରେ ଅସାମାନ୍ୟ ପ୍ରତିଭା ଥିବାର ବ୍ୟକ୍ତ କଲେ । ଠିକ୍ ଏହି ସମୟରେ ନଳିନୀକାନ୍ତ ଜାଣିପାରିଲେ ଯେ, ତାଙ୍କର ଆତ୍ମୀୟସ୍ଵଜନ ତାଙ୍କୁ କାଶୀଧାମରେ ଖୋଜୁଛନ୍ତି। ସୁତରାଂ ତାଙ୍କ ପକ୍ଷରେ ଆଉ କାଶୀରେ ରହିବା ଯୁକ୍ତି ଯୁକ୍ତ ବୋଧ ନ ହେବାରୁ ସେଠାରୁ ସେ ବୃନ୍ଦାବନ ଯାତ୍ରା କଲେ ।

ଯାଦୁବିଦ୍ୟା ଶିକ୍ଷା

ବୃନ୍ଦାବନକୁ ଆସି ନଳିନୀକାନ୍ତ ଜଣେ ବୈଷ୍ଣବ ବାବାଜୀଙ୍କ ଘରେ ଆଶ୍ରୟ ନେଇ ଗୁରୁ ଅନ୍ଵେଷଣରେ ପ୍ରବୃତ୍ତ ହେଲେ । ଯୁବକ ବୟସ, ସୁନ୍ଦର ସୁଶ୍ରୀଯୁକ୍ତ ଶରୀର; ଏଥିରେ ସାଧୁମାନଙ୍କ ଦୃଷ୍ଟି ତାଙ୍କ ଆଡ଼କୁ ଆକୃଷ୍ଟ ହେଲା । ପ୍ରକୃତ ଜ୍ଞାନୀଗୁରୁଙ୍କ ସନ୍ଧାନ ବୃନ୍ଦାବନରେ ମଧ୍ୟ ମିଳିଲା ନାହିଁ। ତଥାକଥିତ ସାଧୁମାନେ ନାନା ପ୍ରକାର ଭୋଜିବିଦ୍ୟା, ଯାଦୁ ବିଦ୍ୟା, ରୋଗିନିରାମୟକାରୀ ମନ୍ତ୍ରାଦି, ତପ୍ତତୈଳରେ ହସ୍ତପଦ ବୁଡ଼ାଇବା, ପାଉଁଶକୁ ଚିନିରେ ପରିଣତ କରାଇବା, ଲୁହାକୁ ସୁନାର ରୂପ ଦେବା , ଅଗ୍ନି ନିର୍ବାପିତ କରିବା, ସର୍ପଦଂଶନ ନିଷ୍ଫଳ କରିବା, ବୃକ୍ଷଶିର ଅବନତ କରିବା ପ୍ରଭୃତି କୌଶଳମାନ ଉପଯାଚକ ହୋଇ ତାଙ୍କୁ ଶିକ୍ଷାଦେବାକୁ ଲାଗିଲେ। ନଳିନୀକାନ୍ତ ମଧ୍ୟ କୌତୁହଳପରବଶ ହୋଇ ଏସବୁ ଶିକ୍ଷା କଲେ; କିନ୍ତୁ ପରେ ଏଥିପ୍ରତି ତାଙ୍କର ଧିକ୍କାର ଆସିଲା । ସେ ମନରେ ଭାବିଲେ, “କାହିଁକି ଏଗୁଡ଼ିକ ଶିକ୍ଷା କଲି ? ଏହା ସହିତ ଆଧ୍ୟାତ୍ମତତ୍ତ୍ଵର ସମ୍ବନ୍ଧ ବା କଣ ?”

ଏହିପରି ସମୟରେ ଦିନେ ତାଙ୍କର ଆଶ୍ରୟଦାତା ବୈଷ୍ଣବ ବାବାଜୀ ନଳିନୀକାନ୍ତଙ୍କୁ ଡାକିନେଇ ତାଙ୍କ ସହିତ ନିଜର ଅବିବାହିତା କନ୍ୟାଟିକୁ ବିବାହ ଦେବାକୁ ଇଚ୍ଛା ପ୍ରକାଶ କଲେ । ନଳିନୀକାନ୍ତ ବାବାଜୀଙ୍କ ଉକ୍ତ ଅଯାଚିତ ଦାନ ଗ୍ରହଣ କରିବାକୁ ଅନିଚ୍ଛୁକ ହୋଇ ସେଠାରୁ ପଳାଇ ଆସିଲେ । ( କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights