ଚାତକ ପକ୍ଷୀ : କିଛି ରୋଚକ ତଥ୍ଯ

Share it

ମାତ୍ର ୩୫୦ ଗ୍ରାମ ଓଜନର ଏହି କ୍ଷୁଦ୍ର ପକ୍ଷୀ, ଏକ ନିର୍ଦ୍ଦିଷ୍ଟ ଆକାଶ- ପଥରେ ଆରବ ମହାସାଗର ଉପର ଦେଇ ଦୀର୍ଘ ୬୦୦୦ କିଲୋମିଟର ପଥ ଅତିକ୍ରମ କରନ୍ତି । ଏମାନଙ୍କ ଜୀବନକାଳ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ।

କୋଇଲି ପରିବାରର ଅନ୍ୟତମ ସଦସ୍ୟ, ଚାତକ ପକ୍ଷୀର ସମ୍ପର୍କ ଆମ ସଂସ୍କୃତି ସହିତ ଅତି ନିବିଡ । ଧର୍ଯ୍ୟର ସହିତ କୌଣସି ଇପ୍ସିତ ବସ୍ତୁର ସଠିକ ସମୟକୁ ଅପେକ୍ଷା କରିବାର କ୍ଷମତା ଚାତକ ପକ୍ଷୀର ନାମକରଣକୁ ସାର୍ଥକ କରେ ।

ମହାକବି କାଳିଦାସଙ୍କ ଲିଖିତ କାବ୍ୟ ମେଘଦୂତ ଓ ମହାଭାରତରେ ଏହି ସୁନ୍ଦର ପକ୍ଷୀଟିର ବର୍ଣ୍ଣନା ରହିଛି । ଏହି ପକ୍ଷୀର ବିଶେଷତ୍ୱ ହେଲା, ଏହା ବୃକ୍ଷର ଶୀର୍ଷ ଭାଗରେ ବସି, ବର୍ଷାର ଆଗମନକୁ ଅପେକ୍ଷା କରିଥାଏ । ପ୍ରଥମେ ପଡୁଥିବା ବର୍ଷା ବୁନ୍ଦା ବ୍ୟତୀତ, ଏହା ପାଖରେ ଥିବା ନଦୀ ଓ ପୁଷ୍କରିଣୀର ଜଳ ଉତ୍ସରୁ ନିଜର ତୃଷ୍ଣା ମେଣ୍ଟାଇ ନଥାଏ।

ଇଂରାଜୀରେ ଏହାକୁ Jacobin cuckoo, ସଂସ୍କୃତ, ହିନ୍ଦୀ, ମରାଠୀ ଓ ବଙ୍ଗଳାରେ ଚାତକ, ଗୁଜୁରାତିରେ ପପିହା ଓ ଉତ୍ତରାଖଣ୍ଡରେ ଚୋଲିପକ୍ଷୀ କୁହାଯାଏ ।

ଏମାନେ କେବଳ ଆଫ୍ରିକା, ଏସିଆ, ଅଷ୍ଟ୍ରେଲିଆ, ଓ ଉତ୍ତର ଆମେରିକାରେ ଦୃଶ୍ୟମାନ ହୁଅନ୍ତି । ଶ୍ରୀଲଙ୍କା ଓ ମିଆଁମାର ଅଞ୍ଚଳରେ ଏମାନେ ଅଧିକ ସଂଖ୍ୟାରେ ଦେଖାଯାନ୍ତି । ଏହାର ବୈଜ୍ଞାନିକ ନାମ clamator jacobinus । ୧୭୮୩ ମସିହାରେ ଡ଼ଚ୍ ପ୍ରକୃତି-ବିଜ୍ଞାନୀ ଜାକୋବିନସ୍ ପ୍ରଥମେ ଏହି ସୁନ୍ଦର ପକ୍ଷୀଟିକୁ ଠାବକରି ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ।

