ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଉଚ୍ଚ ଶିକ୍ଷା

Share it

ଖୋଲା ବିଚାର
9th August 2024

ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଚ୍ଚ ଶିକ୍ଷା

– ବିଜୟ କୁମାର ଜେନା

ମୁଁ ଆଜି ଯେଉଁ ସ୍ଥାନରେ ପହଞ୍ଚି ପାରିଛି ତାହା କେବଳ ସମ୍ଭବପର ହୋଇଛି ମୋର ଉଚ୍ଚ ଶିକ୍ଷା ପାଇଁ। ଜନ୍ମ ନେଇ ଥିଲି କେଉଁଠି, ନିଯୁକ୍ତି ପାଇଲି ଭିନ୍ନ ଭିନ୍ନ ସ୍ଥାନରେ ଓ ଅବସର ପ୍ରାପ୍ତ ହେଲି ଅନ୍ୟ କେଉଁ ସ୍ଥାନରେ- ଏସବୁ ସମ୍ଭବ ହୋଇ ଥିଲା ମୋ ଶିକ୍ଷା ଗତ ଯୋଗ୍ୟତା ଓ ଦକ୍ଷତା ଯୋଗୁଁ। କହି ରଖିବାକୁ ଚାହେଁ ଯେ ଶିକ୍ଷାର କାଉଁରୀ ସ୍ପର୍ଶରେ ଆମେ ଜ୍ଞାନୀ, ଗୁଣୀ ,କୁଶଳୀ ତଥା ବିଦ୍ୱାନ ହୋଇ ଥାଉ। ରାଷ୍ଟ୍ରର ଉନ୍ନତି ପ୍ରତ୍ୟକ୍ଷ ଭାବେ ଶିକ୍ଷା ଉପରେ ଏକାନ୍ତ ନିର୍ଭରଶୀଳ । ଯେଉଁ ଦେଶର ଶିକ୍ଷା ପଦ୍ଧତି ଯେତେ ଉନ୍ନତ ସେ ଦେଶ ସେତେ ପ୍ରଗତିଶୀଳ ଅଟେ। ଯେଉଁ ମାନେ ଆଜି ଡାକ୍ତର, ପ୍ରଫେସର, ଓକିଲ, ଇଞ୍ଜିନିୟର ବୈଜ୍ଞାନିକ ସାମ୍ବାଦିକ, ପ୍ରଶାସନିକ ଅଧିକାରୀ ଭାବେ ଅବସ୍ଥାପିତ ସେମାନେ ସମସ୍ତେ ନିଜ ନିଜ ଶିକ୍ଷା ବଳରେ ସମାଜର ସେବା କରୁଛନ୍ତି। ଶିକ୍ଷା ଆମକୁ ଅନ୍ଧକାର ରୁ ଆଲୋକ ଆଡ଼କୁ ବାଟ କଢାଏ, ବିବେକ ଅନୁଯାୟୀ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ, ପାପ ପୁଣ୍ୟ ବିଚାର ବୋଧ ପ୍ରଦାନ କରେ, ସମାଜକୁ ଶୃଙ୍ଖଳିତ ଭାବେ ଗଢି ତୋଳେ।
ମୁଁ ୧୯୭୪-୭୮ ମସିହା ଅର୍ଥାତ ଚାରି ବର୍ଷ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ରେ ଅଧ୍ୟୟନ ରତ ଥିଲି ସେତେବେଳେ ମୋର ହାଇସ୍କୁଲ ପାଠ ପଢା ବେଳର ଜଣେ ବନ୍ଧୁଙ୍କ ଘରେ ଭଡ଼ା ନେଇ ରହୁଥିଲି। ମୋ ପାଖକୁ ଏକ ରୁମରେ ବାପ ପୁଅ ଦୁଇ ଜଣ ମଧ୍ୟ ଥିଲେ। ପୁଅଟି ମୋ ସହିତ ଇଂରେଜୀ ସମ୍ମାନ ନେଇ ଅଧ୍ୟୟନ କରୁଥିଲେ ଏବଂ ତାଙ୍କ ବାପା ତାଙ୍କ ପାଖରେ ରହି ଦେଖାଶୁଣା କରୁଥିଲେ। ତାଙ୍କୁ ମୁଁ ମଉସା ବୋଲି ଡାକେ। ସେ ତାଙ୍କ ପୁଅଙ୍କୁ ଯେମିତି ଭଲ ପାଉଥିଲେ ମୋତେ ମଧ୍ୟ ସମାନ ସ୍ନେହ ବି ଦେଉ ଥିଲେ। ମଉସା ଜଣଙ୍କ ଥିଲେ ସତ୍ୟବାଦୀ ବନବିଦ୍ୟାଳୟ ର ଛାତ୍ର ଓ ତାଙ୍କ ଶିକ୍ଷକ ମାନେ ଯଥା ପଣ୍ଡିତ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ଗୋଦାବରୀଶ ମିଶ୍ର ଓ କୃପାସିନ୍ଧୁ ଦାସ ଙ୍କୁ ବେଶୀ ମନେ ପକାନ୍ତି ଓ ସେମାନଙ୍କ ଆଦର୍ଶରେ ନିଜର ଏକ ମାତ୍ର ପୁତ୍ରକୁ ଗଢି ତୋଳିବା ପାଇଁ ପାଖା ପାଖି ରହି ସବୁ କାମ ନିଜେ କରି ପୁତ୍ରକୁ ବି ସେଥିରେ ସାମିଲ କରନ୍ତି।ତାଙ୍କଠାରୁ ମୁଁ ବହୁ କଥା ଶିଖିଛି। ଶିକ୍ଷାର ସବୁଠାରୁ ବଡ ଗୁଣବତ୍ତା ହେଉଛି ସମୟାନୁବର୍ତ୍ତିତା। ରାତି ଚାରିଟାରୁ ଉଠି ଭୋର ହେଲା ବେଳକୁ ସମସ୍ତ କାମ ସାରି ଦିଅନ୍ତି। ମୁଁ ଦେଖିଛି ଯେ ଝଡ ହେଉ ଅବା ବର୍ଷା ହେଉ ତାଙ୍କ ପୁଅ ପ୍ରତି ଶ୍ରେଣୀକୁ ଯାଇ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଶିକ୍ଷା ଦାନ ରେ ନିଜକୁ ଜଡ଼ିତ କରେ, ବସା କୁ ଆସିଲେ ବାପ ପୁଅ ଆଲୋଚନା କରନ୍ତି ଏବଂ ଯଦି କିଛି ଅବୁଝା ରହେ ପରଦିନ ତାହାକୁ ବୁଝିବାକୁ ଚେଷ୍ଟା କରନ୍ତି। ସତ କଥନ, ସତ ଚଳଣି ଓ ଆଚରଣ ତଥା ଉଚ୍ଚାରଣରେ ପବିତ୍ରତା ଅବଲମ୍ବନ କରିବା କୁ ଉଭୟେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରୁଥିଲେ। ମୁଁ ସେହି ବାପ ପୁଅ ଙ୍କ ଚଳଣିରୁ ଯାହା ଅନୁଭବ କଲି ଯେ ବାସ୍ତବରେ ସତ୍ୟବାଦୀ ବନବିଦ୍ୟାଳୟ ର ଶିକ୍ଷା ମଣିଷ ଗଢିବାର ଶିକ୍ଷା ଥିଲା। ଶିକ୍ଷା ମଣିଷକୁ ଭଲ ମଣିଷ କରି ଗଢି ତୋଳେ

ଅତୀତ ଓଡ଼ିଶାରେ ଶିକ୍ଷାର ମାନଦଣ୍ଡ ଯେମିତି ସୁଦୃଢ ଥିଲା, ଶିକ୍ଷକ ମାନଙ୍କ ଭୂମିକା ଗ୍ରହଣୀୟ ମଧ୍ୟ ଥିଲା। ସେମାନେ ଆଦର୍ଶ ଥିଲେ, ମଣିଷ ଗଢ଼ିବା ପାଇଁ ବଦ୍ଧ ପରିକର ଥିଲେ। ଶିକ୍ଷାକୁ ନେଇ କୌଣସି ବ୍ୟବସାୟ ନ ଥିଲା। ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ବନ ବିଦ୍ୟାଳୟ ଏହି ଦୃଷ୍ଟି କୋଣରୁ ବହୁ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଥିଲା। ସେହିପରି ଅତୀତ ଭାରତରେ ପାଟଳିପୁତ୍ର ର ନାଳନ୍ଦା ବିଶ୍ଵବିଦ୍ୟାଳୟ, ବିଶ୍ଵ କବି ରବୀନ୍ଦ୍ରନାଥ ଙ୍କ ଶାନ୍ତି ନିକେତନ ବହୁ ନାମ ଅର୍ଜ୍ଜନ କରିଥିଲେ। ବୈଦିକ ଯୁଗରେ ଗୁରୁ କୁଳ ଆଶ୍ରମ ରେ ଯେଉଁ ଶିକ୍ଷା ପ୍ରଦାନ କରା ଯାଇ ଥିଲା, ତାହା ମଧ୍ୟ ଗୁରୁ ଶିଷ୍ୟ ପରମ୍ପରାକୁ ମନେ ପକାଇ ଦିଏ। ଅତୀତ ସବୁ କାଳ ଖଣ୍ଡରେ ହଜି ଯାଇଥିଲେ ହେଁ ତାହା ଆଜିର ଅର୍ଥାତ୍ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଅନୁଗୃହିତ୍ ହୋଇଛି।
ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ପାଇଁ ଅନେକ ନୂତନ ଓ ବହୁ ଦୂରଦର୍ଶୀ ସ୍ବପ୍ନ ରଖିଛି, ଯାହା ଆଲୋଚନା ସାପେକ୍ଷ ଅଟେ। ମାନବିକ ଓ ସାମାଜିକ କଲ୍ୟାଣ ପାଇଁ ଉଚ୍ଚ ଶିକ୍ଷା ର ଗୁରୁତ୍ୱ ବେଶୀ। ଭାରତ ସମ୍ବିଧାନରେ ଥିବା ମୁଖବନ୍ଧରେ ସ୍ଵାଧୀନତା, ସମାନତା, ସମସ୍ତଙ୍କ ପ୍ରତି ନ୍ୟାୟ, ଭାଇଚାରା, ମାଧ୍ୟମରେ ନାଗରିକ ମାନଙ୍କୁ ସଚେତନ କରାଇ ଏକ ମାନବୀୟ ରାଷ୍ଟ୍ର ଗଠନ ଦିଗରେ ଉଚ୍ଚ ଶିକ୍ଷା ର ଭୂମିକା ରହିଛି। ଆମ ରାଷ୍ଟ୍ରର ନାଗରିକ ମାନଙ୍କର ସ୍ଥାୟୀ ଜୀବିକା ଓ ଆର୍ଥିକ ପ୍ରଗତିକୁ ନିଶ୍ଚିତ କରିବାରେ ଉଚ୍ଚ ଶିକ୍ଷା ର ମହତ୍ତ୍ଵ ପୂର୍ଣ୍ଣ ଯୋଗଦାନ ରହିଛି। ବର୍ତ୍ତମାନ ଆମ ଦେଶ ଭାରତ ଗୋଟିଏ ଜ୍ଞାନଭିତ୍ତିକ ଅର୍ଥ ବ୍ୟବସ୍ଥା ସମାଜ ଆଡ଼କୁ ଅଗ୍ରସର ହେଉଛି, ଅଧିକରୁ ଅଧିକ ଯୁବପିଢି ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବା ସ୍ବାଭାବିକ ଅଟେ। ତେଣୁ ଜାତୀୟ ଶିକ୍ଷା ନୀତି ୨୦୨୦ରେ କୁହା ଯାଇଛି ଯେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁଣାତ୍ମକ ଉଚ୍ଚ ଶିକ୍ଷା ଉତ୍ତମ, ଚିନ୍ତାଶୀଳ, ପୂର୍ଣ୍ଣାଙ୍ଗ ଓ ସୃଜନଶୀଳ ବ୍ୟକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିବ। ଜଣେ ଚାହିଁଲେ ନିଜ ପସନ୍ଦ ମୁତାବକ ଗୋଟିଏ ବା ଏକାଧିକ ବିଷୟକୁ ଗଭୀର ଭାବେ ଅଧ୍ୟୟନ କରିବାକୁ ମନୋନିବେଶ କରି ପାରିବେ। କାରଣ ଗୁଣାତ୍ମକ ଉଚ୍ଚ ଶିକ୍ଷା ବ୍ୟକ୍ତିର ଚରିତ୍ର ଓ ନୈତିକତା ଅଭିବୃଦ୍ଧି ଘଟାଇ ପାରିବ। ସାମ୍ବିଧାନିକ ମୂଲ୍ୟବୋଧ, ବୌଦ୍ଧିକ ଜିଜ୍ଞାସା, ବୈଜ୍ଞାନିକ ମନୋବୃତ୍ତି, ସୃଜନଶୀଳତା ତଥା ବ୍ୟକ୍ତିର ସେବା ଭାବନାକୁ ଉଦ୍ରେକ କରିବାରେ ସହାୟକ ହେବ। ଏତତବ୍ୟତୀତ କଳା, ବିଜ୍ଞାନ, ସାମାଜିକ ବିଜ୍ଞାନ, ଭାଷା, ଓ ମାନବୀୟ ବିଦ୍ୟା ଭଳି ଅନେକ ଶୃଙ୍ଖଳାରେ ଏବଂ ପେଷାଗତ, କାରିଗରୀ ଓ ଧନ୍ଦା ମୂଳକ ବିଷୟରେ ଏକବିଂଶ ଶତାବ୍ଦୀ ଉପଯୋଗୀ ସାମର୍ଥ୍ୟ ବିକାଶ କରିବା ରେ ସକ୍ଷମ କରାଇବ। ଏହା ମଧ୍ୟ ଶିକ୍ଷାର୍ଥୀଙ୍କୁ ଅର୍ଥ ପୂର୍ଣ୍ଣ ଓ ସନ୍ତୋଷ ପୂର୍ଣ୍ଣ ଜୀବନ ଓ କାର୍ଯ୍ୟ ନିର୍ବାହ ପାଇଁ ପ୍ରସ୍ତୁତ କରିବା ସହ ଆର୍ଥିକ ସ୍ତରରେ ସ୍ଵାଧୀନ ହେବା ପାଇଁ ମଧ୍ୟ ସମର୍ଥ କରାଇବ।
ବର୍ତ୍ତମାନ ଆମ ଦେଶରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ବହୁବିଧ ସମସ୍ୟା ସହିତ ଜଡିତ। ଅତ୍ୟଧିକ ଖଣ୍ଡ ବିଖଣ୍ଡିତ ଉଚ୍ଚ ଶିକ୍ଷା ପରିବେଶ, ବୌଦ୍ଧିକ ବିକାଶ ଓ ଶିକ୍ଷଣ ଫଳାଫଳ ଉପରେ କମ ଗୁରୁତ୍ୱ ପ୍ରଦାନ, ବିଭାଗ ବିଭାଗ ମଧ୍ୟରେ ବିଭାଜନ, ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅନୁନ୍ନତ ଅଂଚଳରେ ସ୍ଥାନୀୟ ଭାଷାରେ ଶିକ୍ଷା ଦାନ କରୁଥିବା ମାତ୍ର ଅଳ୍ପ କିଛି ଶିକ୍ଷାନୁଷ୍ଠାନ ରହିବା ହେତୁ ଉଚ୍ଚ ଶିକ୍ଷା ପାଇଁ ସୀମିତ ସୁଯୋଗ, ସୀମିତ ସଂଖ୍ୟକ ଶିକ୍ଷକ ଓ ସଂସ୍ଥାଗତ ସ୍ୱାୟତ୍ତତା ବା ସ୍ଵାଧୀନତା, ଯୋଗ୍ୟତା ଭିତ୍ତିକ କ୍ୟାରିୟର ପରିଚାଳନା ଓ ପ୍ରଗତି ପାଇଁ ବ୍ୟବସ୍ଥିତ ପ୍ରଣାଳୀର ଅଭାବ, ଅଧିକାଂଶ ମହାବିଦ୍ୟାଳୟ ଓ ବିଶ୍ଵ ବିଦ୍ୟାଳୟରେ ଗବେଷଣା ଉପରେ କମ୍ ଗୁରୁତ୍ୱ ପ୍ରଦାନ ଓ ଗବେଷଣା ପାଇଁ ଅନୁଦାନର ଅଭାବ, ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଶାସନଗତ ପରିଚାଳନା ଓ ନେତୃତ୍ୱର ଅଭାବ, ଏକ ନିଷ୍ଫଳ ଓ ପ୍ରଭାବ ହୀନ ନିୟାମକ ବ୍ୟବସ୍ଥା, ବହୁ ସଂଖ୍ୟକ ଅନୁବନ୍ଧିତ ବିଶ୍ଵ ବିଦ୍ୟାଳୟ ଏବଂ ଫଳ ସ୍ୱରୂପ ନିମ୍ନ ମାନର ସ୍ନାତକ ଶିକ୍ଷା ଇତ୍ୟାଦି। ଏହି ସମସ୍ୟା ଗୁଡ଼ିକୁ ଦୂର କରାଇବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ଅନେକ ପରିବର୍ତ୍ତନ ଓଁ ନୂତନ ଉତ୍ସାହ ମଧ୍ୟ ଆଣିଛି।
ଉପର ଲିଖିତ ସମସ୍ତ ସମସ୍ୟା ଗୁଡ଼ିକୁ ଦୂର କରିବା ନିମିତ୍ତ ଜାତୀୟ ଶିକ୍ଷା ନୀତି ୨୦୨୦ବ୍ୟବସ୍ଥାରେ ଏକ ବ୍ୟାପକ ପରିବର୍ତ୍ତନ ଆଣି ନୂତନ ଉତ୍ସାହ ଓ ଆଗ୍ରହ ଭରି ଦେଇ ତଥା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରି ଗୁଣାତ୍ମକ ଉଚ୍ଚ ଶିକ୍ଷା ଯୋଗାଇ ଦେବ। ଏହି ନୀତିର ପରିବର୍ତ୍ତନରେ ବର୍ତ୍ତମାନ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରାଯାଇଛି।
ବ୍ୟାପକ ଓ ବହୁ ବିଷୟକ ଉଚ୍ଚ ଶିକ୍ଷା ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବା, ଯେଉଁଥିରେ ପ୍ରତ୍ୟେକ ଜିଲ୍ଲାରେ ବା ଜିଲ୍ଲା ପାଖରେ ଅନ୍ୟୁନ ଗୋଟିଏ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଉପଲବ୍ଧ ହେବ ଏବଂ ସାରା ଭାରତରେ ଅଧିକ ସଂଖ୍ୟକ ଉଚ୍ଚ ଶିକ୍ଷାନୁଷ୍ଠାନ ଆଞ୍ଚଳିକ/ଭାରତୀୟ ଭାଷାକୁ ଶିକ୍ଷାଦାନ ମାଧ୍ୟମ ରୂପେ ବ୍ୟବହାର କରି ପାରିବେ।
ଅଧିକରୁ ଅଧିକ ବହୁ ବିଷୟକ ସ୍ନାତକ ଶିକ୍ଷା ଆଡ଼କୁ ଅଗ୍ରସର ହେବା।
ଶିକ୍ଷକ ଓ ସଂସ୍ଥାଗତ ସ୍ଵାଧୀନତା କୁ ପ୍ରାଧାନ୍ୟ ଦେବା।
ଶିକ୍ଷାର୍ଥୀ ମାନଙ୍କର ଅଭିଜ୍ଞତା ବଢ଼ାଇବା ପାଇଁ ପାଠ୍ୟକ୍ରମ, ଶିକ୍ଷାଦାନ ପୁସ୍ତିକା, ମୂଲ୍ୟାୟନ ଏବଂ ଶିକ୍ଷାର୍ଥୀଙ୍କ ପାଇଁ ସହାୟତା ଢାଞ୍ଚାକୁ ନୂତନ ରୂପ ଦେବା।
ଶିକ୍ଷାଦାନ, ଗବେଷଣା ଓ ସେବାକୁ ଆଧାର କରି ଯୋଗ୍ୟତାଭିତ୍ତିକ ନିଯୁକ୍ତି ଓ ବୃତ୍ତିଗତ ପ୍ରଗତି ମାଧ୍ୟମରେ ଶିକ୍ଷକ ସମୂହ ଏବଂ ଅନୁଷ୍ଠାନ ରେ ନେତୃତ୍ଵ ପ୍ରଦାନକାରୀ ବ୍ୟକ୍ତିଙ୍କର ସଚ୍ଚୋଟତା କୁ ବଜାଇ ରଖିବା।
ସହକର୍ମୀଙ୍କ ଦ୍ଵାରା ସମୀକ୍ଷା କରାଯାଉଥିବା ଉକୃଷ୍ଟ ଗବେଷଣା ପାଇଁ ପାଣ୍ଠିର ବ୍ୟବସ୍ଥା କରିବା ଏବଂ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗବେଷଣା କୁ ସକ୍ରିୟ କରିବା ପାଇଁ ଜାତୀୟ ଗବେଷଣା ସଂସ୍ଥା ପ୍ରତିଷ୍ଠା କରିବା।
ବିଭିନ୍ନ ଉପାୟରେ ସମସ୍ତଙ୍କ ହାତ ପାଆ ନ୍ତାରେ ଶିକ୍ଷା ପହଞ୍ଚାଇବା ଏବଂ ସମାନତା ରକ୍ଷା କରି ଶିକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରିବା, ଯାହା ଉକୃଷ୍ଟ ସାର୍ବଜନୀନ ଶିକ୍ଷା ପାଇଁ ଅଧିକ ସୁଯୋଗ ଯୋଗାଇବ, ଅବହେଳିତ ଓ ପଛୁଆ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ଘରୋଇ/ଜନ ସେବାକାରୀ ବିଶ୍ଵ ବିଦ୍ୟାଳୟ ଦ୍ଵାରା ଛାତ୍ର ବୃତ୍ତି ବ୍ୟବସ୍ଥା କରିବା, ଅନଲାଇନ ଶିକ୍ଷା ଓ ମୁକ୍ତ ଦୂର ଶିକ୍ଷା କାର୍ଯ୍ୟକାରୀ କରିବା ଏବଂ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପାଇଁ ସବୁ ପ୍ରକାର ଭିତ୍ତି ଭୂମି ଓ ଶିକ୍ଷଣ ସାମଗ୍ରୀ ଉପଲବ୍ଧ କରାଇବା ଇତ୍ୟାଦି।
ପ୍ରକୃତରେ ଜାତୀୟ ଶିକ୍ଷା ନୀତି ୨୦୨୦ ଏକ ଯୁଗାନ୍ତକାରୀ ନୀତି ଯାହା ଆମ ଦେଶରେ ଶିକ୍ଷା ବ୍ୟବସ୍ଥାର ଭିତ୍ତି ଭୂମିକୁ ମଜଭୁତ କରି ଅଚିରେ ସଜାଡି ପାରିବ। ସରକାର ଙ୍କୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ।ବ୍ୟବସ୍ଥା ଭିତରେ ଶିକ୍ଷକ ଓ ଶିକ୍ଷାୟତନ ର ବ୍ୟାପକ ପରିବର୍ତ୍ତନ ଆଣି ପାରିଲେ ଆମ ଶିକ୍ଷା ମାନଦଣ୍ଡ ବିଶ୍ବରେ ଏକ ନମ୍ବର ସ୍ଥାନରେ ରହି ପାରିବ। ଶିକ୍ଷାନୁଷ୍ଠାନ ଗୁଡିକ ଯଦି ଶିକ୍ଷାର୍ଥୀ ମାନଙ୍କର ଜୀବନ ପ୍ରବାହ ରେ ପରିଣତ ହୋଇ ପାରନ୍ତା ତେବେ ଆମ ଯୁବ ପିଢ଼ି ଏଥିରୁ ବହୁ ଉପକୃତ ହୋଇ ପାରନ୍ତେ। ଏହି ଶିକ୍ଷା ନୀତିକୁ ଏବେ ଚାରି ବର୍ଷ ପୂରଣ ହେଲା। ଆଗାମୀ ଦିନରେ ଅନେକ ସୁଫଳ ମିଳିବ। ଦେଶ ବିକାଶ ପଥରେ ଅଗ୍ରସର ହେବା ସହିତ ବିଶ୍ବରେ ଆମ ଶିକ୍ଷା ନୀତି ପ୍ରଶଂସିତ ହେବ, ଏହା ନିଃସନ୍ଦେହ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ,
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights