ଛତିଶି ପାଟକ
ଏ ୩୬ ବଢି ବଢି ୩୬୦ କେତେବେଳେ ହେଲା,
ସେଥିରେ ଛୁଆଁ ଅଛୁଆଁ ଛୋଟ ବଡ ଉଚ୍ଚ ନୀଚ୍ଚ ଭେଦଭାବ କେଉଁଠୁ ଆସିଲା, କାହିଁକି ଆସିଲା,ତନ୍ତୀ ଲୁଗାବୁଣା ଛାଡି ନନାଙ୍କ ଘରକୁ ମାଈଛେଳି କିଣିବାକୁ କାହିଁକି ଗଲା, ନନାଙ୍କ ଘରର ମାଇପିମାନେ ତନ୍ତୀକୁ କାହିଁକି ଅଣ୍ଡର ଏଷ୍ଟିମେଟ୍ କଲେ, ଟାହି ଟାପରା କରି ତୁଚ୍ଛ ତାଚ୍ଛଲ୍ୟ କରି କଥା କହିଲେ,
ସେ କଥା ମୁଁ କହି ପାରିବି ନାହିଁ,
ଯିଏ ଏକଥା କରିଛନ୍ତି ସିଏ କୁହନ୍ତୁ ,
2019 ନଭେମ୍ୱର 24 ତାରିଖ ଶନିବାର ଦିନ ଗାଁକୁ ଯାଇଥିଲି, ମୋର ଦୁଇଜଣ ପୁତୁରା ଟେରୁ ଓ ଅଶୋକ କହିଲେ ଦାଦା ଆମେ ପ୍ରତି ଶନିବାର ଦିନ ଗାଁ କୁ ଯାଉଛୁ, ତୁମେ ଯେତେବେଳେ ଯିବ ଆମ ଗାଡିରେ ପଳେଇବ, ଭଲ ହେବ ।
ମୁଁ କହିଲି ହଉ, ଯଦି ଭଲ ହେବ କହୁଛ ତାହେଲେ ଭଲ କାମଟା କରାଯିବା ଉଚିତ | ମୁଁ ଗଲି ବି ।
ଘରେ ପହଞ୍ଚି ମୋ ସାନଭାଇ ଭରତ ସହ ଟେରୁ ଗଲା ଗାହାଣ ବରାଦ କରିବାକୁ ।
ମୁଁ କହିଲି ଗାହାଣ କଣ କରିବ ?
ଭରତ କହିଲା, ଟେରୁ କୁରାଳ ପଞ୍ଚମି ପୂଜା କରିବ, ଡିସେମ୍ୱର ୧ ତାରିଖରେ, ସେଦିନ ପାଲା କରିବ ।
ମୁଁ କହିଲି ହଉ କରୁ । ହେଲେ କୁରାଳ ପଞ୍ଚମୀ ସମ୍ପର୍କରେ ଗାହାଣ କଣ କହିବ ?
ସୋମବାର ଦିନ ଗାଁ ରୁ ଫେରିଲୁ ସାଙ୍ଗ ହେଇ ।
ଯିବା ଆସିବା ବାଟରେ କଥାବାର୍ତ୍ତା ଭିତରେ ଜାତି ପାଟକ କଥା ପଡିଲା,
ଟେରୁ, ଅଶୋକ ଜାଣିବାକୁ ଚାହିଁଲେ, ଛତିଶ ପାଟକ କଣ, କୁମ୍ଭାର ଜାତି ସମ୍ପର୍କରେ ଦାଦା କିଛି କୁହନ୍ତୁ ।
ଆମେ ତ ଜାତିରେ କୁମ୍ଭାର | ମୁଁ ଆମ କୁମ୍ଭାର ଜାତି ସମ୍ପର୍କରେ ଯାହା ଆଜୁରୁ ବାଜୁରୁ ଜାଣିଥିଲି କହିଲି,
ଏଠି ସେକଥା ଲେଖିବି ଦେଉଛି, ଆପଣମାନେ ବି ପଢନ୍ତୁ ।
ମଣିଷ ପାଖରୁ ଆରମ୍ଭ କରାଯାଉ ।
ପ୍ରଥମେ ମଣିଷ ସୃଷ୍ଟି ହେଲା, ସେ ଯେମିତି ବି ସୃଷ୍ଟି ହେଉ ।
ନିରାକାରରୁ ଆକାର ।
ନିରାକାରଙ୍କ ପ୍ରଥମ ମଣିଷ ଆକାର ବାଳଗୋପାଳ କୃଷ୍ଣଙ୍କ ପରି, ତା ପରେ ପ୍ରେମତରଙ୍ଗିଣୀ ସଦା କିଶୋରୀ ରାଧାଙ୍କ ପରି,
ତା ପରେ ସ୍ଥାନ କାଳ ପାତ୍ର ଅନୁସାରେ ବିସ୍ତାରିତ ହୋଇ ଆମ ସମସ୍ତଙ୍କ ପରି , କଥାଟାକୁ ଏଇପରି ବୁଝାଯାଉ ।
ପୃଥିବୀରେ ମଣିଷ ଜାତି ବିଚରଣ କଲା । ପ୍ରକୃତି କୋଳରୁ ଗଛବୃଛରୁ ଯାହା ପାଇଲା, ଗୋଟେଇଲା, ତୋଳିଲା ଖାଇଲା ।
ମଣିଷ ତୋଳି ଗୋଟେଇ ଖାଉ ଖାଉ ଦେଖିଲା
ଗାଈ ତା ବାଛୁରୀକୁ ଖୀର ପେଉଛି, ପେଇ ସାରିଲା ପରେ ବି ତା ପହ୍ନାରୁ ଖୀର ସ୍ରବୁଛି, ବାଛୁରୀ ପିଉନି,
ମଣିଷ ଟି ସେ ଗାଈ ପହ୍ନାରେ ମୁହଁ ଲଗେଇ ସେଥିରୁ ଚାରି ଢୋକ ପିଇଲା, ଏମିତି ସେ କ୍ଷୀରକୁ ଚାଖିଲା, ତାକୁ ଏହା ଖୁବ୍ ସ୍ୱାଦିଷ୍ଟ ଲାଗିଲା, ଖୁବ୍ ଭଲ ଲାଗିଲା, ଏମିତି ସବୁଦିନ କ୍ଷୀର ପିଇବା ଦ୍ୱାରା ତା’ର ବଳ ବି ବଢିଲା, ଭୋକ ଶୋଷ ବି ମେଣ୍ଟିଲା,
ତାକୁ ଏ କଥାଟା ବଡ ଚମତ୍କାର ଲାଗିଲା |
ସେ ଜଙ୍ଗଲରେ ଗାଈ ପଲ ଉପରେ ନଜର ରଖିଲା,
ସେମାନଙ୍କ ପାଖାପାଖି ରହିଲା |
ଅନୁଭବ କଲା
ଗାଈଟା ଅପେକ୍ଷାକୃତ ନିରୀହ ଜୀବଟିଏ,
ବାଘ ସିଂହ ଇତ୍ଯାଦି ହିଂସ୍ର ଜନ୍ତୁଙ୍କ ଆକ୍ରମଣରୁ ନିଜକୁ ରକ୍ଷାକରିବା ଶକ୍ତି ଏହାର କମ୍,
ସହଜରେ ଅନ୍ଯମାନଙ୍କ ଶୀକାର ହୋଇଯାଉଛି,
ତାକୁ ସେ ହିଂସ୍ରଜନ୍ତୁଙ୍କ ଆକ୍ରମଣରୁ ସୁରକ୍ଷା ଦେବା ଆରମ୍ଭ କଲା,
ସେମାନଙ୍କୁ ଗୋଠ କରି ଜଗି ରହିଲା, ତାର କ୍ଷୀର ପିଇଲା ।
ଗାଈଗୋରୁ ବି ଏଇ ସୁରକ୍ଷାକାରୀ ମଣିଷମାନଙ୍କୁ ବିଶେଷ ଭଲ ପାଇଲେ,
ସେମାନେ ଏଇ ମଣିଷମାନଙ୍କ ହେପାଜତରେ ରହିବାକୁ ଅଧିକ ସୁରକ୍ଷିତ ମଣିଲେ,
ଏମାନଙ୍କ ଭାବଗତ ସମ୍ପର୍କ ଧୀରେ ଧୀରେ ନିବିଡ ହୋଇଗଲା,
ଏହାରି ଫଳ ସ୍ୱରୂପ ଆମେ ଆଜି ଗାଈର ଆତ୍ମକାହାଣୀ ଉପରେ ରଚନା ଲେଖିଲେ, ପ୍ରଥମ ଧାଡିରେ ଗାଈ ବାପୁଡା କହୁଚି – ” ମୁଁ ଗୋଟିଏ ଗାଈ, ମୁଁ ଗୋଟିଏ ଗୃହପାଳିତ ପ୍ରାଣୀ । ”
ସେ ଯାହା ହେଉ,
କିଛି ଆଦିମ ମଣିଷମାନେ ବଂଶାନୁକ୍ରମିକଭାବେ ଗାଈମାନଙ୍କର ଲାଳନ ପାଳନ, ସୁରକ୍ଷା କଲେ , ସେଇଠି ଗୋଟିଏ ପାଟକ ବା ଜାତି ସୃଷ୍ଟି ହେଲା, ସେ ପାଟକର ନାଁ ହେଲା – ୧. ଗୋପାଳ ।।
କ୍ଷୀରକୁ ସାଇତିବା ପାଇଁ ପାତ୍ର ଆବଶ୍ଯକ ହେଲା,
ସେଇ ଗୋପାଳ ମାନଙ୍କ ମଧ୍ଯରୁ କିଛିଲୋକ ପ୍ରଥମେ ପତ୍ର ଠୋଲା କରି କ୍ଷୀର ରଖିଲେ, ତା ପରେ ମାଟି ଚକଟି ପାତ୍ର ବା କୁମ୍ଭ ମଧ୍ୟ ଗଢିଲେ, ସେଥିରେ କ୍ଷୀର ସାଇତିବା ସମ୍ଭବ ହେଲା,
ପୁରୁଷାନୁକ୍ରମେ କିଛି ଲୋକ ଏହା ନିର୍ମାଣ କରି ଚାଲିଲେ,
ସେଇଠି ଆଉ ଗୋଟିଏ ପାଟକ ବା ଜାତି ସୃଷ୍ଟି ହେଲା, ତା ନାଁ ହେଲା – 2. କୁମ୍ଭକାର ବା କୁମ୍ଭାର ।।
ଏମିତି କିଛିଦିନ ଚାଲିଲା ।
ସେ ପ୍ରଥମେ ପ୍ରଥମେ ଗୋଟେଇ ଖାଉଥିଲା, ତୋଳି ଖାଉଥିଲା । ଏବେ ସେ ତୋଳା ଫଳକୁ କେଉଁଠି କେଉଁଠି ଦୁଇ ଚାରିଦିନ ରଖି ସବୁଦିନ କିଛି କିଛି ଖାଇଲା,
ଅର୍ଥାତ୍ ଏବେ ସେ ଜଙ୍ଗଲରୁ ମିଳୁଥିବା ଖାଦ୍ଯ ସାଇତିବା ଶିଖିଲା,
ତାକୁ ଗୋଟାଏ ଗୁମ୍ଫା କି ପଡିଆରେ ଗଦେଇ ରଖିଲା, ଅର୍ଥାତ ଖାଦ୍ଯର ଭଣ୍ଡାର ଟିଏ ସୃଷ୍ଟି କଲା,
କାଳେ ସେ ଖାଦ୍ଯକୁ ଅନ୍ଯ ଜୀବଜନ୍ତୁ ଖାଇଯିବେ, ସେଥିପାଇଁ ସେ ଦୁଇ ଚାରିଜଣକୁ ଖାଦ୍ଯ ଭଣ୍ଡାର ଜଗେଇ, ଅନ୍ଯମାନଙ୍କୁ ସାଙ୍ଗରେ ନେଇ ବଣକୁ ଗଲା, ତୋଳିବା ପାଇଁ ବା ଗୋଟେଇବା ପାଇଁ,
ଯେଉଁମାନେ ଏ ଜଗିବା ସାଇତିବା ଦାୟିତ୍ୱରେ ରହିଲେ, ତାଙ୍କର ସେଥିରେ ଏକସପର୍ଟାଇଜ୍ ଆସିଗଲା, ତାଙ୍କ ପିଲାମାନେ ତାଙ୍କ ବାପା ମାଆଙ୍କଠୁ ଭଣ୍ଡାର ଜଗିବା କାମରେ ନିପୁଣ ହୋଇଗଲେ, ତୋଳିବା ଗୋଟେଇବା କାମକୁ ଗଲେ ନାହିଁ । ବଂଶାନୁକ୍ରମେ ଭଣ୍ଡାର ଜଗିବା କାମରେ ଲାଗିଲେ ।
ସେଇଠି ଆଉ ଗୋଟିଏ ପାଟକ ବା ଜାତି ସୃଷ୍ଟି ହେଲା । ତା ନାଁ ହେଲା – ୩. ଭଣ୍ଡାରୀ ।।
ମଣିଷ ଆଖୁ ଗଛର ସନ୍ଧାନ ପାଇଲା, ତାର ମିଠା ବା ଗୁଡକୁ କ୍ଷୀର ସହ ମିଶେଇ ରସଗୋଲା ତିଆରି କଲା, ବଂଶାନୁକ୍ରମେ ଯିଏ ଏ କାମ କଲା, ସେ ଗୋଟିଏ ପାଟକ ହେଲା,
ସେ ପାଟକର ନାଁ ହେଲା – ୪. ଗୁଡିଆ ।।
ଗୁଡିଆର ସହକାରୀ ପାଟକ – ୫. ତାମୁଳିଆ ।।
କିଛି ଦିନ ଗଲା, ଲୋକସଂଖ୍ଯା ବଢିଲା,
ଗୋଟେଇ ଖାଇବା ବା ତୋଳି ଖାଇବା ପର୍ଯ୍ଯାପ୍ତ ହେଲାନି,
ସେଇଠୁ କିଛି ଲୋକ ମଞ୍ଜି ପୋତିଲେ , ହାତ ପାଖରେ, ଯିବା ଆସିବା ରାସ୍ତାରେ ଗଛ କଲେ,
ସେଇଠୁ ତୋଳି ଖାଇଲେ, ବର୍ଷାରୁ ରକ୍ଷା ପାଇଁ ଚାଳିଆ ମାରି ରହିଲେ,
ଏ ପୋତାପୋତି ମାଟି ତଢା ତଢି ଚାଳିଆମାରିବାପାଇଁ ଯନ୍ତ୍ର ଆବଶ୍ଯକ ହେଲା, କିଛି ଲୋକ ଏ ଯନ୍ତ୍ର ତିଆରି କଲେ,
ବଂଶାନୁକ୍ରମେ ଏ କାମ କରିବା ଲୋକଙ୍କୁ ଗୋଟାଏ ପାଟକ କୁହାଗଲା – ୬. କମାର ବା ବଢେଇ ।।
ଯନ୍ତ୍ର ପାଇଗଲାପରେ କିଛିଲୋକ ମଞ୍ଜି ପୋତାପୋତି କାମଟାକୁ ବ୍ଯାପକ ଓ ସଘନ କଲେ, ଏହାକୁ ଚାଷ କୁହାଗଲା, ଏ ଚାଷ କାମକୁ ଯେଉଁମାନେ କଲେ ,ସେମାନଙ୍କୁ ଚଷା କୁହାଗଲା,
ସେଇଠୁ ଆଉ ଗୋଟିଏ ପାଟକ ସୃଷ୍ଟି ହେଲା,
ସେ ପାଟକର ନାଁ ହେଲା – ୭. ଚଷା ।।
ଲୋକେ ପିନ୍ଧାପିନ୍ଧି ଉପରେ ବିଶେଷ ଧ୍ଯାନ ଦେଲେ, ପିନ୍ଧା ପାଟ ବା ସେଇ ପରିକା ଜିନିଷ ତିଆରିରେ ଯେଉଁମାନେ ନିୟୋଜିତ ହେଲେ, ସେ ପାଟକମାନେ ହେଲେ –
୮. ପାଟରା
୯. କାପୁଡିଆ
୧୦. ହଂସି
୧୧. ତନ୍ତି
୧୨. ବୁଣା
୧୩. ଭିଣା
ଫୁଲରେ ସଜେଇ ହେବାକୁ ଇଚ୍ଛା ହେଲା,
ପାଟକ ହେଲା – ୧୪. ମାଳି ।।
ଶଂଙ୍ଖା , କାଚ, କାନଫୁଲ , ହାର ପିନ୍ଧିବାକୁ ଇଚ୍ଛା ହେଲା,
ସେ କାମ ଯିଏ କଲେ ସେ ପାଟକ ହେଲା –
୧୫. ଶଂଖାରୀ
୧୬. କାଚରା
୧୭. ବଣିଆ
ବାସନକୁସନ ବ୍ଯବହାର ହେଲା, ତେଣୁ କଂସା ବାସନ ତିଆରିବା ଲୋକର ପାଟକ ହେଲା –
୧୮. କଂସାରୀ ।।
ଚୁଡା ଖାଇବାକୁ ଇଚ୍ଛା ହେଲା, ପାଟକ ହେଲା –
୧୯. ରାଢୀ ।।
ନଈନାଳ ପାରିହେବ, ପାଟକ ହେଲା – ୨୦. କେଉଟ ।।
ଜୋତା ପିନ୍ଧିବାକୁ ଇଚ୍ଛାକଲା, ସେ କାମ ଯିଏ କଲା ସେ ପାଟକର ନାଁ ହେଲା – ୨୧. ମୋଚି ।।
ଚୁଳ ଦାଢି କାଟି ସଜେଇହେଲା, ଏ କାମ ଯିଏ କଲା ସେ ପାଟକ ହେଲା – ୨୨. ନାପିତ ।।
ଲୁଗାପଟା ସଜ କରିବା ସାଇତିବାର ଉପାୟକଲା, ସେ କାମ ଯିଏ କଲା ସେ ପାଟକର ନାମ ହେଲା – ୨୩. ଧୋବା ।।
ଚାଷକାମ ପାଇଁ ମାଟି ସଜେଇବାରେ ବା ବିଲ ତିଆରି କରିବାରେ ସ୍ପେସାଲାଇଜେସନ୍ ଦରକାର ହେଲା ତ ସେ କାମ ଯେଉଁ ସବୁ ବଳୁଆ ଲୋକମାନେ କରିପାରିଲେ ସେ ସବୁ ପାଟକର ନାଁ ହେଲା –
୨୪. ମାଟିଆ
୨୫. ପାଣ
୨୬. କଣ୍ଡରା
୨୭. ଗୋଖା
ଗଛ ଚଢିବା, ନଡିଆ ତୋଳିବା ତାଳ ଝାଡିବା ଦରକାର ହେଲା, ଦକ୍ଷତାର ସହ ଯିଏ ଏ କାମ କଲା ସେ ପାଟକର ନାଁ ହେଲା, –
୨୮. ଚମାର ।।
ତେଲ କଣ ଲୋକ ଜାଣି ନଥିଲା,
ସୋରିଷ, ରାଶି, ଟୋଲରୁ ଯିଏ ତେଲ ବାହାର କରି ଦେଖେଇ ଦେଲା, ସେ ପାଟକର ନାଁ ହେଲା – ୨୯. ତେଲି ।।
ଗାଈ ବ୍ଯତୀତ ଅନ୍ଯାନ୍ଯ ଅଣଦୁଗ୍ଧଦାୟି ପ୍ରାଣୀ ଯଥା ଗଧ ଘୁଷୁରୀ ଇତ୍ଯାଦି ଯେଉଁମାନେ ପାଳିଲେ ସେ ପାଟକର ନାଁ ହେଲା – ୩୦. ଘୁଷୁରିଆ ।।
ତାପରେ ଏସବୁ ଜିନିଷର ଦେଣ ନେଣ ଅଦଳ ବଦଳ କାମରେ କିଛି ଲୋକ ବଂଶାନୁକ୍ରମେ ନିୟୋଜିତ ହେଲେ, ପୁଣି ଗୋଟାଏ ନୂଆ ପାଟକ ସୃଷ୍ଟି ହେଲା – ୩୧. ବୈଶ୍ଯ ।।
ସଂଘବଦ୍ଧ ପେଷାଦାର
ସୁରକ୍ଷାର ଆବଶ୍ଯକ ହେଲା , ବଂଶାନୁକ୍ରମିକଭାବେ ଯିଏ ଏ କାମ କଲେ, ସେଥିରୁ ଗୋଟିଏ ପାଟକ ସୃଷ୍ଟି ହେଲା, ସେ ପାଟକର ନାଁ – ୩୨. କ୍ଷତ୍ରୀୟ ।।
ବିଭିନ୍ନ ପେଷାଦାର ସେବାର ଆବଶ୍ଯକତା ହେଲା, ଯଥା ବଇଦ, ଚାଟଶାଳୀ ଅବଧାନ ଇତ୍ଯାଦି, ବଂଶାନୁକ୍ରମିକଭାବେ ଯେଉଁମାନେ ଏପରି ନାନାବିଧ ଏ ସବୁ ସେବା ଯୋଗାଇଲେ, ସେମାନେ ଗୋଟିଏ ପାଟକ ହେଲେ, ସେ ପାଟକର ନାଁ ହେଲା – ୩୩. ଶୂଦ୍ର ।।
କିଛି ସେବା ଯୋଗାଉଥିବା ଶୂଦ୍ର ଲୋକ ନାନାଦି କଥାକୁ ତାଳପତରରେ କରଣି ଧରି ଲେଖିବା, ହିସାବ ପତ୍ର ରଖିବା କାମ କଲେ ତ ଗୋଟାଏ ପାଟକ ସୃଷ୍ଟି ହେଲା, ତାର ନାଁ ହେଲା – ୩୪. କରଣ ।।
ଏ ଏଣ୍ଟାୟାର ସିଷ୍ଟମକୁ ଯିଏ ଟିକିନିଖି ବୁଝିପାରି, ମଣିଷର ସାଇକୋଲୋଜି ବା ମନସ୍ତତ୍ତ୍ୱକୁ କୁ ପୁରା ପୁରା ପଢିପାରି ,
ତାହାକୁ ବଂଶାନୁକ୍ରମେ ବିଭିନ୍ନ ପ୍ରକାରେ ବ୍ଯାଖ୍ଯା, ତର୍ଜମା କରି,
ଲୋକଙ୍କୁ ବାଟ ଅବାଟ ବୁଝେଇ,
ବିଭିନ୍ନ ପ୍ରକାର କର୍ମ ଅକର୍ମ ବିକର୍ମରେ କୁଶଳତାର ସହ ସହାୟତା କଲେ, ତାଙ୍କୁ ମଧ୍ଯ ଗୋଟିଏ ପାଟକ କୁହାଗଲା,
ସେ ପାଟକର ନାଁ ହେଲା – ୩୫. ବ୍ରାହ୍ମଣ ।।
କିଛି ଲୋକଂକୁ ଅନ୍ୟ ଲୋକଙ୍କ ଭବିଷ୍ଯତ ଜଳ ଜଳ ଦେଖାଗଲା, ଗ୍ରହ ନକ୍ଷତ୍ର ଗଣିତରେ ସେମାନେ ବିଶେଷ ପାରଦର୍ଶିତା ଲାଭକରି ବଂଶାନୁକ୍ରମେ ସେମାନେ ଏହି ସେବା ଯୋଗାଇ ଚାଲିବାରୁ ସେମାନେ ଯେଉଁ ପାଟକରେ ଗଣା ହେଲେ, ସେ ପାଟକର ନାଁ ହେଲା – ୩୬. ଜ୍ଯୋତିଷ ।।
ଏ ୩୬ ବଢି ବଢି ୩୬୦ କେତେବେଳେ ହେଲା,
ସେଥିରେ ଛୁଆଁ ଅଛୁଆଁ ଛୋଟ ବଡ ଉଚ୍ଚ ନୀଚ୍ଚ ଭେଦଭାବ କେଉଁଠୁ ଆସିଲା, କାହିଁକି ଆସିଲା,
ତନ୍ତୀ ଲୁଗାବୁଣା ଛାଡି ନନାଙ୍କ ଘରକୁ ମାଈଛେଳି କିଣିବାକୁ କାହିଁକି ଗଲା, ନନାଙ୍କ ଘରର ମାଇପିମାନେ ତନ୍ତୀକୁ କାହିଁକି ଅଣ୍ଡର ଏଷ୍ଟିମେଟ୍ କଲେ, ଟାହି ଟାପରା କରି ତୁଚ୍ଛ ତାଚ୍ଛଲ୍ୟ କରି କଥା କହିଲେ,
ସେ କଥା ମୁଁ କହି ପାରିବି ନାହିଁ,
ଯିଏ ଏକଥା କରିଛନ୍ତି ସିଏ କୁହନ୍ତୁ ,
ଆଜି ଏତିକି ଥାଉ,
ମାଡାମ ବିଗିଡିଲେଣି, କହୁଛନ୍ତି ଆଜି ପାଇଁ ଟିପାଟିପି ସେତିକି ଥାଉ, ତିନିଟା ବାଜିଲାଣି,
ତେଣୁ ଆମ କୁମ୍ଭକାର ପାଟକର କୁରାଳ ପଞ୍ଚମୀ କଥା କାଲିକି ଲେଖିବା,
ଶୁଣିବାକୁ ୟା ଠୁ ବହୁତ ଭଲ ଲାଗିବ ।।
– ଲକ୍ଷ୍ମୀଧର ନାୟକ
My Facebook Post: 26.11. 2019