ଚିତାଲାଗି ଅମାବାସ୍ୟା

Share it

4th August 2024
ଚିତାଲାଗି ଅମାବାସ୍ୟା

===============

ଶ୍ରାବଣ ଅମାବାସ୍ୟା ଆମ ସଂସ୍କୃତିରେ ଚିତାଲାଗି ବା ଚିତୋଉ ଅମାବାସ୍ୟା, ଭାବେ ପରିଚିତ l ଏହି ଦିନ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିଜେ ତିନି ଠାକୁରଙ୍କୁ ଚିତାଲାଗି କରାଯାଇଥାଏ l ଚିତାଲାଗି ଅମାବାସ୍ୟା ଓଡ଼ିଶାର କୃଷିଭିତ୍ତିକ ଏକ ଗଣପର୍ବl
ଯାହାର ଅନ୍ୟ ନାମ ଗେଣ୍ଡା କଟା ଅମାବାସ୍ୟା l

ଶ୍ରାବଣ ମାସରେ ଚାଷୀମାନେ ସାଧାରଣତଃ ଧାନ ବିଲରେ ବେଉଡ଼ାବେଉଡି କାର୍ଯ୍ୟ କରିଥାନ୍ତି l ଏହି ସମୟରେ ବିଲରେ ଗେଣ୍ଡା ମାନଙ୍କର ପ୍ରାଦୁର୍ଭାବ ବଢ଼ି ଯାଇଥାଏ l ଅସାବଧାନତାରୁ ଗେଣ୍ଡାମାନଙ୍କ ଉପରେ ଆଘାତ ହେଲେ ସେମାନେ ଗୋଡ଼ ହାତ କାଟିଦେଇଥାନ୍ତି l ଗେଣ୍ଡାମାନେ ମଧ୍ୟ ଫସଲ କାଟି ନଷ୍ଟ କରିଥାନ୍ତି l ଏଣୁ ଚିତାଲାଗି ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ଜୀବମାନଙ୍କ ଉଦ୍ଦେଶ୍ୟରେ ଚିତଉ ପିଠା ଓ ଗଇଁଠା ପିଠା ତିଆରି କରି ନଦୀ ପୁଷ୍କରିଣୀ ମାନଙ୍କରେ ସମର୍ପଣ କରା ଯାଇଥାଏ l ଏହାଏକ ଶାବରୀ ପରମ୍ପରା ବୋଲି କଥିତହୁଏ l

ସବୁ ଠାରୁ ବଡ଼ କଥା ହେଲା ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଲଲାଟରେ ଚିତା ଲାଗି କରାଯାଏ ଯେଉଁଥିପାଇଁ ଏହାର ନାମ ଚିତାଲାଗି ଅମାବାସ୍ୟା ହୋଇଛି l ସ୍ନାନ ପୂର୍ଣ୍ଣିମା ଅବସରରେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ତିନି ଠାକୁରଙ୍କ ଲଲାଟରେ ବର୍ଷ ସାରା ଶୋଭୟମାନ ଚିତାକୁ ଉଲାଗି କରା ଯାଇଥାଏ l ସେବେ ଠାରୁ ଏହା ଆଉ ମହାପ୍ରଭୁଙ୍କ ଲଲାଟରେ ଲାଗି ହୋଇ ନଥାଏ l

ସ୍ନାନଯାତ୍ରା, ଅଣସର, ନବଯୌବନ, ରଥ ଯାତ୍ରା, ନୀଳାଦ୍ରି ବିଜେ ଇତ୍ୟାଦି ମହାପ୍ରଭୁଙ୍କର ସମସ୍ତ ଉତ୍ସବ ସମାପ୍ତ ହେଲାପରେ ସେହି ଚିତାକୁ ପୁଣି ଚିତାଲାଗି ଅମାବାସ୍ୟାରେ ଲାଗି କରାଯାଇ ଥାଏ l ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରକ ଧଳା ଚିତା, ଶ୍ରୀ ବଳଦେବଙ୍କ ମସ୍ତକରେ ନୀଳା ଖଚିତ ନୀଳ ଚିତା ଏବଂ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ଲୋହିତ ଚିତା ଲାଗି କରା ଯାଇ ଥାଏ l

ପତି ମହାପାତ୍ର ଏସବୁ ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀବିଗ୍ରହମାନଙ୍କ ଲଲାଟରେ ଏହାକୁ ପରିଧାନ କରାଇଥାନ୍ତି l ଏହି ଚିତା ବିଗ୍ରହ ମାନଙ୍କ ଲଲାଟ ଦେଶରେ ପରବର୍ତ୍ତୀ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାଏ l ଶ୍ରୀମନ୍ଦିରରେ ଏହି ଚିତାଲାଗି ଅମାବାସ୍ୟା ତେରଶ ଶତାବ୍ଦୀରୁ ପାଳିତ ହୋଇ ଆସୁଛି ବୋଲି ଇତିହାସରୁ ଜଣା ଯାଇଥାଏ l

ଏହି ପର୍ବରେ ଲୋକମାନେ ଘରେ ଚିତଉ ପିଠା ପ୍ରସ୍ତୁତ କରି ଧାନ କ୍ଷେତରେ, ବାଡ଼ିବଗିଚାରେ, ନଈ ପୋଖରୀରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନରେ ଗେଣ୍ଡା ମାନଙ୍କ ପାଇଁ ସମର୍ପଣ କରନ୍ତି l ସାଧାରଣତଃ ପୋଖରୀକୁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଝିଅ ପିଲାମାନେ ପିଠା ନିକ୍ଷେପ କରି ବାପା, ଭାଇ ଓ ବନ୍ଧୁବାନ୍ଧବଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ କହିଥାନ୍ତି :-

“ଗେଣ୍ଡେଇଶୁଣି ଲୋ ଗେଣ୍ଡେଇଶୁଣି ମୋ ଗୋଡ଼ କାଟିବୁନାହିଁ, ମୋ ବାପା ଗୋଡ଼ କାଟିବୁନାହିଁ, ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ “l

ଗେଣ୍ଡାଙ୍କୁ ଗେଣ୍ଡେଇଷୁଣୀ ନାମରେ ମଧ୍ୟ ପୂଜା କରା ଯାଇଥାଏ l ଏଣୁ ଏହି ଅମାବାସ୍ୟାକୁ ଗେଣ୍ଡା କଟା ଅମାବାସ୍ୟା କୁହା ଯାଏ l ଚିତାଲାଗି ଅମାବାସ୍ୟାର ଚିତଉ ପିଠାକୁ ଦେବତା ବୋଲି ଜ୍ଞାନ କରାଯାଏ l ଶାସ୍ତ୍ରରେ ଉଲ୍ଲେଖ ଅଛି :-
“ଚିତ୍ରକ ପିଷ୍ଠକୈ ଦେବଃ”

ଆମର ପୁରାଣ ଶାସ୍ତ୍ର ମାନଙ୍କରେ ମଧ୍ୟ ଚିତାଲାଗି ଅମାବାସ୍ୟାର ଏବଂ ଏହାର ଗୁରୁତ୍ୱ ବିଷୟରେ ଉଲ୍ଲେଖ ଅଛି l ସ୍କନ୍ଧ ପୁରାଣ ଓ ପଦ୍ମ ପୁରାଣରେ ଚିତାଲାଗି ଅମାବାସ୍ୟାର ଉଲ୍ଲେଖ ରହିଛି l ସ୍କନ୍ଧ ପୁରାଣରେ ଉଲ୍ଲେଖ ଅଛି :-
ଯୋଦ୍ଧର୍ଚ୍ଚୟେତ୍ ଶ୍ରୀଧରଂ ଦେବଂ
ଶ୍ରାବଣେ ଭକ୍ତିପୂର୍ବତଃ l
ନ ଗଚ୍ଛେନ୍ନି ରାୟଂ ରାଜ୍ୟଂ
କୃତ୍ୱା ପାପ ଶତାନ୍ୟପି ll
ଶ୍ରାବଣେ ମାସି ଯୋ ଦଦ୍ୟାତ୍
ଲଜାନ୍‌ଘତ ସମନ୍ୱିତାନ୍ l
ହରୟେ ତସ୍ୟ ବିପ୍ରର୍ଷେ ନ ବିପତ୍ତି
ଗୃହେ ଭବେତ୍ ll

ଅର୍ଥାତ ଶ୍ରାବଣ ମାସରେ ଚିତାଲାଗି ଅମାବାସ୍ୟା ଦିନ ଭଗବାନ ଶ୍ରୀଧରଙ୍କ ପୂଜାର୍ଚ୍ଚନା କଲେ ସେହି ବ୍ୟକ୍ତିର ପାପକ୍ଷୟ ହେବାସହ ତା ଗୃହରେ ବିପତ୍ତି ପଡ଼ିନଥାଏ l

ପଦ୍ମ ପୁରାଣରେ ଉଲ୍ଲେଖ ଅଛି :-
ଶ୍ରାବଣେ ପିଷ୍ଟକଂ ଯସ୍ତୁ ହରୟେ ମୁଦ୍‌ଗପୂରିତଂ l ଦଦାତି ତସ୍ୟବିପ୍ରର୍ଷେ ଗୃହେଶ୍ରୀନିଶ୍ଚଳା ଭବେତ୍ l

ଯାତ୍ରା ଭାଗବତରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତା ଲାଗି ବିଷୟରେ ବହୁ କଥାର ଅବତାରଣା କରା ଯାଇଛି ଯଥା :-
“ଶ୍ରାବଣେ କୃଷ୍ଣପକ୍ଷେ ତୁ ଦର୍ଶପ୍ରାପ୍ତେ ଶୁଭଦିନେ
ଲଲାଟଭୂଷଣଂ ଯାତ୍ରାଂ ଜଗନ୍ନାଥସ୍ୟ କରାୟେତ୍”
“ନାନା ରତ୍ନ ସମାଯୁକ୍ତଂ କାତରୂପେଣ ନିର୍ମିତଂ,
ଦଦ୍ୟାତ୍ବିଷ୍ଣୋର୍ଲଲାଟେ ଚ ସର୍ବମଙ୍ଗଳ ହେତବେ”
“ଲଲାଟଭୂଷଣଂ ଯାତ୍ରାଂ ଶ୍ରାବଣେ ଯୋ ନକୁର୍ବନ୍ତି,
ତାବତ୍ବର୍ଷ ପୁଣ୍ୟଫଳଂ ନଶ୍ୟତ୍ୟାଶୁ ନସଂଶୟଃ “l

ଚିତାଲାଗି ଅମାବାସ୍ୟା ଆମ ଓଡ଼ିଶାର ନିଜସ୍ୱ ପର୍ବ l ଏହା ଏକ କୃଷି ଭିତ୍ତିକ ଗଣପର୍ବ l ଓଡ଼ିଆ ଜାତିର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଚିତାଲାଗି ପରମ୍ପରାକୁ କେନ୍ଦ୍ରକରି ଏହା ବିକାଶ ଲାଭ କରି ଥିଲେହେଁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଆମ ସମାଜ ଚଳଣି ଏହି ପର୍ବ ସହ ଯୋଡ଼ି ହୋଇ ରହିଛି l
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights