ପରମହଂସ ଶ୍ରୀ ନିଗମାନନ୍ଦ : ଭାଗ – ୩୨
ଷଟ୍ ସାଧନର ଉଦ୍ଦେଶ୍ୟ
ଦେହକୁ ଯୋଗସାଧନର ଉପଯୋଗୀ କରିବାକୁ ହେଲେ ପ୍ରଥମେ ଦେହ ଯେପରି ସାଧନାର କ୍ଳେଶ ସହ୍ୟ କରିପାରିବ ଓ ବାୟୁ ଧାରଣ କରିପାରିବ, ସେଥିପାଇଁ ଷଟ୍ ସାଧନ ଆବଶ୍ୟକ । ଷଟ୍ ସାଧନ ଦ୍ଵାରା ଶରୀର ରସ ଓ ଶ୍ଲେଷ୍ମାଶୂନ୍ୟ ହୋଇ ଯୋଗର ଦ୍ଵିତୀୟ ସ୍ତରର ସାଧନ ପାଇଁ ଉପଯୋଗୀ ହୁଏ । ଆଉ ମଧ୍ୟ ଷଟ୍ ସାଧନ ଦ୍ଵାରା ଅନ୍ନମୟ କୋଷର କ୍ରିୟାକୁ ପ୍ରତିରୋଧ କରାଯାଇ ପ୍ରାଣମୟ କୋଷ ଉପରେ ପ୍ରଭୂତ୍ଵ ବିସ୍ତାର କରାଯାଏ । ଏହି ସାଧନା ପରେ ପ୍ରାଣାୟମ ସାଧନା ଆରମ୍ଭ ହୁଏ ।
ଶରୀର ରସ ଓ ଶ୍ଲେଷ ଦ୍ଵାରା ପୂର୍ଣ୍ଣ ଥିଲେ ପ୍ରାଣାୟମ ସମୟରେ ଯେଉଁ ବାୟୁ ଗ୍ରହଣ କରାଯାଏ ; ତାହା ଦେହର ସର୍ବତ୍ର ସଞ୍ଚାରିତ ହୋଇ ପାରେ ନାହିଁ । ତେଣୁ ବାୟୁ ବାହାରକୁ ଶୀଘ୍ର ବାହାରି ଯିବାକୁ ଚେଷ୍ଟା କରେ ; କାରଣ, ସାଧକଙ୍କ ଶରୀରରେ ବାୟୁଧାରଣ ଉପଯୋଗୀ ସ୍ଥାନ ମିଳେ ନାହିଁ । ଫୁସଫୁସ ଓ ଅନ୍ୟାନ ବାୟୁ କୋଷ ଗୁଡ଼ିକ ଶ୍ଲେଷାଦ୍ଵାରା ଆବୃତ୍ତ ଥିବାରୁ ସାଧକ ବାୟୁ ଗ୍ରହଣ କଲେ ମଧ୍ୟ ତାହା ଦେହରେ ସର୍ବତ୍ର ପ୍ରବେଶ କରି ସ୍ଥିତି ଲାଭ କରି ନପାରିବାରୁ ବାହାରକୁ ଚାଲି ଆସେ । ଯଦି ଷଟ୍ ସାଧନ ନକରି ବାୟୁ ଧାରଣ କରାଯାଏ, ତେବେ ଅନ୍ନମୟ କୋଷର କ୍ରିୟା ରୁଦ୍ଧ ହୋଇପାରେ ନାହିଁ। ସୁତରାଂ ଅନ୍ନମୟ କୋଷର ବାଧା ଫଳରେ ଦେହର ସୁଖଦୁଃଖ ସମସ୍ତ ଅନ୍ୟାନ୍ୟ କୋଷ ଉପରେ କ୍ରିୟାଶୀଳ ହେବାରୁ ଯୋଗର ପରବର୍ତ୍ତୀ ସାଧନର କ୍ରିୟାଗୁଡ଼ିକ ଅସାଧ୍ୟ ହୋଇପଡ଼େ।
ପ୍ରାଣାୟମ ସାଧନା
ଉପରୋକ୍ତ ଷଟ୍ ସାଧନ ନିଗମାନନ୍ଦଙ୍କର ଏକ ବର୍ଷ ଭିତରେ ଶେଷ ହୋଇଗଲା । ତେଣୁ ସେ ପ୍ରାଣାୟମ ସାଧନାଦ୍ବାରା ପ୍ରାଣମୟ କୋଷର କ୍ରିୟାକୁ ସଂଯତ ଓ ନିୟନ୍ତ୍ରିତ କରିପାରିଲେ । ପ୍ରାଣାୟାମ ସାଧନା ସମୟରେ ଖୁବ୍ ସାରବାନ ଖାଦ୍ୟର ପ୍ରୟୋଜନ ହୁଏ । ଯଜ୍ଞେଶ୍ଵର ବାବୁଙ୍କ ସ୍ତ୍ରୀ ସରଯୂ ଦେବୀ ନିଜ ସନ୍ତାନକୁ ଯେପରି ପାଳନ କରିବାକୁ ହୁଏ , ଠିକ୍ ସେହିପରି ନିଗମାନନ୍ଦଙ୍କର ଯେତେବେଳେ ଯେଉଁ ଖାଦ୍ୟର ପ୍ରୟୋଜନ ସେ ସେହି ସମୟରେ ସେହି ଖାଦ୍ୟ ତାଙ୍କୁ ଖୁଆଇ ଦେଇ ଯାଆନ୍ତି । ଏହି ଭାବରେ କିଛି ଦିନ ପ୍ରାଣାୟାମ ସାଧନା କଲା ପରେ ନିଗମାନନ୍ଦ ପ୍ରାଣମୟ କୋଷର କ୍ରିୟାକୁ ରୋଧ କରିପାରିଲେ ।
ଧାରଣା ଓ ଧ୍ୟାନ
ପ୍ରାଣାୟାମ ପ୍ରତ୍ୟାହାର ଦ୍ଵାରା ବାୟୁ ସାମ୍ୟ ହେବାରୁ ମନର ଚାଞ୍ଚଲ୍ୟ ନଷ୍ଟ ହୋଇଗଲା । କାରଣ ବାୟୁ ସହିତ ମନର ଅତି ଘନିଷ୍ଠ ସମ୍ବନ୍ଧ । ବାୟୁ ଚଞ୍ଚଳ ହେଲେ ମନ ମଧ୍ୟ ଚଞ୍ଚଳ ହୁଏ । ବାୟୁ ସାମ୍ୟ ହେବାପରେ ନିଗମାନନ୍ଦଙ୍କ ମନରେ ସଂକଳ୍ପ ବିକଳ୍ପ ଜନିତ ଚଞ୍ଚଳତା ନଷ୍ଟ ହୋଇ ମନ ସ୍ଥିର ହୋଇଗଲା । ତତ୍ପରେ ସେ ରାଜଯୋଗର ତୃତୀୟ ସ୍ତରର ଧାରଣା ଓ ଧ୍ୟାନର ସାଧନା ଆରମ୍ଭ କଲେ । ଧ୍ୟାନଦ୍ଵାରା ମନୋମୟ କୋଷ ଜୟ କରିବାକୁ ହୁଏ । ଏହି ସମୟରେ ବହିର୍ସାହାଯ୍ୟ ନିମିତ୍ତ ଜଣେ ସାହାଯ୍ୟକାରି ଆବଶ୍ୟକ ହୋଇପଡ଼େ ।
ଧାରଣାର ଗାଢତାକୁ ଧ୍ୟାନ କହନ୍ତି ଏବଂ ଧ୍ୟାନର ପରିପାକ ଅବସ୍ଥା ହିଁ ସମାଧି । ଧ୍ୟାନ ସମୟରେ ଯେ କେତେବେଳେ ସମାଧି ଆସିଯିବ ତାର ନିଶ୍ଚୟତା ନାହିଁ ଏବଂ ସମାଧିର ସ୍ୱରୂପ ନ ଜାଣିବା ପର୍ଯ୍ୟନ୍ତ ସାଧକଙ୍କ ମନରେ ଗୋଟିଏ ଭୟ ମିଶ୍ରିତ ଭାବ ଥାଏ । ବିଶେଷତଃ ଗୁରୁ ନିକଟରେ ନଥିଲେ ଏହି ଭୟ ହୁଏ ଯେ, ଯଦି ସମାଧି ନଭାଙ୍ଗେ , ତେବେ କଣ କରାଯିବ ? ତେଣୁ ସାଧକଙ୍କର ଜଣେ ସାହାଯ୍ୟକାରି ବା ଚେଲାର ପ୍ରୟୋଜନ ହୁଏ । ଯଜ୍ଞେଶ୍ଵର ବାବୁଙ୍କ ସ୍ତ୍ରୀ ସରଯୁ ଦେବୀ ନିଗମାନନ୍ଦଙ୍କ ଚେଲା କାର୍ଯ୍ୟରେ ନିଯୁକ୍ତ ହେଲେ ।
ନିଗମାନନ୍ଦ ତାଙ୍କୁ ତାଙ୍କର କର୍ତ୍ତବ୍ୟ ସମ୍ବନ୍ଧରେ ବିହିତ ଉପଦେଶ ଦେଇ କହିଲେ ଯେ , ଯଦି ସେ ଧ୍ୟାନ କରୁ କରୁ ସମାଧିସ୍ଥ ହୋଇପଡନ୍ତି, ତେବେ ପ୍ରଥମ ଦିନ ଚବିଶ ଘଣ୍ଟା ଭିତରେ ବାହ୍ୟଜ୍ଞାନ ଫେରାଇ ଆଣିବାକୁ ଚେଷ୍ଟା କରିବ । ସେ ଆସନରେ ଉପବିଷ୍ଟ ଥିଲେ ମଧ୍ୟ ଦେହ ମୃତ ପରି ରହିଥିବ ଏବଂ ବାହ୍ୟକ ଚେତନାର କୌଣସି ପ୍ରକାର ଚିହ୍ନ ଦେଖାଯିବ ନାହିଁ । ଅନ୍ତଃସଲିଳା ଫଲଗୁ ନଦୀ ପରି ଭିତରେ ଚେତନା ଥିବ ।
ପ୍ରଥମେ ସ୍କନ୍ଧ ଦେଶରେ ଗବ୍ୟଘୃତ ମର୍ଦ୍ଦନ କରି ପରେ ଦାନ୍ତ ଫିଟାଇବାକୁ ଚେଷ୍ଟା କରିବାକୁ ହେବ । ଦାନ୍ତ ଫିଟିଲା ପରେ ଦେଖାଯିବ ଯେ, ଜିହ୍ୱା ସ୍ଵସ୍ଥାନରେ ନଥାଇ ତାଳୁ ଦ୍ଵାର ରୋଧ କରିଅଛି। ଜିହ୍ୱାକୁ ଖାଣ୍ଟି ଚାନ୍ଦି ରୂପାର ଚିମୁଟା ଦ୍ଵାରା ମୃଦୁ ଭାବରେ ଆକର୍ଷଣ କରି ସେଥିରେ ଘୃତ ମାଲିସ କରି ସ୍ଵାଭାବିକ ଅବସ୍ଥାକୁ ଆଣିବାକୁ ପଡ଼ିବ । ତାହାପରେ ପରିଷ୍କୃତ କନା ଦ୍ଵାରା ବଳିତା ପ୍ରସ୍ତୁତ କରି ଉକ୍ତ ବଳିତା ସାହାଯ୍ୟରେ ସାଧକଙ୍କୁ ଦୁଗ୍ଧ ପାନ କରାଇବାକୁ ହେବ। ଏହି ସବୁ କ୍ରିୟା ଖୁବ୍ ସାହସ ଓ ଧର୍ଯ୍ୟର ସହିତ କଲେ ସାଧକଙ୍କର ପୁଣି ବାହ୍ୟଜ୍ଞାନ ଫେରି ଆସିବ।
ସମ୍ପ୍ରଜ୍ଞାତ ସମାଧି
ଯୋଗକ୍ରିୟା ଗୁଡ଼ିକର ଧରାବନ୍ଧା ନିୟମ ହେଉଛି ଯେ, ଗୋଟିଏ କ୍ରିୟା ଫଳପ୍ରସୂ ହେଲେ ତାହାର ପରବର୍ତ୍ତୀ କ୍ରିୟାଟି ମଧ୍ୟ ସିଦ୍ଧ ହେବ । ଏହା ନିଜର ଆୟତ୍ତାଧିନ, ଏଥିପାଇଁ କାହାର କୃପା ଉପରେ ନିର୍ଭର କରିବାକୁ ହୁଏ ନାହିଁ । କେତେବେଳେ ଯେ ଯୋଗ ସମାଧି ଆସିଯିବ, ତାହା ଯୋଗସାଧକମାନେ ନିଜେ ନିଜେ ଉପଲବ୍ଧି କରିପାରନ୍ତି । ମେରୁଦଣ୍ଡ ଭିତର ଦେଇ ମୂଳାଧାରସ୍ଥିତ କୁଳକୁଣ୍ଡଳିନୀ ଶକ୍ତି କିପରି କ୍ରମଶଃ ଉତ୍ଥିତ ହେଉଅଛି, ତାହା ନିଗମାନନ୍ଦ ପ୍ରତ୍ୟକ୍ଷ ଉପଲବ୍ଧି କରିପାରିଲେ ।
କୁଣ୍ଡଳିନୀର ଉର୍ଦ୍ଧ୍ଵଗମନ ଓ ଅଧଗମନ ସମୟକୁ ସମ୍ପ୍ରଜ୍ଞାତ ସମାଧି କହନ୍ତି। କୁଣ୍ଡଳିନୀ ଗୋଟିଆ ଗୋଟିଏ ପଦ୍ମକୁ ଉଠିଲେ ଗୋଟିଏ ଗୋଟିଏ ଜଗତର ବିକାଶ ହୁଏ। ଏହା କିନ୍ତୁ ଚରମ ଅବସ୍ଥା ନୁହେଁ । ଚରମ ଅବସ୍ଥାରେ ପହଞ୍ଚିିବା ପୂର୍ବରୁ ସାଧକଙ୍କ ନିକଟରେ ଅଷ୍ଟୈଶ୍ୱର୍ଯ୍ୟ ପ୍ରଭୃତି ଖୋଲିଯାଏ । ସାଧକଙ୍କର ଦିବ୍ୟଦର୍ଶନ, ଦିବ୍ୟ ଶ୍ରବଣ ଓ ବୈଦୁତିକ ଗତି ପ୍ରଭୃତି ଲାଭ ହୁଏ । ନିଗମାନନ୍ଦ ନିଜର ଏହିସବୁ ଲକ୍ଷଣ ଦେଖି ବୁଝିଲେ ଯେ, ଅତିଶିଘ୍ର ତାଙ୍କର ସର୍ବାଭୀଷ୍ଟ ସିଦ୍ଧ ହେବ । ତେଣୁ ପୂର୍ବରୁ ସମାଧି ଅବସ୍ଥାର କର୍ତ୍ତବ୍ୟ ବିଷୟରେ ସରଯୁ ଦେବୀଙ୍କୁ ଉପଦେଶାଦି ଦେଲେ ।
(କ୍ରମଶଃ)
ପରମହଂସ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ
ଲେଖକ – ୰ ବନମାଳୀ ଦାସ ଓ ଦୁର୍ଗାଚରଣ ମହାନ୍ତି