ଜନଗଣ ମନଅଧିନାୟକର ଅର୍ଥ ମୁଁ ଯେମିତି ବୁଝେ …

Share it

Mo Lekha

– ଲକ୍ଷ୍ମୀଧର ନାୟକ
My Facebook Post: 17th August 2021

ଜନଗଣ ମନଅଧିନାୟକର ଅର୍ଥ ମୁଁ ଯେମିତି ବୁଝେ …

ଅନେକ ସମୟରେ ଅନେକ ପ୍ରଶ୍ନ କରନ୍ତି –
ଜନଗଣ ମନ ଅଧିନାୟକ ଭାରତ ଭାଗ୍ୟ ବିଧାତା କିଏ ? କାହାକୁ ଏ ସମ୍ବୋଧନ ?

ମୁଁ କହୁଛି
ଏ ସମ୍ବୋଧନ
ସବୁ ଭାରତୀୟଙ୍କୁ
ସବୁ ଜନଗଣଙ୍କୁ
ଜଣେ ନିର୍ମାଣ ଶ୍ରମିକଙ୍କୁ
ଜଣେ କ୍ଷେତ ମୂଲିଆଙ୍କୁ
ଜଣେ ଚାଷୀଙ୍କୁ
ଜଣେ ସୈନିକଙ୍କୁ
ଆପଣଙ୍କୁ
ମୋତେ
ସମସ୍ତଙ୍କୁ

ଜନଗଣ ମନ ଅଧିନାୟକ ଜୟ ହେ
ଭାରତ ଭାଗ୍ୟ ବିଧାତା –

ଅର୍ଥାତ୍ ହେ ନିଜ ନିଜ ମନର ଅଧିନାୟକ ଜନଗଣ ! ଆପଣମାନେ ହିଁ ଭାରତର ଭାଗ୍ୟ ବିଧାତା, ଆପଣମାନଙ୍କର ଚିନ୍ତା ଓ କର୍ମ ଭାରତ ବର୍ଷର ଭାଗ୍ୟ ନିର୍ଦ୍ଧାରଣ କରେ, ଆପଣମାନେ ହିଁ ମୋ ଭାରତ ବର୍ଷର ନିର୍ମାତା ଭାଗ୍ୟ ବିଧାତା, ମୁଁ ଏ ପବିତ୍ର ଅବସରରେ ଆପଣମାନଙ୍କର ଜୟଗାନ କରୁଛି

ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ ଉତ୍କଳ ବଙ୍ଗ
ବିନ୍ଧ୍ୟ ହିମାଚଳ ଯମୁନା ଗଙ୍ଗା ଉଚ୍ଛଳ ଜଳଧି ତରଙ୍ଗ
ତବ ଶୁଭ ନାମେ ଜାଗେ
ତବ ଶୁଭ ଆଶୀଷ ମାଗେ
ଗାହେ ତବ ଜୟ ଗାଥା –

ଅର୍ଥାତ୍ ପଞ୍ଜାବ ସିନ୍ଧୁ ଗୁଜୁରାଟ ମରାଠା ଦ୍ରାବିଡ ଉତ୍କଳ ବଙ୍ଗ ଆଦି ସମଗ୍ର ଭାରତ ଭୁମି , ଏହାର କୋଳରେ ବିଦ୍ୟମାନ ବିନ୍ଧ୍ୟ ହିମାଚଳ ଆଦି ପର୍ବତ ସମୁହ , ଯମୁନା ଗଙ୍ଗା ଆଦି ସମସ୍ତ ନଦନଦୀ , କଳ କଳ ଉଚ୍ଛଳ ଜଳଧିର ଆନନ୍ଦ ବିଭୋର ତରଙ୍ଗ , ଏମାନେ ସମସ୍ତେ ଶୟନେ ସପନେ ଜାଗରଣେ ପ୍ରତି କ୍ଷଣରେ ଆପଣମାନଙ୍କର ଶୁଭ ନାମ ସ୍ମରଣ କରନ୍ତି , ଆପଣମାନଙ୍କର ଶୁଭ ଆଶୀଷ କାମନା କରନ୍ତି , ଆପଣମାନଙ୍କର ଜୟ ଗାନ କରନ୍ତି

ଜନଗଣ ମଙ୍ଗଳଦାୟକ ଜୟ ହେ
ଭାରତ ଭାଗ୍ୟ ବିଧାତା –

ଅର୍ଥାତ୍ ହେ ମଙ୍ଗଳମୟ, ହେ ମୋ ଭାରତ ବର୍ଷର ମଙ୍ଗଳ କାରକ ଜନସମୁଦାୟ , ହେ ମୋ ଭାରତର ଭାଗ୍ୟ ବିଧାତାଗଣ, ମୁଁ ଆପଣମାନଙ୍କର ଜୟଗାନ କରୁଛି

ଜୟ ହେ ଜୟ ହେ ଜୟ ହେ
ଜୟ ଜୟ ଜୟ ଜୟ ହେ –

ଅର୍ଥାତ୍ ହେ ଜନଗଣ ! ଆପଣମାନଙ୍କର ରାଷ୍ଟ୍ର ମଙ୍ଗଳକାରୀ ଚିନ୍ତା, ରାଷ୍ଟ୍ର କଲ୍ୟାଣକାରୀ ଚେତନା, ରାଷ୍ଟ୍ର ସମୃଦ୍ଧକାରୀ ସୁଖଦାୟୀ କର୍ମର ସଦା ଜୟ ହେଉ , ଜୟ ହେଉ, ଜୟ ହେଉ, ଜୟ ହେଉ ।

ଏହାର ଅର୍ଥକୁ ଏମିତି ଭାବି ଶୁଣନ୍ତୁ ତ
ବହୁତ ଭଲ ଲାଗୁଛି କି ନାହିଁ କୁହନ୍ତୁ

ନିଜ ଭିତରେ କ୍ଷଣେ ପାଇଁ ହେଉପଛେ ଗୋଟେ ଦାୟିତ୍ୱବୋଧ ଗୋଟେ କର୍ତ୍ତବ୍ୟବୋଧ ଭାବନା ଜାଗରିତ ହେଉଛି କି ନାହିଁ କୁହନ୍ତୁ ତ

ସତ କହିବେ ଆଜ୍ଞା ।

ମୋ ମନ କଥା –
ଯେତେବେଳେ ଏହା ଗାନ କରାଯାଉଥାଏ, ମୁଁ ଯଦି ସେଠାରେ ଉପସ୍ଥିତ ଥାଏ , ମୁଁ ଭାବେ ଏ ସମସ୍ତ ଲୋକ ମୋତେ ସମ୍ବୋଧନ କରି ଏହା ଗାଉଛନ୍ତି, ମୋ ଚିନ୍ତା ମୋ ଚେତନା ମୋ କର୍ମର ଜୟଗାନ କରୁଛନ୍ତି, ମୁଁ ଭାବେ ସମଗ୍ର ଭାରତ ବର୍ଷର ଲୋକ ଯେତେବେଳେ ମୋ ଠାରୁ ସୁଚିନ୍ତା ସୁକଥା ସୁଚେତନା ସୁକର୍ମର ଅପେକ୍ଷା ରଖୁଛନ୍ତି , ମୋ ସୁଚିନ୍ତା ସୁଚେତନା ସୁକର୍ମର ଜୟଗାନ କରୁଛନ୍ତି, ମୁଁ କୁଚିନ୍ତା କୁକର୍ମ କରିପାରିବି କିପରି ? କରିବି କାହିଁକି ?? ମୋ ମନଟା ଆନନ୍ଦରେ ପୁରିଯାଏ ।

ସେହିପରି ମୁଁ ଯେତେବେଳେ ଏ ମୋ ଜାତୀୟ ସଙ୍ଗୀତ ଗାନ କରେ ମୋ ସମ୍ମୁଖରେ ଉପସ୍ଥିତ ଭାରତ ମାତାର ଆବାଳବୃଦ୍ଧବନୀତା ସମସ୍ତ ସନ୍ତାନମାନଙ୍କୁ, କୃଷକ ଶ୍ରମିକ ଡାକ୍ତର ଇଞ୍ଜିନିୟର ପିଅନ କଲେକ୍ଟର …ସମସ୍ତଙ୍କୁ ମୁଁ ମୋ ଭାରତର ଭାଗ୍ୟବିଧାତା ଆସନରେ ଆସୀନକରାଇ ସେମାନଙ୍କର ଜୟ ଗାନ କରେ, ସେମାନଙ୍କର ସୁଚିନ୍ତା ସୁଚେତନା ସୁକର୍ମର ଜୟଗାନ କରେ । ଗୋଟାଏ ସତ୍ ମନରେ ଏପରି ଚିନ୍ତା କରେ । ଏପରି ଭାବନାଟିଏ ମନରେ ଆଣିବାଦ୍ୱାରା ମନ ଟା ସତରେ ଆନନ୍ଦମୟ ହୋଇଉଠେ ।

ଆପଣମାନେ ବି ସେମିତି ନିଜକୁ ଏବଂ ସମସ୍ତ ଭାରତୀୟ ଜନଗଣଙ୍କୁ ଭାରତର ଭାଗ୍ୟ ବିଧାତା ଆସନରେ ବସାଇ ଏହାକୁ ଶୁଣନ୍ତୁ ନା , ମନ ସତରେ ମଙ୍ଗଳମୟ ହୋଇଉଠିବ ।

– ଲକ୍ଷ୍ମୀଧର ନାୟକ
My Facebook Post: 17th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights