ଜୀବନ ବେଦ – ୧୨ : ମହାଶକ୍ତି ..

Share it

20th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୨

ମହାଶକ୍ତି

ଏହି ମହାଶକ୍ତି ହିଁ ଜଗଜ୍ଜନନୀ। ସେ ବିଶ୍ୱକୁ ସୃଷ୍ଟି କରିଛନ୍ତି , ଧାରଣ କରିଛନ୍ତି – ସମୟହେଲେ ପୁଣି ବିଶ୍ୱକୁ ଅଣୁପରମାଣୁ ରୂପରେ ଆକାଶରେ ଲୟ କରିଦିଅନ୍ତି । ବିଶ୍ବରେ ଯାହା କିଛି ଦୃଶ୍ୟମାନ , ତାହା ସମସ୍ତ ମହାଶକ୍ତିଙ୍କର ଭିନ୍ନ ଭିନ୍ନ ବିକାଶ । ଜଗଜ୍ଜନନୀ ସମସ୍ତଙ୍କର ପ୍ରସୂତି । ଗ୍ରହ ଉପଗ୍ରହର ଆକର୍ଷଣ ବିକର୍ଷଣ ମୂଳରେ ସେହି ମହାଶକ୍ତି । ମାନବର ଦୃଷ୍ଟିଶକ୍ତି, ଶ୍ରୁତିଶକ୍ତି, ଘ୍ରାଣଶକ୍ତି, ଆସ୍ଵାଦନ ଶକ୍ତି – ସମସ୍ତ ସେହି ଜଗଜ୍ଜନନୀଙ୍କ ଶକ୍ତି । ଯେଉଁ ଶକ୍ତିରେ ଦେବରାଜ ଇନ୍ଦ୍ର ବିଶ୍ଵ ବ୍ରହ୍ମାଣ୍ଡର ଅଧୀଶ୍ଵର, ଯେଉଁ ଶକ୍ତି ଦ୍ଵାରା ଅଗ୍ନି ବିଶ୍ଵ ଦହନ କରିପାରନ୍ତି, ଯେଉଁ ଶକ୍ତି ପ୍ରଭାବରେ ପ୍ରଭଞ୍ଜନ ବିଶ୍ଵ ବିଲୋଡନ କରିପାରନ୍ତି, ଏ ସମସ୍ତ ସେହି ମହାଶକ୍ତିଙ୍କର ସୂକ୍ଷ୍ମ ବିକାଶ — ସେହି ବିରାଟ ଶକ୍ତିଙ୍କର ଗୋଟିଏ ଗୋଟିଏ ଅଂଶ ମାତ୍ର । ସ୍ଥୂଳ ରୂପରେ ମଧ୍ୟ ମହାଶକ୍ତି ସମସ୍ତ ବିଶ୍ଵ ପରିବ୍ୟାପ୍ତ । ସୁତରାଂ ଦୃଶ୍ୟମାନ ସମସ୍ତ ରୂପ ତାଙ୍କର ସ୍ଥୂଳ ରୂପ ମଧ୍ୟରେ ପର୍ଯ୍ୟବସିତ। ତଥାପି ଦୈବୀମୂର୍ତ୍ତିରେ ଆରାଧନା କରିବା କର୍ତ୍ତବ୍ୟ। କାରଣ ଏହା ଶୀଘ୍ର ମୁକ୍ତିଦାନ କରିବାକୁ ସମର୍ଥ ।

ସେଥିପାଇଁ ଉପାସନା କାଳରେ କାଳୀ, ତାରା, ଅନ୍ନପୂର୍ଣ୍ଣା ପ୍ରଭୃତି ସ୍ତ୍ରୀ ରୂପ; ଶିବ, ବିଷ୍ଣୁ, ପ୍ରଭୃତି ପୁରୁଷ ରୂପ ଏବଂ କୃଷ୍ଣ ପ୍ରଭୃତି ଅବତାର ରୂପ ଅବଲମ୍ବନୀୟ। ଏହି ସବୁ ମୂର୍ତ୍ତି ମଧ୍ୟରୁ ଯାହାଙ୍କର ଯେଉଁ ମୂର୍ତ୍ତି ଅଭିଳଷିତ ଓ ପ୍ରୀତିପଦ, ସେ ତାହାଙ୍କୁ ଉପାସନା କରିବେ ।

ସ୍ଥାନ ମାହାତ୍ମ୍ୟ

କିନ୍ତୁ ଏହି ମହାଶକ୍ତିଙ୍କ ସହିତ ସାକ୍ଷାତ୍ କରିବାକୁ ହେଲେ ନିଜ ଭିତରେ ସୁପ୍ତ ଶକ୍ତିଙ୍କୁ ପ୍ରଥମେ ଜାଗ୍ରତ କରିବାକୁ ହେବ । ମାତ୍ର ଆତ୍ମଶକ୍ତିର ବିକାଶ ଯେକୌଣସି ସ୍ଥାନରେ ହୋଇପାରେ ନାହିଁ । ଯେଉଁ ସବୁ ଉପକରଣ ପ୍ରଭାବ ଓ ବାହ୍ୟ ସ୍ପର୍ଶ ଦ୍ଵାରା ସୁପ୍ତଶକ୍ତି ଜାଗିଉଠେ, ସେ ସମସ୍ତ ଏହି ଶ୍ମଶାନ କ୍ଷେତ୍ରରେ ବିଦ୍ୟମାନ ଥିବାରୁ ତନ୍ତ୍ରସାଧନା ପକ୍ଷରେ ଶ୍ମଶାନ ହିଁ ବିଶେଷ ଅନୁକୂଳ କ୍ଷେତ୍ର । ସୁତରାଂ ତରାପୀଠର ମହିମା କୀର୍ତ୍ତନ ବାହୁଲ୍ୟମାତ୍ର ।

ସର୍ପ
ସର୍ପ ଦେହରେ ଭଗବାନ ହଳାହଳ ସୃଜନ କରିବା ସଙ୍ଗେ ସଙ୍ଗେ ତାକୁ ସମ୍ମୋହିନୀ ଶକ୍ତି ମଧ୍ୟ ଦେଇଛନ୍ତି । ଯେଉଁ ସବୁ ସାଧକ କୌଣସି ତାନ୍ତ୍ରିକ ଗୁରୁଙ୍କ ନିକଟରେ ରହି ସର୍ପ ସହିତ ବସବାସ କରନ୍ତି, ସର୍ପର ଶ୍ୱାସ ପ୍ରଶ୍ୱାସ ଭିତର ଦେଇ ସର୍ପର ଅଣୁ ପରମାଣୁ ସେହି ସାଧକଙ୍କ ଭିତରକୁ ଯାଏ; ସର୍ପ ଦେହ ଯେଉଁ ସବୁ ଧାତୁରେ ଗଠିତ, ସାଧକଙ୍କ ଦେହରେ ସେହିସବୁ ପରମାଣୁ ସଞ୍ଚାରିତ ହୁଏ । ତେଣୁ କିଛି ଦିନ ପରେ ସର୍ପ ଦଂଶନରେ ତାଙ୍କୁ କୌଣସି ପ୍ରକାର ଯନ୍ତ୍ରଣା ଅନୁଭୂତ ହୁଏ ନାହିଁ; ଦଂଶନ ମଧ୍ୟ କ୍ରିୟାଶୀଳ ହୁଏ ନାହିଁ । ସାଧକଙ୍କ ମନ ଭିତରେ ସମ୍ମୋହିନୀ ଶକ୍ତିର ସଞ୍ଚାର ହୁଏ ।

କୁକୁର

ଶ୍ମଶାନରେ କୁକୁର ଓ ପେଚା ବିଶେଷ ଉପକାରୀ । କୁକୁର ଓ ପେଚାଙ୍କର ଗଭୀର ଅନ୍ଧକାରରେ ମଧ୍ୟ ଦୃଷ୍ଟିଶକ୍ତି ଲୋପ ହୁଏ ନାହିଁ । ଅନବରତ କୁକୁର ଓ ପେଚାଙ୍କ ସହିତ ଏକତ୍ର ରହିଲେ ସେମାନଙ୍କ ଦେହରୁ ଏହି ଶକ୍ତି ସାଧକଙ୍କ ଦେହରେ ପ୍ରବେଶ କରେ । ତେଣୁ ସାଧକଙ୍କର ବିନା ସାଧନାରେ ଅନ୍ଧକାର ରାତ୍ରିରେ ମଧ୍ୟ ଦୃଷ୍ଟିଶକ୍ତି କାର୍ଯ୍ୟକାରୀ ହୋଇଥାଏ ।

ଗୃଧ୍ରିଣୀ
ଗୃଧ୍ରିଣୀ ମାନଙ୍କର ଅସାଧାରଣ ଦୃଷ୍ଟିଶକ୍ତି । ଏମାନେ ତିନିଚାରି ମାଇଲ୍ ଦୂରରୁ ଦେଖିପାରନ୍ତି । ଅନେକ ଦିନ ଅନାହାରରେ ରହିପାରନ୍ତି ଏବଂ ଦୂଷିତ ପଦାର୍ଥର ବୀଜାଣୁ ଖାଇ ହଜମ କରିଦିଅନ୍ତି । ସୁତରାଂ ଏମାନଙ୍କ ସହିତ ଏକତ୍ର ବାସ କରିବା ଦ୍ୱାରା ସାଧକମାନଙ୍କର ଦୃଷ୍ଟିଶକ୍ତି, ଅନାହାରରେ ରହିବା ଶକ୍ତି ପ୍ରଭୃତି ବହୁ ପରିମାଣରେ ବୃଦ୍ଧି ପାଏ।

ଶୃଗାଳ
ଏହି ଶ୍ମଶାନରେ ଦିବାଭାଗରେ ମଧ୍ୟ ଶୃଗାଳ ମାନେ ବିଚରଣ କରନ୍ତି । ଏକଦା ରାତ୍ରି କାଳରେ ନଳିନୀକାନ୍ତ ଗୋଟିଏ ଶୃଗାଳକୁ କିଛି ଦୂର ତଡି ନେଇଯାଉଥିବା ବେଳେ ଶୃଗାଳଟି ଚିତ୍କାର କରି ଉଠିଲା । ସଙ୍ଗେ ସଙ୍ଗେ ତାର ମୁଖ ବିବରରୁ ଅଗ୍ନି ଜଳିଉଠିଲା । ଅନ୍ଧକାର ରାତ୍ରିରେ ସେହି ଅଗ୍ନି ଭିତରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ରଚନା ଦେଖି କିଂକର୍ତ୍ତବ୍ୟବିମୂଢ ହୋଇ ନଳିନୀକାନ୍ତ କିଛିକ୍ଷଣ ଦଣ୍ତାୟମାନ ହେଲେ। ପରେ ମନ୍ଦିରକୁ ଯାଇ ବାମାକ୍ଷେପାଙ୍କ ନିକଟରୁ ଏହାର ତତ୍ତ୍ଵ ଅବଗତ ହେଲେ । ଏହି ଶିବାଟି ଉଲକାମୁଖୀ। ଏହିପରି ଶୃଗାଳ ଯେଉଁ ସ୍ଥାନରେ ବାସ କରନ୍ତି, ସେହି ସ୍ଥାନରେ ସାଧକ ମାନଙ୍କର ସାଧନାର ଶକ୍ତି, ସାହସ ଓ ଦୃଢ଼ତା ବହୁ ପରିମାଣରେ ବୃଦ୍ଧି ପାଏ।

କୁଳ କନ୍ୟା

ଏହି ବିସ୍ତୃତ ଶ୍ମଶାନରେ ଅନବରତ ଚଣ୍ଡାଳୁଣୀ, ଧୋବଣୀ, ନାପିତୁଣୀ, ଗଉଡ଼ୁଣୀ, ବ୍ରାହ୍ମଣ କନ୍ୟା ପ୍ରଭୃତି କୁଳକନ୍ୟା ମାନଙ୍କର ଶବ ଦାହ ହେଉଥାଏ । ଲୋକେ ବେଳେ ବେଳେ ମଧ୍ୟ ଶବ ଅର୍ଦ୍ଧ ଦଗ୍ଧ କରି ଫୋପାଡି ଦେଇ ଯାଆନ୍ତି। ସେହି ଶବ ମାନଙ୍କରୁ ନିର୍ଗତ ପଦାର୍ଥ ସାଧକଙ୍କ ଭିତରେ ପ୍ରବେଶ କରି ସାଧନାର ଶକ୍ତି ବୃଦ୍ଧି କରାଏ । ତନ୍ତ୍ର ସାଧନାର ସହାୟକ ଉପରୋକ୍ତ ସମସ୍ତ ଉପକରଣର ସମାବେଶ ନଳିନୀକାନ୍ତ ତାରାପୀଠରେ ଦେଖିବାକୁ ପାଇଲେ । ସୁତରାଂ ତାରାପୀଠ ଯେ ତନ୍ତ୍ରସାଧନାର ସର୍ବୋତ୍କୃଷ୍ଟ କ୍ଷେତ୍ର, ଏଥିରେ ଆଉ ସନ୍ଦେହ ରହିଲା ନାହିଁ । ବିଭିନ୍ନ ଜୀବ ଭିତରେ ଭଗବାନଙ୍କ ବିଶେଷ ବିଶେଷ ଶକ୍ତି ନିହିତ ଥିବାର ସେ ଅନୁଭବ କରିପାରିଲେ।

ଚିତା ସାଧନା

ନଳିନୀକାନ୍ତ କିଛିଦିନ ଏହି ସ୍ଥାନରେ ବାସ କରିବା ପରେ ତାଙ୍କର ସ୍ନାୟୁ ଓ ମାଂସପେଶୀ ସମୂହ ଭିତରେ ଗୋଟିଏ ନୂତନ ଶକ୍ତି ସେ ଅନୁଭବ କରିବାକୁ ଲାଗିଲେ। ଏହି ସାଧନା କ୍ଷେତ୍ରରେ କିଛିଦିନ ବାସ କରିବା ପରେ ତାଙ୍କ ମନ ଶକ୍ତି ସାଧନା ପାଇଁ ଉନ୍ମତ୍ତ ହୋଇଉଠିଲା । ଅବଶେଷରେ ନିର୍ଦ୍ଧିଷ୍ଟ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଶନିବାର ରାତ୍ରି ଉପସ୍ଥିତ ହେଲା । ତା ପୂର୍ବରୁ ବାମାକ୍ଷେପା ସାଧନା ଉପଯୋଗୀ ସମସ୍ତ ଆବଶ୍ୟକ ଦ୍ରବ୍ୟ ସଂଗ୍ରହ କରି ରଖିଥିଲେ ।

ଉକ୍ତ ଦିନ ଦୁଇ ପ୍ରହର ରାତ୍ର ଗତ ହେଲାରୁ ବାମାକ୍ଷେପା ଶିଷ୍ୟଙ୍କୁ ସଙ୍ଗରେ ଧରି ସାଧାରଣଙ୍କ ଅଗୋଚରରେ ଶ୍ମଶାନକୁ ଗମନ କଲେ । ସେଦିନ ଦୁଇ ତିନି ଗୋଟି ଶବ ଏହି ଶ୍ମଶାନରେ ଦାହ ହୋଇଥାନ୍ତି । ବାମାକ୍ଷେପା ନିର୍ଦ୍ଧିଷ୍ଟ ଚିତା ନିକଟକୁ ଯାଇ ଶିଷ୍ୟଙ୍କୁ ଯଥା ସ୍ଥାନରେ ବସିବାକୁ ଆଦେଶ ଦେଲେ । ସଂକଳ୍ପ କରାଇ ଗୁରୁ, ଗଣେଷ, ବଟୁକ, ଯୋଗିନୀ ଓ ମାତୃକାଗଣଙ୍କ ପୂଜା କରାଇ ପରେ ଆତ୍ମରକ୍ଷା କରିବାକୁ ସଂସ୍କୋରାଦି କରି ଶାସ୍ତ୍ରାନୁମୋଦିତ ଦିଗବନ୍ଧନ, ଆମିଷାନ୍ନ ବଳି ପ୍ରଦାନ ଓ ଚିତା ସଂସ୍କାରାଦି କାର୍ଯ୍ୟକରି ତଦୁପରି ପୀତବସ୍ତ୍ର ବିନ୍ୟାସପୂର୍ବକ ବଟ ପତ୍ରରେ ପୀଠ ମନ୍ତ୍ର ଲେଖିଦେଲେ । ଅନନ୍ତର ବ୍ୟାଘ୍ର ଚର୍ମ ଉପରେ ଶିଷ୍ୟଙ୍କୁ ବୀରାସନରେ ବସାଇ ସମ୍ମୁଖରେ ପ୍ରଦୀପ ଜାଳି କହିଲେ,”ମା’ ବିଶ୍ଵରୂପା କାହାକୁ କିପରି ଯେ ଦେଖାଦେବେ, ତାହା କେହି କହିପାରିବେ ନାହିଁ । ଇଷ୍ଟ ଦେବୀ ଯେପରି ମୂର୍ତ୍ତିରେ ଦେଖାଦିଅନ୍ତୁ ପଛକେ, ତୁମର ସନ୍ଦେହ ଦୂର କରିବାକୁ ସେ ସତ୍ୟ କରି କହିବେ ଯେ; ସେ ତୁମର ଇଷ୍ଟଦେବୀ। ତା ପରେ ତୁମେ ପ୍ରଣାମ କରିବ, ଦେବୀ ତୁମ ମସ୍ତକରେ ପଦସ୍ପର୍ଶ କରିବେ । ଇଷ୍ଟ ଭିନ୍ନ ଅନ୍ୟ ଦେବତାଙ୍କର ସାଧକଙ୍କ ଲଲାଟରେ ପଦସ୍ପର୍ଶ କରିବାର ଅଧିକାର ନାହିଁ ।” (କ୍ରମଶଃ)


ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights