ଚରକ ସଂହିତା

Share it

ଆଚାର୍ଯ୍ୟ ଚରକ:

ଭାରତୀୟ ଚିକିତ୍ସାଶାସ୍ତ୍ରରେ ଆୟୁର୍ବେଦର ଜଣେ ପ୍ରସିଦ୍ଧ
ଆଚାର୍ଯ୍ୟ ଭାବେ ଚରକଙ୍କର ନାମ ଖ୍ୟାତ ଖ୍ୟାତ । ସେ ଆଚାର୍ଯ୍ୟ
ଅଗ୍ନିବେଶଙ୍କଠାରୁ ଶାସ୍ତ୍ରୋପଦେଶ ଲାଭ କରିଥିଲେ ବୋଲି
ପରମ୍ପରା କହିଥାଏ । ଆଚାର୍ଯ୍ୟ ଅଗ୍ନିବେଶଙ୍କ ଗ୍ରନ୍ଥରୁ ବିଷୟବସ୍ତୁ
ଗ୍ରହଣକରି ସେ ଯେଉଁ ଗ୍ରନ୍ଥଟିର ପ୍ରଣୟନ ପ୍ରଣୟନ କରି ଯାଇଛନ୍ତି ତାହା ଚରକ ସଂହିତା ନାମରେ ପ୍ରସିଦ୍ଧ ।

ମୂଳତଃ ଗ୍ରନ୍ଥଟି ଅଗ୍ନିବେଶଙ୍କ ଦ୍ବାରାହିଁ ରଚିତ ହୋଇଥିଲା ଏବଂ ତା’ପରେ ଚରକଙ୍କ ଦ୍ବାରା ସଂକଳିତ ହୋଇଥିଲା । ଅଷ୍ଟମ ଶତାବ୍ଦୀର
ଅନ୍ତିମ ଭାଗକୁ ଏହି ଗ୍ରନ୍ଥଟିର ଅନୁବାଦ ଆରବୀ ଭାଷାରେ
ହୋଇଥିବାର ପ୍ରମାଣ ଉପଲବ୍ଧ ହୋଇଥାଏ । ଏହି ଗ୍ରନ୍ଥରେ
କଳିଙ୍ଗମାନଙ୍କର ପରିଭାଷା ବ୍ୟବହୃତ ହୋଇଥିବାରୁ ସେ
କଳିଙ୍ଗବାସୀ ଥିଲେ ବୋଲି କେହି କେହି ମତ ଦେଇଥା’ନ୍ତି ।

ସେ ବିଭିନ୍ନ ସ୍ଥାନରେ ବୁଲି ବୁଲି ନିଜ ଜ୍ଞାନର ପ୍ରଚାର ପ୍ରସାର
କରିବା ସହ ରୋଗପ୍ରପୀଡ଼ିତ ଅନେକଙ୍କର ରୋଗ ନିବାରଣ
କରି ନୂଆ ଜୀବନ ଦେଇଥିଲେ । ସେ ଏହି କାର୍ଯ୍ୟ ପାଇଁ ସର୍ବଦା
ଏକ ସ୍ଥାନରୁ ଆଉ ଏକ ସ୍ଥାନକୁ ବିଚରଣ କରୁଥିବାରୁ ତାଙ୍କର
ନାମ ଚରକ ବୋଲି କିଛି ବିଦ୍ୱାନ୍‌ମାନଙ୍କର ମତ ।

ଚତୁର୍ଦଶ ଶତାବ୍ଦୀର ଭାବପ୍ରକାଶ ନାମକ ଏକ ଆୟୁର୍ବେଦ ଗ୍ରନ୍ଥରେ
ରହିଥ‌ିବା ଏକ କଥାନକ ଅନୁସାରେ ଭଗବାନ୍ ବିଷ୍ଣୁ
ଯେତେବେଳେ ମତ୍ସ୍ୟାବତାର ଗ୍ରହଣ କଲେ ସେତେବେଳେ
ଶେଷନାଗଙ୍କୁ ସାମବେଦ ସହିତ ଅଥର୍ବ ବେଦାନ୍ତର୍ଗତ
ଆୟୁର୍ବେଦର ପ୍ରାପ୍ତି ହୋଇଥିଲା । ଏକଦା ସକଳ ଜ୍ଞାନର
ଅବତାର ସ୍ୱରୂପ ଭଗବାନ୍ ଶେଷନାଗ ମନୁଷ୍ୟମାନଙ୍କର ଅବସ୍ଥା
ବିଷୟରେ ଜାଣିବା ପାଇଁ ପୃଥ‌ିବୀପୃଷ୍ଠରେ ଚରରୂପରେ ବିଚରଣ
କରୁଥିବା ସମୟରେ ଦେଖିଲେ ଯେ ଏ ସମଗ୍ର ମନୁଷ୍ୟଜାତି
ରୋଗବ୍ୟାଧରେ ଘାଣ୍ଟି ହୋଇ ହୋଇ ଅତ୍ୟନ୍ତ କଷ୍ଟମୟ ଅବସ୍ଥାରେ
ପଡ଼ିଛି । ଏହା ଦେଖୁ ତାଙ୍କର ହୃଦୟ କରୁଣାରେ ଭରି ଉଠିଥିଲା ।
ତେଣୁ ସେ ଏ ମନୁଷ୍ୟଜାତିର ଉଦ୍ଧାର ପାଇଁ ଜଣେ ଋଷିଙ୍କ
ପରିବାରରେ ଜନ୍ମ ନେଲେ । ତା’ପରେ ସେ ବଡ଼ ହୋଇ
ଆଚାର୍ଯ୍ୟ ଅଗ୍ନିବେଶଙ୍କଠାରୁ ସମସ୍ତ ବିଦ୍ୟାର୍ଜନ କରିଥିଲେ ଏବଂ
ତାଙ୍କ ଦ୍ଵାରା ପ୍ରଣୀତ ଆୟୁର୍ବେଦ ଗ୍ରନ୍ଥଟିର ଶୁଦ୍ଧ ସଂସ୍କରଣ ପ୍ରସ୍ତୁତ କରିଥିଲେ । ଶେଷନାଗଙ୍କର ଏହି ଅଂଶହିଁ ଥିଲେ ଆଚାର୍ଯ୍ୟ ଚରକ । ଚର ରୂପରେ ପୃଥିବୀ ଭ୍ରମଣରେ ଆସିଥିବାରୁ ତାଙ୍କର ନାମ ଚରକ ରଖାଯାଇଥିଲା । ସେ ଜଣେ ପ୍ରସିଦ୍ଧ ବୈୟାକରଣ ମଧ୍ୟ ଥିଲେ ତଥା ଯୋଗ ସମ୍ବନ୍ଧୀ ଏକ ମହତ୍ତ୍ୱପୂର୍ଣ୍ଣ ଗ୍ରନ୍ଥର ନିର୍ମାଣ କରିଥିଲେ ବୋଲି କିଛି ଶାସ୍ତ୍ରମାନଙ୍କରୁ ସୂଚନା ମିଳିଥାଏ।

ତେବେ ଏହି ଆଧାରରେ କେହି କେହି ଚରକ ଓ ପତଞ୍ଜଳି ଏକ ଥିଲେ ବୋଲି ମଧ୍ୟ ମତ ଦିଅନ୍ତି କିନ୍ତୁ ଏ ନେଇ କୌଣସି ପ୍ରାମାଣିକ ତଥ୍ୟ ମିଳି ନ ଥାଏ । ମହର୍ଷି ପତଞ୍ଜଳିଙ୍କ ପରି ଆଚାର୍ଯ୍ୟ ଚରକ ମଧ୍ୟ ଜଣେ ବହୁମୁଖୀ ପ୍ରତିଭା ଥିଲେ ବୋଲି କୁହାଯାଇପାରେ । ଚରକଙ୍କ ନିଜ ଗ୍ରନ୍ଥ ତଥା ଅନ୍ୟାନ୍ୟ ବିଭିନ୍ନ ସ୍ରୋତରୁ ମିଳୁଥିବା ତଥ୍ୟମାନଙ୍କର ଆଧାରରେ ତାଙ୍କ ସମୟ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ବା ତା’ ପୂର୍ବର ବୋଲି ବିଦ୍ୱାନ୍‌ମାନଙ୍କର ମତ । କେହି କେହି ଏହାଙ୍କୁ ଖ୍ରୀଷ୍ଟପର ତୃତୀୟ ଶତାବ୍ଦୀର ରାଜା କନିଷ୍କଙ୍କର ରାଜବୈଦ୍ୟ ଭାବେ ମଧ୍ୟ ମାନିଥା’ନ୍ତି । ସେ କେଉଁ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ ତଥା କିପରି ଓ କେଉଁଠାରେ ତାଙ୍କର ଜୀବନ ଯାପନ କରିଥିଲେ ତାହାର କୌଣସି ପ୍ରମାଣ ନାହିଁ ।

ଆଚାର୍ଯ୍ୟ ଚରକଙ୍କ ଦ୍ଵାରା ପ୍ରକାଶିତ ଚରକ ସଂହିତା ଗ୍ରନ୍ଥଟିର ପୁନଃ ପରିଶୋଧୂତ ରୂପ ପ୍ରସ୍ତୁତ କରିଥିଲେ ଦୃଢ଼ବଳ ନାମକ ଆଉ ଜଣେ ଆୟୁର୍ବେଦାଚାର୍ଯ୍ୟ । ତେଣୁ ବର୍ତ୍ତମାନ ଉପଲବ୍ଧ ଚରକସଂହିତା ଗ୍ରନ୍ଥଟି ଦ୍ବାଦଶ ଶତାବ୍ଦୀର ଆଚାର୍ଯ୍ୟ ଦୃଢ଼ବଳଙ୍କ ଦ୍ୱାରା ପରିଶୋଧିତ ସଂସ୍କରଣ ବୋଲି ଧରା ଯାଇଥାଏ ।

ଏହି ଗ୍ରନ୍ଥଟି ଆଠଗୋଟି ଭାଗରେ ବିଭକ୍ତ ଯେଉଁଥରେ ଏକ ଶହ କୋଡ଼ିଏଟି ଅଧ୍ୟାୟ ରହିଛି । ଚରକ ସଂହିତାର ଆଠଗୋଟି ମୁଖ୍ୟ ବିଭାଗର ନାମ ହେଉଛି : ନିଦାନସ୍ଥାନ, ବିମାନସ୍ଥାନ, ଶରୀରସ୍ଥାନ, ଇନ୍ଦ୍ରିୟସ୍ଥାନ, ସୂତ୍ରସ୍ଥାନ, ଚିକିତ୍ସାସ୍ଥାନ, କଳ୍ପସ୍ଥାନ ଓ ସିଦ୍ଧିସ୍ଥାନ I ଏହି ଆଠଗୋଟି ବିଭାଗାନ୍ତର୍ଗତ ସମସ୍ତ ଅଧ୍ଯାୟମାନଙ୍କରେ ଶରୀରସମ୍ବନ୍ଧୀ ରୋଗ, ରୋଗର କାରଣ ଓ ନିଦାନସମ୍ବନ୍ଧୀ, ଚିକିତ୍ସା ବିଧିସମ୍ବନ୍ଧୀ, ଚିକିସକ ବା ବୈଦ୍ୟ ସମ୍ବନ୍ଧୀ, ଚିକିତ୍ସାଳୟ ସମ୍ବନ୍ଧୀ,ଔଷଧ ଓ ତା’ର ପ୍ରସ୍ତୁତବିଧ‌ି ତଥା ସେବନ ବିଧି ସମ୍ବନ୍ଧୀ, ପଥ୍ୟାପଥ୍ୟ ବିଚାର ପ୍ରଭୃତି ଅନେକ ତଥ୍ୟ ଓ ତତ୍ତ୍ୱମାନଙ୍କର ସବିସ୍ତାର ଚର୍ଚ୍ଚା ରହିଛି । ଏହି ଗ୍ରନ୍ଥ ଓ ଗ୍ରନ୍ଥାକାର ଚରକଙ୍କର ମହିମା ଗାନ କରି କୁହାଯାଇଥାଏ ଯେ ”ଚରକସ୍ତୁ ଚିକିତ୍ସତେ” ଅର୍ଥାତ୍ ଚିକିତ୍ସା ଶାସ୍ତ୍ର କହିଲେ ଚରକଙ୍କୁ ହିଁ ବୁଝାଯାଇଥାଏ ।

ଚରକ ଥିଲେ ପୂନର୍ଜନ୍ମରେ ବିଶ୍ଵାସୀ । ମାନବଜୀବନର ଅନେକ ଘଟଣାବଳୀ, କିଛି ରୋଗ ଓ ସେଗୁଡ଼ିକର ତୀବ୍ରତା ତଥା ଉପଶମ ପୂର୍ବଜନ୍ମର କର୍ମାକର୍ମ ଉପରେ ନିର୍ଭର କରିଥାଏ ବୋଲି ତାଙ୍କର ବିଶ୍ଵାସ। ଏ ସମ୍ବନ୍ଧୀ ବିସ୍ତ୍ରୁତ ଚର୍ଚ୍ଚା ତାଙ୍କର ଗ୍ରନ୍ଥରେ ରହିଛି । ସମାନ ବାପା ମା’ ଙ୍କଠାରୁ ଜନ୍ମିଥିବା ପିଲାମାନଙ୍କ ମଧ୍ୟରେ ଅସମାନତା, ସେମାନଙ୍କର ରଙ୍ଗ, ଶାରୀରିକ ଗଠନ, ଭାଗ୍ୟ, ଚାଲିଚଳଣିରେ ଭିନ୍ନତା ପ୍ରଭୃତି ନାନାଦି କଥା ପୂନର୍ଜନ୍ମର ରହସ୍ୟ ଉପରେ ନିର୍ଭର କରିଥାଏ ବୋଲି ଚରକଙ୍କର ମତ। ଏପରିକି ଜଣେ ମନୁଷ୍ୟର ଆୟୁ ତାର ପୁନର୍ଜନ୍ମର କର୍ମାକର୍ମ ଉପରେ ନିର୍ଭର ବୋଲି ଚରକ ମତ ପୋଷଣ କରିଥା’ନ୍ତି ।

ଯେଉଁ ସମସ୍ତ ଉପାଦାନକୁ ନେଇ ମନୁଷ୍ୟର ଶରୀର ଗଢ଼ା ସେ ସମସ୍ତ ଉପାଦାନ ମାନଙ୍କ ମଧ୍ୟରେ ବାତ ପିତ୍ତ ଓ କଫ ଏହି ତିନିଗୋଟି ଉପାଦାନ ଉପରେ ମନୁଷ୍ୟର ସୁସ୍ଥତା ଓ ଅସୁସ୍ଥତା ନିର୍ଭର କରିଥାଏ । ଏହି ତିନୋଟି ଉପାଦାନର ସମାବସ୍ଥାରେ ମନୁଷ୍ୟ ସୁସ୍ଥ ରହିଥାଏ ଓ ସେମାନଙ୍କର ବିଷମାବସ୍ଥାରେ ସେ ଅସୁସ୍ଥ ହୋଇଥାଏ । କେବଳ ଶରୀର ନୁହେଁ ଅପିତୁ ମନର ଅବସ୍ଥାକୁ ମଧ୍ୟ ଏହି ତିନିଗୋଟି ଉପାଦାନ ନିୟନ୍ତ୍ରିତ କରିଥା’ନ୍ତି । ପ୍ରାଣ, ଅପାନ ବ୍ୟାନ, ଉଦାନ ଓ ସମାନ ଏହିପରି ପାଞ୍ଚ ପ୍ରକାର ବାୟୁ ବା ବାତ ପ୍ରକଟିତ ହୋଇଥାଏ । କଫ ଓ ପିତ୍ତର କୌଣସି ପ୍ରକାରଭେଦ ବିଷୟରେ ଚରକ ତାଙ୍କ ଗ୍ରନ୍ଥରେ କେଉଁଠି କହି ନାହାନ୍ତି । ଏହି ତିନିଗୋଟି ଉପାଦାନର ପରସ୍ପର ସମନ୍ବୟ ବାଷଠି ପ୍ରକାରର ରୋଗ ସୃଷ୍ଟିର କାରଣ ହୋଇଥାଏ । ପ୍ରତ୍ୟେକ ଦୋଷ ନିଜେ ମଧ୍ୟ ଅନେକ ରୋଗର କାରଣ ହୋଇଥା’ନ୍ତି । କେବଳ ବାତ ଅଶୀ ପ୍ରକାର, କେବକ ପିତ୍ତ ଚାଳିଶ ପ୍ରକାର ଓ କେବଳ କଫ କୋଡ଼ିଏ ପ୍ରକାର ରୋଗର ମୂଳ କାରଣ ବୋଲି ଚରକଙ୍କର ମତ । ବାତ ଦୋଷରୁ ଜାତ ରୋଗ ମାନଙ୍କର ଉପଶମ ଅତ୍ୟନ୍ତ କଷ୍ଟ ବୋଲି ଚରକଙ୍କର ସ୍ପଷ୍ଟ ମତ ।

ଶରୀରରେ ରକ୍ତ ସଞ୍ଚାଳନ ଓ ହୃତ୍‌ପିଣ୍ଡର ଭୂମିକା ତଥା ରକ୍ତ ସଞ୍ଚାଳନ ନିମିତ୍ତ ଉଦ୍ଦିଷ୍ଠ ପ୍ରଣାଳୀମାନଙ୍କର ସ୍ଥିତି ବିଷୟରେ ମହତଚର୍ଚ୍ଚା ଚରକ ସଂହିତାରେ ରହିଛି। ଏସବୁ ଛଡ଼ା ଅଦ୍ଭୁତ ଚିକିତ୍ସା ପଦ୍ଧତିମାନଙ୍କର ସୁବିସ୍ତୃତ ଚର୍ଚ୍ଚା ଏହି ଗ୍ରନ୍ଥରେ ରହିଛି ।

ଏକ ସାର୍ବଜନୀନ ଚିକିତ୍ସାଳୟ ତଥା ପ୍ରସୂତି ଭବନର ନିର୍ମାଣ ଓ ସୁସ୍ଥ ପରିଚାଳନା କିପରି ହେବା ଦରକାର ସେ ନେଇ ମଧ୍ଯ ବିବରଣୀମାନ ଚରକ ପ୍ରଦାନ କରିଛନ୍ତି ।

ଚରକଙ୍କର ଏହି ଗ୍ରନ୍ଥରେ ପାଖାପାଖ୍ ଦେଢ଼ ଶହ ରୋଗର କାରଣ ଓ ନିଦାନ ବିଷୟକ ବିବରଣୀ ରହିଥିବା ସ୍ଥଳେ ପ୍ରାୟ ଏକ ଶହ ଚାଳିଶଟି ଔଷଧୀୟ ବୃକ୍ଷ ଲତାଦିର ବର୍ଣ୍ଣନା ରହିଛି । ଏକ ଶହ ସତସ୍ତରିଟି ପଶୁଜାତ ଦ୍ରବ୍ୟ ତଥା ଚଉଷଠିଟି ଖଣିଜ ଦ୍ରବ୍ୟର ବର୍ଣନା ମଧ୍ଯ ଏହି ଗ୍ରନ୍ଥରୁ ଉପଲବ୍ଧ ହୋଇଥାଏ ।

ଚରକଙ୍କର ଗ୍ରନ୍ଥର ଆଉ ଏକ ବିଶେଷତ୍ଵ ଏହି ଯେ ଏହି ଗ୍ରନ୍ଥରେ ତାଙ୍କ ସମୟରେ ଅନୁଷ୍ଠିତ ହୋଇଥିବା ଚିକିତ୍ସାଶାସ୍ତ୍ର ସମ୍ବନ୍ଧୀ ଅନେକ ସଙ୍ଗୋଷ୍ଠୀ ଓ ବିଦ୍ୱତସମାରୋହରେ ଚର୍ଚ୍ଚିତ ବିଷୟବସ୍ତୁର ସମାବେଶ । ଆଚାର୍ଯ୍ୟ ଚରକଙ୍କର ଗ୍ରନ୍ଥକୁ ଏକ ଆୟୁର୍ବେଦ ବିଶ୍ବକୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଏହି ଗ୍ରନ୍ଥର ଅଧ୍ୟଯନ କରି ହାର୍ବେ ପ୍ରଭୃତି ଅନେକ ବିଶ୍ବ ବିଖ୍ୟାତ ପାଶ୍ଚାତ୍ଯ ଚିକିତ୍ସକଗଣ ନତମସ୍ତକ ହୋଇ ଏହା ସ୍ୱୀକାର କରନ୍ତି ଯେ ଯଦି ଆଧୁନିକ ଚିକିତ୍ସା-ବିଜ୍ଞାନୀମାନେ ଚରକଙ୍କ ନିର୍ଦିଷ୍ଟ ପଥ ଅନୁସରଣ କରନ୍ତି ତେବେ ଚିକିତ୍ସାବିଜ୍ଞାନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଅଣାଯାଇ ପାରିବ । ଆଚାର୍ଯ୍ୟ ଚରକଙ୍କର ଏହି ମହନୀୟ ଅବଦାନ ତାଙ୍କୁ ଯେ କେବଳ ପ୍ରାତଃସ୍ମରଣୀୟ କରି ରଖିଥିବ ତାହା ନୁହେଁ ଅପିତୁ ଏହା ସମସ୍ତ ଚିକିତ୍ସାବିଜ୍ଞାନ ପାଇଁ ଏକ ଅନନ୍ତ ପ୍ରେରଣାର ସ୍ରୋତ ହୋଇ ରହିଥିବ।

(ନବପ୍ରକାଶ ପତ୍ରିକାରୁ ସଂଗୃହୀତ)


ସଂଗ୍ରାହକ – ପୂର୍ଣ୍ଣେନ୍ଦୁ ମହାପାତ୍ର
ବିବେକାନନ୍ଦ ସ୍ୱାଧ୍ୟାୟକେନ୍ଦ୍ର, ଚାନ୍ଦବାଲି


Share it

Leave a comment

Your email address will not be published. Required fields are marked *

Verified by MonsterInsights