ଜନ୍ମେଜୟଙ୍କ ସର୍ପଯଜ୍ଞ

Share it

ପୁରାଣ କଥା
10th August 2024

ଜନ୍ମେଜୟଙ୍କ ସର୍ପଯଜ୍ଞ
==============

ମହାରାଜ ପରୀକ୍ଷିତ,ନାଗ ତକ୍ଷକର ଦଂଶନରେ ପରମ ଗତି ପ୍ରାପ୍ତହେଲେ l ତାଙ୍କ ପରେ ହସ୍ତୀନା ସିଂହାସନରେ ଅଭିଷିକ୍ତ ହେଲେ,ତାଙ୍କ ସର୍ବ ଗୁଣ ସମ୍ପନ୍ନ ପୁତ୍ର ଜନ୍ମେଜୟ l ସେ ତାଙ୍କ ପ୍ରଜା ମାନଙ୍କୁ ପୁତ୍ରବତ୍ ପାଳୁଥିଲେ l ତାଙ୍କ ରାଜତ୍ୱରେ ହସ୍ତୀନା ସମସ୍ତ ସୁଖ ସମ୍ପଦରେ ପୂର୍ଣ୍ଣ ହୋଇ ଯାଇ ଥିଲା l ବୋଧ ହେଉଥିଲା ଧର୍ମ ରାଜ ଯୁଧିଷ୍ଠିରଙ୍କ ରାଜତ୍ୱ ପୁନଃ ହସ୍ତୀନାକୁ ଫେରି ଆସିଛି l

ସେହିସମୟରେ ହସ୍ତୀନା ପଶ୍ଚିମ ମରୁପ୍ରଦେଶରେ ଉତ୍ତଙ୍କ ବୋଲି ଜଣେ ସିଦ୍ଧଋଷି ବାସ କରୁଥିଲେ l ଉତ୍ତଙ୍କ ଗୁରୁ ବେଦଙ୍କ ନିକଟରେ ବିଦ୍ୟା ଅଧ୍ୟୟନ କରୁଥିଲେ l ବିଦ୍ୟା ସମାପ୍ତିରେ ସେ ଗୁରୁ ଦକ୍ଷିଣା ଦେବାକୁ ଚାହିଁବାରୁ ଗୁରୁ କହିଲେ ଗୁରୁ ମାଆଙ୍କୁ ପଚାରି ତୁମର ଦକ୍ଷିଣା ଦାନକର l ଗୁରୁ ମାଆଙ୍କୁ ପଚାରିବାରୁ ସେ କହିଲେ ତୁମେ ଦକ୍ଷିଣା ସ୍ୱରୂପେ ମୋତେ ରାଜା ପୌଷ୍ୟଙ୍କ ରାଣୀଙ୍କ କୁଣ୍ଡଳ ଆଣିଦିଅ l ଉତ୍ତଙ୍କ କୌଣସି ମତେ ରାଣୀଙ୍କ ଠୁଁ ଭିକ୍ଷା କରି ତାହା ଘେନିଆସିଲେ l ପଥରେ ସେ ଆସିଲା ବେଳେ ଭୋକ ଲାଗିବାରୁ କୁଣ୍ଡଳ ହଳକ ଥୋଇ ଦେଇ, ସେ ଖାଇବା ପାଇଁ କିଛି ଫଳ ତୋଳୁଛନ୍ତି ଏହି ସମୟରେ ତକ୍ଷକ ନାଗ କୁଣ୍ଡଳହଳକୁ ଧରି ପାତାଳ ପୁରୀକୁ ଚାଲିଗଲା l ଦେବରାଜ ଇନ୍ଦ୍ରଙ୍କ ସାହାଯ୍ୟ ନେଇ ଉତ୍ତଙ୍କ ପୁଣି ତାହା ଫେରି ପାଇ ଥିଲେ l ସେହି ଦିନରୁ ସେ ତକ୍ଷକକୁ ଉଚିତ ଶିକ୍ଷା ଦେବାପାଇଁ ସୁଯୋଗ ଖୋଜୁ ଥିଲେ l

ମହର୍ଷି ଉତ୍ତଙ୍କ ଦିନେ ହସ୍ତୀନା ଯାଇ ଜନ୍ମେଜୟଙ୍କ ଦରବାରରେ ପହଞ୍ଚିଲେ l ଜନ୍ମେଜୟ ଋଷିଙ୍କ ପଦ ପୂଜାକରି ସ୍ୱାଗତକଲେ ଏବଂ ତାଙ୍କର ଯଥୋଚିତ ସତ୍କାର କଲେ l ଋଷି ଆସନରେ ବସିବାରୁ ରାଜା ଜନ୍ମେଜୟ ଯୋଡ଼ହସ୍ତ ହୋଇ କହିଲେ, ମହାତ୍ମନ୍ ମୋତେ ଆଜ୍ଞା ଦିଅନ୍ତୁ, ମୁଁ ଆପଣଙ୍କ କେଉଁ ସେବା କରିପାରେ l

ଉତ୍ତଙ୍କ କହିଲେ, ହେ ରାଜା ! ଏହା ନିଃସନ୍ଦେହ ତୁମେ ଖୁବ ଉତ୍ତମଭାବେ ରାଜ୍ୟ ଶାସନ କରୁଛ l ପ୍ରଜାଗଣ ମଧ୍ୟ ସୁଖରେ ଅଛନ୍ତି,ମାତ୍ର ତୁମେ ଭୁଲି ଯାଇଛ କଅଣ କରିବା ଉଚିତ l ଶଙ୍କିତ ଚିତ୍ତରେ ଜନ୍ମେଜୟ ଋଷିଙ୍କୁ ଚାହିଁ କହିଲେ, ହେ ମହାତ୍ମା ! ମୋତେ ତା’ ହେଲେ ଆପଣ ଖୋଲି କରି କୁହନ୍ତୁ, ଯଦ୍ୱାରା ମୁଁ ନିଜକୁ ସଂଶୋଧନ କରି ନେବି l ମୁନି ଉତ୍ତଙ୍କ କହିଲେ,ତୁମେ ଭୁଲିଯାଇଛ ତୁମ ପିତାଙ୍କ ମୃତ୍ୟୁ କିପରି ହେଲା ? ତକ୍ଷକ ନାଗ ଦଂଶନରେ ତୁମ ପିତାଙ୍କ ମୃତ୍ୟୁ ହେଲା, ଅଥଚ ତୁମେ ସେହି ନାଗ ଉପରେ, କୌଣସି ପ୍ରତିଶୋଧ ନେବା ଚିନ୍ତା କରିନାହଁ l

ମହର୍ଷି ଉତ୍ତଙ୍କଙ୍କଠାରୁ ଏହା ଶୁଣି ଜନ୍ମେଜୟ ନିଜ ପାରିଷଦମାନଙ୍କୁ ଡାକି ପଚାରିଲେ ଆପଣମାନେ କୁହନ୍ତୁ ମୋ ପିତାଙ୍କ ମୃତ୍ୟୁ କେଉଁଥିପାଇଁ ହେଲା l ପାରିଷଦ ମାନେ କହିଲେ, ବ୍ରହ୍ମଶାପ ଫଳସ୍ୱରୂପ ଆପଣଙ୍କର ପିତା ପରୀକ୍ଷିତ, ତକ୍ଷକ ଦଂଶନରେ ପ୍ରାଣ ହରାଇଛନ୍ତି l ଜନ୍ମେଜୟ ମହର୍ଷିଙ୍କୁ କହିଲେ ଏଥିରେ ତେବେ ତକ୍ଷକର କଅଣ ଦୋଷ,ପିତାଙ୍କ ମୃତ୍ୟର କାରଣ ତ ବ୍ରହ୍ମଶାପ l ତକ୍ଷକ ସହିତ ମୁଁ ବୃଥା ବୈରତା କରିବି କାହିଁକି??

ଉତ୍ତଙ୍କ ପୁଣି କହିଲେ, ମୁଁ ଜାଣିଛି,ତକ୍ଷକ ଦଂଶନ କରିବାକୁ ଆସୁ ଥାଏ l ସେହି ସମୟରେ କଶ୍ୟପ ବୋଲି ଜଣେ ବିଷହାରୀ ବ୍ରାହ୍ମଣ ମଧ୍ୟ ଆସୁଥିଲେ ଯିଏକି ବିଷ ହରଣ କରି, ମହାରାଜ ପରୀକ୍ଷିତଙ୍କୁ ବଞ୍ଚାଇ ପାରିଥାନ୍ତେ l ତାଙ୍କସହ ତକ୍ଷକର ସାକ୍ଷାତ ହେଲା l ସେ ବିଷହାରୀ ବୋଲି ଜାଣିପାରି ତକ୍ଷକ ତାଙ୍କୁ ବହୁ ଧନରତ୍ନାଦି ଉତ୍କୋଚ ଦେଇ ବାହୁଡ଼ାଇ ଦେଇଛି l ହେ ରାଜା ! ଏବେ ବିଚାରକର ତକ୍ଷକ ଦୋଷୀ କି ନୁହଁ ! ଆଉଗୋଟିଏ ପୁରୁଣା କାହାଣୀ କହୁଛି ଶୁଣ l ପୁରା କାଳରେ ଜଣେ ମହାନ ଋଷି ଥିଲେ ରୁରୁମୁନି l ତାଙ୍କ ପତ୍ନୀ ସର୍ପାଘାତରେ ପ୍ରାଣ ହରାଇଲା,ମୁନି ତାଙ୍କ ଅର୍ଦ୍ଧେକ ଆୟୁଷ ଦାନକରି ପୁଣି ତାଙ୍କୁ ପୁନର୍ଜୀବିତ କରାଇଲେ l ସେହି ଦିନ ମୁନି ପଣକଲେ ମୁଁ ସର୍ପଙ୍କ ବଂଶ ନିପାତ କରିବି l ସେବେଠାରୁ ସେ କୌଣସି ସାପ ଦେଖିଲେ ତାକୁ ସଙ୍ଗେସଙ୍ଗେ ପିଟି ମାରିଦିଅନ୍ତି l ରୁରୁମୁନିଙ୍କ ଭଳି ଜଣେ ଋଷି ଯେତେବେଳେ ସର୍ପମାନଙ୍କ ଉପରେ ତାଙ୍କର ରୋଷକୁ ଭୁଲିପାରି ନଥିଲେ, ତୁମେ ପୁଣି କେମିତି ଭୁଲିଯାଉଛ l ତୁମ ପିତାଙ୍କ ଅତୃପ୍ତ ଆତ୍ମା ମୋକ୍ଷ ନପାଇ ଘୁରିବୁଲୁଛି,ତୁମେ ତକ୍ଷକ ଉପରେ ପ୍ରତିଶୋଧନେଇ ତାଙ୍କୁ ମୋକ୍ଷ ପ୍ରଦାନକର l ଏଥି ପାଇଁ, ତୁମେ ଏକ ସର୍ପ ଯଜ୍ଞର ଆୟୋଜନ କର l ସେହି ଯଜ୍ଞାହୂତିରେ ତକ୍ଷକ ସମେତ ସମସ୍ତ ସର୍ପ କୁଳ ଧ୍ବଂସ ହେବେ l ଏତେକ କହି ମୁନୀ ଉତ୍ତଙ୍କ ପ୍ରସ୍ଥାନ କଲେ l

ମହର୍ଷି ଉତ୍ତଙ୍କଙ୍କ କଥା ଶୁଣି, ରାଜା ଜନ୍ମେଜୟଙ୍କ ଚକ୍ଷୁ ଲୋତକାପ୍ଳୁତ ହୋଇପଡ଼ିଲା l ସେ କହିଲେ ବାସ୍ତବିକ ମୁଁ ମହାପାପୀ l ମୁଁ ଏ ପର୍ଯ୍ୟନ୍ତ ପିତାଙ୍କ ଅତୃପ୍ତ ଆତ୍ମାକୁ ତୃପ୍ତ କରି ପାରିନାହିଁ ! ଜନ୍ମେଜୟ ଏପରି ଭାବାବିଷ୍ଟ ହୋଇ ନିଜର ପାରିଷଦ ଗଣଙ୍କୁ ଆଦେଶ ଦେଲେ,”ଯାଅ ଗଙ୍ଗା ତଟରେ ସର୍ପଯଜ୍ଞ ପାଇଁ ସମସ୍ତ ଆୟୋଜନ କର,ସୁନ୍ଦର ଯଜ୍ଞବେଦୀ ପ୍ରସ୍ତୁତ କର l ବିଦ୍ୱାନ ବ୍ରାହ୍ମଣମାନଙ୍କୁ ବରଣ କରି ଆଣ, ମହାମୁନୀ ଉତ୍ତଙ୍କଙ୍କ ଅଧ୍ୟକ୍ଷତାରେ ଆମେ ଏହି ଯଜ୍ଞ କରି ସର୍ପକୂଳକୁ ବିନାଶ କରିବା”l

ରାଜା ଜନ୍ମେଜୟଙ୍କ ଆଦେଶରେ ଶାସ୍ତ୍ରମତେ ଯଜ୍ଞ ଶାଳା ପ୍ରସ୍ତୁତ ହୋଇ, ସର୍ପ ଯଜ୍ଞ ଆରମ୍ଭ ହେଲା l ଯଜ୍ଞର ହୋତା ଥିଲେ ଚ୍ୟବନ ବଂଶୀ ମୁନୀ ଚଣ୍ଡ ଭାର୍ଗବ l ଏଥିରେ ଭାରତବର୍ଷର ସମସ୍ତ ବଡ଼ବଡ଼ ଶାସ୍ତ୍ରବେତ୍ତା, ବେଦଜ୍ଞ ଋଷି ମାନେ ମନ୍ତ୍ରୋଚ୍ଚାରଣ ପୂର୍ବକ ଆହୁତି ଦେବାକୁ ଲାଗିଲେ l ମନ୍ତ୍ରଧ୍ୱନୀରେ ସମସ୍ତ ନାଗ ଲୋକରେ ଆତଙ୍କଖେଳିଗଲା l ଶତ ସହସ୍ର ସଂଖ୍ୟାରେ ନାଗ ମାନେ ଯଜ୍ଞକୁଣ୍ଡରେ ପଡ଼ି ଭଷ୍ମ ହେବାରେ ଲାଗିଲେ l ଜନ୍ମେଜୟ ମହାରାଜ ସନ୍ତୋଷ ବ୍ୟକ୍ତକରି କହିଲେ ଏଥର ନାଗକୂଳ ଓ ତକ୍ଷକର ଆଉ ନିସ୍ତାରନାହିଁ l ଏତିକିବେଳେ ଏକ ବିଚିତ୍ର ଘଟଣା ଘଟିଲା l ସୂତମୁନି କହିଲେ ନାଆଁ ସେପରି ହେବ ନାହିଁ l ଯେଉଁ ଭୂମି ଉପରେ ଯଜ୍ଞ ହେଉଛି,ସେଥିରୁ ମୁଁ ଜାଣି ପାରୁଛି,ଜଣେ ମହାନ ବ୍ୟକ୍ତି ଆସି ସର୍ପ ମାନଙ୍କ ବିନାଶ ବଞ୍ଚାଇଦେବେ l

ଏହା ଶୁଣି ଜନ୍ମେଜୟ ଦ୍ୱାରପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ତୁମେମାନେ କଡ଼ା ପ୍ରହରା ଦିଅ ଯେପରି କୌଣସି ବାହ୍ୟ ବ୍ୟକ୍ତି ଯଜ୍ଞଶାଳାକୁ ପ୍ରବେଶ କରି ପାରିବେ ନାହିଁ l

ଏ ପଟେ ନାଗ ଲୋକ ନାଗ ଶୂନ୍ୟ ହୋଇ ଚାଲି ଥାଏ l ତକ୍ଷକ ଭୟଭୀତ ହୋଇ ଇନ୍ଦ୍ରଙ୍କ ଶରଣ ପଶିଲା l ଏତେ ସଂଖ୍ୟକ ନାଗ ଧ୍ବଂସ ହେଲେଣି, ଅଥଚ ତକ୍ଷକ ଆସୁନାହିଁ l ମହାରାଜ ଜନ୍ମେଜୟ ଚିନ୍ତିତ ହୋଇପଡ଼ିଲେ l ବ୍ରାହ୍ମଣମାନଙ୍କ ନିକଟରୁ ଜାଣିବାକୁ ପାଇଲେ ତକ୍ଷକ ଏବେ ଇନ୍ଦ୍ରଙ୍କ ଶରଣ ପଶିଛି l ତେଣୁ ସେ ବ୍ରାହ୍ମଣ ମାନଙ୍କୁ କହିଲେ ତା’ ହେଲେ, ଏବେ ଉଭୟଙ୍କ ନାମରେ ଆହୁତି ଦିଆ ଯାଉ l ତାହା ହିଁ ହେଲା ଏବଂ ସ୍ୱର୍ଗରୁ ତକ୍ଷକ ଓ ଇନ୍ଦ୍ର ଯଜ୍ଞାନଳରେ ପଡ଼ିବା ପାଇଁ ଖସିଲେ l

ନାଗ ଲୋକରେ ଆଉ ଅଳ୍ପମାତ୍ର ସର୍ପ ରହିଥାନ୍ତି l ସର୍ପ କୁଳର ଏଭଳି ସର୍ବନାଶ ଦେଖି ବାସୁକୀଙ୍କୁ ବହୁ କଷ୍ଟହେଲା l ଭଉଣୀ ଜରତ୍କାରୁକୁ ଯାଇ ସେ କହିଲେ,ମୁଁ ତୋ ବିବାହ ସମୟରେ ବ୍ରହ୍ମାଙ୍କଠାରୁ ଶୁଣିଥିଲି ତୋ ଗର୍ଭରୁ ଗୋଟିଏ ପୁତ୍ର ଜନ୍ମ ହେବ ଯିଏ ନାଗ କୂଳକୁ ରକ୍ଷା କରିବ l ଆସ୍ତିକ ତୋ’ର ସେହି ପୁତ୍ର l ଆସ୍ତିକକୁ ବର୍ତ୍ତମାନ କୁହାଯାଉ ସେ ଆମକୁ ରକ୍ଷା କରିବାର ଉପାୟ କରିବ l ଆସ୍ତିକ ଖବର ପାଇ ଆସି କହିଲେ ଆପଣ ଦୁହେଁ ନିଶ୍ଚିନ୍ତ ରୁହନ୍ତୁ ମୁଁ ମୋର ବାକ ଚାତୁରୀରେ ଜନ୍ମେଜୟଙ୍କୁ ପ୍ରଭାବିତ କରି ଏ ଯଜ୍ଞକୁ ବନ୍ଦ କରିଦେବି l

ଏପରି କହି ଆସ୍ତିକ ଯାଇ ଯଜ୍ଞ ଶାଳା ନିକଟରେ ପହଞ୍ଚିଗଲେ l ଦ୍ୱାରପାଳ ମାନେ ଭିତରକୁ ଯିବାକୁ ତାଙ୍କୁ ବାଧା ଦେବାରୁ, ସେହି ଠାରେ ଛିଡ଼ା ହୋଇ ସେ ଯଜ୍ଞ ଓ ସମସ୍ତ ଋଷିମାନଙ୍କ ସ୍ତୁତି କରିବାରେ ଲାଗିଲେ l ଆସ୍ତିକଙ୍କ ଶୁଦ୍ଧ ଓ ପ୍ରଭାବଶାଳୀ ମନ୍ତ୍ର ଉଚ୍ଚାରଣ ଶୁଣି ରାଜା ଜନ୍ମେଜୟ ପ୍ରଭାବିତହୋଇ କହିଲେ,”ମହାତ୍ମନ ! ମୁଁ ଆପଣଙ୍କୁ ବର ଦେବାକୁ ଚାହେଁ,ଆପଣ କି ବର ଚାହାଁନ୍ତି କୁହନ୍ତୁ”l ରାଜାଙ୍କ କଥା ଶୁଣି ଆସ୍ତିକ କହିଲେ, ମୋତେ ବର ଦିଅନ୍ତୁ ଏହି ଯଜ୍ଞ ବନ୍ଦ ହୋଇଯାଉ ଓ ସର୍ପକୁଳ ଏ ମହା ବିନାଶରୁ ରକ୍ଷା ପାଇ ଯାଆନ୍ତୁ l ରାଜା ଜନ୍ମେଜୟ ମହା ସଙ୍କଟରେ ପଡ଼ିଲେ l ସେ ଆସ୍ତିକଙ୍କୁ ଚାହିଁ କହିଲେ, ଆପଣ ଏ ବର ବଦଳରେ ଯାହା ଇଚ୍ଛା ଧନ ରତ୍ନ ମାଗି ନିଅନ୍ତୁ l ମୋତେ ଏ ଯଜ୍ଞ ସମ୍ପୂର୍ଣ୍ଣ କରିବାକୁ ଦିଅନ୍ତୁ l ଆସ୍ତିକ କହିଲେ ମୋର ସେହି ବରକୁ ଛାଡ଼ି,ଅନ୍ୟ କୌଣସି ବସ୍ତୁରେ ପ୍ରୟୋଜନ ନାହିଁ,ତୁମେ ବଚନବଦ୍ଧ l ଏହି ସମୟରେ ସମସ୍ତ ଉପସ୍ଥିତ ମୁନି ଋଷିମାନେ ଗୋଟିଏ ସ୍ୱରରେ କହି ଉଠିଲେ, ଏହି ବ୍ରାହ୍ମଣ ଯାହା ମାଗିଛନ୍ତି ତାହା ହିଁ ତାଙ୍କର ପ୍ରାପ୍ୟ ଓ ରାଜା ଏହାକୁ ସ୍ୱୀକାରକରନ୍ତୁ l

ରାଜାଙ୍କର ଆଉ ଉପାୟ ନଥିଲା l
ଏହି ସମୟରେ ଦେଖାଗଲା ଆକାଶରେ ତକ୍ଷକ ସହିତ ଇନ୍ଦ୍ର ତୀବ୍ରବେଗରେ ଯଜ୍ଞାଗ୍ନି ଆଡ଼କୁ ଖସି ଆସୁଛନ୍ତି l ଇନ୍ଦ୍ର ସେ ପ୍ରବଳ ଅଗ୍ନିର ତେଜ ଦେଖି ତକ୍ଷକକୁ ଛାଡ଼ି ପଳାୟନକଲେ l ଏକାକୀ ତକ୍ଷକ ଏବେ ଯଜ୍ଞ କୁଣ୍ଡର ନିକଟତର ହେବାକୁ ଲାଗିଲା l ଜନ୍ମେଜୟ ବଚନବଦ୍ଧ ହୋଇ ଯଜ୍ଞ ବନ୍ଦ କରିବାକୁ

ନିର୍ଦ୍ଦେଶ ଦେଇଦେଲେ l ଆକାଶ ମାର୍ଗରେ ଆସ୍ତିକ ତକ୍ଷକକୁ ନିର୍ଦ୍ଦେଶ କରି ତିନିବାର କହିଲେ,”ରହି ଯାଅ, ରହି ଯାଅ, ରହି ଯାଅ “l ତକ୍ଷକ ସେଇଠି ଅଟକି ରହିଲେ l ଜନ୍ମେଜୟ କହିଲେ,”ଆସ୍ତିକଙ୍କ ଇଚ୍ଛା ପୂର୍ଣ୍ଣ ହେଉ l ଯଜ୍ଞାରମ୍ଭରେ ସୁତମୁନି ଯାହା ଭବିଷ୍ୟ ବାଣୀ କରିଥିଲେ, ତାହା ସତ୍ୟ ସାବ୍ୟସ୍ତ ହୋଇଛି “l ରାଜା ଜନ୍ମେଜୟ ଆସ୍ତିକଙ୍କୁ ସତ୍କାର କରି ବିଦାୟ ଦେଇ କହିଲେ,”ମୋର ଅଶ୍ୱମେଧ ଯଜ୍ଞକୁ ଆପଣ ନିଶ୍ଚୟ ଆସିବେ”l

ଏହାପରେ ଆସ୍ତିକ ଯାଇ ବାସୁକୀ, ନିଜର ମାତା ଜରତ୍କାରୁ ( ମନସା ଦେଵୀ ) ଓ ଅନ୍ୟାନ୍ୟ ନାଗ ମାନଙ୍କୁ ତାଙ୍କ ସଫଳତା ବିଷୟ କହିବାରୁ ନାଗ ଲୋକରେ ଆନନ୍ଦ ଖେଳି ଗଲା l ଅତୀବ ପ୍ରସନ୍ନ ହୋଇ ସମସ୍ତ ନାଗଗଣ ମିଶି ଆସ୍ତିକଙ୍କୁ କହିଲେ, ପୁତ୍ର ତୁମ ଯୋଗୁଁ ଆମ ନାଗ କୁଳ ମହାବିନାଶରୁ ରକ୍ଷାପାଇ ଗଲେ,କୁହ ତୁମକୁ ଆମେ କେଉଁ ବର ଦେବୁ l ଆସ୍ତିକ କହିଲେ ମୁଁ ଆପଣଙ୍କ ଠାରୁ ଏହି ବର ମାଗୁଛି,”ଯିଏ ସାୟଂ ଏବଂ ପ୍ରାତଃ କାଳରେ ଏ ଅପୂର୍ବ ସର୍ପଯଜ୍ଞ ଆଖ୍ୟାନ ପାଠକରିବ ତାହାର ସର୍ପ ଭୟ ରହିବ ନାହିଁ l ସମସ୍ତ ନାଗମାନେ ଏକ ସ୍ୱରରେ କହିଲେ ତାହାହିଁ ହେବ l ଯେଉଁ ଲୋକ ଅସିତ, ଆର୍ତ୍ତିମାନ ଓ ସୁନିଥ ତିନି ଗୋଟି ମନ୍ତ୍ରରୁ କୌଣସି ଗୋଟିଏକୁ ଦିନରେ ଥରେ ପାଠକରିବ ତାହାର ସର୍ପ ଭୟ ରହିବ ନାହିଁ l ସେହି ତିନୋଟି ମନ୍ତ୍ର ହେଲା :-
(1)
ଯୋ ଜରତ୍କାରୁଣା ଯାତୋ ଜରତ୍କାରୋୖ ମହାଯଶା,
ଆସ୍ତିକ ସର୍ପସତ୍ରେ ୱ ପନ୍ନଗାନ୍ ଯୋ ଅଧିରକ୍ଷତ, ତଂ ସ୍ମରନ୍ତେ ମହାଭାଗା ନ ମାଂ ହିଂସିନୁମର୍ହଥ ll
(2)
ସର୍ପପୋସର୍ପୋ ଭଦ୍ରମ୍ ତେ ଗଛ ସର୍ପମହାବିଷମ୍,
ଜନ୍ମେଜୟସ୍ୟ ଯଜ୍ଞାନ୍ତେ ଆସ୍ତିକ ବଚନଂ ସ୍ମର ll
(3)
ଆସ୍ତିକସ୍ୟ ବଚ ଶ୍ରୁତ୍ୱା ଯ ସର୍ପୋ ନ ନିବର୍ତ୍ତତେ l
ଶତଦା ବିଦ୍ୟତେ ମୁର୍ଧ୍ନି ଶିଂଶବୃକ୍ଷଫଲଂ ଯଥା ll

ଆସ୍ତିକ ଋଷି ଏହିଭଳି ଜନ୍ମେଜୟଙ୍କ ସର୍ପଯଜ୍ଞ ବନ୍ଦ କରି, ସର୍ପ କୂଳକୁ ରକ୍ଷା କଲେ l ବହୁ କାଳ ସେ ପୁତ୍ର ପୌତ୍ରାଦିଙ୍କ ସହ ନାଗ ଲୋକରେ ବାସ କରି କାଳାନ୍ତେ ସ୍ୱର୍ଗ ଗମନ କଲେ l ବିଶ୍ୱାସ ଅଛି ଆସ୍ତିକଙ୍କ ନାମ ତ୍ରିବାର ଉଚ୍ଚାରଣରେ ମନୁଷ୍ୟର ସର୍ପଭୟ ଦୂର ହୋଇଥାଏ l

ସର୍ପ ଯଜ୍ଞ ବନ୍ଦ ହେଲା l ମହାରାଜ ଜନ୍ମେଜୟଙ୍କ ଆଗ୍ରହରୁ ମହର୍ଷି ଵୈଶମ୍ପାୟନ ରାଜାଙ୍କୁ ସମ୍ପୂର୍ଣ୍ଣ ମହାଭାରତ କାହାଣୀ ଶୁଣାଇଲେ l ଜନ୍ମେଜୟ ମହାଭାରତ ଶୁଣି ମନରେ ଶାନ୍ତି ପାଉ ନଥାନ୍ତି l ସେ ବ୍ୟାସଦେବଙ୍କୁ ଯାଇ କହିଲେ, ହେ ମହାତ୍ମା ମୋ ମନ ମଧ୍ୟରେ କ୍ରୋଧାଗ୍ନି ପ୍ରଜ୍ବଳିତ ହେଉଛି l ଦୟା କରି ଆପଣ ଏହାକୁ ଶାନ୍ତ କରିବାର କିଛି ଉପାୟ କୁହନ୍ତୁ l ବ୍ୟାସଦେବ ତାଙ୍କ ପ୍ରାର୍ଥନାଶୁଣି କହିଲେ, ବତ୍ସ ! ମୁଁ ଏକ ଅନନ୍ୟ ପୁରାଣ ଦେବୀ ଭାଗବତ ରଚନା କରିଛି l ତାହା ସର୍ବ ଅର୍ଥ,କର୍ମ ଓ ମୋକ୍ଷ ଦାୟୀ l ଏଥିରେ ଦେବୀଦୁର୍ଗାଙ୍କ ମହିମା କିର୍ତ୍ତୀତ ହୋଇଛି l ମାଆ କିପରି ମଧୁ କୈଟଭ ଶୁମ୍ଭ ନିଶୁମ୍ଭ, ଚଣ୍ଡ ମୁଣ୍ଡ, ରକ୍ତବୀର୍ଯ୍ୟ, ମହିଷାସୁର ଆଦି ରାକ୍ଷସ ମାନଙ୍କୁ ସଂହାର କରିଥିଲେ, ତାହା ଏଥିରେ ବର୍ଣ୍ଣିତ ହୋଇଛି l ଆହୁରି ଏଥିରେ ମାଆ ମହାମାୟା, ଆଦ୍ୟାଶକ୍ତି ତାଙ୍କ ଭକ୍ତ ମାନଙ୍କୁ କିପରି ଆଶୀର୍ବାଦ କରିଥାନ୍ତି ତାହା ମଧ୍ୟ ବର୍ଣ୍ଣିତ ହୋଇଛି l ତୁମେ ଭକ୍ତିଚିତ୍ତ ହୋଇ ଏହି ପୁରାଣ ଶ୍ରବଣକର l ନିଶ୍ଚୟ ମାନସିକ ଶାନ୍ତି ଲାଭକରିବ l ଏହା କହି ଭଗଵାନ ବେଦବ୍ୟାସ ତାଙ୍କୁ ଶ୍ରୀଦେବୀ ଭାଗବତ ପୁରାଣ ଶୁଣାଇଲେ l ଏହା ଶୁଣି ରାଜା ଜନ୍ମେଜୟ ପରମ ଶାନ୍ତି ଲାଭକଲେ ଓ ମା’ ମହାମାୟୀଙ୍କର ଜଣେ ପରମ ଭକ୍ତରେ ପରିଣତ ହେଲେ l

🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights