ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ, ବିଷ୍ଣୁ କ୍ଷେତ୍ର ମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶର ଚିତ୍ତ୍ୱୁର ଜିଲ୍ଲାର ତିରୁପତିରେ ଅବସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ପୀଠ ଅନ୍ୟତମ l କଳିଯୁଗର ମନୁଷ୍ୟ ମାନଙ୍କ ତ୍ରି ତାପ ହରଣ ନିମନ୍ତେ ଭଗବାନ ଶ୍ରୀବିଷ୍ଣୁ ଏଠାରେ ଆବିର୍ଭୁତ ହୋଇଛନ୍ତି l କୁହାଯାଏ ସେ ଏହିଠାରେ କଳିଯୁଗ ଶେଷ ଓ ଭଗବାନଙ୍କର କଳ୍କୀ ଅବତାର ପର୍ଯ୍ୟନ୍ତ ବିଜେକରିବେ,ଏଣୁ ତିରୁପତି କଳିଯୁଗର ବୈକୁଣ୍ଠ ବୋଲି ଅଭିହିତ ହୁଏ l ଭେଙ୍କଟେଶ୍ୱରଙ୍କ ଅନ୍ୟ ନାମ ଭେଙ୍କଟେଶ,ବାଲାଜୀ,ଶ୍ରୀନିବାସ l
ମହାପ୍ରଭୁ ଶ୍ରୀ ଭେଙ୍କଟେଶ୍ୱର, ଆସ୍ଥାନ ସ୍ଥାପିଚ୍ଛନ୍ତି ତିରୁମାଲା ପର୍ବତ ମାଳାର ଭେଙ୍କଟଗିରି ଠାରେ l ଶେଷ ନାଗଙ୍କ ଫଣା ସଦୃଶ ଏହି ସାତଟି ପାହାଡ଼ ସପ୍ତଗିରି ଓ ଭେଙ୍କଟାଦ୍ରୀ ନାମରେ ମଧ୍ୟ ପରିଚିତ l
ଶ୍ରୀବିଷ୍ଣୁଙ୍କ ଏଠାରେ ଆବିର୍ଭାବ ବିଷୟରେ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଛି l
ଗୋଟିଏ କିମ୍ବଦନ୍ତି ଭଗବାନଙ୍କ ବରାହ ଅବତାର ସହିତ ଜଡ଼ିତ l ଏହି ପୌରାଣିକ କାହାଣୀରୁ ଜଣା ଯାଏ ଏକଦା ବିଶ୍ୱକୁ ପ୍ରଳୟାନଳ ଗ୍ରାସ କରୁଥିବା ବେଳେ ଏ ଅଗ୍ନିର ନିର୍ବାପନ ପାଇଁ ଅତି ବେଗରେ ବାୟୁ ପ୍ରବାହିତ ହେଲା l ଏହା ଦ୍ୱାରା ପ୍ରବଳ ବୃଷ୍ଟି ହୋଇ ଧରଣୀ ଜଳମଗ୍ନ ହୋଇ ରସାତଳ ଗାମୀ ହେଲା l ଧରଣୀ ଉଦ୍ଧାର ପାଇଁ ଭଗବାନ ବରାହ ଅବତାର ଗ୍ରହଣକଲେ l ରସାତଳଗାମୀ ଧରଣୀ ମାତାଙ୍କୁ ଭଗବାନ ଶ୍ରୀବରାହ ଦନ୍ତାଗ୍ରରେ ଧାରଣ କରି ଉଦ୍ଧାର କଲେ l ଏହାପରେ ଭଗବାନ ଏହି ଧରଣୀ ଉପରେ ନିବାସ କରିବାକୁ ଇଚ୍ଛା କଲେ l ପ୍ରଭୁ ଗରୁଡ଼ଙ୍କୁ ଆଦେଶ ଦେଲେ ବୈକୁଣ୍ଠକୁ ଯାଇ କ୍ରୀଡ଼ାଚଳକୁ ଘେନି ଆସିବା ପାଇଁ l ମଣିମାଣିକ୍ୟ ଶୋଭିତ କ୍ରୀଡ଼ାଚଳ ଶେଷ ନାଗଙ୍କ ସାତ ଗୋଟି ଫଣା ପ୍ରାୟ ଶୋଭା ପାଉଥାଏ l ଗରୁଡ଼ ପ୍ରଭୁଙ୍କ ଆଦେଶରେ ଏହାକୁ ଘେନି ଆସିଲେ l ପ୍ରଭୁ ଏହି କ୍ରୀଡ଼ାଚଳ ଉପରେ ଭୂଦେବୀଙ୍କସହ ବାସକଲେ l କିନ୍ତୁ କଳିଯୁଗ ଆରମ୍ଭ ହେବାରୁ ଭଗବାନ ଵରାହ ଭେଙ୍କଟ ଗିରି ପରିତ୍ୟାଗ କରି, ପୁନଃ ବୈକୁଣ୍ଠକୁ ଚାଲି ଗଲେ ।
ବେଦପତି ବ୍ରହ୍ମା, ଏଥିରେ ବଡ଼ ବିଚଳିତ ହୋଇ ପଡ଼ିଲେ l କାରଣ ସେ ଚାହୁଁଥିଲେ ଭଗବାନ ଶ୍ରୀ ଵରାହ ଏଠାରେ ରହି କଳିଯୁଗ ମନୁଷ୍ୟ ମାନଙ୍କୁ ଧର୍ମ ଓ ମୋକ୍ଷର ମାର୍ଗ ପ୍ରଦର୍ଶନକରନ୍ତୁ l ଦେବର୍ଷି ନାରଦଙ୍କୁ ବ୍ରହ୍ମା ଏହାର କିଛି ଉପାୟ କର ବୋଲି କହିଲେ l ନାରଦ ଏହାର ଉପାୟ ଚିନ୍ତାକରୁ କରୁ ବିଶ୍ୱ ପରିକ୍ରମା କରି ଦିନେ ଯାଇ ପରମ ପାବନୀ ଗଙ୍ଗା ନଦୀ କୂଳରେ ପହଁଞ୍ଚିଲେ l ସେଠାରେ ଋଷି ମାନେ ଯଜ୍ଞ କରୁଥାନ୍ତି l ତିନି ଦେବତା ବ୍ରହ୍ମା,ବିଷ୍ଣୁ, ମହେଶ୍ବରଙ୍କ ଭିତରୁ କାହାକୁ ଯଜ୍ଞର ଶ୍ରେଷ୍ଠ ଭାଗ ଦିଆଯିବ ତାକୁ ନେଇ ଋଷି ମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥାଏ l ସେମାନେ ନାରଦଙ୍କୁ ପଚାରିବାରୁ ନାରଦ ତାଙ୍କୁ କହିଲେ ତୁମେ ମାନେ ତିନି ଦେବତାଙ୍କୁ ପରୀକ୍ଷାକର l ସେ ଋଷିମାନଙ୍କ ମଧ୍ୟରେ ଥାଆନ୍ତି, ମହର୍ଷି ଭୃଗୁ l
ନାରଦଙ୍କ ବାକ୍ୟ ଅନୁସାରେ ମହର୍ଷି ଭୃଗୁ ତିନି ଦେବତାଙ୍କୁ ପରୀକ୍ଷା କରିବାପାଇଁ ବାହାରିପଡ଼ିଲେ l ସେ ଯାଇ ବ୍ରହ୍ମା ଓ ଶିବଙ୍କ ପାଖରେ ପହଞ୍ଚିଲେ କିନ୍ତୁ ସେମାନେ ତାଙ୍କୁ କୌଣସି ଧ୍ୟାନ ଦେଲେନାହିଁ l ସେ କ୍ରୋଧିତ ହୋଇ ପୁଣି ଯାଇ ଶେଷରେ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ l ଶ୍ରୀବିଷ୍ଣୁ ମଧ୍ୟ ତାଙ୍କୁ କୌଣସି ଧ୍ୟାନ ନଦେବାରୁ ସେ ରାଗି ଯାଇ, ଶ୍ରୀବିଷ୍ଣୁଙ୍କ ହୃଦ ଦେଶରେ ଏକ ଶକ୍ତ ଗୋଇଠା ମାରିଲେ l ଏଥିରେ ଭଗବାନ ବିଷ୍ଣୁ କିଛି କ୍ରୋଧ ନ କରି ଭୃଗୁ ମୁନିଙ୍କ ପାଦକୁ ଆଉଁସି ଦେଇ କହିଲେ, ମୁନିବର ! ଆପଣଙ୍କ ପାଦକୁ କୌଣସି କଷ୍ଟ ହେଉ ନାହିଁ ତ ! ଏଥିରୁ ମୁନି ଭୃଗୁଙ୍କୁ ଖୋଜି ବୁଲୁଥିବା ତାଙ୍କ ପ୍ରଶ୍ନର ଉତ୍ତରଟି ମିଳିଗଲା l ମୁନି ଜାଣିଗଲେ, ଶ୍ରୀବିଷ୍ଣୁ ହିଁ ପ୍ରକୃତ ଶ୍ରେଷ୍ଠ ଯଜ୍ଞ ଭାଗ ପାଇବା ଯୋଗ୍ୟ l ଭୃଗୁ ମୁନିଙ୍କ ପଦାଘାତକୁ ପ୍ରଭୁ ହୃଦ ଦେଶରେ ଶ୍ରୀବତ୍ସ ଚିହ୍ନ ଭାବେ ବହନ କରି ପରିଚିତ ହେଲେ ଶ୍ରୀବତ୍ସଲାଞ୍ଚ୍ଛନ ବୋଲି l
କିନ୍ତୁ ଏହି ଘଟଣାରେ ମାଆ ଲକ୍ଷ୍ମୀ ବହୁ କ୍ରୋଧିତା ହେଲେ l ସେ ଚାହୁଁଥିଲେ ଏଥି ପାଇଁ ମହର୍ଷି ଭୃଗୁ ଦଣ୍ଡିତହୁଅନ୍ତୁ l ପ୍ରଭୁ ତ ତାଙ୍କୁ କୋଳେଇ ନେଲେ l
ଏଣୁ ମାଆ ଲକ୍ଷ୍ମୀ ବୈକୁଣ୍ଠ ତେଜ୍ୟା କରି ମର୍ତ୍ତ୍ୟକୁ ଆସି କରବୀର ପୁରରେ (ଏବେକା କୋହ୍ଲାପୁର) ଘୋର ତପସ୍ୟା କଲେ l ବିଷ୍ଣୁ ମଧ୍ୟ ମାଆ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ଆସି ପୃଥିବୀରେ ପହଞ୍ଚିଲେ l ବହୁ ବନ,ଗିରି ଖୋଜା ଖୋଜି କରି ସେ ଲକ୍ଷ୍ମୀଙ୍କୁ ଆଉ ନପାଇ ନିରାଶ ହୋଇ ଭେଙ୍କଟାଦ୍ରୀରେ ଏକ ଉଈ ହୁଙ୍କା ମଧ୍ୟରେ ଆଶ୍ରୟ ନେଲେ l
ଶିବ ଏବଂ ବ୍ରହ୍ମା ଲକ୍ଷ୍ମୀଙ୍କୁ ପାଇବାପାଇଁ ଶ୍ରୀବିଷ୍ଣୁଙ୍କୁ ସହାୟତା କରିବେ ଚିନ୍ତା କଲେ l ଦୁହେଁ ଗୋଟିଏ ଗାଈ ଏବଂ ବାଛୁରୀ ରୂପଧରି ଯାଇ ମହାଲକ୍ଷ୍ମୀଙ୍କ ନିକଟରେ ଉପସ୍ଥିତ ହେଲେ l ସୂର୍ଯ୍ୟଦେବ ପ୍ରକଟ ହୋଇ ମା’ ଲକ୍ଷ୍ମୀଙ୍କୁ ନିବେଦନ କଲେ ସେହି ଗାଈ ଓ ବାଛୁରୀଙ୍କୁ ସେଠାରେ ସେତେ ବେଳେ ରାଜତ୍ୱ କରୁଥିବା ଚୋଳ ରାଜାଙ୍କୁ ପ୍ରଦାନ କରିବା ପାଇଁ l ତାହା ହିଁ ହେଲା l
ଏକଦା ଚୋଳରାଜଙ୍କ ଚାକରମାନେ ତାଙ୍କ ଗୋରୁ ମାନଙ୍କୁ ଭେଙ୍କଟାଦ୍ରୀରେ ଚରାଉ ଥିଲେ l ଆଶ୍ଚର୍ଯ୍ୟ ଗୋଟିଏ ଦୃଶ୍ୟ ସେମାନେ ଦେଖିଲେ l ସେମାନେ ଦେଖିଲେ ଗାଈମାନେ ସେହି ଉଈ ହୁଙ୍କା ଉପରେ ତାଙ୍କ ପହ୍ନାରୂ କ୍ଷୀର ଢାଳି ଦେଇ ଆସୁଛନ୍ତି l
ଏହା ଦେଖି ଜଣେ ଗାଈ ଜଗୁଆଳି ରାଗରେ ଧରି ଥିବା ଗୋଟିଏ କୁରାଢ଼ୀ ଗାଈ ଉପରକୁ ଲକ୍ଷ କରି ମାରିଦେଲା l ଭଗଵାନ ବିଷ୍ଣୁ ସେହିଠାରେ ପ୍ରକଟ ହୋଇ ଗାଈଟିକୁ ରକ୍ଷା କଲେ l କୁରାଢ଼ୀ ଆଘାତ ପ୍ରାପ୍ତ ହୋଇ, ଭଗଵାନ ବିଷ୍ଣୁଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉ ଥାଏ l ଗାଈଆଳଟି ଏହା ଦେଖି ସେହିଠାରେ ପଡ଼ି ପ୍ରାଣ ତ୍ୟାଗ କଲା ।
ଭଗବାନ ବିଷ୍ଣୁ ଚୋଳରାଜଙ୍କୁ ଏ ପାପକର୍ମ ପାଇଁ ଦୋଷୀ ସାବ୍ୟସ୍ତ କରି ଅଭିଶାପ ଦେଲେ, ତୁମେ ଗୋଟିଏ ପିଶାଚ ହୋଇ ଯାଅ l ପ୍ରଭୁଙ୍କ ପାଖରେ ରାଜା କ୍ଷମାପ୍ରାର୍ଥୀ ହେବାରୁ ପ୍ରଭୁ ଏହାକୁ କୋହଳ କରି କହିଲେ ତୁମେ ପର ଜନ୍ମରେ ଆକାଶ ରାଜା ହୋଇ ଜନ୍ମ ହେବ l ଦେବୀ ଶ୍ରୀପଦ୍ମାବତୀଙ୍କ ସହ ମୋର ବିବାହହେବ l ତୁମେ ମୋତେ ଏକ ମୁକୁଟ ଉପହାର ଦେଲେ, ତୁମେ ଯାଇ ଏହି ଅଭିଶାପରୁ ମୁକ୍ତି ପାଇବ l
କିଛି ବର୍ଷ ଉପରାନ୍ତେ ଭଗଵାନ ବିଷ୍ଣୁ, ଶ୍ରୀନିବାସ ରୂପରେ ଅବତାର ଗ୍ରହଣ କରି ଭେଙ୍କଟ ଗିରିରେ ବାସକଲେ l ଏଠାରେ ପ୍ରଭୁଙ୍କ ଯତ୍ନ ନେଉଥିଲେ ମାଆ ବକୁଳ ଦେବୀ l କିଛି ଦିନ ପରେ ଅଭିଶପ୍ତ ଚୋଳ ରାଜା ଆକାଶରାଜା ରୂପେ ଜନ୍ମ ନେଲେ l ଦିନେ ସେ ଜମିକୁ କର୍ଷଣ କରୁଥିଲା ବେଳେ ପଦ୍ମ ଫୁଲ ଉପରେ ବସିଥିବା, ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ସନ୍ତାନଟିଏ ପାଇଲେ l ଆକାଶରାଜା କନ୍ୟାଟିର ନାମ ରଖିଲେ ପଦ୍ମାବତୀ l
ଦିନେ ଶ୍ରୀନିବାସ ଗୋଟିଏ ହାତୀର ପାଶ୍ଚାତ୍ଧାବନ କରୁଥାନ୍ତି l ହାତୀଟି ଦୌଡ଼ିଦୌଡ଼ି ଯାଇ ଗୋଟିଏ ଉପବନ ପାଖରେ ପହଞ୍ଚିଲା l ସାଥୀମାନଙ୍କ ସହ ପଦ୍ମାବତୀ ସେହିଠାରେ ଖେଳୁଥିଲେ l ଶ୍ରୀନିବାସ ତାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କ ବିଷୟରେ ପଚାରି ଜାଣିଲେ ସେ ହେଉଛନ୍ତି ଆକାଶ ରାଜଙ୍କ କନ୍ୟା l ସେ ଫେରି ଆସି ମାତା ବକୁଳ ଦେବୀଙ୍କୁ କହିଲେ ମୋତେ ସେହି ସୁନ୍ଦରୀ କନ୍ୟା ପଦ୍ମାବତୀ ସହ ବିବାହ କରି ଦେ l
ବକୁଳ ଦେବୀ ଥିଲେ, ଶ୍ରୀବିଷ୍ଣୁଙ୍କ କୃଷ୍ଣାବତାରରେ ଦ୍ୱାପର ଯୁଗର ମାତା ଯଶୋଦା l ଗୋକୁଳ ଛାଡ଼ି କଂସ ନିଧନ ନିମନ୍ତେ କୃଷ୍ଣ ମଥୁରା ଚାଲି ଗଲେ l ଆଉ ସେ ଗୋକୁଳକୁ ଫେରି ନଥିଲେ l ଜରାସନ୍ଧ ଭୟରେ ଯାଇ, ସିନ୍ଧୁ ପରିବେଷ୍ଟିତ ଦ୍ୱାରିକା ନଗର ସ୍ଥାପନ କଲେ ଓ ସେଠାରେ ଅଷ୍ଟ ପାଟବଂଶୀଙ୍କୁ ବିବାହକରି ରହିଲେ l ଉତ୍ତର ବୟସରେ ଏକଦା ମାଆ ଯଶୋଦା ଯାଇ ଐଶ୍ୱର୍ଯ୍ୟମୟୀ ଦ୍ୱାରିକାରେ ପହଞ୍ଚି କହିଲେ, ବାବୁରେ ! ତୁ କେଡ଼େ ଛୋଟଟିଏ ଥିଲୁ ମୋତେ ଛାଡ଼ି ଆସିଲୁ l ସେହି ଦିନ ଠାରୁ ମୁଁ ତୋତେ ଝୁରିହେଉଛି l ଏଠାରେ ଆସି ଆଠ ଆଠ ରାଣୀଙ୍କୁ ବିବାହ କଲୁ l ଧନ୍ୟ, ଭଉଣୀ ଦେବକୀ ତୋର ସେହି ଉତ୍ସବ ଆଡ଼ମ୍ବର ସବୁକୁ ଦେଖିବାକୁ ପାଇଲା l ମୁଁ ଦୁଃଖିନୀ ସେ ସୌଭାଗ୍ୟ ବା ମୋର କାହିଁ ! ମାଆଙ୍କର ଏ ଦୁଃଖ ଦେଖି, କୃଷ୍ଣଙ୍କ ଆଖି ଛଳଛଳ ହୋଇଗଲା l ଶୋକ ଗଦ୍ଗଦ ହୋଇ ପ୍ରଭୁ କହିଲେ, ମାଆ ଦୁଃଖ କରନା l ସତରେ ମୁଁ ବଡ଼ ଅପରାଧୀ l ମାଆ ତୋର ଏହି ଅଭିଳାଷ ମୁଁ କଳି ଯୁଗରେ ପୂରଣ କରିବି l ମାଆଙ୍କୁ ଦେଇଥିବା ସେ କଥା ପ୍ରଭୁ ଭୁଲି ଯାଆନ୍ତେ କିପରି? ସେଇଥି ପାଇଁ ପ୍ରଭୁଙ୍କର ଏହି ଲୀଳା l
ପ୍ରଭୁଙ୍କ ବିବାହ ପ୍ରସ୍ତାବ ଶୁଣି ମାଆ ବକୁଳ ଦେବୀ ଆକାଶ ରାଜାଙ୍କୁ ଯାଇ କହିଲେ l ପଦ୍ମାବତୀ ମଧ୍ୟ ଶ୍ରୀନିବାସଙ୍କୁ ଇତ୍ୟବସରେ ଭଲପାଇ ବସିଥାନ୍ତି l ଆକାଶରାଜା ଝିଅର ମନକୁ ବୁଝିଲେ l ସେ କାଳ ବିଳମ୍ବ ନକରି ଏ ପ୍ରସ୍ତାବକୁ ସ୍ୱୀକୃତି ଦେଲେ l
ଆକାଶ ରାଜା ଦେବଗୁରୁ ବୃହସ୍ପତିଙ୍କୁ ପୁରୋହିତ ବରଣ କରି, ଲଗ୍ନ ବାର ସ୍ଥିର କରି ନେଲେ l ମହା ଆଡମ୍ବରରେ ବିବାହ କାର୍ଯ୍ୟ ସମ୍ପନ୍ନହେଲା l ମାଆ ବକୁଳଦେବୀ ଅତ୍ୟନ୍ତ ଆନନ୍ଦିତ ହେଲେ l ଦ୍ୱାପର ଯୁଗର ତାଙ୍କର ଅଭିଳାଷ ପୂର୍ଣ୍ଣ ହେଲା l
ମାଆଙ୍କୁ ତ ପ୍ରଭୁ କଥାଦେଇଥିଲେ ମହାଡ଼ମ୍ବରରେ ତାଙ୍କ ବିବାହ ଉତ୍ସବ ଦେଖାଇବେ ବୋଲି l ତେଣୁ ସେ ଏ ବିବାହ ନିମନ୍ତେ ବିପୁଳ ଆୟୋଜନ ସବୁ କରି ଚାଲିଲେ l ଭୋଜି, ଭାତ, ବାଜା, ରୋଷଣୀ ଆଦିରେ ପ୍ରଚୁର ଅର୍ଥ ଖର୍ଚ୍ଚହେଲା l ଏମିତି ହେଲା ପ୍ରଭୁଙ୍କ ପାଖରେ ଘୋର ଅର୍ଥସଙ୍କଟ ଦେଖାଗଲା l
ଆଉ କୌଣସି ଉପାୟ ନଥିଲା l ପ୍ରଭୁ ଶ୍ରୀନିବାସ ଧନପତି କୁବେରଙ୍କ ନିକଟରୁ ବିପୁଳ ପରିମାଣର ଅର୍ଥ ଉଧାରକଲେ l ପ୍ରଭୁ କରିଥିବା ସେହି ଋଣକୁ ଭକ୍ତ ମାନଙ୍କ ଛଡ଼ା ଆଉ ସୁଝିବ କିଏ? ଏଣୁ ଭକ୍ତ ମାନେ ପ୍ରଭୁଙ୍କ ସେହି ଋଣକୁ, ବିପୁଳ ପରିମାଣର ଦାନଦେଇ ସୁଝୁଚ୍ଛନ୍ତି l କୁହାଯାଏ କଳିଯୁଗ ଶେଷ ସହିତ ମହାପ୍ରଭୁଙ୍କ ଋଣ ଶେଷ ହେବ l
କଳି ଯୁଗରେ କଳିହତ ମାନବର ପରମ କଲ୍ୟାଣ କାରୀ ଭାବେ ମହାବିଷ୍ଣୁ ରୂପରେ ଭେଙ୍କଟାଚଳରେ ବିଜେ କରିଛନ୍ତି, ଶ୍ରୀଭେଙ୍କଟେଶ୍ୱର ସ୍ବାମୀ l ତାଙ୍କ ଦୁଇ ପାର୍ଶ୍ଵରେ ବିଜେ କରୁଛନ୍ତି, ମା’ ମହାଲକ୍ଷ୍ମୀ ଓ ଶ୍ରୀପଦ୍ମାବତୀ l
!!! ଜୟ ପ୍ରଭୁ ଭେଙ୍କଟେଶ୍ୱର !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971