ଛୋଟ ମୋର ଗାଁ’ ଟି , ପାଖରେ ଚୋରା ମଦ ପ୍ରଚୂର, ଯୁବ ଶକ୍ତିର ସାହାଟି,

Share it

” ଛୋଟ ମୋର ଗାଁ’ ଟି ”
*******************
By Debendra Nath Panda
( 29.08.2018 )

ଛୋଟ ମୋର ଗାଁ’ଟି,
ଗୁଗୁଲ୍ ମ୍ୟାପ୍ ଭିତରେ ଖୋଜ
ପାଇବ ତା’ର ନାଁ’ଟି।
ଛୋଟ ମୋର ଗାଁ’ ଟି।

ଗାଁ ରେ ଅଛି କ୍ଲଅବ ଘର,
ଯେତେକ ସବୁ ମଠ ମନ୍ଦିର,
ପାଖରେ ଚୋରା ମଦ ପ୍ରଚୂର
ଯୁବ ଶକ୍ତିର ସାହାଟି,
ଛୋଟ ମୋର ଗାଁ’ଟି।

ଅଧା ବରଷ ମାଇକି ବାଜେ,
ଛାତି ଥରେଇ କମ୍ପଇ ଡିଜେ,
କଅଁଳା ଛୁଆ ନପାରେ ଶୋଇ
କାନ୍ଦୁଥାଏ ତା ମାଆ ଟି,
ଛୋଟ ମୋର ଗାଁ’ଟି।

କେହି କାହାକୁ ମାନନ୍ତି ନାହିଁ,
କେହି କା ଶିରୀ ଦେଖନ୍ତି ନାହିଁ,
ସର୍କାରୀ ଦୟା ଚାଉଳ ଗଣ୍ଡେ
ଲୋକଙ୍କ ପାଇଁ ସାହାଟି,
ଛୋଟ ମୋର ଗାଁ ଟି।

ଭୋଓଟ ବେଳେ କେତେ ଯେ ଦଳ,
କାହୁଁ କେଜାଣି ଆସଇ ବଳ,
ମାଡ଼ଗୋଳ ଓ ମୁଣ୍ଡ ଫଟାରେ
ଗାଁ’ର ଅଛି ନାଆଁ ଟି,
ଛୋଟ ମୋର ଗାଁ’ଟି।

ଅଧାରୁ ବେଶୀ ଜମି ପଡିଆ,
ସତେ ଯେମିତି ସବୁ ଖୋଡିଆ,
ଜିନ୍ସ ପୋଷାକ, ସ୍ମାର୍ଟ୍ ଫୋଓନ
ବଞ୍ଚିବାର ଏକା ରାହା ଟି,
ଛୋଟ ମୋର ଗାଁ’ ଟି।

ଲୋକଙ୍କ କାଳେ ଚଳିବା ଫର୍ଚ୍ଚା,
ଚାଲଇ ରାଜନୀତିର ଚର୍ଚ୍ଚା,
ଗଣ୍ଡାକୁ ଗଣ୍ଡା ବିଏ ଓ ଏମେ,
ଖବର ଗଙ୍ଗାରୁ ଗୌହାଟି,
ଛୋଟ ମୋର ଗାଁ’ଟି।

ଅହଙ୍କାରେ ଦୁଲୁକେ ମହୀ
ଅମୁକ ନେତା ଆମର ଭାଇ
ଆମେ ତାଙ୍କର ଖାସ୍ ଲୋକ
ପୁରା ଡାହାଣ ବାହା ଟି
ଛୋଟ ମୋର ଗାଁ’ଟି ।

ଝଗଡା କିଛି ହେଲେ ଗାଁ’ ରେ,
ଗାଁ’ ଭିତରେ ତୁଟି ନପାରେ,
କିଏ କାହିଁକି ଶୁଣିବ କିଛି,
ଫାଣ୍ଡି ଆମର ସାହା ଟି,
ଛୋଟ ମୋର ଗାଁ’ଟି।

ଗାଁ ର କିଛି ବୁଢା ଓ ବୁଢୀ,
ପେଟ ବିକଳେ ଛାଡନ୍ତି ରଡି,
ଭେଣ୍ଡିଆ ପୁଅ ନଦିଏ ଦାନା,
ସେ କାଳେ ବାପା ମାଆ ଟି,
ଛୋଟ ମୋର ଗାଁ’ ଟି।

ଏଇ ଗାଁ ଛାଡି କୁଆଡେ ଯିବା,
ଏଇଠି ଜନମ ଏଠି ମରିବା,
ଯେମିତି ହେଲେ ଚଳେଇ ନେବା
ଆମ ଜୀବନ ନାଆ ଟି,
ଛୋଟ ମୋର ଗାଁ’ ଟି।

***************
ଦେବେନ୍ଦ୍ର ନାଥ ପଣ୍ଡା,
ଅବସରପ୍ରାପ୍ତ ଅଧ୍ୟାପକ

******
କୁଆଖିଆ, ଯାଜପୁର


Share it

Leave a comment

Your email address will not be published. Required fields are marked *

Verified by MonsterInsights