ଚରା

Share it

କଥା ସରିତ
11th August 2024

ଚରା

ବୈଶାଖ ମାସ l ଗାଁ ରେ ଧାଡ଼ିବାନ୍ଧି ଛିଡା ହୋଇଥିବା କୃଷ୍ଣଚୁଡା ଗୁଡିକ ମୁଣ୍ଡରେ ନାଲିଆ ଫୁଲର ଓଢଣା ଟାଣିଲେଣି l ରାସ୍ତାରେ ସାଇକେଲ୍ କି ଶଗଡ଼ ଗଡ଼ିଲେ ଧୂଳି ଉଡି ଯାଉଛି l ପୋଖରୀରୁ ପାଣି ଶୁଖି ସବା ଶେଷ ପାଉଚ୍ଛ ଉପରକୁ ଦେଖା ଗଲାଣି l ଜଗନ୍ନାଥ ମନ୍ଦିର ସାମ୍ନା ଚଉଁରା ତୁଳସୀ ଗଛ ଖରା ମାଡ଼ ସହି ନ ପାରି ଶୁଖି ଗଲାଣିl ଲୋକଙ୍କ ଦେହରୁ ଉଠି ଆସୁଛି ଝାଳୁଆ ଗନ୍ଧମାନ l ଆଜି ମଙ୍ଗଳବାରl କୁସମେଲ୍ ଗାଁ ରେ ମଙ୍ଗବାର ସାଧାରଣ ଦିନ ନୁହେଁ l ଏ ଦିନ ପାଖ ପଞ୍ଚାୟତ ଗାଁ ଦାମନଝୋଲ୍ ରେ ହାଟ ବସେ l ହାଟ ଆଡକୁ ଛୁଟି ଯାନ୍ତି ଗାଁ ଯାକ ଲୋକ l ପସରା ଲଗେଇ ନିଜ ସାମଗ୍ରୀ ବିକିବା ପାଇଁ l ପୁଣି ସପ୍ତାହକର ଘର ସଉଦା କିଣି ଆଣିବା ପାଇଁl ୟେ ତ ସହର ନୁହଁ ଯେ କିଛି ଜିନିଷ ଉଁ କରି ଖୋଜିଲେ ହୁଁ କରି ମିଳିଯିବ l ହାଟ ଦିନରୁ କିଣିକି ରଖ, ନହେଲେ ପଡୋଶୀଙ୍କ ଠାରୁ ମାଗିକି କାମ ଚଳାଅ l

ଦିନ ଏଗାର ଟା ଖଣ୍ଡେ ହେବ l ଗାଁ’ରେ ବଦ୍ରି ଛଡା କୌଣସି ଅଣ୍ଡିରା ମଣିଷ ନଥିଲେ l ସମସ୍ତେ ଯାଇଥିଲେ ହାଟ l ବଦ୍ରି ଦେହରେ ଖଇଫୁଟା ଜର ବୋଲି ସେ ଯାଇ ପାରିନି ଏ ପାଲି ହାଟକୁ l ଏ ଖରା ମାସରେ ଜର କହିଲେ ଆଉ କ’ଣ କି ଏଇ ଅଂଶୁଘାତ l ଖରା ଖିଆ ଜର l ଜୁବି ତପୁଦିଦି ର ବାଡ଼ିରୁ ଲେମ୍ବୁ କିଛିଟା ତୋଳି ଆଣି ସର୍ବଦ ଗୋଳି, ସେଥିରୁ କିଛି କିଛି ଦେଉଁଛି ଘଣ୍ଟେ ଦୁଇ ଘଣ୍ଟା ବ୍ୟବଧାନରେ ବଦ୍ରିକୁ ପିଇବାପାଇଁ l ବଦ୍ରି ଦାଣ୍ଡରେ ଖଟ ଟିଏ ପକେଇ ତାରି ଉପରେ ଗଡୁଥିଲା l

-ତରଭୁଜ ଟିଏ ଫାଡ଼ିଲୁ ଜୁବି l ଦେଖ ନାଲି ବାହାରୁଛି କି ନା l ସେଇଥିରୁ କିଛି ଖାଇଲେ ଭଲ ଲାଗିବ ମତେ l ଜୁବି ଆଡକୁ ମୁଣ୍ଡ ଘୁରେଇ କହିଲା ବଦ୍ରି l

-ହେଇଟି ଧଳା ପିଆଜ କେଇଟା କାଟି ବାଲ୍ଟି ପାଣିରେ ପକେଇ ଦେଇଛି l ତାକୁ ଗାଧୋଇ ନିଅ ଫେର ତରଭୁଜ ଫାଡ଼ି ଦେବି ଯେ ଖାଇବ l ତପୁଦିଦି କହିଛି ଏମିତି ପିଆଜ ପକା ପାଣିରେ ଗାଧୋଇଲେ ଖରାଟିଆ ଜର ଓହ୍ଲେଇ ଯାଏ l

ଗାଁ ର ଅଲଗା ମାଇପିମାନେ ବି ବ୍ୟସ୍ତ ଥିଲେ ନିଜ ନିଜ କାମରେ l କିଏ ଚୁଲିରେ ପତ୍ର ଝୋକି ସଜନା ବେସର ଫୁଟେଇବାରେ ତ କିଏ ଗୋବର ପୋତି ପିଣ୍ଡା ଲିପିବାରେ l କିଏ ନଡ଼ିଆ ପତ୍ରକୁ ଚିରି ଖଡ଼ିକା କାଢ଼ିବାରେ l କିଏ ମାଛରୁ କାତି ଛାଡେଇବାରେ l କିଏ ସଞ୍ଜ ବେଳେ ମନ୍ଦିର ରେ ତୁଳସୀ ଲାଗି କରିବାକୁ ଜଣ୍ଟ ବାନ୍ଧିବାରେ l ଏମିତି ଯିଏ ଯାହା କାମରେ ମାତିଥାନ୍ତି l

ଠିକ ସେତେବେଳେ ଗାଁର ଶାନ୍ତ ପରିବେଶକୁ ଚିରି ଏକ କର୍ଣ୍ଣକଟୁ ଫଟ୍ ଫଟ୍ ଶବ୍ଦ ସହ ପସି ଆସିଲା ଗୋଟିଏ ପୁରୁଣା ଲୁନା ଗାଡି l
ଆକାଶରେ ଗାର ଟାଣି ଚାଲିଥିବା ରକେଟ ଭଳି, ମାଟିରେ ଧୂଳି ଗାର ଟାଣି ଧାଇଁ ଆସୁଥିଲା ଲୁନା l ତାରି ପଛେରେ କିଛିଟା ମେଞ୍ଚଡ଼ ଟୋକା ଧୂଳିକୁ ବେଖାତିର କରି ଧାଇଁ ଆସୁଥିଲେ l ଯେଉଁମାନେ ପୋଖରୀର ପାଣି ଶୁଖିବାର ଲାଭ ଉଠେଇ ମାଛ ଧରୁଥିଲେ କିମ୍ବା ପଦ୍ମ ତୋଳୁଥିଲେl ଗାଁ କୁ ଯେଉଁ ଗାଡି ଆସିଲେ ତା ସହ ଦୌଡ଼ ପ୍ରତିଯୋଗିତା କଲାଭଳି ଧାଇଁବା ଏମାନଙ୍କ ସ୍ଵଭାଵ l

ଗାଁ ମଝିରେ ଲୁନା ରଖି ଓହ୍ଲେଇ ପଡିଲା ଏକ ବିଶାଳ ବାହୁ, ଚଉଡା ଛାତି, ମୋଟା ନିଶ, ବହଳ ଦାଢ଼ି, ତେଲିଆ କଳା ରଙ୍ଗର ଡେଙ୍ଗା ମଣିଷ ଟିଏ l ବିଦେଶୀ ହୋଇଥିବ କି କ’ଣ ଓଡିଆ ଲୋକ ଭଳି ଜମା ଲାଗୁନି l କଉ ମଧ୍ୟପ୍ରଦେଶ କି ବିହାର ଲୋକ ହୋଇ ପାରେl

ଲୋକଟି ଏଥର ଉଚ୍ଚ ପାଟିରେ ଡାକଛାଡି ଆହ୍ୱାନ କଲା -“କୋଇବି ପୁରାନା ବର୍ତ୍ତନ ଦେକେ ନୟା ଲେଲୋ…… ସିରିଫ୍ ଏକ ହଫତେ ମେ l ବିଲକୁଲ ନୟା….. I ପୁରାନେ କେ ବଦଳେ ନୟା l ”

ଲୋକ ଟାର ଏମିତି ଘୋଷଣା ଶୁଣି,କଥା କ’ଣ ଜାଣିବା ପାଇଁ,ଯିଏ ଯାହା କାମ ଛାଡି, ସାଙ୍ଗ ଜୋଳି ବାନ୍ଧି ଉଠି ଆସିଲେ ତା ପାଖକୁ l
ବଦ୍ରି ଟା ହିନ୍ଦି ବୁଝେ l ସୁରାଟରେ ଦାଦନ ରହି କାମ କରୁଥିଲା କିଛି ମାସ l ସେ ବୁଝେଇ ଦେଲା ସମସ୍ତଙ୍କୁ ଯେ ଲୋକଟା କହୁଛି, ପୁରୁଣା ବାସନ କୁସନ ଦେଲେ ସପ୍ତାହକ ପରେ ନୁଆଁ ବାସନ ଫେରେଇବ l
ସୁକୁନି ପଚାରିଲା, “ନୁଆଁ ବାସନ ପାଇବାକୁ କେତେ ଟଙ୍କା ଲାଗିବ?”
ଲୋକଟା ଉତ୍ତର ଫେରେଇଲା, “କୋଈ ପଇସା ନହିଁ ଲଗେଗା l ଏକ ହଫତେ ମେ ବିଲକୁଲ ନୟା l ”

ଅଦ୍ଭୁଦ କଥା ୟେ, ପୁରୁଣା ବଦଳରେ ନୁଆଁ ଦେବ ପୁଣି ବିନା ପଇସାରେ! ନିହାତି ୟେ ଗୋଟିଏ ଠକ ହୋଇଥିବ l ସମସ୍ତେ ମୁହଁ ଚାହାଁ ଚୁହିଁ ହୋଇ ଫିସ ଫିସ ହେଲେ l

“ହେଇଟି ବାବୁ! ଯେଡ଼ିକି ଟେ ନେବ ସେଡ଼ିକି ଟେ ଫେରେଇବ ନା ଛୋଟ ଟେ? ” ଶୁକୃ ମାଝିର ବୁଢ଼ୀ ମାଁ ପଚାରିଲା l

ମାଇପ ଗହଳିରୁ ଧୀର ଗଲାରେ ଶୁଭୁଥିଲା, “ଆରେ ମାଉସୀ ଠିକ୍ କଥା ପଚାରୁଛନ୍ତି ବଡ଼ ଟେ ନେଇ ଯଦି ସାନଟେ ଫେରେଇଲେ ତାହେଲେ ତ ଠକେ ପଡିବା ସାର ହେବ l ଏ ନିହାତି ଏମିତି କରୁଥିବ ନା , ନହେଲେ କି ଲାଭ ପାଉଛି ଯେ ପୁରୁଣା ବଦଳରେ ନୁଆଁ ଦେବ ବା l ”

“ଆପ୍ ଲୋଗ୍ ଜିତନେ ସାଇଜ୍ କା ଦୋଗେ ଉତନେ ସାଇଜ୍ କା ନୟା ମିଲେଗା l ନା ଛୋଟା ନା ବଡା l”
ହାଁ କିନା ଅନେଇ ରହିଲେ ସମସ୍ତେ l

“ପିତ୍ତଳ ବଦଳରେ ଷ୍ଟିଲ,କି ଷ୍ଟିଲ ବଦଳରେ ରସା ବାସନ ଫେରେଇ ଦେବନି ତ? ” ବଦ୍ରି ଶେଷ ଶଙ୍କା ଦୂର କରିବାକୁ ପଚାରିଲା l
ନା ଭଙ୍ଗି ରେ ମୁଣ୍ଡ ହଲେଇ କହିଲା ଲୋକଟି “ନହିଁ ଜିସ୍ ଚିଜ୍ କା ହୋଗା ଉସିକା ଦେଙ୍ଗେ l

ତାହେଲେ ଲୋକ ଟା କି ଲାଭ ପାଉଥିବ? ପୁଣି ନିଜ ଭିତରେ ଚାପା ଗୁଞ୍ଜରଣ l

“ଆମଠୁ ପୁରୁଣା ନେଇ ନୁଆଁ ଦେଲେ ତୁମେ କି ଲାଭ ପାଇବ କି ଗୋ ” ତପୁ ଦିଦି ପଚାରିଲା l ତାର ରୋକ୍ ଠୋକ୍ ମୁହଁ ଉପରେ କଥା l ସାମାନ୍ୟ ଭାବରେ କଥା କହିଲେ ବି ସାମ୍ନା ଲୋକକୁ ଧମକ୍ ଦେଲା ଭଳି ଶୁଭିବ l

“ଲାଭ୍ ହୋତା ହେ ହମକୋ l ବୋହତ୍ l ”
“କେମିତି ଲାଭ ହୁଏ? କି ଲାଭ ହୁଏ?”
ଅତି ସାଙ୍ଗତିକ ପ୍ରଶ୍ନ ମାଡ଼ ଚାଲୁ କରିଦେଲା ତପୁ ଓରଫ୍ ତପସ୍ୱିନୀ ଦିଦି l ଜୁବି ତାଙ୍କ ହାତ ଭିଡି କହୁଥାଏ, “ଚୁପ ରୁହନା ଦିଦି l ଲୋକ ଟାକୁ ଏମିତି ପଚାରିଲେ ଖରାପ ଭାବିବନି?”

“ଆରେ ତୁ ଚୁପ୍ ରହ ଖରାପ ଭାବିଲେ ଭାବୁ l ସେ କ’ଣ ମୋର ସମ୍ପର୍କୀୟ କି ଚିହ୍ନା ଜଣା ହେଇଛି ଯେ ଖରାପ ଭାବିଲେ ମୋର କିଛି ଯିବ l ଯାହା ଭାବିଲେ ମୋର ଢ଼ୋ!”

“ସାରି ବାତ ବତା ଦେଙ୍ଗେ ତୋ ଆପ୍ ଭି କରନେ ଲଗୋଗେ l ଫିର୍ ହମାରି ରୋଜି ରୋଟି କେସେ ଚଲେଗି ଜିଜି ?”

ଆଉ କାହାରି କିଛି ପଚାରିବାର ନଥିଲା l କିନ୍ତୁ ତାକୁ ପୁରୁଣା କିଛି ଦେବାର ସାହସ ବି କାହାରି ପାଖରେ ନଥିଲା l ସମସ୍ତେ ନିଶ୍ଚିତ ଥିଲେ ୟେ ଠକ ଛଡା କିଛି ନୁହେଁ l ତାକୁ ଦେଇ ଦେବା ଅର୍ଥ ଆଉ ଥରେ ଫେରି ପାଇବାର ଆଶା ଛାଡି ଦେବା l ଏବେ ମୂର୍ଖ ସାଜି ଦେଇ ଦେଲେ ପରେ ଅବସୋସ୍ କରିବା ହିଁ ସାର ହେବ l

ନାଇଁ ନାଇଁ କରି ଯିଏ ଯାହା ଘରକୁ ଫେରି ଯିବାକୁ ହେଉଥିଲେ ସମସ୍ତେ l ସେତେବେଳେ ବଦ୍ରି ସାତ ଆଠ ଜାଗାରେ କଣା ହୋଇଥିବା ଏକ ବଡ଼ ପିତ୍ତଲ ଗରିଆ ଆଣି କଚାଡିଦେଲା ସେ ବିଦେଶୀ ଲୋକର ସାମ୍ନାରେ l ଅନ୍ୟ ମାନେ ବୁଦ୍ଧି ଦେଲେ l “ସେ ଆଉ ଫେରିବନି ରେ ଭାଇ l ତାକୁ ସମାନ ଦିଅ କି ପାଣିକୁ ଫୋପାଡ଼ ଏକା କଥା l ବରଂ ସେ ଗାରିଆକୁ ଦୋକାନ ରେ ବଦଳା କଲେ ହଜାରେ ଦୁଇ ହଜାର ମିଳିବ l ଏଡ଼େ ଦାମୀ ଜିନିଷ ଟେ ନୁଆଁ ପାଇବା ଲୋଭରେ ହରେଇ ଦିଅନି l ଜୁବି ବି ଅନ୍ୟ ମାନଙ୍କ ସହ ପାଳିଆ ଧରିଲା l

ବଦ୍ରି ଛାତିରେ ହାତ ବାଡେଇ କହିଲା l
“ମୁଁ ଜାଣିଛି ୟେ ଆଉ ଆସିବନି l ମୁଁ ମୋ ଗରିଆ ୟାକୁ ଦାନ ଦେବା ଅର୍ଥରେ କଳ୍ପନା କରି ଦେଉଛି l ୟେ ନ ଫେରିଲେ ଦାନ ଦେଲି ବୋଲି ଭାବିବି l ତୁଚ୍ଛା କଣା ଗରିଆ ଟାକୁ କି ଲୋଭ ଯେ ପୁଣି ବଦଳା କରିବି, ୟା ପାଖରେ ହେଉ କି ଦୋକାନରେ ହେଉ l ହାତ ଥିଲେ ହାଣ୍ଡିର କି ଚିନ୍ତା? ପୁଣି କାମ କରିବି ନୁଆଁ କିଣିବି l”

ତା କଥା ଜୁବିକୁ ମନ୍ତ୍ର ଭଳି ଲାଗିଲା ନା କଣ, ଏକ ପ୍ରକାର ସମ୍ମୋହନରେ ଧାଇଁ ଗଲା ଘର ଭିତରକୁ l ଘରୁ ଏକ ମୋଡି ମାଡି ହୋଇ ଯାଇଥିବା ରସା ଡ଼ାଲା ଆଣି ବଢ଼େଇ ଦେବା ବଦ୍ରି ହାତକୁ, “ୟାକୁ ବି ଦେଇ ଦେବା l”
ସେଇୟା ହେଲା l ଲୋକଟି ଗରା, ଡ଼ାଲା ନେଇ ଫେରିଗଲା l ସତ୍ୟା ସତ୍ୟ ପାଇଁ ସମସ୍ତେ ଅପେକ୍ଷା କଲେ ଆସନ୍ତା ମଂଗଳବାରକୁ l

ହାଟ ଉଠିଲା ପରେ ସନ୍ଧ୍ୟାରେ ଘରକୁ ଫେରିଲେ ମରଦପିଲେ l ପ୍ରତି ଘରେ ସ୍ତ୍ରୀ-ସ୍ୱାମୀ ଭିତରେ ସେଇ ଗୋଟିଏ ବିଷୟକୁ ନେଇ ଆଲୋଚନା l ଜଣେ କେମିତି ପୁରୁଣା ବଦଳରେ ନୁଆଁ ଦରବ ଦେବ? ତା ପୁଣି ମାଗଣାରେ! ଆଉ ବଦ୍ରିର ମୂର୍ଖାମୀ କଥା l ସ୍ୱାମୀମାନେ ସ୍ତ୍ରୀଙ୍କୁ ଚିଡି ସତର୍କ କଲେ ଯେମିତି ସେଇ ଭଳି ମୂର୍ଖାମୀରେ କେବେ ବି ନ ପଡନ୍ତି l “ଏହେ.. ସେ ଲୋକ କ’ଣ ଭଗବାନ? ହାଁ! ନିଜ ପଇସାରେ ଗାଡ଼ିରେ ପେଟ୍ରୋଲ ଭରି ଲୋକଙ୍କ ବାସନ ନୁଆଁ କରି ଦେବାର ଆଶୀର୍ବାଦ ଦେବାକୁ ଆସିଛି l କାଇଁ କେଉଁ ରାଜ୍ୟରୁ ହଇରାଣ ହୋଇ l ଠକ… ସିଏ ଠକ…l ଲୋକଙ୍କୁ ବୋକା ଭାବୁଛି l ”
“ମୁଁ ଥିଲେ ତାକୁ ନେଇ ପୋଲିସ ରେ ଦେଇଥାନ୍ତି l ମରଦପିଲା ଥିଲା ଦିନ ସିନା ଆସନ୍ତା, ମଙ୍ଗଳବାର ରେ କ’ଣ ପାଇଁ ଆସିଛି l ଲୋକ ଟା ଠିକ ଜାଣେ ତା କଥାରେ ଭାସିଯିବା ଲୋକ ମରଦ ପିଲା ନୁହନ୍ତି l ସେଇଥିପାଇଁ ସ୍ତ୍ରୀ ଲୋକଙ୍କୁ ତାର ଟାର୍ଗେଟ l ଶଳା ବଦ୍ରି ତା ମାଇଚିଆ, ବୋକା ବନିଗଲା l ”

“ଖବରଦାର ଯଦି ତାକୁ କେବେ କିଛି ଦେଇଛୁ l ଚୁଳି ଫୁଙ୍କା ନଳାରେ ବାଡେଇ ତୋର ଗୋଡ଼ ଭାଙ୍ଗିଦେବି l ବୁଝିଲୁ l”
ଏମିତି କେତେ ଘରେ କେତେ କଥା l

ରାତି ପାହିଲା, କଥା ହଜିଲା ଭଳି ଲୋକେ ସେ କଥା ଭୁଲିଗଲେ l ମନରୁ କାଢ଼ିଦେଲେ କି ସେ ପରଦେଶୀ ଲୋକ ଆଉ ପୁଣି ଫେରିକି ଆସିବ l ଦିନ ପରେ ଦିନ ବିତି ସାତ ଦିନ ହେଲା l ମଙ୍ଗଳବାର ଆସିଲା l

ଦିନ ଏଗାର ଟା ବେଳକୁ ଗାଁର ନୀରବତା ଭାଂଗିଲା ପୁଣିଥରେ ସେଇ ଲୁନାର ଫଟ୍ ଫଟ୍ ଶବ୍ଦ l ସେ ଶବ୍ଦ କାନରେ ବାଜୁ ବାଜୁ ସମସ୍ତଙ୍କ ଯେମିତି ହୋସ୍ ଫେରିଲା l ଆଜି ମଙ୍ଗଳଵାର ଆଉ ଲୋକଟା ନୁଆଁ ବାସନ ନେଇ ଫେରିବାର ଥିଲା l ଏଇ ତ ତା ଗାଡି ଶବ୍ଦ! ତାହେଲେ କ’ଣ ସେ ସତରେ ନୁଆଁ ଆଣି ଦେଇଛି l ରିମୋଟ କଣ୍ଟ୍ରୋଲରେ ଚାଲୁଥିବା ରୋବଟ ପରି ଲୋକଟିର ଗୋଟିଏ ଡାକ ର ସ୍ବିଚ୍ ଟିପୁ ଟିପୁ ସମସ୍ତେ ଦାଣ୍ଡରେ ହଜାର ହେଲେ l

ବଦ୍ରି ଏପାଲି ଘରେ ନଥିଲା ସୁସ୍ଥ ହୋଇ ହାଟ ଯାଇ ସାରିଥାଏ l ଏମିତିରେ ତାର ବି ଆଶା ନଥିଲା ଯେ ଲୋକଟା ଫେର୍ ଥରେ ଆସିବ l

ଗାଁ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଲୋକଟାର ପୁରୁଣା ଲୁନାରେ ବନ୍ଧା ହୋଇଥିବା ଦୁଇଟା ନୁଆଁ ଗରିଆ ଓ ଡ଼ାଲା l ଆହାଃ ପୁରା ନୁଆଁ ବୋଲି ନୁଆଁ l ଏମିତି ଚିକ୍ ଚିକ୍ କରୁଛି ଯେ ଆଖି ଝଲସି ଯିବ l ସାମ୍ନାରେ ଛିଡା ହୋଇଗଲେ ଆଇନା ଭଳି ମୁହଁ ଦିଶିଯିବ l ଛୋଟ ନୁହଁ ଯେଡ଼ିକି ବଡ଼ଟେ ବଦ୍ରି ଦେଇଥିଲା ଠିକ ସେଡ଼ିକି ଟିଏ l

ଲୋକଟା ନୁଆଁ ବାସନକୁ ଜୁବି ହାତରେ ଦେଉ ଦେଉ ଜୁବି ମୁହଁରେ ଫୁଟି ଉଠିଲା ଖୁସିର କୁରେଇ ଫୁଲ l ହଁ ଠିକ୍ ଏମିତି ଦିଶୁଥିଲା ତା ଗରିଆ ଟା, ବାହା ହୋଇ ବଦ୍ରି ଘରକୁ ଆସିଲା ବେଳେ, ଆଣିଥିଲା ସାଥିରେ l କୃତଜ୍ଞତା ଭରା ଚାହାଁଣୀରେ ଥରେ ଅନେଇ ଥିଲା ବିଦେଶୀକୁ l

ନୁଆଁ ବାସନ ଗୁଡିକ ଘୁରିଲା ୟା ହାତରୁ ତା ହାତକୁ l ପ୍ରମାଣିତ କରୁଥିଲା ଗାଁ ର ସମସ୍ତେ ଭୁଲ ଥିଲେ l ଗାଁ ଲୋକ ଏବେ ନିଜକୁ ନିଜେ ଗାଳି କରୁଥିଲେ ସେମାନେ ସେ ଲୋକଟାକୁ ମିଛ ଟାରେ ଠକ ଭାବିଲେ ବୋଲି l ଦୁନିଆ ରେ ଯଦି ସମସ୍ତେ ଠକ ତାହେଲେ ଦୁନିଆ ଚାଲିଛି କେମିତି? କିଛି ତ ଏଇ ବିଦେଶୀ ଲୋକ ଭଳି ଭଲ ଲୋକ ବି ଅଛନ୍ତି l

” ଆପ୍ ଲୋଗୋ ସେ ଝୁଠ୍ କ୍ୟୁ ବୋଲୁଙ୍ଗା ?ଉପର୍ ଈଶ୍ୱର୍ ବେଠା ହେ ନା,ବୋ ସବ୍ କୁଛ୍ ଦେଖ୍ ରହା ହେ l କୁଛ୍ ଗଲତ୍ କ୍ୟା ତୋ ବୋ ହମେ ମାଫ୍ କରେଗା କ୍ୟା ” ଲୋକ ଟି କହୁଥାଏ l ଅନ୍ୟ ମାନେ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣାଉଥାନ୍ତି l

ଲୋକଟି ଫେରିବା ଆଗରୁ ତା ପାଖରେ ରୁଣ୍ଡ ହୋଇ ସାରିଥାଏ ଅନେକ ହାଣ୍ଡି, ବାଲ୍ଟି, ଗରା, ପରାତ୍ ଆଦି କେତେ କ’ଣ l

ଲୁନା ପଛରେ ବାସନକୁସନର ଏକ ଛୋଟ ପାହାଡ଼ ବାନ୍ଧି କୁସମେଲ୍ ଗାଁ କୁ ପଛ କରି ଫେରି ଯାଉଥିଲା ଲୋକଟି l ନୁଆଁ ପାଇବାର ସ୍ୱପ୍ନ ବାନ୍ଧି ଅନେକ ଆଖି ଅନେକ ଥାନ୍ତି ତାର ଯିବା ବାଟକୁ l

ସେଦିନ ସନ୍ଧ୍ୟାରେ ବି ଗାଁ ର ସ୍ୱାମୀ-ସ୍ତ୍ରୀ ଭିତରେ ଆଲୋଚନା ବିଷୟ ସେଇ କଥା ଥିଲା l ଜୁବି ପାଖରୁ ନୁଆଁ ବାସନ କେତେବେଳେ ୟେ ମାଗି ନେଇ ଥାଏ ତା ସ୍ୱାମୀକୁ ଦେଖେଇବା ପାଇଁ ତ କେତେବେଳେ ସେ ମାଗି ନେଉ ଥାଏ ତା ସ୍ୱାମୀଙ୍କୁ ଦେଖେଇବା ପାଇଁ l ସେ ଲୋକକୁ ବାସନ ଦେଇ ଦେଇଥିବାରୁ କୌଣସି ସ୍ତ୍ରୀ ସେଦିନ ଗାଳି କି ମାଡ଼ ବି ଖାଇ ନଥିଲେ ସ୍ୱାମୀଙ୍କ ଠାରୁ l ବରଂ ଆଉ କେଉଁ କେଉଁ ବାସନ ଦିଆ ଯାଇ ପାରିଥାନ୍ତା ତାର ଏକ ମୌଖିକ ତାଲିକା ପ୍ରସ୍ତୁତ କରୁଥିଲେ ସ୍ୱାମୀ ମାନେ l ଆର ସପ୍ତାହ କେମିତି ହାଟ ନ ଯାଇ ନିଜେ ଉପସ୍ଥିତ ରହି ଅବଶିଷ୍ଟ ବାସନ ନିଜ ତତ୍ୱାବଧାନରେ ଦେବେ ତାହା ଘୋଷଣା କରୁଥିଲେ ନିଜ ନିଜ ସ୍ତ୍ରୀ ମାନଙ୍କ ପାଖରେ l

ଏଥର କିନ୍ତୁ ଉତ୍କଣ୍ଠାର ସହ ଅପେକ୍ଷା କଲେ ସମସ୍ତେ ମଙ୍ଗଳବାର କୁ l
ମଙ୍ଗଳବାର ଦିନ,ଦିନ ଏଗାର ଡେଇଁ ବେଳା ହେଲା,ସଞ୍ଜ ହେଲା, ରାତି ହେଲା ଲୋକ ଟିର ଦେଖା ନହିଁ l ତାହେଲେ ଲୋକ ଟା କ’ଣ ଠକି ଦେଲା ତାଙ୍କୁ? ନା ନା ସୁବିଧା ଅସୁବିଧା ଅନେକ କଥା ଅଛି l ଦେହ ପା’ ଖରାପ ହୋଇଥିବ l ଆଉ ଦିନେ ଦୁଇ ଦିନ ପରେ ଆସିବନି l ନହେଲେ ଆର ସପ୍ତାହ କୁ ଆସିବ l ଏତେ ଗୁଡିଏ ବାସନ ନେଇଛି ତାକୁ ନୁଆଁ କରିବା କ’ଣ ସହଜ କଥା? ଯେମିତି ହେଲେ କିଛି ଦିନର ସମୟ ଲାଗିବ l

ପୁରୁଷପିଲେ ଅବସୋସ୍ କରୁଥିଲେ ତୁଚ୍ଛାରେ ହାଟ ନ ଯାଇ ସମୟ ନଷ୍ଟ କଲେ ବୋଲି l ଅକାରଣ କେତେ କ୍ଷତି ମୁଣ୍ଡେଇଲେ l

ଲୋକେ ଅପେକ୍ଷା କରି ଚାଲିଥିଲେ l ଗୋଟିଏ ମଙ୍ଗଳବାର ପରେ ଆଉ ଗୋଟିଏ ମଙ୍ଗଳଵାର ଆସୁ ଥାଏ କିନ୍ତୁ ଆସେନା ସେ ଲୋକ ର ଲୁନା ଗାଡିର ଫଟ୍ ଫଟ୍ ଶବ୍ଦ କାନକୁ l ଆସେନା ତାଙ୍କ ପୁରୁଣା ବାସନ ନବକଳେବର ରୂପ ପାଇ ଲୁନା ପିଠିରେ ଲାଉ ହେଇ l ଆସେନା ସେ ତେଲିଆ କଳା ବିଶାଳ ମଣିଷ ଟା l ଉକ୍ତ ଲୋକଟି ଯେମିତି ଗାଁ ର ବାଟ ଭୂଲି ଯାଇଛି l

ଚାରି ପାଞ୍ଚ ସପ୍ତାହ ପରେ ଲୋକେ ଠିକ ବୁଝି ପାରୁଥିଲେ ସେ ଲୋକଟା ସବୁ ନେଇ ଚମ୍ପଟ ମାରିଛି ନିଜ ରାଜ୍ୟକୁ l ଜୁବି କୁ ଦେଇ ଥିବା ନୁଆଁ ବାସନ ତ କେବଳ ତାର ଠକାମୀ ଜାଲ ରେ ଲୋକଙ୍କୁ ଫସେଇବା ପାଇଁ ଚରା ଥିଲା l ଯେଉଁ ଚରା ଲୋଭ ଦେଖି ଏବେ ସେମାନେ ଠକାମୀ ଜାଲରେ l ଗୋଟିଏ ଭଲ ସବକ୍ ପାଇଲା ପରେ ଲୋକେ ଠିକ ବୁଝି ପାରୁଥିଲେ l ସବୁ କ୍ଷତି ଭୂଲି ଲୋକେ ଘଟଣାକୁ ଭୂଲି ଯିବାକୁ ଚେଷ୍ଟା କରୁଥିଲେ ଧୀରେ ଧୀରେ … I

+++++++++

ଜିନାତମାମ ଦର୍ଜୀ,
ବରପାଲି, ବରଗଡ
768029
ମୋ -8018807153


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights