23rd July 2024
ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୫
ପତ୍ନୀରୂପା ମହାଶକ୍ତିଙ୍କ ସହିତ ପ୍ରେମାଳାପ
ସିଦ୍ଧି ଲାଭ ପରେ ଦିନେ ଦୁଇ ଦିନ ବାମାକ୍ଷେପାଙ୍କ ନିକଟରେ ଅବସ୍ଥାନ କରି ତାଙ୍କ ନିକଟରୁ ବିଦାୟ ନେଇ ନଳିନୀକାନ୍ତ କର୍ମସ୍ଥଳ କୁମିରାକୁ ପୁଣି ପ୍ରତ୍ୟାବର୍ତ୍ତନ କଲେ। ଅନ୍ତଃସଲିଳା ଫଲ୍ଗୁ ନଦୀ ପରି ବାହାରେ କର୍ମର ବାହ୍ୟିକ ଆବରଣ ଥିଲେ ହେଁ ତାଙ୍କ ଅନ୍ତରରେ ଅଫୁରନ୍ତ ଆନନ୍ଦ ପ୍ରବାହିତ ହେବାକୁ ଲାଗିଲା । ନଳିନୀକାନ୍ତ ଦୈନନ୍ଦିନ କାର୍ଯ୍ୟ ଶେଷ କଲା ପରେ ଅବକାଶ ମିଳିଲାକ୍ଷଣି ତାଙ୍କର ନିର୍ଜନ ଗୃହରେ ମନୋମୟୀ ମୂର୍ତ୍ତିକୁ ସ୍ମରଣ କରିବା ମାତ୍ରେ ମା ତାଙ୍କ ସମ୍ମୁଖରେ ଆବିର୍ଭୂତ ହୁଅନ୍ତି । ପ୍ରଥମେ ପ୍ରଥମେ ପରୀକ୍ଷା କରିବାକୁ ନିର୍ଜନ ଗୃହ ଭିତରେ ଦିନ ମଧ୍ୟରେ ଦୁଇ ତିନି ଥର ସ୍ମରଣ କରି ନଳିନୀକାନ୍ତ ତାଙ୍କ ସହିତ ଆନନ୍ଦରେ କାଳ ଯାପନ କରିବାକୁ ଲାଗିଲେ ।
ନଳିନୀକାନ୍ତଙ୍କର ନବୀନ ବୟସ, ନୂତନ ଉତ୍ସାହ — ସେଥିରେ ପୁଣି ସେ ତାନ୍ତ୍ରିକ ସିଦ୍ଧି ଲାଭ କରିଛନ୍ତି । ଜଗଦ୍ଧାତ୍ରୀ ବିଶ୍ଵନିୟନ୍ତ୍ରି ନଳିନୀକାନ୍ତଙ୍କୁ ସ୍ଵାମୀ ଭାବରେ ବରଣ କରି ତାନ୍ତ୍ରିକ ମାନଙ୍କ ମଧ୍ୟରେ ଅଭିନବ ଓ ବରଣୀୟ ଆସନ ପ୍ରଦାନ କରିଛନ୍ତି; ସୁତରାଂ ନୂତନ ଭାବର ଚାଞ୍ଚଲ୍ୟରେ ନଳିନୀକାନ୍ତଙ୍କର ବାହ୍ୟକ ଆକୃତି – ପ୍ରକୃତିରେ ମଧ୍ୟ ପରିବର୍ତ୍ତନ ଦେଖାଗଲା ।
ପତ୍ନୀ ରୂପରେ ଦେବୀ ଦେଖାଦେବାରୁ ନଳିନୀକାନ୍ତଙ୍କ ମନରେ କ୍ରମେ କ୍ରମେ ସ୍ୱାମିଭାବ ଜାଗିଉଠିଲା । ଠିକ୍ ପତ୍ନୀ ସୁଧାଂଶୁବାଳାଙ୍କର ଆକୃତି। ସେହି ପ୍ରକୃତି, ସେହି ବୟସ, ସେହି ଚାହାଁଣି, ସେହି ହସ, ସେହି ପଦକ୍ଷେପ, ସେହି ଅଙ୍ଗଭଙ୍ଗୀ ସବୁ ଏକା ପ୍ରକାର । ଗୋଟିଏ ଶଯ୍ୟା ଉପରେ ଉଭୟ ବସି ଅଫୁରନ୍ତ ଅର୍ଥହୀନ କଥାବାର୍ତ୍ତାରେ ସମୟ ଅତିବାହିତ କରିବାକୁ ଲାଗିଲେ । ମହାମାୟାଙ୍କୁ ନଳିନୀକାନ୍ତ ସ୍ତ୍ରୀ ଭାବରେ ଦେଖିବାକୁ ପାଇଲେ। କିନ୍ତୁ ସ୍ତ୍ରୀ ମୂର୍ତ୍ତି ନିକଟରେ ତତ୍ତ୍ଵାଲୋଚନା କରିବାକୁ ଲଜ୍ଜାବୋଧ ହେବାରୁ ସେ ତତ୍ତ୍ଵ କଥା ପଚାରି ପାରିଲେ ନାହିଁ।
କ୍ରମେ ଏପରି ହେଲା ଯେ, ମୂର୍ତ୍ତି ସମ୍ବନ୍ଧରେ ଟିକିଏ ଚିନ୍ତା କଲା କ୍ଷଣି ଦେବୀ ଆବିର୍ଭୁତା ହୋଇ ପ୍ରେମାଳାପ କରିବାକୁ ଲାଗିଲେ। ଅବଶେଷରେ ନଳିନୀକାନ୍ତଙ୍କର ଏହି ମୂର୍ତ୍ତିକୁ ଧରି କୋଳ କରିବାକୁ ଇଚ୍ଛା ହେଲା । ଦିନେ ଅବଶେଷରେ ନଳିନୀକାନ୍ତ ଉକ୍ତ ମୂର୍ତ୍ତିକୁ ଧରି କୋଳକୁ ନେବାକୁ ଚେଷ୍ଟା କଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଧରିବାକୁ ଯିବାକ୍ଷଣି ଉକ୍ତ ମୂର୍ତ୍ତି ନିକଟକୁ ଆସି ନଳିନୀକାନ୍ତଙ୍କ ଶରୀରରେ ମିଶିଗଲା । ସେ ତତ୍ କ୍ଷଣାତ୍ ଅଜ୍ଞାନ ହୋଇପଡିଲେ । ଏହା ପରେ ମଧ୍ୟ ନଳିନୀକାନ୍ତ ଯେତେବଳେ ଇଚ୍ଛା କରନ୍ତି, ସେତେବେଳେ ମୂର୍ତ୍ତି ତାଙ୍କ ନିକଟକୁ ଆସନ୍ତି; କିନ୍ତୁ ତାଙ୍କର ଏ ପିପାସା ମେଣ୍ଟେ ନାହିଁ । ନିଜ ପ୍ରିୟ ବସ୍ତୁ ନିକଟକୁ ଆସୁଛି; କିନ୍ତୁ ଧରିବାକୁ ଗଲାକ୍ଷଣି ଧରା ଦେଉନାହିଁ — ଏ ପ୍ରକାର ବିଚିତ୍ର ବ୍ୟବହାରରେ ନଳିନୀକାନ୍ତଙ୍କ ପ୍ରାଣରେ ଯେ କି ଭୀଷଣ ବେଦନା ହେଲା, ତାହା ଅବର୍ଣ୍ଣନୀୟ।
ସ୍ୱରୂପ ସ୍ମୃତି
ସ୍ତ୍ରୀ ଭାବରେ ମହାଶକ୍ତିଙ୍କ ସହିତ ସାକ୍ଷାତ୍ କରିବା ପରେ ନଳିନୀକାନ୍ତଙ୍କର ଆନନ୍ଦ ପରିବର୍ତ୍ତେ ନିରାନନ୍ଦର ସଞ୍ଚାର ଅଧିକ ହେଲା । ସେ ଭାବିଲେ, ସ୍ତ୍ରୀ ରୂପରେ ମହାଶକ୍ତି ଆସିଲେ ମଧ୍ୟ ସ୍ୱରୁପରେ ତ ସେ ତାଙ୍କର ସ୍ତ୍ରୀ ନୁହନ୍ତି ! କାହିଁ ସହଜ ଭାବରେ ସେ ତ ତାଙ୍କୁ ପାଇଲେ ନାହିଁ ! ସାଧାରଣ ଭାବରେ ଆମେ ଯେପରି ମାଆଙ୍କ ସହିତ କଥୋପକଥନ କରୁ, ତାଙ୍କ ନିକଟକୁ ଯାଉ, ଜଗଜ୍ଜନନୀଙ୍କର ଏ ମୂର୍ତ୍ତି ସଙ୍ଗରେ ତ ସେପରି କରିହେଲା ନାହିଁ !
ଏହି ପରି ଭାବି ନଳିନୀକାନ୍ତ ଆଉ ଦେବୀଙ୍କୁ ସ୍ମରଣ କଲେ ନାହିଁ । ମାତ୍ର ମନ ଭିତରେ ସାମାନ୍ୟ ଟିକିଏ ଚିନ୍ତା ଜାଗ୍ରତ ହେଲା କ୍ଷଣି ମହାଶକ୍ତିଙ୍କର ପୂର୍ବ ପରି ତତ୍ କ୍ଷଣାତ ନୟନଗୋଚର ହେବାକୁ ଲାଗିଲା। ସେ ବିରକ୍ତି ଭାବରେ ତାଙ୍କ ଆଡ଼କୁ ଚାହିଁ ‘ଯାଅ’ ବୋଲି କହିଲାକ୍ଷଣି ଦେବୀ ଚାଲିଯାଆନ୍ତି।
ଏହିପରି ଭାବରେ କେତେ ଦିନ ଅତିବାହିତ ହେବା ପରେ ଅକସ୍ମାତ୍ ତାଙ୍କ ମନରେ ଗୋଟିଏ ଗୁରୁତର ପରିବର୍ତ୍ତନ ହେଲା । ନଳିନୀକାନ୍ତ ଭାବିଲେ, ଯେଉଁ ମହାଶକ୍ତି ସ୍ତ୍ରୀ ରୂପରେ ଦେଖାଦେଇ ମୋତେ ପ୍ରଲୁବ୍ଧ କରୁଛନ୍ତି, ସେ କିଏ ? ମୁଁ କାହିଁକି ତାଙ୍କ ରୂପମୋହରେ ଆକୃଷ୍ଟ ହୋଇ ତାଙ୍କ ଦାସତ୍ୱ ଶୃଙ୍ଖଳରେ ଆବଦ୍ଧ ହୋଇପଡୁଛି ? ଏ ତାରା ଦେବୀ କିଏ ? ମୁଁ ଦେଖୁଛି ଯେ, ମୋ ଦେହରୁ ତରଳ ଜ୍ୟୋତି ବାହାରି ତାହା ତାରା ମୂର୍ତ୍ତିରେ ପରିଣତ ହେଉଅଛି । ତେଣୁ ତାରା ଦେବୀଙ୍କ ଜନ୍ମ ମୋ ଦେହରୁ । ତେବେ ମୁଁ କିଏ ? ମୋର ସ୍ୱରୂପ ବା କଅଣ? ମୁଁ ମହାଶକ୍ତିଙ୍କ ଦର୍ଶନ ଲାଭ କଲେ ମଧ୍ୟ ମୋର ଅହଂତ୍ଵର ତ କିଛି ପରିବର୍ତ୍ତନ ହେଲା ନାହିଁ ! ମୁଁ ପୂର୍ବରୁ ଯେଉଁ ଭଳି ନଳିନୀକାନ୍ତ ଥିଲି, ସେହିଭଳି ନଳିନୀକାନ୍ତ ତ ରହିଛି ! ମୋର ତ ଅନ୍ୟ କିଛି ପରିବର୍ତ୍ତନ ହେଲା ନାହିଁ !
ଏ ତାରା ଦେବୀ କିଏ? ସେ ମୋତେ ଦର୍ଶନ ଦେବା ଦ୍ଵାରା ମୋର ତ କିଛି ମାତ୍ର ପରିବର୍ତ୍ତନ ହେଲା ନାହିଁ ! ନାକ ଫୋଡା ବଳଦଙ୍କ ପରି ମୁଁ ଏହାଙ୍କ ଦ୍ଵାରା ଚାଳିତ ହୋଇ ଚିନି ବୁହା ବଳଦ ସଦୃଶ ଚିରଦିନ ଏହାଙ୍କର ଆଜ୍ଞାଵହ ହୋଇ ମଧ୍ୟ ଏହାଙ୍କ ସ୍ୱରୂପ ଆସ୍ୱାଦନରୁ ବଞ୍ଚିତ ରହିବି ? ଏହି ମହାଶକ୍ତି ତାରାଙ୍କ ସହିତ ମୋର ନିତ୍ୟ ସମ୍ବନ୍ଧ କଣ ଅଛି ଏହା ନଜାଣିବା ପର୍ଯ୍ୟନ୍ତ ମୋର ଲେଶ ମାତ୍ର ଶାନ୍ତି ନାହିଁ । ଏହି ଭାବ କ୍ରମଶଃ ବଢ଼ିବାକୁ ଲାଗିଲା । ନଳିନୀକାନ୍ତ କିଛି ସ୍ଥିର ନକରିପାରି ବାମାକ୍ଷେପାଙ୍କ ନିକଟକୁ ପୁନର୍ବାର ଯାତ୍ରା କଲେ । ( କ୍ରମଶଃ )
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି