ଜୀବନ ବେଦ – ୧

Share it

ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ

ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି

ଭୁବନମୋହନ ତାଙ୍କର ଗୁରୁ ଭାସ୍କରାନନ୍ଦ ସ୍ବାମୀଙ୍କର ଆଦେଶାନୁସରେ ବାଳକର ନାମ ନଳିନୀକାନ୍ତ ରଖିଲେ।

ନିଗମାନନ୍ଦଙ୍କ ବାଲ୍ୟଜୀବନ :-

ଓଁ ବ୍ରହ୍ମାନନ୍ଦଂ ପରମସୁଖଦଂ କେବଳଂ ଜ୍ଞାନମୂର୍ତ୍ତିମ୍
ଦ୍ବନ୍ଦାତୀତଂ ଗଗନସଦୃଶଂ ତତ୍ତ୍ବମସ୍ଯାଦିଲକ୍ଷ୍ଯଂ
ଏକଂ ନିତ୍ୟଂ ବିମଳମଚଳଂ ସର୍ବାଧୀ ସାକ୍ଷୀଭୁତଂ
ଭାବାତୀତଂ ତ୍ରିଗୁଣରହିତଂ ସଦ୍ ଗୁରୁମ୍ ତଂ ନମାମି

ନିଗମାନନ୍ଦଙ୍କ ଜନ୍ମସ୍ଥାନ – ନଦୀୟା ଜିଲ୍ଲା ଭାରତରେ ପ୍ରାୟ ସର୍ବସାଧାରଣଙ୍କ ନିକଟରେ ସୁପରିଚିତ। ମହାପ୍ରଭୁ ଶ୍ରୀ ଚୈତନ୍ଯଦେବ ନଦୀୟାରେ ଆବିର୍ଭୁତ ହୋଇ ଭଗବତ୍ ଭକ୍ତି ଓ ପ୍ରେମର ମାଧୁର୍ଯ୍ଯ ଜଗତକୁ ଦେଖାଇ ଦେଇଅଛନ୍ତି। ଶ୍ରୀମନ୍ ମହାପ୍ରଭୁଙ୍କ ସମୟରୁ ଓ ତତ୍ ପରବର୍ତ୍ତୀ କାଳରେ ଏହି ଜିଲ୍ଲାରେ ଯେ କେତେ ସାଧକ, ଭକ୍ତ ଓ ମହାପୁରୁଷଙ୍କର ଆବିର୍ଭାବ ଏବଂ ତିରୋଭାବ ଘଟିଛି, ତାହାର ସଂଖ୍ଯା ନାହିଁ।

ସ୍ବାମୀ ନିଗମାନନ୍ଦଙ୍କ ଜନ୍ମସ୍ଥାନ ଏହି ନଦୀୟା ଜିଲ୍ଲା ଅନ୍ତର୍ଗତ ମେହରପୁର ମହକୁମାରେ । ଉକ୍ତ ମହକୁମାକୁ ଭୈରବ ନଦୀ ଦୁଇ ଭାଗରେ ବିଭକ୍ତ କରୁଅଛି। ଏହି ନଦୀର ଉଭୟ ତୀରରେ ନୀଳ ବ୍ଯବସାୟୀ ସାହେବମାନେ ବ୍ଯବସାୟ କରୁଥିଲେ । ଭୈରବର ପଶ୍ଚିମ ତଟରେ ଥିବା ନୀଳକୋଠିର ଦକ୍ଷିଣରେ କୁତବପୁର ବୋଲି ଗୋଟିଏ କ୍ଷୁଦ୍ର ପଲ୍ଲୀ ଅଛି । ଉକ୍ତ ଗ୍ରାମରେ ପ୍ରାୟ ସବୁ ଜାତିର ଲୋକ ବାସ କରନ୍ତି । ଏମାନଙ୍କ ମଧ୍ଯରେ କୁମ୍ଭାର ଓ ଶଙ୍ଖା ବ୍ଯବସାୟୀଙ୍କ ସଂଖ୍ଯା ବେଶୀ । ଉକ୍ତ ଗ୍ରାମର ଲୋକେ ଅଧିକାଂଶ ଶଙ୍ଖା ବ୍ଯବସାୟୀ ଥିବାରୁ ସେମାନଙ୍କର ସାଂସାରିକ ଅଭାବ ଖୁବ୍ ଅଳ୍ପ ଥିଲା । ମିତ୍ର ପୂଜା, ମନସା ପୂଜା ଓ ଦୋଳ ଦୁର୍ଗୋତ୍ସବ ବ୍ଯତୀତ ଅନ୍ଯ କିଛି ଧର୍ମଜ୍ଞାନ ସେମାନଙ୍କ ଭିତରେ ନଥିଲା । ସର୍ବଦା ସେମାନଙ୍କ ଭିତରେ ଈର୍ଷା, ଦ୍ବେଷ, ଦଳାଦଳି ଓ ଦ୍ବନ୍ଦ୍ବ ଲାଗି ରହିଥାଏ । ଏହିପରି ପାରିପାର୍ଶ୍ୱିକ ଅବସ୍ଥା ମଧ୍ଯରେ ଭୁବନମୋହନ ଭଟ୍ଟାଚାର୍ଯ୍ୟ ନାମକ ଜଣେ ନିଷ୍ଠାପର ବ୍ରାହ୍ମଣ ସେଠାରେ ବାସ କରୁଥିଲେ ।

ନିଗମାନନ୍ଦଙ୍କ ପିତୃ ପରିଚୟ –

ଭୁବନମୋହନ ଭଟ୍ଟାଚାର୍ଯ୍ୟ ଖ୍ଯାତି ଓ ବଂଶମର୍ଯ୍ଯାଦାରେ ଦେଶରେ ସୁପରିଚିତ ଥିଲେ । ସେ ନିଜେ ମଧ୍ଯ ବିଶ୍ବବିଶ୍ରୁତ ମହାଯୋଗୀ ଭାସ୍କରାନନ୍ଦ ସ୍ବାମୀଙ୍କର ଶିଷ୍ଯ ଥିଲେ ।

ମାତୃ ପରିଚୟ –
ଭଟ୍ଟାଚାର୍ଯ୍ୟ ମହାଶୟ କୁତବପୁର ନିକଟବର୍ତ୍ତୀ ରାଧାକାନ୍ତପୁର ନିବାସୀ ତ୍ରୈଲୋକନାଥ ଚକ୍ରବର୍ତ୍ତୀ ନାମକ ଜଣେ ସଙ୍ଗତିସମ୍ପନ୍ନ ବ୍ଯକ୍ତିଙ୍କ କନ୍ଯା ମାଣିକ୍ଯସୁନ୍ଦରୀ ଦେବୀଙ୍କୁ ବିବାହ କରିଥିଲେ ।

ମାଣିକ୍ୟସୁନ୍ଦରୀ ଦେବୀ ସ୍ଵାମୀ ଗୃହକୁ ଆସି ଶାଶୁଙ୍କ ଅଭାବରୁ ଅଳ୍ପ ବୟସରେ ଗୃହକର୍ତ୍ତୀ ପଦ ପାଇଲେ ଏବଂ ତାଙ୍କ ପରୋପକାର ଓ ଗାମ୍ଭୀର୍ଯ୍ୟରେ ମୁଗ୍ଧ ହୋଇ ସମସ୍ତେ ତାଙ୍କୁ ବିଶେଷ ଭକ୍ତି କରୁଥିଲେ। ଦୀନଦୁଃଖି ଲୋକେ ତାଙ୍କ ଉଦାରତା ପରିଚୟ ପାଇ ପ୍ରତିଦିନ ଦୁଇ ପହର ସମୟରେ ଉପସ୍ଥିତ ହେଉଥିଲେ ଓ ତୃପ୍ତି ସହକାରେ ଭୋଜନ କରି ଫେରିଯାଉଥିଲେ। ଏହିପରି ମଧ୍ୟ ହୋଇଛି, ଦେଵୀ ଦୈନଦିନ କାର୍ଯ୍ୟ ଶେଷ କରି ଅତିଥିମାନଙ୍କ ସତ୍କାର ପରେ ନିଜେ ଭୋଜନରେ ବସିବାମାତ୍ରେ ଯଦି କେହି ଆସି ପହଞ୍ଚି ଅନ୍ନ ଭିକ୍ଷା କରିଛି, ଦେଵୀ ତତକ୍ଷଣାତ୍ ସେଠାରୁ ଉଠି ନିଜର ଅନ୍ନବ୍ୟଞ୍ଜନ ତାକୁ ଦାନ କରି ଆନନ୍ଦରେ ଉପବାସରେ ଦିନ କଟାଇଛନ୍ତି।

ମାଣିକ୍ୟସୁନ୍ଦରୀ ଦେବୀଙ୍କ ବିବାହ ପରେ ସାତ ଆଠ ବର୍ଷ କଟିଗଲା, ତଥାପି ସନ୍ତାନ ନ ହେବାରୁ ତାଙ୍କ ମନରେ ଗୋଟିଏ ଦାରୁଣ ନୈରାଶ୍ୟ ଜାତ ହେଲା। ‘ଅନ୍ନପୂର୍ଣ୍ଣା ସଦୃଶୀ ମହିୟସୀ ଦେବୀଙ୍କର ପୁତ୍ର ସନ୍ତାନ ଜାତ ହେଲାନାହିଁ’ ବୋଲି କେହି ଆକ୍ଷେପ କରି କହିଲେ ଉତ୍ତରରେ ଦେଵୀ କହନ୍ତି,”ନିଜ ପେଟରେ ନ ଧଇଲେ କଅଣ ମାଆ ହୋଇପାରିବି ନାହିଁ ?” ଏହା ମୁହଁରେ କହିଲେ ମଧ୍ୟ ସେ ଅନ୍ତର ମଧ୍ୟରେ ପୁତ୍ରର ଅଭାବ ଅନୁଭବ କରି ପୁତ୍ର କାମନାରେ ଦେବତାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ଗର୍ଭଧାରଣ

ଅବଶେଷରେ ବୟୋଜ୍ୟେଷ୍ଠାମାନଙ୍କର ଉପଦେଶାନୁସାରେ ମାଣିକ୍ୟସୁନ୍ଦରୀ କାର୍ତ୍ତିକେୟଙ୍କର ନିତ୍ୟ ପୂଜା କରିବାକୁ ଆରମ୍ଭ କଲେ। ନ୍ୟୁନାଧିକ ଦୁଇ ବର୍ଷ କାଳ ବ୍ରତ ପାଳନ କଲା ପରେ ମାଣିକ୍ୟସୁନ୍ଦରୀ ଦେବୀଙ୍କର ସନ୍ତାନ ସମ୍ଭାବନା ପ୍ରକାଶ ପାଇଲା । ଏହା ଜାଣିପାରି କୁତବପୁର ଓ ରମାକାନ୍ତପୁରରେ ଆନନ୍ଦର ଢେଉ ଖେଳିଗଲା।

ଗର୍ଭଧାରଣ ପରଠାରୁ ତାଙ୍କର ଆକୃତି-ପ୍ରକୃତି ପରିବର୍ତ୍ତିତ ହୋଇ ଏକ ପ୍ରକାର ଅପୂର୍ବ ସୁଷମା ଧାରଣ କଲା। ଗର୍ଭସ୍ଥ ସନ୍ତାନ ବଡ଼ ହେବା ସଙ୍ଗେ ସଙ୍ଗେ ନାନବିଧ ଦିବ୍ୟ ଅନୁଭୂତି, ଦିବ୍ୟ ସ୍ବପ୍ନ, ଦିବ୍ୟ ଦର୍ଶନ ପ୍ରଭୃତି ତାଙ୍କର ଦୈନନ୍ଦିନ ଘଟଣା ହୋଇଉଠିଲା। ମଧ୍ୟେ ମଧ୍ୟେ ଅନାଘ୍ରାତପୂର୍ବ ସୌରଭରେ ଗୃହ ଆମୋଦିତ ହେବାକୁ ଲାଗିଲା । ସମୟ ସମୟରେ ସେ ଦେବ ଦେବୀଙ୍କର ବନ୍ଦନାଗୀତ ଓ ଆରତିର ଘଣ୍ଟାସ୍ୱନ ଶୁଣିପାରୁଥାନ୍ତି। ଏହି ସବୁ ଅଦ୍ଭୁତ ଘଟଣାରେ ସେ ନିଜେ ମଧ୍ୟ ଦିନ ଦିନେ ଭାବସ୍ତମ୍ଭିତା ହୋଇପଡ଼ନ୍ତି ।

ଜନ୍ମ ଓ ଜାତକର୍ମ

ଏହିପରି ଦଶ ମାସ ଅତୀତ ହେଲା। ସେ ତାଙ୍କର ପିତ୍ରାଳୟ ରାଧାକାନ୍ତପୁରରେ ଅବସ୍ଥାନ କରୁଥାନ୍ତି। ୧୨୮୬ ସାଲର ଶ୍ରାବଣ ମାସ ଝୁଲଣ ପୂର୍ଣ୍ଣିମା ଦିନ ରାତ୍ର ଦୁଇଘଣ୍ଟା ସମୟରେ ମାଣିକ୍ୟସୁନ୍ଦରୀ ଦେବୀଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେଲା। ଦମ୍ପତିଙ୍କର ଆନନ୍ଦର ସୀମା ରହିଲା ନାହିଁ । କୌଳିକ ପ୍ରଥାନୁଯାୟୀ ସୂର୍ଯ୍ୟାଦି ଦେବତାମାନଙ୍କର ଅର୍ଚ୍ଚନା କରାଯାଇ ବଳକର ନାମକରଣ କରାଗଲା ।

ଭୁବନମୋହନ ତାଙ୍କର ଗୁରୁ ଭାସ୍କରାନନ୍ଦ ସ୍ବାମୀଙ୍କର ଆଦେଶାନୁସାରେ ବାଳକର ନାମ ନଳିନୀକାନ୍ତ ରଖିଲେ। ଗଣକ ଶିଶୁର ସିଂହ ରାଶି ଓ ଏକାଦଶରେ ବୃହସ୍ପତିଙ୍କ ସଞ୍ଚାର ଦେଖି ନବପ୍ରସୂତ ଶିଶୁଟିର ଭବିଷ୍ୟତ ଆଭାସ ଭଟ୍ଟାଚାର୍ଯ୍ୟଙ୍କୁ ଜଣାଇଦେଲେ। ଭଟ୍ଟାଚାର୍ଯ୍ୟ ମହାଶୟ ଆନନ୍ଦରେ ମହାମାୟାଙ୍କ ଚରଣତଳେ ପ୍ରଣାମ କରି ପୁତ୍ରର ମଙ୍ଗଳ କାମନା କଲେ।

ଗ୍ରହଯନ୍ତ୍ର

ମେଷ – ଶନି, ମିଥୁନ – କେତୁ (ଇଂ ୧୬/୫୯/୫୨), କର୍କଟ – ବୁଧ, ସିଂହ – ରବି, ମଙ୍ଗଳ ଓ ଶୁକ୍ର, ଧନୁ – ରାହୁ, କୁମ୍ଭ – ଚନ୍ଦ୍ର, ମୀନ – ବୃହସ୍ପତି ।

…. (କ୍ରମଶଃ)

(ପରବର୍ତ୍ତି ଲେଖାରେ – ‘ସେ ନିଜ ପାଦରୁ ଜୋତା ଖୋଲି ସେଥିରେ ନବ ବଧୂକୁ ଆପାଦ ମସ୍ତକ ପ୍ରହାର କରି …)


Share it

Leave a comment

Your email address will not be published. Required fields are marked *

Verified by MonsterInsights