ଜୀବନ ବେଦ – ୧୧ : ସାଧକ ନଳିନୀକାନ୍ତ

Share it

19th July 2024

ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୧୧

ସାଧକ ଜୀବନ

ନଳିନୀକାନ୍ତ ବୀରଭୂମି ଜିଲ୍ଲାର ମଲାରପୁର ଷ୍ଟେସନରେ ପହଞ୍ଚି ସେଠାରୁ ପଦବ୍ରଜରେ ଯାଇ ଚଣ୍ଡୀପୁରରେ ଉପସ୍ଥିତ ହେଲେ। ଏହି ଗ୍ରାମର ଶେଷ ଭାଗରେ ଦ୍ୱାରକା ନଦୀ ତୀରରେ ଏକକ୍ରୋଶବ୍ୟାପି ଭିମଦର୍ଶନ ମହାଶ୍ମଶାନ ଅବସ୍ଥିତ । କେବଳ ମାନବାସ୍ଥି ଓ ଚିତାଭସ୍ମରେ ଶ୍ମଶାନ ଭୂମି ପୂର୍ଣ୍ଣ। ଏହି ମହାଶ୍ମଶାନ ଦେଖି ଭୋଗୀ ଲୋକ ଥରି ଉଠନ୍ତି। ବୈରାଗ୍ୟ ଲୋଭେଚ୍ଛୁଙ୍କର ବିକ୍ଷିପ୍ତ ଚିତ୍ତ ଏ ଦୃଶ୍ୟ ଦେଖି ସଂଯତ ହୋଇଯାଏ। ତାନ୍ତ୍ରିକ ମାନଙ୍କ ଅନୁଷ୍ଠାନ ମୂଳକ ସାଧନା ନିମିତ୍ତ ଗୃଧ୍ରିଣୀ, ଶିବା, ସାରମେୟ, ନରକପାଳ ଓ କଙ୍କାଳ, ଶ୍ମଶାନ, ଶବ, ନଦୀତଟ, ସିଦ୍ଧପୀଠ ପ୍ରଭୃତି ଯେଉଁସବୁ ଦ୍ରବ୍ୟର ପ୍ରୟୋଜନ, ସେସବୁ ଏକତ୍ର ସମାବେଶ ହୋଇଥିବାରୁ ସମଗ୍ର ତନ୍ତ୍ରଶାସ୍ତ୍ରଟି ଯେପରି ମୂର୍ତ୍ତି ପରିଗ୍ରହ କରି ସେଠାରେ ବିରାଜମାନ କରିଅଛି।

ଏହି ମହାଶ୍ମଶାନରେ ଦଶ ମହାବିଦ୍ୟାର ଅନ୍ୟତମା ତାରା ଦେବୀଙ୍କ ମନ୍ଦିର ବିଦ୍ୟମାନ । ଚତୁର୍ଦ୍ଦିଗରେ ଯଜ୍ଞର ହୋମକୁଣ୍ଡ ଦିବାନିଶି ଅବିରତ ଜଳୁଛି । ଏହି ତାର ମନ୍ଦିର ଗୋଟିଏ ସିଦ୍ଧପୀଠ। ସିଦ୍ଧପୀଠ ସ୍ଵୟଂସିଦ୍ଧ। କେହି ତାହାକୁ ପ୍ରତିଷ୍ଠା କରିନାହାନ୍ତି,ଏହା ସ୍ଵୟଂ ପ୍ରତିଷ୍ଠିତ। ବଶିଷ୍ଠ ନାମରେ ଜଣେ ଉଗ୍ର ତପସ୍ୱୀ ଏହି ପୀଠରେ ସିଦ୍ଧି ଲାଭ କରିଥିଲେ।ବଙ୍ଗଳାର ସର୍ବଶ୍ରେଷ୍ଠ ତାନ୍ତ୍ରିକ ବାମାକ୍ଷେପାଙ୍କର ଉଗ୍ର ସାଧନା ବଳରେ ସେତେବେଳେ ତାରାପୀଠ ପ୍ରସିଦ୍ଧି ଲାଭ କରିଥିଲା ।

ବାମାକ୍ଷେପା

ଉକ୍ତ ବାମାକ୍ଷେପା ସାଧନା ବଳରେ ଚରମ ତତ୍ତ୍ୱକୁ ମହାଶକ୍ତି ବୋଲି ପ୍ରତ୍ୟକ୍ଷ ଭାବରେ ଜାଣିଥିଲେ ଏବଂ ତନ୍ତ୍ରୋକ୍ତ ବିବିଧ ସାଧନା କରି ସିଦ୍ଧି ଲାଭ କରିଥିଲେ। ସେ ଜଣେ ପ୍ରଚଣ୍ଡ ଜାପକ ଥିଲେ। ଜପରେ ସିଦ୍ଧି ଲାଭ କରିପାରିଲେ ମା’ଙ୍କ କୃପାରୁ କେହି ବଞ୍ଚିତ ହୁଅନ୍ତି ନାହିଁ । ଏହି କୃପା ସାଧୁ ବାମାକ୍ଷେପା ପାଇଥିଲେ । ସେ ଦେଖିବାକୁ ଦୀର୍ଘକାୟ କୃଷ୍ଣ ବର୍ଣ୍ଣ ପୁରୁଷ ଥିଲେ । ସେ ମାଆଙ୍କର କଥା ବ୍ୟତୀତ ଅନ୍ୟ କଥା କହୁନଥିଲେ, ମା ତାରା ଦେବୀଙ୍କ ମନ୍ଦିର ଛଡ଼ା ଅନ୍ୟତ୍ର ବାସ କରୁନଥିଲେ । ତେଣୁ ମାଆଙ୍କର କୃପାକୁ ସେ ନିଜ ହାତ ମୁଠାରେ ରଖିପାରିଥିଲେ। ସେ କୃପାରୁ ପ୍ରଭାବ ମଧ୍ଯ ଅପୂର୍ବ ଥିଲା ।

ତାନ୍ତ୍ରିକ ଗୁରୁଙ୍କ ଦର୍ଶନ

ଏଠାକୁ ଆସି ସ୍ଥାନଟି ଯେ ତନ୍ତ୍ରସାଧନାର ସମ୍ପୂର୍ଣ୍ଣ ଅନୁକୂଳ, ତାହା ନଳିନୀକାନ୍ତ ବେଶ୍ ଅନୁଭବ କରିପାରିଥିଲେ । ମନ୍ଦିରର ସାଧନାନୁକୂଳ ପାରିପାର୍ଶ୍ବିକ ଅବସ୍ଥା ଦର୍ଶନ କରି ତାଙ୍କ ମନ ଟିକିଏ ଗମ୍ଭୀର ଭାବ ଧାରଣ କଲା । ଦିଗନ୍ତପ୍ରସାରୀ ଜନବସତିବିରଳ ଶ୍ମଶାନ ଦୃଶ୍ୟରେ ମନଭିତରେ ଏକପ୍ରକାର ଭୟର ମଧ୍ୟ ସଞ୍ଚାର ହେଲା। କିଛି ଦୂର ଅଗ୍ରସର ହେବା ପରେ ନଳିନୀକାନ୍ତ ବାମାକ୍ଷେପାଙ୍କୁ ତାରାଦେବୀଙ୍କ ମନ୍ଦିର ନିକଟରେ ଦେଖି ବିନା ପରିଚୟରେ ବାମାକ୍ଷେପା ବୋଲି ଚିହ୍ନି ପାରି ତାଙ୍କର ଚରଣତଳେ ପ୍ରଣାମ କଲେ । ବାମାକ୍ଷେପା ନଳିନୀକାନ୍ତଙ୍କୁ ଉଠାଇ ବସିବାକୁ କହିଲେ । ଶାନ୍ତି ବିଦୂରିତ ହେଲା ପରେ ବାମାକ୍ଷେପା ତାଙ୍କୁ ପଚାରିଲେ, “ତୁମେ କ’ଣ ଚାହଁ ?”

ଉତ୍ତରରେ ନଳିନୀକାନ୍ତ ସ୍ତ୍ରୀ ବିୟୋଗ ଜନିତ ବ୍ୟଥା ହୃଦୟରେ ବହନ କରି ସ୍ତ୍ରୀଙ୍କୁ ପାଇବା ନିମିତ୍ତ ଯେ ମହାଶକ୍ତିଙ୍କର ସାଧନା କରିବାକୁ ଆସିଛନ୍ତି, ସେସବୁ ବିଷୟ ଗୋପନ କରି ମନ୍ତ୍ର ପ୍ରାପ୍ତି, ବାରଣାସୀରେ ଆତ୍ମହତ୍ୟା ସଂକଳ୍ପ, ସ୍ବପ୍ନ ବିବରଣ ଇତ୍ୟାଦି ବିଷୟ ଆନୁପୂର୍ବକ ବର୍ଣ୍ଣନା କରି ତାଙ୍କର କୃପା ଭିକ୍ଷା କଲେ । ନଳିନୀକାନ୍ତ ଯେ ତାରାଦେବୀଙ୍କର ବୀଜମନ୍ତ୍ର ପାଇଛନ୍ତି, ତାହା ଜାଣି ବାମାକ୍ଷେପା ବଡ଼ ବିସ୍ମିତ ହେଲେ ଓ ତାଙ୍କୁ ଅତ୍ୟନ୍ତ ଭାଗ୍ୟବାନ ବୋଲି କହି ସର୍ବାନ୍ତଃକରଣରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ ।

ନଳିନୀକାନ୍ତ ଆବେଗପୂର୍ଣ୍ଣ କଣ୍ଠରେ କହିଲେ,”ଗୁରୁଦେବ, ମନ୍ତ୍ର କିମ୍ବା ଦେବତାଙ୍କ ପ୍ରତି ମୋର ବିଶ୍ବାସ ନାହିଁ । ଅଲୌକିକ ଶକ୍ତିଲାଭ କିମ୍ବା ଅସାମାନ୍ୟ ମୂର୍ତ୍ତି ଦର୍ଶନ କରିବାକୁ ମୋର ଆଦୌ କୌତୁହଳ ନାହିଁ । ମୁଁ କିଏ, କୁଆଡୁ ଆସିଛି; ପରେ ବା କେଉଁ ଆଡ଼କୁ ଯିବି ଇତ୍ୟାଦି ତତ୍ତ୍ଵ ମୋତେ ବୁଝାଇ ଦିଅନ୍ତୁ ।

ବାମାକ୍ଷେପା — ଖାଲି ବୁଝାଇଦେବି ନାହିଁ, ମୁଁ ତାହା ସବୁ ପ୍ରତ୍ୟକ୍ଷ ଦେଖାଇ ଦେବି।

ନଳିନୀକାନ୍ତ — ତାଙ୍କର କଣ ଦର୍ଶନ ମିଳେ ?

ବାମାକ୍ଷେପା — ହଁ, ଗୁରୁମନ୍ତ୍ରରେ ତାଙ୍କର ପ୍ରାଣ ପ୍ରତିଷ୍ଠା କରି ଭକ୍ତିର ସହିତ ତାଙ୍କୁ ଡାକିଲେ ସେ ଅନ୍ତରରୁ ବାହାରକୁ ଆସନ୍ତି । ସେତେବେଳେ ତାଙ୍କୁ ଦର୍ଶନ, ସ୍ପର୍ଶ, ଘ୍ରାଣ ଓ ଆସ୍ୱାଦନ କରାଯାଏ ।ତାଙ୍କର ଦର୍ଶନ ମାତ୍ରକେ ଜୀବର ସବୁ କାମନା ପୂର୍ଣ୍ଣ ହୁଏ।

ନଳିନୀକାନ୍ତ — ମୁଁ ବ୍ରାହ୍ମଣ ସନ୍ତାନ ହେଲେ ମଧ୍ୟ ସ୍ବଧର୍ମ ରକ୍ଷା କରିବା ନିମିତ୍ତ କୌଣସି ଶିକ୍ଷା ପାଇନାହିଁ, ଆଚାର ନିୟମ ପ୍ରତିପାଳନ କରି ନାହିଁ, ଶାସ୍ତ୍ର ଅଧ୍ୟୟନ ବା କୌଣସି ସମୟରେ ଜପ ପୂଜାଦି କରିନାହିଁ। ଭକ୍ତି ଲାଭ ନିମିତ୍ତ କୌଣସି ଅନୁଶୀଳନ ମଧ୍ୟ କରିନାହିଁ । ମୁଁ ମନ୍ତ୍ର ଦ୍ଵାରା କିପରି ବା ପ୍ରାଣପ୍ରତିଷ୍ଠା କରିବି ଓ ଭକ୍ତିହୀନ ହୋଇ କିପରି ବା ତାଙ୍କୁ ଭକ୍ତିଭାବରେ ଡାକି ବାହାରକୁ ଆଣିପାରିବି ?

ବାମାକ୍ଷେପା — ମୁଁ ତୁମର ସ୍ବପ୍ନଲବ୍ଧ ମନ୍ତ୍ରର ପ୍ରାଣପ୍ରତିଷ୍ଠା କରିଦେବି । ତୁମର ଭକ୍ତିର ଅଭାବ ନାହିଁ । ସତ୍ୟଲାଭ ନିମିତ୍ତ ପ୍ରାଣରେ ଯେ ଐକାନ୍ତିକ ବ୍ୟାକୁଳତା, ତାହାର ନାମ ଭକ୍ତି । ମୋତେ ବିଶ୍ବାସ କର, ମୁଁ ଯାହା ଆଦେଶ କରୁଛି ବିନା ବିଚାରରେ ପ୍ରତିପାଳନ କରିଯାଅ । ଅଚିରେ ତୁମର ମନୋବାସ୍ନା ପୂର୍ଣ୍ଣ ହେବ ।

ନଳିନୀକାନ୍ତ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁ କହିଲେ, “କଅଣ, ମୁଁ ତାଙ୍କର ଦର୍ଶନ ପାଇବି ? ସେ କିପରି ମୂର୍ତ୍ତିରେ ମୋତେ ଦେଖା ଦେବେ ?”

ବାମାକ୍ଷେପା — ମା’ ଙ୍କର ମୂର୍ତ୍ତିରେ କଣ ସୀମା ଅଛି ? ଏହି ଅନନ୍ତ ବିଶ୍ଵ ହିଁ ତାଙ୍କର ମୂର୍ତ୍ତି। ଯେ ଯେଉଁ ନାମରେ, ଯେଉଁ ରୂପରେ ତାଙ୍କୁ ଡାକେ, ସେ ସେହି ରୂପରେ ତାଙ୍କର ମନୋମୟୀ ମୂର୍ତ୍ତି ଧାରଣ କରି ଆବିର୍ଭୂତା ହୋଇ ଭକ୍ତକୁ କୃତାର୍ଥ କରନ୍ତି । ତୁମ ସ୍ବପ୍ନଲବ୍ଧ ମନ୍ତ୍ରର ପ୍ରତିପାଦ୍ୟ ରୂପ ଓ ଧ୍ୟାନ ମୁଁ ଯଥା ସମୟରେ କହିଦେବି ।

ନଳିନୀକାନ୍ତ — ମା’ କିଏ ?

ବାମାକ୍ଷେପା — ମୁଁ ମାଆଙ୍କ ସହିତ ସାକ୍ଷାତ ଲାଭର ଉପାୟ କହିଦେବା ଛଡ଼ା ଆଉ କୌଣସି ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ । ତାଙ୍କ ସହିତ ସାକ୍ଷାତ୍ ହେଲେ ସେ କିଏ, ତାହା ତାଙ୍କ ନିକଟରୁ ବୁଝିନେବ ।

ବିଧି ନିଷେଧ

ତନ୍ତ୍ରୋକ୍ତ ସାଧନା ସବୁ ବିଧିନିଷେଧର ବଶବର୍ତ୍ତୀ ହୋଇ କରିବାକୁ ହୁଏ। ସୁତରାଂ ତନ୍ତ୍ରୋକ୍ତ କୌଣସି ବିଶେଷ ସାଧନାରେ ବ୍ରତୀ ହେବାକୁ ହେଲେ କାଳାକାଳ ଅପେକ୍ଷା ନରଖି ଯେତେବେଳେ ଇଚ୍ଛା ସେତେବେଳେ ଆରମ୍ଭ କଲେ ସିଦ୍ଧି ଲାଭ ହୁଏ ନାହିଁ । ଉପଯୁକ୍ତ ସମୟରେ ବାମାକ୍ଷେପା ଶିଷ୍ୟଙ୍କୁ ଅଭିଷେକ କରାଇ ଯଥାରୀତି ଜପରେ ନିଯୁକ୍ତି କରାଇଲେ । ନିତ୍ୟ ଜପ, ନୈମିତ୍ତିକ ପୂଜା, ପୁରଶ୍ଚରଣାଦି ସମ୍ପନ୍ନ ପରେ ଶିଷ୍ୟଙ୍କୁ ବୀରସାଧନାର ଉପଯୋଗୀ କରାଇ ସମୟ ଓ ସୁଯୋଗର ଅପେକ୍ଷା କରିବାକୁ ଲାଗିଲେ । ନଳିନୀକାନ୍ତଙ୍କୁ ନିୟମ ସଂଯମ ଓ ଆଚାର ପରାୟଣ ହୋଇ ରହିବାକୁ ପଡିଲା । ସେ ବାମାକ୍ଷେପାଙ୍କ ମୁଖରୁ ମହାଶକ୍ତିଙ୍କର ସାଧନା ସମ୍ବନ୍ଧୀୟ ତଥ୍ୟ ଅବଗତ ହେବାକୁ ଲାଗିଲେ ।
( କ୍ରମଶଃ )

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି


Share it

Leave a comment

Your email address will not be published. Required fields are marked *

Verified by MonsterInsights