ସେତେବେଳେ ଗାଁ ଗହଳିକୁ ନା ଭଲ ରାସ୍ତାଟିଏ ଥାଏ, ନା ଥାଏ ପରିବହନର ସୁବ୍ୟବସ୍ଥା, ଆଜିକାଲି ଭଳି । ସକାଳର ଖବରକାଗଜ ସଂଧ୍ୟାରେ ଓ ସାପ୍ତାହିକ ପତ୍ରିକା ଦିନଟେ ପରେ, ଚିଠି ବି ସେମିତି ଡେରିରେ ପହଞ୍ଚେ । ଚାତକ ପରି ଅପେକ୍ଷାରତ ସଭିଏଁ, ବୁଢ଼ା ଠୁ ପିଲାଏ ।
ପ୍ରତି ବୁଧବାର ‘କାଶୀଯାତ୍ରା’ ନାମକ ଏକ ଧାରାବାହିକ ଗଳ୍ପଟିଏ , ‘କର୍ମବୀର’ ପତ୍ରିକାରେ ବାହାରେ । ଯାହାକୁ ଲେଖିଥିଲେ ଜଣେ ପ୍ରଖ୍ୟାତ ଲେଖିକା ‘ତ୍ରିବେଣୀ’ । ତାଙ୍କ ଲେଖାର ଶୈଳୀ ସମସ୍ତଙ୍କୁ ସୁହାଇଲା ଭଳି ସହଜ ଓ ବୋଧଗମ୍ୟ ହୋଇଥାଏ । ତାଙ୍କର ଲେଖାଗୁଡିକ ପ୍ରାୟତଃ ସାଧାରଣ ଜନଜୀବନ ପାଇଁ ହୋଇ ଥିବାରୁ , ଖୁବ୍ ଲୋକାଦୃତ ହୋଇଥାଏ । ଅଳ୍ପ ବୟସରେ ସମସ୍ତଙ୍କଠାରୁ ସେ ବିଦାୟ ନେଇ ଚାଲିଯାଇଥିଲେ ଆରପୁରକୁ ଓ ଦେଇଯାଇଥିଲେ ସାହିତ୍ୟ ଜଗତକୁ ଏକ ଅପୂରଣୀୟ ଅଭାବ ।
ସାଧାରଣତଃ ଆମେ ହିନ୍ଦୁମାନେ ଭାବୁ ଜୀବନରେ ଯଦି ଥରେ କାଶୀ ବାରଣାସୀ ନ ଯାଇଛୁ ତ ଆମେ କିଛି ପୁଣ୍ୟ କରିପାରିନୁ । ଠିକ୍ ସେମିତି ମୋ ଜେଜେ ମା’ର ବି ଇଚ୍ଛାଟିଏ ଥାଏ । ତେଣୁ “କାଶୀଯାତ୍ରା” ଧାରାବାହିକଟି ଶୁଣିବାକୁ , ସବୁ କାମ ସାରି ଦେଇ ବସିପଡେ ମୋ ପାଖରେ । ସତରେ ଭାଗ୍ୟ ଥିଲେ ଏ ମଉକା ମିଳେ, ନହେଲେ ଆଜି କାଲି ତ ଏତକ ବି ଅଭାବ ସମସ୍ତଙ୍କୁ । ମୋ’ଠାରୁ ଗପଟିକୁ ଶୁଣି, ଭଲରେ ହେଜିନିଅନ୍ତି ସେ । ତାପରେ ଗାଁ ଭିତରେ ଥିବା ମନ୍ଦିର ପ୍ରାଙ୍ଗଣରେ ତାଙ୍କ ସାଙ୍ଗସାଥୀଙ୍କ ଆଗରେ ସବୁ ତକ କହନ୍ତି ଓ ନିଜକୁ ଅନ୍ୟମାନଙ୍କ ଠାରୁ ନିଶ୍ଚିତ ଭାବେ ଗର୍ବିତ ମନେକରନ୍ତି, ବୋଧହୁଏ ! ସମସ୍ତେ ଯେ ଯାହାର ନାତି ନାତୁଣୀ କୁ ଧରି ଆସନ୍ତି ସେଠିକୁ । ପିଲାଏ ଖେଳନ୍ତି ଓ ସେମାନେ ଗପନ୍ତି ! ଯେମିତି ଆଜିକାଲିର ପାର୍କ ! ତେଣୁ ତାଙ୍କର ସାଙ୍ଗମାନେ ବି ମୋ ଜେଜେମା’ଙ୍କୁ ଅପେକ୍ଷା କରିଥାନ୍ତି, ତାଙ୍କଠୁ ଏ ଧାରାବାହିକ ଟି ଶୁଣିବାକୁ !
ଥରେ ଆମର ଏକ ସଂପର୍କୀୟାଙ୍କ ବିଭାଘର ପାଇଁ ମୁଁ ଚାଲି ଯାଇଥିଲି ଅନ୍ୟତ୍ର । ସେତେବେଳର ବାହାଘର ମାସ ମାସ ଖୁସିବାସି ଲାଗି ରହୁଥାଏ ଦୀର୍ଘ ଦିନ ପାଇଁ । ଆଜିକାଲିର ବାହାଘର ପର୍ବ ପରି ନୁହଁ । ଦିନେ ଦି ଦିନ ଆଗରୁ ଭିଡ଼ ଜମେ, ଆଉ ବାହାଘର ସରିଗଲା ପରେ ପରେ ଘର ପୁରା ଖାଁ ଖାଁ ! ସେ ଯା ବି ହେଉ, ମୁଁ ଫେରି ଆସିବା ପରେ ଦେଖିଲି ମୋ ଜେଜେମାଙ୍କ ମୁହଁ ଟି ଝାଉଁଳି ପଡ଼ିଛି । ସହି ପାରେନି ତାଙ୍କ ମୁହଁ ଶୁଖିଗଲେ । ଅଗତ୍ୟା ପଚାରିଲି , “କଣ ହୋଇଛି ଅବ୍-ବା (ଜେଜେମା’) ?” ଖାଲି ମୁଣ୍ଡ ହଲେଇ ଈଶାରାରେ ମନା କଲେ । ମୁଁ ବି ଚୁପ୍ ରହିଲି । ରାତିରେ ଛାତ ଉପରେ ଶେଯ ପାରିଲା ପରେ ମୁଁ ଶୋଇଲି । ମୋ ପାଖରେ ବସିଲେ ଓ ଶ୍ରଦ୍ଧାରେ ମୁଣ୍ଡରେ ହାତ ବୁଲାଇବା ବେଳେ ଜାଣିପାରିଲି, ସେ କିଛି କହିବାକୁ ଚାହୁଁଛନ୍ତି, ହେଲେ କହିପାରୁ ନାହାନ୍ତି । ପଚାରିଲି , ‘ ଆବ୍-ବା , କଣ ହୋଇଛି ? ‘
ତାଙ୍କ ଆଖି ଛଳଛଳ ହୋଇ ଆସିଲା । କହିଲେ ” ପିଲାବେଳୁ ମା’କୁ ହରାଇଥିଲି । ମୋ ଦାୟିତ୍ୱ ନେବାକୁ ବା ମୋତେ ସମ୍ଭାଳିବାକୁ କେହି ନଥିଲେ । ବାପା ତାଙ୍କ ବେପାରରେ ଏତେ ବ୍ୟସ୍ତ ରହୁଥିଲେ ଯେ ଘର ସମ୍ଭାଳିବାକୁ ଦ୍ବିତୀୟ ବିବାହ କଲେ । ସେ ସମୟରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ଦିଆଯାଉ ନ ଥିଲା । ତେଣୁ ମୁଁ କେବେ ବିଦ୍ୟାଳୟ ପିଣ୍ଢା ବି ମାଡ଼ି ନି । ତାପରେ ମୋତେ ଶୀଘ୍ର ବିଭା ଦେଇଦେଲେ । ମୁଁ ପିଲାଙ୍କର ମା’ବି ହୋଇଗଲି । ଜୀବନ ସାରା ନିଜକୁ ଏଇ ଘର ଭିତରେ ବ୍ୟସ୍ତ ରଖିଲି ଓ ବହୁତ୍ ଖୁସି ହୁଏ ଯେତେବେଳେ ତୁମେମାନେ ସବୁ ମୋ ନାତି ନାତୁଣୀ ହୋଇ ମୋ ଚାରିପଟେ ଘୁରିବୁଲିଲ ଓ ମୋ ହାତରୁ ଖାଇ ଖୁସିରେ ମୋ ଘର ମହକେଇ ଦେଲ । ସେଇ ଘରର ପ୍ରତ୍ୟେକ କାମ ଭିତରେ ବି ସ୍କୁଲ ନ ଯାଇପାରିବାର ଏକ ଅବଶୋଷ ମୋ ଭିତରୁ କିଛି ଦୃଢ଼ ହୋଇ ଢେଉମାରେ, ମୋ ପିଲା ଓ ତାଙ୍କ ପିଲାଙ୍କୁ ମୁଁ ନିଶ୍ଚୟ ପଢ଼ିବାର ସୁଯୋଗ ଦେବି ଓ ସେମାନେ ଭଲ ବି ପଢ଼ିବେ ।”
ମୁଁ ସେତେବେଳେ ବୁଝି ପାରୁ ନ ଥାଏ , ମୋ ଜେଜେମା ଏ ବାଷଠି ବର୍ଷରେ , ମୋତେ , ଯିଏ କି ମାତ୍ର ବାର ବର୍ଷର ଝିଅଟେ , ଏ ଅଧ ରାତିରେ କାହିଁକି କହୁଛନ୍ତି । କିନ୍ତୁ ମୁଁ ଜାଣେ ତାଙ୍କୁ କେମିତି ଓ କେତେ ମାତ୍ରାରେ ମୁଁ ଭଲ ପାଏ । କିଛି ତ ଗୋଟାଏ କାରଣ ଅଛି ଏସବୁ କହିବାର !! ଚାହିଁଲି ତାଙ୍କ ମୁହଁକୁ, ବିଷାଦର ଚିହ୍ନ ଓ ଛଳଛଳ ଆଖିର ଲୁହ, ଯେ’କି ଖୁବ୍ ସୁନ୍ଦର୍ ଦିଶନ୍ତି, ସବୁବେଳେ ହସୁଥା’ନ୍ତି ମଧ୍ୟ ! ଏପର୍ଯ୍ୟନ୍ତ ବି ଭୁଲିପାରେନି ତାଙ୍କର ସେଇ ଉଦାସୀଆ ମୁହଁଟିକୁ ! ମୁଁ ତତ୍-କ୍ଷଣାତ୍ ଆଣ୍ଠେଇ ବସି ତାଙ୍କ ହାତକୁ ଜାବୁଡ଼ି ଧରି ପକେଇଲି !
– “ଆବ୍-ବା, କାନ୍ଦନି , କୁହ କଣ ହୋଇଛି ? ମୁଁ କିଛି ସାହାଯ୍ୟ କରିପାରିବିକି ତୁମକୁ ?”
– ହଁ, ମୁଁ ତୁମର ସାହାଯ୍ୟ ଚାହୁଁଛି । ଜାଣିଛ, ତୁମେ ମୋ ପାଖରେ ନଥିବା ସମୟରେ, ‘କର୍ମବୀର’ ମ୍ୟାଗାଜିନ୍ ସବୁଦିନିଆ ଭଳି ଆସିଲା। ମୁଁ ଖୋଲେ, ଦେଖେ , କାଶୀଯାତ୍ରା ଚିତ୍ର ଊପରେ ଟିକେ ହାତ ବୁଲାଏ , ଭାବେ ମୋ ଆଙ୍ଗୁଳିଗୁଡିକ ବୁଝି ପାରନ୍ତେ କି କ’ଣ ଲେଖା ହୋଇଛି ; କିନ୍ତୁ ମୁଁ ଜାଣୁଥିଲି ସେଇଟା ଅସମ୍ଭବ, ସମ୍ଭବ ହୋଇ ପାରନ୍ତା ଯଦି ମୁଁ ପଢ଼ି ଶିଖିଥାନ୍ତି ! ତେଣୁ ତୁମ ଆସିବା ବାଟକୁ ଚାତକ ପରି ଚାହିଁ ବସିଲି । ଭାବିଲି ତୁମେ ଶୀଘ୍ର ଫେରି ଆସିଲେ ମୋତେ ପଢ଼ି ଶୁଣେଇବ । ଏମିତି ବି ଭାବିଲି, ଚାଲିଯିବି ତୁମ ପାଖକୁ, ଆଉ କହିବି କି ମୋ ପାଇଁ ଟିକେ ପଢ଼ି ଦେଲ ଗପଟିକୁ ! ଅବଶ୍ୟ ଏଠି ଆମ ଗାଁରେ କାହାକୁ ବି ପଚାରି ପାରନ୍ତି ଯେ, ମନଟା ଟିକେ ସଂକୁଚିତ ବୋଧ ହେଲା ଭଳି ଲାଗିଲା । ତେଣୁ ନିଜକୁ ଅତିରିକ୍ତ ଅସହାୟ ଓ ନିର୍ଭରଶୀଳ ମନେହେଲା । ବହୁତ୍ ଧନର ଅଧିକାରିଣୀ ହୋଇ, ବି ମୁଁ ଆତ୍ମ ନିର୍ଭରଶୀଳ ହୋଇ ପାରିନାହିଁ, ସେଥିପାଇଁ ଦୁଃଖ ଲାଗିଲା ।
ମୁଁ ଜାଣି ପାରୁ ନ ଥାଏ କଣ କହିବି ତାଙ୍କୁ । ସେ ପୁଣି କହିଚାଲିଲେ …
– ମୁଁ ପଢ଼ିବାକୁ ପ୍ରତିଜ୍ଞାବଦ୍ଧ । ତେଣୁ ଲେଖି ପଢ଼ି ଶିଖିବି କାଲିଠୁ । ଆଜିଠାରୁ ମୋର ଧ୍ୟାନ କେବଳ ସରସ୍ଵତୀ ପୂଜା ପର୍ଯ୍ୟନ୍ତ , ଅର୍ଥାତ୍ ଆସନ୍ତା ଦୁର୍ଗାପୂଜା ହେବ ମୋ ପାଇଁ ସରସ୍ଵତୀ ପୂଜା ! ଆଉ ସେଇ ଦିନଠାରୁ ମୁଁ ନିଜେ ହିଁ ଏସବୁ ପତ୍ରିକା ପଢ଼ିବି । ଦେଖିବୁ, ମୁଁ ଆତ୍ମନିର୍ଭରଶୀଳ ହେବି !
ତାଙ୍କର ଏ ପ୍ରକାର ଦୃଢ଼ ମନୋଭାବ ଦେଖି ଖୁବ୍ ଖୁସି ହେଲି ଓ ତାଙ୍କୁ ଚାହିଁ ହସି ବି ଦେଲି । କହିଲି, ଆବ୍-ବା , ଏ ବାଷଠି ବର୍ଷରେ ? ଯାହାର ମୁଣ୍ଡରେ କାଶତଣ୍ଡି ପରି କେଶ, ଆଖିରେ ଯବ କାଚ ପରି ଚଷମା , ଚମଧୁଡୁଧୁଡୁ , ହାତରେ କରଚୁଲି ଧରି ଯିଏ ଦିନ ରାତି ରୋଷେଇ ଘରେ … ସେ ପୁଣି ପାଠ ପଢ଼ିବ ପରା … ହି ହି ହି ହି । ହସରେ ଉଡେଇ ଦେଲି ତାଙ୍କ କଥାଟିକୁ ମୁଁ ।ପିଲାଳିଆମିରେ ଏତିକି କହିଦେଇ ଥିଲି ସିନା , ମନେ ମନେ ତାଙ୍କ ଦୃଢ଼ତା ଦେଖି ମୋତେ ଖୁବ୍ ଖୁସି ଲାଗିଲା । ସେ କିନ୍ତୁ ନିର୍ବିକାର ଚିତ୍ତରେ ସ୍ମିତହାସ୍ୟଟିଏ ଦେଲେ ।
କଥାରେ ଅଛି “ଯଦି କୌଣସି ଭଲ କାରଣ ପାଇଁ ତୁମେ ଦୃଢ଼ ନିଶ୍ଚିତ, ତେବେ କୌଣସି ପରିସ୍ଥିତି ତୁମର ବାଧକ ହୋଇ ପାରିବ ନାହିଁ । ” ମୁଁ କଠୋର ପରିଶ୍ରମ କରିବି, କିନ୍ତୁ ପଢ଼ିବି । କିଛି ଗୋଟିଏ ନୂଆ ଶିଖିବା ପାଇଁ କୌଣସି ବୟସ ସୀମା ନଥାଏ, କେବଳ ଆଗ୍ରହ ଜରୁରୀ ଅଟେ । ତା’ପର ଦିନରୁ ହିଁ ମୋ ଟିଉସନ୍ ଆରମ୍ଭ କରିଦେଲି । ଆବ୍-ବା ଥିଲେ ମୋ ଜୀବନର ପ୍ରଥମ ଓ ଚମତ୍କାର ଛାତ୍ରୀ ! ସେତେବେଳେ ମୁଁ ଜାଣି ବି ନଥିଲି ଯେ ଦିନେ ମୁଁ କମ୍ପ୍ୟୁଟର ସାଇନ୍-ସ୍ ରେ ଶିକ୍ଷକତା କରିବି ଆଉ ଶହ ଶହ ପିଲାଙ୍କୁ ପଢେଇବି !!
ଖୁବ୍ ଶୀଘ୍ର ଦଶହରା ଆସିଗଲା । ମୁଁ ଲୁଚେଇକି ଗୋଟେ ‘କାଶୀଯାତ୍ରା’ ଉପନ୍ଯାସ, (ଯାହାକି, ସେ ସମୟରେ ଖୁବ୍ ପାଠକାଦୃତ ଥିଲା) କିଣି ଆଣି, ଉପହାର୍ ପରି ସଜାଡ଼ି ରଖିଲି । ସେ ମୋତେ ପୂଜା ଦିନ ଠାକୁରଙ୍କ ନିକଟକୁ ନେଇ ଏକ ଚୌକିରେ ବସାଇ, ଫ୍ରକ୍ ଟିଏ ଉପହାର ଦେଲେ । ତା’ପରର ଦୃଶ୍ୟ ମୋ ପାଇଁ ଟିକେ ଅସ୍ବାଭାବିକ ଥିଲା । ସେ ନଇଁପଡ଼ି ମୋ ପାଦ ଛୁଇଁ ପ୍ରଣାମ୍ କଲେ । ମୁଁ ତ ସଂପୂର୍ଣ୍ଣ ହଡ଼ବଡେଇ ଗଲି ଓ ପାଦ, ପଛ ପଟକୁ ଘୁଞ୍ଚାଇ ନେଇ ଭାବିଲି , ବଡ଼ମାନେ ତ କେବେ ସାନମାନଙ୍କର ପାଦ ଛୁଅଁନ୍ତି ନି ! ସବୁବେଳେ ଆମେ ଭଗବାନ, ଗୁରୁଜନ ଓ ଶିକ୍ଷକଙ୍କ ପାଦ ସ୍ପର୍ଶ କରୁ। ଏଇଥିପାଇଁ ଯେ ତାଙ୍କ ନିକଟରୁ ଆମେ ଆଶୀର୍ବାଦ ଗ୍ରହଣ କରୁ ! ଏହା ଏକ ସୁନ୍ଦର ପରମ୍ପରା ; କିନ୍ତୁ ଆଜି ଏମିତି ଓଲଟା କାହିଁକି ହେଲା ? ଏହା କଦାପି ଠିକ୍ ନୁହେଁ !
ସେ କହିଲେ ” ମୁଁ ମୋ ଶିକ୍ଷକଙ୍କ ପାଦ ଛୁଉଁଛି, ମୋ ନାତୁଣୀର ନୁହେଁ ; ଏପରି ଏକ ଶିକ୍ଷକ, ଯେ’କି ମୋତେ ଏତେ ସୁନ୍ଦର ଭାବେ, ସାବଲୀଳ ଉପାୟରେ ଓ ଖୁବ୍ ଆନ୍ତରିକତା ସହ ସ୍ନେହ ଶ୍ରଦ୍ଧା ଦେଇ ପାଠ ଶିଖାଇଛନ୍ତି । ମୁଁ ଏବେ ନିଜେ କୌଣସି ପତ୍ରିକା ଅନାୟାସରେ ପଢ଼ିପାରିବି । ମୁଁ ସେଥିପାଇଁ ଆଜିଠୁଁ ସ୍ବାଧୀନ ଅନୁଭବ କରୁଛି ନିଜକୁ । ତେଣୁ ମୋର ପ୍ରଥମ କର୍ତ୍ତବ୍ୟ, ଗୁରୁଙ୍କୁ ସମ୍ମାନ ଦେବା! ଏହା କଣ ଆମର ପୁରାଣରେ ବର୍ଣ୍ଣିତ ହୋଇନି କି , ବୟସର ତାରତମ୍ୟ , ଲିଙ୍ଗର ପ୍ରକାର ଭେଦ , ଜାତି ଧର୍ମ ବର୍ଣ୍ଣ , ନିର୍ବିଶେଷରେ ଗୁରୁ ହେଉଛନ୍ତି ସମ୍ମାନସ୍ପଦ କାଳେକାଳେ !
ମୁଁ ବି ପ୍ରତି ନମସ୍କାରରେ ତାଙ୍କ ପାଦ ଛୁଇଁ ପ୍ରଣାମ ପୂର୍ବକ ମୋ ପ୍ରଥମ ଛାତ୍ରୀଙ୍କୁ ତାଙ୍କ ଉପହାର ବଢେଇ ଦେଲି । ସେ ତାକୁ ଖୋଲି , ସଙ୍ଗେ ସଙ୍ଗେ ପ୍ରଚ୍ଛଦ ପଟର ନାମ ‘କାଶୀଯାତ୍ରା’, ଲେଖିକା ‘ତ୍ରିବେଣୀ’ , ତଥା ତାର ପ୍ରକାଶକଙ୍କ ନାମ ବି ପଢ଼ିଦେଇ ମୋତେ ଧରି କୁଣ୍ଢେଇ ପକାଇଲେ ଓ ଛଳ ଛଳ ଲୁହ ଭରା ଆଖିରେ ଅନେକ କିଛି କହିବାକୁ ଚାହୁଁଥିଲେ ବୋଧେ । ଆଉ ମୁଁ ବି ଖୁସି ହୋଇଗଲି ମୋ ଛାତ୍ରୀ ଖୁବ୍ ସଫଳତାର ସହିତ ପ୍ରଜାପତିର ଡେଣା ନେଇ ଅନେକ୍ ରଙ୍ଗରେ ରଙ୍ଗେଇ ମୋ ଦୁନିଆକୁ ରଙ୍ଗାୟିତ କରିଦେଇଛନ୍ତି ! ଜୀବନଟା ଏକ ପାଣି ଫୋଟକା, ମାତ୍ର ଅଢ଼େଇ ପାଦର । କିନ୍ତୁ ଶିଖିବାକୁ ଥାଏ ସମୁଦ୍ରେ କଥା ।
ସତରେ , ବଞ୍ଚିବାର ଶୈଳୀ ହିଁ , ପ୍ରତିଟି ମଣିଷର ଭିନ୍ନ ଭିନ୍ନ ପରିଚୟ ଦେଇଥାଏ। ତନ୍ମଧ୍ୟରୁ ମୋ ‘ଆବ୍-ବା’ (ଜେଜେମା) ହେଲେ ଅନନ୍ୟା ! ତାଙ୍କର ଏଇ ଆତ୍ମ ବିଶ୍ୱାସ ଓ ଦୃଢ଼ତା ନିକଟରେ ସମୟ ବି ଦିନେ ହାର୍ ମାନିଥିଲା ।
ଆଚ୍ଛା , ପିଲାଏ ଏବେ କୁହତ , ତୁମେ ମାନେ ତୁମ ଜେଜେ-ଜେଜୀ କି ଅଜା-ଆଈଙ୍କୁ କେବେ ପଢ଼ାଲେଖା ଶିଖାଇଛ ଯାହା ତୁମେ ଶିଖିଛ , ସେମାନେ ଶିଖିନାହାନ୍ତି (?) ନୂଆ ନୂଆ ଗପ ଶୁଣାଇଛ କି (?) ତୁମ ଘରେ ? ଯଦି ନ ଶିଖାଇଛ ତେବେ ଆଜିଠୁ ନୂଆ ନୂଆ କଥା ଶିଖାଇବ ଓ ନୂଆ ନୂଆ ଗପ ଶୁଣାଇବ।
ଦୂରଭାଷ : ୯୩୪୧୩୭୪୨୭୫
*****
(ବି. ଦ୍ର. : ଏହା ଏକ କନ୍ନଡ଼ ଗଳ୍ପ । ପ୍ରଫେସର ଶ୍ରୀମତୀ ସୁଧା ମୂର୍ତ୍ତିଙ୍କର ଏହା ଆତ୍ମଲେଖନୀ । ସେ ଯେତେବେଳେ ୧୨ ବର୍ଷର ହୋଇଥିଲେ, କେମିତି ତାଙ୍କ ଜେଜେମା’ଙ୍କୁ ସେ ପଢାଇ ଥିଲେ , ସେ ବିଷୟରେ ଲେଖିଥିଲେ,”How I Taught My Grandmother To Read !” । ମୋର ସ୍ଵଳ୍ପ ଭାଷା ଜ୍ଞାନରେ ଗୁନ୍ଥିବାକୁ ଚେଷ୍ଟା କରିଛି ।
ଅନୁବାଦ ଗପ #_ଜେଜେମା’ର_ଇଂରାଜୀ_ପଢ଼ା#
So beautifully u wrote ma’am. And the story
Content, choice of author and the translation is absolutely amazing. The moral it contains is a guide to the next generation.
thank you for your effort .
ସମସ୍ତଙ୍କୁ ଧନ୍ୟବାଦ 🙏
ମୁଁ ମଧ୍ୟ ମୋ ପିଲାବେଳେ ମୋ ମା’କୁ ଓଡ଼ିଆ ପଢା ଶିଖେଇଛି। 52 ବର୍ଷ ବୟସରେ ସେ ଗୋଟିଏ ବର୍ଷ ଭିତରେ ପଢା ଶିଖିଗଲା। ମୁଁ ତା’ର ଗୁରୁ। କିନ୍ତୁ ଖେଳାଖେଳିରେ ବ୍ୟସ୍ତ ରହି ତାକୁ ପଢେଇବାରେ ହେଳା କଲେ ସେ ମୋତେ ଗାଳିଦିଏ, ମାରେ। ବାଡିରେ ପିଟି ପକାଏ।
ବର୍ଷେ ଭିତରେ ସେ ରାମାୟଣ,ବିଲଙ୍କା ରାମାୟଣ, ମହାଭାରତ, ଲକ୍ଷ୍ମୀ ପୁରାଣ, ବିଷ୍ଣୁ ପୁରାଣ, ଭାଗବତ ସବୁ ନିଜେ ପଢିବା ଶିଖିଗଲା। ହାତଲେଖା ଛଟା ଅକ୍ଷର ଲେଖା ପଢି ପାରେନା କି ଅକ୍ଷର ଲେଖି ପାରେନା।
ପଢିଲାବେଳେ ସେ ସ୍ଵର କରି ବଡ଼ ପାଟିରେ ପଢେ। ମାଈପି ମହଲରେ ପଢି ଅନ୍ୟମାନଙ୍କୁ ଶୁଣାଏ।
ମୁଁ ତା ମାଡ଼ଖିଆ ବାର ବର୍ଷିଆ ଗୁରୁ।
Beautiful message 🙏