ଜଙ୍ଗଲ ବିଭାଗର ଖାଲିଥିବା ୨୦୦୦ ପଦବୀ ଡିସେମ୍ବର ୨୦୨୪ ସୁଦ୍ଧା ପୂରଣ ହେବ

Share it

ଅଳପ ଖବର
05th September 2024

ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମଣିଷ-ପ୍ରାଣୀ ସଂଘର୍ଷ (Man-Animal Conflict)କୁ କମାଇବା ଉପରେ ଗୁରୁତ୍ବ ପ୍ରଦାନ

ବିଭାଗର ଖାଲିଥିବା ପ୍ରାୟ ୨୦୦୦ଟି ପଦବୀ ଡିସେମ୍ବର ୨୦୨୪ ସୁଦ୍ଧା ପୂରଣ ହେବ, ବାକି ସମସ୍ତ ଖାଲି ପଦବୀ ପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି ।

ସମୀକ୍ଷାରେ ଜଙ୍ଗଲ ଅଞ୍ଚଳରେ ଅବୈଧ ଗଛ କଟା ବନ୍ଦ କରିବା ପାଇଁ ଏବଂ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଶ୍ରମ ଭିତ୍ତିକ ନିଯୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି।

୨୦୧୯-୨୦ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କାରଣ ଯୋଗୁ ୪୪୪ଟି ହାତୀ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ୭୨୯ ଜଣ ବ୍ୟକ୍ତି ମଧ୍ୟ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏଥିରେ ଉଦ୍‌ବେଗ ପ୍ରକାଶ କରି ମଣିଷ-ପ୍ରାଣୀ ସଂଘର୍ଷ କମାଇବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଥିଲେ ।

ନିଜ ଜୀବନ ପ୍ରତି ଥିବା ଭୟକୁ ଭ୍ରୁକ୍ଷେପ ନ କରି ଜଙ୍ଗଲ ଓ ବନାଖଣ୍ଡର ସୁରକ୍ଷା କାମରେ ନିୟୋଜିତ ବନ କର୍ମଚାରୀ ମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ, ସେମାନଙ୍କ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହାସହିତ ବନୀକରଣ କାର୍ଯ୍ୟକ୍ରମରେ ଗଛ ଗୁଡିକ ଯେପରି ବଞ୍ଚି ରହିବ, ସେଥିପାଇଁ ନିୟମିତ ଭାବରେ ନିରୀକ୍ଷଣ (Monitoring) ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

ବିଭାଗରେ ଖାଲି ଥିବା ପଦବୀ ସଂପର୍କରେ ହୋଇଥିବା ଆଲୋଚନାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ୧୬୭୭ଟି ବନରକ୍ଷୀ ଓ ୩୧୬ଟି ବନପାଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ପଦବୀ ଗୁଡିକ ପୂରଣ କରାଯିବ। ବାକିଥିବା ପଦବୀ ଗୁଡିକ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ଏକ ପେଡ୍‌ ମା କେ ନାମ୍’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା “ମେରି ଲାଇଫ ପୋର୍ଟାଲ”ରେ ପଞ୍ଜିକୃତ ହୋଇଥିବା ଚାରା ସଂଖ୍ୟା ୩ କୋଟି ୧୩ ଲକ୍ଷରେ ପହଞ୍ଚିଛି । ଏ ବର୍ଷ ଶେଷ ସୁଦ୍ଧା ସାଢେ ଚାରି କୋଟି ଚାରା ଲଗାଯାଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା ।

ବୈଠକରେ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ବଜ୍ରପାତକୁ ରୋକିବା ପାଇଁ ୧୯ ଲକ୍ଷ ତାଳ ଗଛ ଜଙ୍ଗଲ ପରିସୀମା ଅଞ୍ଚଳରେ ରୋପଣ କରାଯାଉଛି । ସେହିପରି ପ୍ଲାଷ୍ଟିକମୁକ୍ତ ବନୀକରଣ, ବନାଗ୍ନି ନିର୍ବାପନ ଏବଂ ଅନ୍ୟାନ୍ୟ ବିଭାନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା ।

ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପିସିସିଏଫ ଶ୍ରୀ ଦେବୀଦତ୍ତ ବିଶ୍ବାଳ ଏବଂ ପିସିସିଏଫ (ୱାଇଲ୍‌ଡ ଲାଇଫ) ଶ୍ରୀ ସୁଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।


Share it

Leave a comment

Your email address will not be published. Required fields are marked *

Verified by MonsterInsights