ଜୀବନ ବେଦ-୧୩ : ମହାଶକ୍ତିଙ୍କ ଆବିର୍ଭାବ

Share it

22nd July 2024

ଏହି ଦେବୀ ନଳିନୀକାନ୍ତଙ୍କୁ ଚାହିଁ ହସିଲେ । ଏଥିରେ ନଳିନୀକାନ୍ତଙ୍କ ମନରେ ଦ୍ଵନ୍ଦ ଓ ସନ୍ଦେହ ଉପସ୍ଥିତ ହେଲା । ସେ ତ ସ୍ତ୍ରୀଙ୍କୁ ପାଇବା ନିମିତ୍ତ ତାରାଦେବୀଙ୍କ ସାଧନା କରୁଛନ୍ତି, ତେବେ ଯେଉଁ ମୂର୍ତ୍ତି ସମ୍ମୁଖରେ ଉପସ୍ଥିତ, ସେ କଣ ତାଙ୍କର ସ୍ତ୍ରୀ ନା ଇଷ୍ଟ ଦେବୀ ତାରା ?

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୩

ମନ୍ତ୍ର ଜପ

ନଳିନୀକାନ୍ତ ସଂକଳ୍ପ କରି ହୃଦୟରେ ଇଷ୍ଟ ଦେବତାଙ୍କର ଧ୍ୟାନପୂର୍ବକ ଏକାକୀ ଏହି ଜନମାନବଶୁନ୍ୟ ମହାଶ୍ମଶାନରେ ଚିତା ଉପରେ ବସି ଗୁରୁଦେବଙ୍କର ଉପଦେଶ ଅନୁସାରେ ଜପ କରିବାକୁ ଲାଗିଲେ। କି ଭୟାବହ ଦୃଶ୍ୟ! ମହାଶ୍ମଶାନ, ଜନମାନବର କୌଣସି ଶବ୍ଦ ନାହିଁ, କେତେବେଳେ ବା ଶୃଗାଳ ଓ ନିଶାଚର ପକ୍ଷୀମାନଙ୍କର କର୍କଶ ଶବ୍ଦ ଏବଂ ଦ୍ୱାରକା ନଦୀର ମୃଦୁ ମଧୁର କୁଳୁକୁଳୁ ନାଦ ଶ୍ରୁତିଗୋଚର ହେଉଥାଏ । ଯୁବକ ସାଧକ କୃଷ୍ଣ ଚତୁର୍ଦ୍ଦଶୀର ଗାଢ଼ ଅନ୍ଧକାରରେ ଆତ୍ମସତ୍ତା ବୁଡ଼ାଇଦେଇ ଘୋର ତନ୍ମୟତା ସହିତ ଜପରେ ନିମଗ୍ନ।

ବିଭୀଷିକା ଦର୍ଶନ

ନଳିନୀକାନ୍ତ ଦୂରରୁ ଖଟ୍ ଖଟ୍ ଶବ୍ଦ ଓ ଶୃଗାଳମାନଙ୍କ କାମୁଡ଼ା କାମୁଡ଼ି ଶବ୍ଦ ପ୍ରଥମେ ଶୁଣିବାକୁ ପାଇଲେ। ଶବ୍ଦ କ୍ରମେ ନିକଟବର୍ତ୍ତୀ ହେବାକୁ ଲାଗିଲା। ଯେପରି ଖୁବ୍ ନିକଟରେ କେହି ଉଚ୍ଚ ସ୍ବରରେ ହସି ଉଠିଲା। ମନେହେଲା ବମ୍ ବମ୍ ଶବ୍ଦ କରି କିଏ ନାଚୁଛି। ନଳିନୀକାନ୍ତ ଅସ୍ଥିର ହୋଇ ଉଠିଲେ । ହିଂସ୍ରଜନ୍ତୁମାନେ ତାଙ୍କ ଶରୀରରେ ଘଷିହୋଇ ଯାଉଥିବାର ସେ ଅନୁଭବ କଲେ । ସଙ୍ଗେ ସଙ୍ଗେ ସେ ଗୁରୁ ବାମାକ୍ଷେପାଙ୍କ ‘ମା ଭୈ, ମା ଭୈ ‘ ବୋଲି ଉଚ୍ଚ ଶବ୍ଦ ଶୁଣିବାକୁ ପାଇଲେ। ସେ ଶବ୍ଦରେ ଶିଷ୍ୟଙ୍କର ବିକ୍ଷିପ୍ତ ଚିତ୍ତ ସଂଯତ ହୋଇଉଠିଲା। ପୁନରାୟ ମନ ଏକାଗ୍ର କରି ସେ ଜପ କରିବାକୁ ଆରମ୍ଭ କଲେ ।

କିଛି କ୍ଷଣ ପରେ ଆକାଶରେ ମେଘ ଗର୍ଜନର ଶବ୍ଦ ଶୁଣାଗଲା। ଚତୁର୍ଦ୍ଦିଗରୁ ଏହି ଶବ୍ଦ ଆସି ନଳିନୀକାନ୍ତଙ୍କର କର୍ଣ୍ଣକୁହର ଭେଦ କଲା । ସେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଗଗନସ୍ପର୍ଶୀ ଉଚ୍ଚ କୃଷ୍ଣକାୟ ବିରାଟ ଐରାବତ ତାଙ୍କ ଆଡ଼କୁ ଦୌଡ଼ି ଆସୁଛି । ଶ୍ୱେତଦନ୍ତ କୃଷ୍ଣାଙ୍ଗ ଭୂତ – ପ୍ରେତ ହିଁ ହିଁ କରି ହସୁଛନ୍ତି। ଦୁଗ୍ଧ ଧବଳ ନରକଙ୍କାଳମାନେ ବିକଟ ନୃତ୍ୟ ଆରମ୍ଭ କରିଛନ୍ତି। ଏହି ସ୍ଥାନରୁ ପଳେଇବାର ବାଟ ନାହିଁ । ଏସବୁ ମାନସିକ ବିକାର ମନେକରି ନଳିନୀକାନ୍ତ ପୁନରାୟ ଜପରେ ପ୍ରବୃତ୍ତ ହେଲେ; କ୍ରମେ କ୍ରମେ ବାହାରର ଉପଦ୍ରବ ପ୍ରଶମିତ ହୋଇଆସିଲା ।

ମହାଶକ୍ତିଙ୍କର ଆବିର୍ଭାବ

ସହସା ଏକ ଅଲୌକିକ ଦୃଶ୍ୟରେ ତାଙ୍କର ପୂର୍ଣ୍ଣ ଜ୍ଞାନ ଫେରି ଆସିଲା। ସେ ଦେଖିଲେ, ତାଙ୍କର ପ୍ରତି ଲୋମକୂପରୁ ବାଷ୍ପାକାରରେ ତରଳ ଜ୍ୟୋତି ନିର୍ଗତ ହୋଇ ଜଗତ ଆଚ୍ଛାନ୍ନ କରିଅଛି । ନଳିନୀକାନ୍ତ ସେହି ତେଜ ପ୍ରଭାବରେ ପ୍ରତିହତ ହୋଇ ନେତ୍ର ନିମୀଳନ କଲେ । ତତ୍ କ୍ଷଣାତ ଉକ୍ତ ତେଜପୁଞ୍ଜ, ଦିବ୍ୟ ରମଣୀ ମୂର୍ତ୍ତିରେ ଉଭାସିତ ହେଲା । ସେହି ମୂର୍ତ୍ତି ସଂଦର୍ଶନରେ ନଳିନୀକାନ୍ତଙ୍କର ବିସ୍ମୟର ଅବଧି ରହିଲା ନାହିଁ । ଏ ଯେ ତାଙ୍କର ସେହି ପରଲୋକଗତା ସ୍ତ୍ରୀ ସୁଧାଂଶୁବାଳା ! କିନ୍ତୁ ଏହା ପୂର୍ବର ସୁଧାଂଶୁବାଳାଙ୍କଠାରୁ ଅଧିକତର ଗରୀମାମୟୀ , ମହିମାମୟୀ ଓ ଲାବଣ୍ୟମୟୀ ।

ଏହି ଦେବୀ ନଳିନୀକାନ୍ତଙ୍କୁ ଚାହିଁ ହସିଲେ । ଏଥିରେ ନଳିନୀକାନ୍ତଙ୍କ ମନରେ ଦ୍ଵନ୍ଦ ଓ ସନ୍ଦେହ ଉପସ୍ଥିତ ହେଲା । ସେ ତ ସ୍ତ୍ରୀଙ୍କୁ ପାଇବା ନିମିତ୍ତ ତାରାଦେବୀଙ୍କ ସାଧନା କରୁଛନ୍ତି, ତେବେ ଯେଉଁ ମୂର୍ତ୍ତି ସମ୍ମୁଖରେ ଉପସ୍ଥିତ, ସେ କଣ ତାଙ୍କର ସ୍ତ୍ରୀ ନା ଇଷ୍ଟ ଦେବୀ ତାରା ?

ନଳିନୀକାନ୍ତ ପ୍ରଶ୍ନ କଲେ, “ସତ୍ୟ କରି କୁହା ତୁମେ କିଏ ?

ଦେବୀ — ମୁଁ ତାରା, ତୁମର ଇଷ୍ଟ ଦେବୀ ।

ନଳିନୀକାନ୍ତ — ତୁମର ଏ ମୂର୍ତ୍ତି ! ମୋର ଗୁରୁପଦ୍ଦିଷ୍ଟ ମୂର୍ତ୍ତି ନୁହେଁ ! ସତ୍ୟକରି କୁହ ତୁମେ କିଏ ?

ଦେବୀ — ସତ୍ୟକରି କହୁଛି ମୁଁ ତାରା । ତୁମେ ତୁମର ସ୍ତ୍ରୀଙ୍କୁ ପାଇବା ନିମିତ୍ତ ମୋର ସାଧନା କରିଅଛ । ତୁମର ସାଧନା ଫଳବତୀ ହୋଇଅଛି । ମୁଁ ତେଣୁ ତୁମର ମନୋମୟୀ ରୂପରେ – ଯେଉଁ ରୂପ ତୁମର ହୃଦ୍ୟ, ଯାହା ଦେଖିଲେ ତୁମେ ତୃପ୍ତି ଲାଭ କରିବ, ସେହି ରୂପରେ ଆସିଛି । ମୋର ବେଦମୟୀ ରୂପ ଦେଖିଲେ ତୁମେ ସହ୍ୟ କରି ପାରିବ ନାହିଁ । ମୁଁ ବିଶ୍ବରୂପା — ମୋଠାରେ ସବୁ ଓ ସବୁଥିରେ ମୁଁ । ଯେ କୌଣସି ରୂପରେ ମୁଁ ଦେଖାଦେଇପାରେ ।

ନଳିନୀକାନ୍ତ ପରୀକ୍ଷା ନିମିତ୍ତ ଦେବୀଙ୍କୁ ପ୍ରଣାମ କଲେ । ଦେବୀ ତାଙ୍କ ଲଲାଟରେ ବାମପଦ ସ୍ପର୍ଶ କରି କହିଲେ, “ସାଧନାର ଫଳ ସ୍ୱରୂପ ବର ପ୍ରାର୍ଥନା କର। ଯେ କୌଣସି ବର ଚାହଁ – ତ୍ରୈଲୋକ୍ୟରେ ଯାହା କିଛି ତୁମ ଅଭୀଷ୍ଟ କହ; ମୁଁ ତୁମକୁ ସେ ସମସ୍ତ ସମ୍ପଦର ଅଧିକାରୀ କରିଦେବି । ”

ନଳିନୀକାନ୍ତ — ତ୍ରୈଲୋକ୍ୟର ଐଶ୍ୱର୍ଯ୍ୟରେ ମୋର ପ୍ରୟୋଜନ ନାହିଁ; ମୁଁ ତୁମକୁ ଚାହେଁ।

ଦେବୀ — ମୁଁ ସର୍ବଦା ଭକ୍ତବାଞ୍ଛା କଳ୍ପତରୁ ଓ ବରଦାତ୍ରୀ; ତୁମର ବାଞ୍ଛା ଅବଶ୍ୟ ପୂର୍ଣ୍ଣ ହେବ । ମୁଁ ସର୍ବଦା ତୁମଠାରେ ବିଦ୍ୟମାନ ରହିବି। ବର୍ତ୍ତମାନ ବର ପ୍ରାର୍ଥନା କର ।

ନଳିନୀକାନ୍ତ — ମୋର ମାଗିବାର କିଛି ନାହିଁ । ମୁଁ ଭିକ୍ଷାଝୁଲି ଘେନି ତୁମ ନିକଟକୁ ଆସି ନାହିଁ । ମୁଁ କେବଳ ତୁମକୁ ଚାହେଁ । ଯେତେବଳେ ତୁମକୁ ସ୍ମରଣ କରିବି, ସେତେବେଳେ ତୁମେ ଏହି ମୂର୍ତ୍ତିରେ ମୋ ନିକଟରେ ଆବିର୍ଭୁତ ହେବ — ଯଦି ଦେଇପାରିବ ତ ଏହି ବର ଦିଅ।

ଦେବୀ — ତୁମେ ଗୁରୁ କୃପାରୁ ମୋର ସାକ୍ଷାତ୍ ଦର୍ଶନ କଲ । ତୁମର ଆଉ ବନ୍ଧନ ସମ୍ଭବ ହେବ ନାହିଁ । ମୁଁ ତୁମ ସହିତ ଅଭିନ୍ନ ଭାବରେ ବିରାଜିତ ରହିବି । ତୁମେ ନିଶ୍ଚିନ୍ତ ମନରେ, ନିର୍ଭୟରେ ଯଥେଚ୍ଛାକ୍ରମେ ବିଚରଣ କର । ସମସ୍ତ ଫଳାଫଳ ମୋତେ ସମର୍ପଣ କରି ମୋ ଭକ୍ତମାନଙ୍କ ମଧ୍ୟରେ ବ୍ରହ୍ମଜ୍ଞାନ ବିତରଣ କର । ବତ୍ସ ! ମୁଁ ବର୍ତ୍ତମାନ ନିଜ ରୂପରେ ଅବସ୍ଥାନ କରୁଛି । ତୁମେ ଇଚ୍ଛା କଲାମାତ୍ରେ ତୁମର ମନୋମୟୀ ମୂର୍ତ୍ତିରେ ତୁମ ନିକଟରେ ଆବିର୍ଭୂତ ହେବି ।

ନଳିନୀକାନ୍ତ — ଗୁରୁପଦ୍ଦିଷ୍ଟ ମୂର୍ତ୍ତି ମୋତେ ଥରେ ମାତ୍ର ଦେଖାଅ।

ତତ୍ପରେ ମନୋମୟୀ ମୂର୍ତ୍ତି ଧୀରେ ଧୀରେ ବିଲୀନ ହୋଇ ଜ୍ୟୋତିପୁଞ୍ଜରେ ପରିଣତ ହେଲେ । ମହାଶୂନ୍ୟରେ ବିରାଟ ଜ୍ୟୋତିମଣ୍ଡଳ ମଧ୍ୟବର୍ତ୍ତୀ ସଦ୍ୟଛିନ୍ନ, ରକ୍ତାକ୍ତ ନୃମୁଣ୍ଡମାଳିନୀ, ରକ୍ତନେତ୍ରା, ଉର୍ଦ୍ଧ୍ବ କେଶା, ଖଡ୍ଗ ଧାରିଣୀ, ରୁଦ୍ର-ନୃତ୍ୟପରାୟଣା ତାରା ନଳିନୀକାନ୍ତଙ୍କୁ ସ୍ୱରୂପ ଦେଖାଇଲେ । ମହାଶକ୍ତିଙ୍କର ସ୍ୱରୂପ ମୂର୍ତ୍ତି ଦର୍ଶନ କରି ନଳିନୀକାନ୍ତ ଭାବବିହ୍ୱଳ ହୋଇ ମୂର୍ଚ୍ଛିତ ହୋଇପଡିଲେ ।

ଗୁରୁ ବାମାକ୍ଷେପା ତାରା ମନ୍ଦିରରେ ଥାଇ ସବୁ ଦେଖୁଥିଲେ । ଶିଷ୍ୟଙ୍କୁ ଚୈତନ୍ୟ ଶୂନ୍ୟ ଦେଖି ଧୀରେ ଧୀରେ ତାଙ୍କ ନିକଟକୁ ଯାଇ ସ୍ନେହରେ ତାଙ୍କ ସ୍ପନ୍ଦନହୀନ ଦେହକୁ କୋଳ କରି ବସି ରହିଲେ । ନଳିନୀକାନ୍ତ ନୟନ ଉନ୍ମିଳନ କରିବା କ୍ଷଣି ବାମାକ୍ଷେପାଙ୍କୁ ଦେଖି ପାରିଲେ ।

ସେତେବେଳକୁ ନିଶାବସାନ ହୋଇଯାଇଛି । ବାମାକ୍ଷେପା କହିଲେ, “ବତ୍ସ ! ତୁ ଧନ୍ୟ; ତୋ ପରି ଶିଷ୍ୟର ଗୁରୁ ହୋଇ ମୁଁ ମଧ୍ୟ ଧନ୍ୟ।” ନଳିନୀକାନ୍ତ ଧର୍ଯ୍ୟାବଲମ୍ବନପୂର୍ବକ ଗୁରୁପାଦ ନିଜ ହୃଦୟ ମଧ୍ୟରେ ଧାରଣ କରି ପ୍ରେମବିଗଳିତ ନୟନରେ କହିଲେ —


” ନମସ୍ତେ ନାଥ ଭଗବନ୍ ଶିବାୟ ଗୁରୁରୂପିଣେ
ବିଦ୍ୟାବତାର ସଂସିଦ୍ଧୌ ସ୍ଵୀକୃତାନେକ ବିଗ୍ରହ l୧l

ନାରାୟଣ ସ୍ୱରୁପାୟ ପରମାତ୍ମୈକ ମୂର୍ତ୍ତୟେ
ସର୍ଵଜ୍ଞାନତମୋଭେଦଭାନବେ ଚିଦ୍ଘନୟତେ l୨l

ସ୍ଵତନ୍ତ୍ରାୟ ଦୟାକ୍ଲୁପ୍ତ ବିଗ୍ରହାୟ ଶିବାତ୍ମନେ
ପରତନ୍ତ୍ରୀୟ ଭକ୍ତାନାଂ ଭବାନାଂ ଭବରୂପିଣେ l୩l

ବିବେକିନାଂ ବିବେକାୟ ବିମର୍ଷାୟ ବିମର୍ଷିଣାମ୍
ପ୍ରକାଶାନାଂ ପ୍ରକାଶାୟ ଜ୍ଞାନୀନାଂ ଜ୍ଞାନରୂପିଣେ l୪l

ତ୍ଵତ୍ ପ୍ରସାଦାଦହଂ ଦେବ କୃତକୃତ୍ୟାସ୍ମି ସର୍ବତଃ
ମାୟାମୃତ୍ୟୁମହାପାଶାତ୍ ବିମୁକ୍ତୋଽସ୍ମି ଶିବୋଽସ୍ମିଚ l୫l


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights