– ବିଷ୍ଣୁପଦ ସେଠୀ, ଆଇ.ଏ.ଏସ୍.
ବିଗତ ସତୁରୀ ଦଶକର କଥା। ଆମ ଗାଁ ନରସିଂହପୁର ପଡୋଶୀ ରାଜ୍ୟ ବେଙ୍ଗଲକୁ ଲାଗି ଏକ ସୀମାନ୍ତ ଇଲାକା। ସେ ସମୟରେ ସେ ଅଞ୍ଚଳରେ ପକ୍କା ସଡକ, ବିଜୁଳି, ମଜବୁତ ଘରମାନ ନ ଥିଲା। ଲୋକମାନେ ଚାଷକାମ, ପାନବରଜ ଇତ୍ୟାଦି କରି ଜୀବନଯାପନ କରୁଥିଲେ । ଜଣେ ବା ଦୁଇଜଣ ସରକାରୀ ଶିକ୍ଷକଙ୍କୁ ଛାଡିଦେଲେ, ପ୍ରାୟ ଆଉ କେହି ଚାକିରୀ ବାକିରି କରୁ ନଥିଲେ । ସରକାରୀ ସହାୟତାର ସୁଯୋଗ ପ୍ରାୟ କିଛି ନ ଥିଲା ବୋଲି କହିଲେ ଚଳିବ ।
ଅବଶ୍ୟ ପିଲାଙ୍କ ପାଠପଢା ପାଇଁ ୧୮୯୨ ମସିହାରୁ ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା । ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ଗ୍ରାମର ମୁଖିଆ ଲୋକମାନେ ସମ୍ଫୃକ୍ତ ହେଉଥିଲେ । ପରବର୍ତ୍ତୀ ସମୟରେ ସରକାର ସେଠାରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଖୋଲିବା ପାଇଁ ବ୍ୟବସ୍ଥା କଲେ ।
ଯେଉଁ ପିଲାମାନେ ତହୁଁ ଆଗକୁ ପଢିବାକୁ ଚାହୁଁଥିଲେ, ସେମାନେ ଦୂରଦୂରାନ୍ତରେ ଥିବା ହାଇସ୍କୁଲ ମାନଙ୍କରେ ନାମ ଲେଖାଉଥିଲେ ଏବଂ ସେ ସଂଖ୍ୟା ବହୁତ କମ୍ ଥିଲା ।
ପ୍ରାଥମିକ ସ୍କୁଲରେ ଭଲ ପଢୁଥିଲି ବୋଲି ମୋର ଟିକେ ନାଁ ଥିଲା । ପାଖ ଗାଁର ଗୋଟିଏ ଅଣଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଆମ ଘର ପାଖରେ ରହୁଥିଲେ |
ସପ୍ତମ ପାଶ୍ କଲାପରେ, ତାଙ୍କ କହିବା ଅନୁସାରେ, ମୁଁ ସେ ବିଦ୍ୟାଳୟରେ ନାଁ ଲେଖିଦେଲି ।
ସ୍ବର୍ଗତ ବିଜୟ କୁମାର ମାହାନା ସେହି ପଡୋଶୀ ଗ୍ରାମର ଜଣେ ପାନ ବ୍ୟବସାୟୀ ଥିଲେ। ସେ ନିଜ ଅର୍ଥରୁ ଏବଂ ନିଜ ଜମିରେ ସେ ଅଞ୍ଚଳର ପିଲାଙ୍କ ପାଇଁ ବିଜୟ କୁମାର ଏକାଡେମୀ ନାମରେ ଏକ ହାଇସ୍କୁଲ ଖୋଲିଥିଲେ ୧୯୭୪ ମସିହାରେ । ତାଙ୍କର ଇଚ୍ଛା ଥିଲା ସେ ଗ୍ରାମ ଏବଂ ପାଖାପାଖି ଗ୍ରାମର ପିଲାମାନେ ବିନା ଅସୁବିଧାରେ ସେ ସ୍କୁଲରେ ପାଠ ପଢିବେ ।
ସେ ଅଞ୍ଚଳରେ ପାଠ ପଢିଥିବା କିଛି ଯୁବକ ମାନଙ୍କୁ ଶିକ୍ଷକତା କରିବା ପାଇଁ ସେ ନିଯୁକ୍ତି ଦେଇଥିଲେ । ସେମାନଙ୍କର ଦରମାପତ୍ର କିଛି ବି ନ ଥିଲା । ଆଶା ଥିଲା ପରବର୍ତ୍ତୀ କାଳରେ ସରକାର ସ୍କୁଲକୁ ଅନୁଦାନ ରାଶି ପ୍ରଦାନ କରିବେ ।
ଅଲଗା ଭାବେ ଟ୍ୟୁସନ୍ କରି କିଛି ଅର୍ଥ ଉପାର୍ଜନ କରି ଏବଂ ଚାଷକାମ କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ ।
ସ୍କୁଲ କୋଠା କହିଲେ ମାଟି ଏବଂ ଇଟାରେ ଗଢା କାନ୍ଥ ଏବଂ ଟାଇଲ୍ ଛାତ ଥିଲା । ପିଲାଙ୍କ ପାଇଁ ଥିଲା ପାଞ୍ଚୋଟି ଶ୍ରେଣୀ ଗୃହ ଏବଂ ଅନ୍ୟ ଏକ କୋଠରୀରେ ଶିକ୍ଷକମାନେ ବସୁଥିଲେ । ବିଜୁଳି, ପାଇଖାନା, ପରିସ୍ରାଗାର, ଲାଇବ୍ରେରୀ ଭଳି ମୌଳିକ ସୁବିଧାମାନ ନଥିଲା। ବସିବା ପାଇଁ କାଠ ତିଆରି ବେଞ୍ଚ ଏବଂ ଟେବୁଲ୍ ର ବ୍ୟବସ୍ଥା ଥିଲା।
ସ୍କୁଲରେ ପାଠପଢା ଆରମ୍ଭ ହେବାର ‘ଛ’ ମାସ ପରେ ଷାଣ୍ମାସିକ ପରୀକ୍ଷା ହେଲା। ପରୀକ୍ଷା ପରେ ଜଣେ ଉପର ଶ୍ରେଣୀର ଛାତ୍ର ମୋତେ ହେଡମାଷ୍ଟ୍ରେ ଡାକୁଛନ୍ତି ବୋଲି ଖବର ଦେଲା । ମୁଁ ଯେତେବେଳେ ହେଡ୍ସାର୍ଙ୍କ ପାଖରେ ପହଞ୍ଚିଲି, ସେ ମୋ ପରୀକ୍ଷା ଖାତା ଦେଖି ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ମାଗିଲେ ।
ତାପରେ ସେ ଖୁସିରେ ଗଦ୍ ଗଦ୍ ହୋଇ ସେଠାରେ ଥିବା ପିଲାମାନଙ୍କୁ କହିଲେ, “ମୁଁ ବିଜ୍ଞାନ ଖାତାର ଉତ୍ତର ପଢିଲା ବେଳେ ଭାବିଲି, ପିଲାଟି ବୋଧହୁଏ ବହିରୁ ଉତାରି ଦେଇଛି କାରଣ ବହିରେ ଲେଖା ହୋଇଥିବା ସମ୍ପୁର୍ଣ୍ଣ ପାରାଗ୍ରାଫ୍ ଗୁଡିକ ଅବିକଳ ଭାବରେ ଟିପା ହୋଇଛି। ମୁଁ ରାଗରେ ପିଟିବା ପାଇଁ ସେଇ ପିଲାଟିକୁ ଡାକିଛି । ଏବେ ତାର ସ୍ମରଣ ଶକ୍ତି ଦେଖି ମୁଁ ଅବାକ୍ ଏବଂ ବହୁତ ଖୁସି”।
ସେ ଥିଲେ ଇଶ୍ୱର ଚନ୍ଦ୍ର ଗିରି । ବିନା ଦରମାରେ ଶିକ୍ଷକତା କରୁଥିଲେ।ପିଲାଙ୍କୁ ଶାସନ କରୁଥିବାରୁ ସମସ୍ତେ ତାଙ୍କୁ ଡରୁଥିଲେ। କିନ୍ତୁ ସେହି ଦିନରୁ ସେ ମୋର ସବୁଠୁ ବଡ ହିତାକାଂକ୍ଷୀ ହୋଇଗଲେ।
ଯେହେତୁ ପିଲାମାନଙ୍କ ଘରେ ପଢିବାର ପରିବେଶ ନ ଥିଲା, ସ୍କୁଲରେ ସନ୍ଧ୍ୟାବେଳଠୁ ହଷ୍ଟେଲ ଆରମ୍ଭ ହୋଇ ଯାଉଥିଲା। ମାସକୁ ପିଲାମାନେ କିଛି ପଇସା ଏବଂ ଚାଉଳ ମେସ୍ ଚାଲିବା ପାଇଁ ଦେଉଥିଲେ।
ସଂଧ୍ୟାବେଳ ଠାରୁ ସ୍କୁଲ ବାରଣ୍ଡାରେ ପଢିବା ଆରମ୍ଭ ହେଉଥିଲା। ସବୁ ଶିକ୍ଷକମାନେ ପ୍ରାୟ ରହୁଥିଲେ ଏବଂ ପିଲାମାନଙ୍କୁ ମାଗଣାରେ ଟ୍ୟୁସନ୍ କରୁଥିଲେ। ରାତ୍ରୀ ଭୋଜନ ପରେ ଆମେମାନେ ଘରୁ ଆଣିଥିବା ମସିଣା, ଚାଦର ଏବଂ ମଶାରୀ ପାରିକରି କ୍ଲାସରୁମରେ ଶୋଉଥିଲୁ। ଶିକ୍ଷକମାନେ ରାତିରେ ଘରକୁ ଫେରି ଯାଉଥିଲେ।
ଶ୍ରୀଯୁକ୍ତ ଗିରି ମେଧାବୀ ଛାତ୍ରମାନଙ୍କ ଉପରେ ଏବଂ ବିଶେଷ କରି ମୋ ଉପରେ ବିଶେଷ ଧ୍ୟାନ ଦେଉଥିଲେ। ନିଜ ପାଖରେ ମଧ୍ୟ ମୋତେ ଶୁଆଉଥିଲେ । ସବୁଦିନେ ମୋର ଇଂରାଜୀରେ ଦକ୍ଷତା ବୃଦ୍ଧି ପାଇଁ ବ୍ୟାକରଣ ଏବଂ ଅନୁବାଦ କରାଉଥିଲେ। ମୋର ଅଗ୍ରଗତି ଦେଖି ବହୁତ ଖୁସି ହେଉଥିଲେ।
ମୁଁ ପ୍ରତ୍ୟେକ ବିଷୟରେ ପ୍ରାୟ ଶତ ପ୍ରତିଶତ ନମ୍ବର ରଖୁଥିବାରୁ ସେ ନିଜକୁ ବହୁତ ଉତଫୁଲ୍ଲିତ ମନେକରୁଥିଲେ ଏବଂ ପାଖଆଖର ସବୁ ସ୍କୁଲର ଶିକ୍ଷକମାନଙ୍କୁ ମୋର ଉଦାହରଣ ଦେଉଥିଲେ।
ଦିନକର କଥା । ମୋତେ ଉପନ୍ଯାସ ଏବଂ ଗଳ୍ପ ପଢ଼ିବାକୁ ବହୁତ ଭଲ ଲାଗୁଥିଲା । ମୋତେ ଜଣେ ସାଙ୍ଗ ଗୋଟିଏ ରହସ୍ୟ ଉପନ୍ଯାସ ଦେଇଥିଲା ଯାହାର ନାମଥିଲା “ରକ୍ତ ରଞ୍ଜିତ ରାତ୍ରୀ” । କାଳେ ଶିକ୍ଷକ ମାନେ ଦେଖିଦେବେ, ତେଣୁ ମୁଁ ସେହି ବହିଟିକୁ ପଢ଼ା ବହି ତଳେ ଲୁଚେଇ କରି ପଢ଼ୁଥିଲି, ଯାହାକୁ ଈଶ୍ୱର ସାର୍ ଧରି ଦେଲେ ।
ସେ କିଛି ନକହି ସେଠୁ ଚାଲିଗଲେ ଏବଂ କିଛି ସମୟ ପରେ ସ୍କୁଲ ପିଅନ ଆସି ମୋତେ ସାର୍ ଥିବା ରୁମକୁ ଡାକିଲା । ସେଠାରେ ପହଞ୍ଚି ମୁଁ ଦେଖିଲି, ସାର୍ ଭୋ ଭୋ ହୋଇ କାନ୍ଦୁଛନ୍ତି। ମୁଁ କିଛି ବୁଝି ପାରିଲିନି ।
ପିଅନ ଜଣକ ମୋତେ ସାରଙ୍କ କ୍ଷୋଭ ବିଷୟରେ କହିଲା। ସାର୍ ଭାବିଦେଲେ ମୁଁ କୋଉ ଗୋଟିଏ ଖରାପ ବହି ପଢ଼ୁଛି ଏବଂ ମୁଁ ନଷ୍ଟ ଦିଗକୁ ଚାଲି ଯାଉଛି । ସେଇ ଦୁଃଖରେ ସେ ଅତ୍ୟନ୍ତ ମ୍ରିୟମାଣ ହୋଇ ଗୋଟିଏ ପିଲା ଭଳି କାନ୍ଦୁଥିଲେ । ପାଠକୁ ହେଳା ନକରି ଭଲ ମଣିଷ ହେବାପାଇଁ ପ୍ରତିଶୃତି ଦେଇ ମୁଁ ସେଦିନ ସାରଙ୍କୁ ଶାନ୍ତ କରାଇଥିଲି ।
ସେ ଚାହୁଁଥିଲେ ମୁଁ କଳା ବିଷୟ ପଢ଼ି ପରବର୍ତ୍ତୀ ସମୟର ଆଇ.ଏ.ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ।
ଯଦିଓ ମୁଁ କଳା ବିଷୟ ନ ପଢ଼ି ଇଞ୍ଜିନିୟରିଙ୍ଗ ପାଠ ପଢ଼ିଲି, ତାଙ୍କର ଆଶୀର୍ବାଦରୁ ମୋର ସବୁଠୁ ପ୍ରିୟ ବିଷୟ ଗଣିତକୁ ନେଇ UPSC ଦ୍ୱାରା ପରିଚାଳିତ Civil Service ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଥିଲି ।
ଈଶ୍ୱର ସାରଙ୍କୁ ମୁଁ ମନ, ପ୍ରାଣ ଏବଂ ଭକ୍ତି ସହିତ ସବୁ ବେଳେ ସ୍ମରଣ କରେ । ସେ ମୋ ପାଇଁ ସତରେ ଇଶ୍ୱର ।
ସେଭଳି ଶିକ୍ଷକ ଯଦି କୌଣସି ପିଲାଙ୍କ ସମ୍ପର୍କରେ ଆସନ୍ତି, ଜୀବନ ପଥ ନିଶ୍ଚିତଭାବରେ ଆଲୋକିତ ହେବ ।
– ବିଷ୍ଣୁପଦ ସେଠୀ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ
The real story as written by Shri Bishnu pada Sethi is really heart touching and his teacher is praiseworthy for building of his carrier which could raise his memory and could become an IAS officer.
ସତ୍ଯ ଅନୁସନ୍ଧିତ୍ସୁ ଲେଖକ, ଅତ୍ୟନ୍ତ ଉଚ୍ଚକୋଟୀର ଭାବରେ ଜୀବନର ଅନୁଭୂତିକୁ ଉପସ୍ଥାପନ କରିଛନ୍ତି। ଜୀବନର ଆଲୋକ ପ୍ରଦାନ କରିଥିବା ଶିକ୍ଷକ, ଗିରି ମହାଶୟଙ୍କୁ ମଧ୍ଯ ମୋର କୋଟି କୋଟି ପ୍ରଣାମ।
Its a true fact. I know about it.