କଳା ଓ ଧଳା ସମିଶ୍ରିତ ରଙ୍ଗରେ ଏହି ମଧ୍ୟମ ଧରଣର ପକ୍ଷୀଟି ଦେଖିବାକୁ ଖୁବ ଆକର୍ଷଣୀୟ । ଶରୀରର ନିମ୍ନଭାଗ ଓ ଲାଞ୍ଜର ଶେଷଭାଗ ଧଳା ହୋଇଥାଏ । ପକ୍ଷର ଉଭୟ ପାର୍ଶ୍ୱରେ ଧଳା ପଟ୍ଟି ଥିବାରୁ, ଉଡୁଥିବା ବେଳେ ସହଜରେ ଏହାକୁ ଚିହ୍ନି ହୁଏ ।
ମୁଣ୍ଡରେ ଚୂଳଥିବା, ଏହି ପକ୍ଷୀଟିର ବିଶେଷତ୍ୱ। ପ୍ରଜାତିଭେଦରେ ତିନି ପ୍ରକାରର ଦୃଶ୍ୟମାନ ହେଉଥିବା ଏହି ପକ୍ଷୀ ମୂଳତଃ ଆଫ୍ରିକାର ସ୍ଥାୟୀ ବାସିନ୍ଦା ତେବେ ବର୍ଷାଋତୁ ଆଗମନର ଅବ୍ୟବହିତ ପୂର୍ବରୁ ଏମାନେ ଭାରତ, ମିଆଁମାର ଓ ଶ୍ରୀଲଙ୍କାକୁ ଆସିଥାନ୍ତି ।

ମାତ୍ର ୩୫୦ ଗ୍ରାମ ଓଜନର ଏହି କ୍ଷୁଦ୍ର ପକ୍ଷୀ, ଏକ ନିର୍ଦ୍ଦିଷ୍ଟ ଆକାଶ- ପଥରେ ଆରବ ମହାସାଗର ଉପର ଦେଇ ଦୀର୍ଘ ୬୦୦୦ କିଲୋମିଟର ପଥ ଅତିକ୍ରମ କରନ୍ତି । ଏମାନଙ୍କ ଜୀବନକାଳ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ।

    କେବଳ ବର୍ଷାର ପ୍ରଥମ ଜଳବୁନ୍ଦା ପାନ କରିବାକୁ ଅପେକ୍ଷା କରି ରହୁଥିବାରୁ ଏହି ପକ୍ଷୀର ଏପରି ନାମକରଣ କରାଯାଇଛି । ପକ୍ଷୀ ବିଶେଷଜ୍ଞମାନେ ଏହି ପକ୍ଷୀ ଉପରେ ପରୀକ୍ଷା ନିରୀକ୍ଷା କରି ଏହି ସିଦ୍ଧାନ୍ତକୁ ଗ୍ରହଣ କରିଛନ୍ତି । ପଞ୍ଜୁରୀରେ ରଖି ପାଣି ପିଇବାକୁ ଦେଲେ ଏହା ପିଇ ନଥାଏ । ବର୍ଷାର ଆଗମନକୁ ଅପେକ୍ଷା କରିକରି ଅନେକ ପକ୍ଷୀ ପ୍ରାଣ ହରାଇଥାନ୍ତି । କେତେକ ନିର୍ଦ୍ଦିଷ୍ଟ ପ୍ରଜାତି, ଶିଶିର ବୁନ୍ଦାରୁ ଶୋଷ ମେଣ୍ଟାଇବାର ବିରଳ ଦୃଷ୍ଟାନ୍ତ ରହିଛି । ତେବେ ପାଖରେ ନଦୀ ପୁଷ୍କରିଣୀ ପରି ପର୍ଯ୍ୟାପ୍ତ ଜଳ ଉତ୍ସ ରହିଥିଲେ ବି ଏମାନେ ଜଳ ପାନ କରନ୍ତି ନାହିଁ ।

ଅଭିଶପ୍ତ ଏହି ପକ୍ଷୀଟିର ଏପରି ଅହେତୁକ କାରଣ କିଛି ନିର୍ଦ୍ଦିଷ୍ଟ ଭାବେ ଜଣା ପଡି ନଥିଲେ ବି ପୁରାଣ ଓ ଲୋକକଥାରେ ବିଭିନ୍ନ କାହାଣୀ ଶୁଣିବାକୁ ମିଳେ । ତେବେ ଏହି ତଥ୍ୟକୁ କେତେକ ବିରୋଧ କରନ୍ତି । ସେମାନଙ୍କ ଯୁକ୍ତି ହେଲା “କେବଳ ବର୍ଷାଋତୁ ବ୍ୟତୀତ ଅନ୍ୟ ଋତୁ ମାନଙ୍କରେ ଜଳ ପାନ ନକରି ଜୀବ-ଜଗତ ତିଷ୍ଠିବା ଅସମ୍ଭବ କିନ୍ତୁ ଏହା ଠିକ ନୁହେଁ । ପ୍ରକୃତିର ନିୟମ ଅନୁସାରେ କେତେକ ଜୀବ ସେମାନଙ୍କ ଜୀବନକାଳ ଭିତରେ ଆଦୌ ପାଣି ପିଇ ନଥାନ୍ତି । କେତେକ ସାମୁଦ୍ରିକ ପକ୍ଷୀ କେବଳ ଲବଣାକ୍ତ ଜଳ ପାନ କରନ୍ତି ।‘ହମିଙ୍ଗବାର୍ଡ’ ଏପରି ଏକ ପକ୍ଷୀ ଯିଏ ତା ଜୀବନ କାଳ ମଧ୍ୟରେ ଆଦୌ ପାଣି ପିଇ ନଥାଏ ।*kart

ମୌସୁମୀ ଆଗମନର ଆଗୁଆ ସୂଚନା ମିଳୁଥିବାରୁ ଏହାକୁ ‘ମେଘଦୂତ’ର ମାନ୍ୟତା ଦିଆଯାଏ । ଚାତକପକ୍ଷୀ କେବଳ ବର୍ଷାଦିନେ ଦେଖିବାକୁ ମିଳନ୍ତି । ବର୍ଷାଋତୁ ପରେପରେ ଏମାନେ ସ୍ୱଦେଶକୁ ଫେରିଯାନ୍ତି । ତେବେ କେତେକ ଚାତକ ପକ୍ଷୀ ଦାକ୍ଷିଣାତ୍ୟର ଘଞ୍ଚ ଜଙ୍ଗଲରେ ସ୍ଥାୟୀ ଭାବରେ ବସବାସ କରିବାର ଦେଖାଯାଏ । ଏମାନେ ସବୁବେଳେ ଯୋଡାରେ ରହିବାକୁ ପସନ୍ଦ କରନ୍ତି କିନ୍ତୁ ସନ୍ଧ୍ୟାହେଲେ ଏମାନେ ଅଲଗା ହୋଇ ପୁନର୍ବାର ସକାଳୁ ଏକାଠି ହୁଅନ୍ତି ।

ଏମାନଙ୍କ ରାବ ଶୁଣିବାକୁ ଅତ୍ୟନ୍ତ ଚମତ୍କାର । ‘ପିଉ’ ‘ପିଉ’ ଭାବରେ ଏମାନେ କ୍ରମାଗତ ରାବିଥାନ୍ତି ଏବଂ ମଝିରେ ମଝିରେ ସ୍ୱର ପରିବର୍ତ୍ତନ କରନ୍ତି । ତୋଫା ଜହ୍ନରାତିରେ ଏମାନଙ୍କ ରାବ ଅଧିକ ସମୟ ଧରି, ସ୍ପଷ୍ଟ ଭାବେ ଶୁଣିବାକୁ ମିଳେ । ଉଈ, ସଁବାଳୁଆ, ଝିଣ୍ଟିକା ଓ ପୋକଯୋକ ଏମାନଙ୍କ ପ୍ରିୟ ଖାଦ୍ୟ ତେବେ ବେଳେବେଳେ ବିଭିନ୍ନ କୋଳି ଓ ଫଳ ଆହାର କରିଥାନ୍ତି ।

ପୁରୁଷ ଓ ମାତା ପକ୍ଷୀର ଶାରୀରିକ ଗଠନରେ ବିଶେଷ କିଛି ତାରତମ୍ୟ ନଥାଏ । ପ୍ରଥମ ଓ ଚତୁର୍ଥ ଆଙ୍ଗୁଠି ପଛପଟକୁ ମୋଡି ହୋଇଥାଏ । ଏମାନେ କୋଇଲି ପରି ନିଜସ୍ୱ ନୀଡ ତିଆରି କରନ୍ତି ନାହିଁ । ବାବଲର ଓ ବୁଲବୁଲ ପକ୍ଷୀ ବସାରେ ଚାତକ ଅଣ୍ଡା ଦେଇଥାଏ । ପୂର୍ବରୁ ଅଣ୍ଡା ଦେଇଥିବା ବାବଲର ଓ ବୁଲବୁଲ ପକ୍ଷୀ ବସା ଚାରିପଟେ ଉଡିଉଡ଼ି ପୁରଷ ଚାତକ, ତାକୁ ବ୍ୟସ୍ତ ବିବ୍ରତ କରି ପକାଏ ଓ ଶେଷରେ ତାକୁ ବସା ଛାଡି ଚାଲି ଯିବାକୁ ବାଧ୍ୟ କରେ ।

ଏହି ସୁବର୍ଣ୍ଣ ସୁଯୋଗକୁ ମାତା ଚାତକ ଅପେକ୍ଷା କରିଥାଏ ଓ ତରବରିଆ ଭାବେ ଗୋଟିଏ ଅଣ୍ଡାଦିଏ । ଏହି ପ୍ରକ୍ରିୟା ପ୍ରତ୍ୟୁଷରୁ ସମାପନ ହୁଏ । ଏହାର ଈଷତ ନୀଳରଙ୍ଗର ଅଣ୍ଡା ସାମାନ୍ୟ ବଡ ହେଲେବି ଏହା ଅନ୍ୟପକ୍ଷୀର ଅଣ୍ଡାର ରଙ୍ଗ ସହିତ ମିଶି ଯାଇଥାଏ । ଉତ୍ତରଭାରତରେ ଚାତକ ପକ୍ଷୀର ଅଣ୍ଡା ଦାନ ସମୟ ଅଗଷ୍ଟ -ସେପ୍ଟେମ୍ବର ହୋଇଥିଲା ବେଳେ ଦକ୍ଷିଣରେ ଏହା ବିଳମ୍ବିତ ହୋଇଥାଏ *kart

ମାତା ଚାତକ ଅଣ୍ଡା ଦେଇ ସାରିବା ପରେ ଖୁବ ଚତୁରତାର ସହିତ ପୂର୍ବ ଅଣ୍ଡାରୁ ଗୋଟିଏ ତଳକୁ ଫିଙ୍ଗି ଦିଏ । ଅଣ୍ଡାର ସଂଖ୍ୟା ଅପରିବର୍ତ୍ତିତ ରଖି ଓ ପାଳିତ ପକ୍ଷୀର ସନ୍ଦେହ ନହେବା ପାଇଁ ସେ ଏପରି କରିଥାଏ । ଚାତକ ଅଣ୍ଡାକୁ ନିଜର ଭାବି, ବାବଲର ପକ୍ଷୀ ଜତ୍ନ ନିଏ । ପ୍ରଥମେ ଚାତକ ଅଣ୍ଡାରୁ ଶାବକ ଜନ୍ମ ହୁଏ । ସହଜାତ ପ୍ରବୃତ୍ତି ଅନୁଯାୟୀ ଚାତକ ଶାବକ ମୂଳରୁ ହିଂସ୍ର ହୋଇଥାଏ । ସେ ଅନ୍ୟ ଅଣ୍ଡା କିମ୍ବା ଜନ୍ମିଥିବା ଶାବକଙ୍କୁ ଗୋଡ ସାହାଯ୍ୟରେ ଠେଲି ଠେଲି ତଳେ ପକାଇ ଦିଏ ।

ମାତ୍ର ଦୁଇଦିନ ଭିତରେ ଶାବକର ରଙ୍ଗ ଗୋଲାପିରୁ ଖଇରିଆ ଓ ଶେଷରେ କଳାରଙ୍ଗକୁ ପରିବର୍ତ୍ତନ ହୋଇଥାଏ । ଚାତକ- ଶାବକ ପାଳିତ ମା ଠାରୁ ଖାଦ୍ୟ ଗ୍ରହଣ କରି ଖୁବ ଶୀଘ୍ର ବଡ଼ ହୁଏ । ଏପରିକି ଆକାରରେ ମା ଠାରୁ ବଡ଼ ହେବା ପର୍ଯ୍ୟନ୍ତ ନିଜର ଛୁଆ ଭାବି ପାଳିତା ମା ତାକୁ ଅହରହ ଖୁଆଉଥାଏ ।

ଦକ୍ଷିଣ ଆଫ୍ରିକାରୁ ଚାତକ ଏପ୍ରିଲ ଓ ମେ ମାସରେ ଭାରତ ଆସିଥାନ୍ତି ଓ ସେପ୍ଟେମ୍ବର ମାସରେ ପ୍ରତ୍ୟାବର୍ତ୍ତନ କରନ୍ତି । ଏହି ସମୟ ଭିତରେ ସେମାନଙ୍କ ମିଳନ, ଅଣ୍ଡା ଦାନ ପ୍ରକିୟା ସମାପନ ହୁଏ। ଏପରିକି ଶାବକମାନେ ଖୁବ ଶୀଘ୍ର ବଡ଼ ହୋଇ ଉଡାଣକ୍ଷମ ହୁଅନ୍ତି ।

ଆମ ସଂସ୍କୃତିରେ ଚାତକକୁ ଦେଖିବା ଅତ୍ୟନ୍ତ ଶୁଭ ମନାଯାଏ । ଏମାନଙ୍କୁ ବର୍ଷାର ଆବାହକ ହୋଇଥିବାରୁ ଏମାନଙ୍କୁ ଗ୍ରୀଷ୍ମ ଋତୁରେ ଦେଖିଲେ ବର୍ଷାର ସମ୍ଭାବ୍ୟ ସୂଚନା ମିଳିଥାଏ ବୋଲି କୁହାଯାଏ । ପୁରାଣ ତଥ୍ୟ ଅନୁଯାୟୀ ଏମାନେ ତୁଷାର୍ତ୍ତ ରହି ଅହରହ ବର୍ଷା ପାଇଁ ପ୍ରାର୍ଥନା କରନ୍ତି ଓ ଇନ୍ଦ୍ର ଦେବତା ଏମାନଙ୍କ ଡାକ ଶୁଣନ୍ତି । *kart

ଉତ୍ତରାଖଣ୍ଡର ଗଡୱ।ଲ ଅଞ୍ଚଳରେ ଚାତକ ପକ୍ଷୀକୁ ନେଇ ଏକ ସୁନ୍ଦର ଲୋକ କଥା ପ୍ରଚଳିତ ଅଛି । ଏକ ଗ୍ରାମରେ ଜନୈକା ବୃଦ୍ଧାଙ୍କର ‘ଚୋଲି’ ନାମ୍ନୀ ଏକ କନ୍ୟା ଥିଲା । ଗ୍ରୀଷ୍ମଋତୁର ଏକ ମଧ୍ୟାହ୍ନରେ ନିଜର ତୁଷାର୍ତ୍ତ ବଳଦକୁ ନିକଟବର୍ତ୍ତୀ ନଦୀକୁ ନେଇ ପାଣି ପିଆଇବାକୁ ବୃଦ୍ଧା ଝିଅକୁ ନିର୍ଦ୍ଦେଶ ଦେଲେ । ପ୍ରଥମେ ରୌଦ୍ରତାପକୁ ଡ଼ରି ଝିଅ ମା କଥା ମାନିବାକୁ ଅମଙ୍ଗ ହେଲା କିନ୍ତୁ ବଳଦକୁ ପାଣି ପିଆଇ ଆଣିଲେ, ଝିଅକୁ ସ୍ୱାଦ୍ଦିଷ୍ଟ ହାଲୁଆ ଖାଇବାକୁ ଦେବେ ବୋଲି ମା କହିବାରୁ ଝିଅ ରାଜି ହୋଇଗଲା ।

ଝିଅଟି ବଳଦକୁ ନେଇ ପାଣି ପିଆଇବା ପାଇଁ ନଦୀ ନିକଟକୁ ଚାଲିଲା । ଅଧାବାଟରେ ପଥଶ୍ରମ ଜନିତ କ୍ଳାନ୍ତି ଯୋଗୁଁ ସେ ହଠାତ ତାର ନିଷ୍ପତ୍ତି ବଦଳାଇଲା । ସେ ଭାବିଲା ” ଇଏତ ବଳଦ, କଥାକହି ପାରିବ ନାହିଁ । ସୁତରାଂ ଏହିଠାରୁ ଏହାକୁ ଘରକୁ ଫେରାଇ ନେଇ ମାକୁ ମିଛ କହିବି ଯେ ବଳଦକୁ ନଦୀରେ ପାଣି ପିଆଇ ଆଣିଛି”।

ଶେଷରେ ଝିଅ ତାହାହିଁ କଲା । ଶୋଷରେ ଆଉଟପାଉଟ ହେଉଥିବା ବଳଦକୁ ଖୁଣ୍ଟରେ ବାନ୍ଧି, ମାକୁ ମିଛ କହିଲା । ବଳଦ ଆଗରେ ବସି ହାଲୁଆ ଖାଇଲା । ଶୋଷରେ ଛଟପଟ ହୋଇ ବଳଦ ମରିଗଲା ।

ମଲାପୂର୍ବରୁ ଅଭିଶାପ ଦେଲା -“ତୁ ମୋତେ ଯେପରି ପାଣି ନପିଆଇ ଫେରାଇ ଆଣିଲୁ, ଆର ଜନ୍ମରେ ତୁ ବି ସେମିତି ପାଣି ପାଇଁ ଛଟପଟ ହେବୁ । ପରବର୍ତ୍ତୀ ଜନ୍ମରେ ତୁ ପକ୍ଷୀ ରୂପରେ ଜନ୍ମ ନେବୁ ଓ ଶୋଷ ଲାଗିଲେ, ନଦୀ ପୁଷ୍କରିଣୀର ଜଳ ପାନ କରିପାରିବୁ ନାହିଁ । ସେ ସବୁ ଜଳ ତୋତେ ରକ୍ତ ସଦୃଶ୍ୟ ପ୍ରତୀୟମାନ ହେବ । କେବଳ ବର୍ଷା ବୁନ୍ଦା ଉପରେ ନିର୍ଭର କରି ବଞ୍ଚିବୁ ଓ ସେଥିପାଇଁ ଇନ୍ଦ୍ର ଦେବତାକୁ ଅହରହ ପ୍ରାର୍ଥନା କରି ତୋ ପାପର ପ୍ରାୟଶ୍ଚିତ କରିବୁ “।

ସେଦିନଠାରୁ ‘ଚୋଲି’ ପକ୍ଷୀ ରୂପରେ ଚାତକର ସୃଷ୍ଟି ହେଲା ।

ଆମ ମହାନ ସନାତନ ଧର୍ମ ଓ ସଂସ୍କୃତି ସହିତ ଆଉ କେତେକ ପକ୍ଷୀଙ୍କୁ ଯୋଡି ଦିଆ ଯାଇଛି । ସହଜାତ ଗୁଣ ଓ ସେମାନଙ୍କ ଚାରିତ୍ରିକ ବୈଶିଷ୍ଟ୍ୟ ଆଧାରରେ ବିଭିନ୍ନ ଧର୍ମଗ୍ରନ୍ଥରେ ସେମାନଙ୍କ ବର୍ଣ୍ଣନା ରହିଛି । ଚାତକ ବ୍ୟତୀତ ଅନ୍ୟ ପକ୍ଷୀଗୁଡିକ ହେଲେ ହଂସ, ମୟୂର, ସାରସ, ଗରୁଡ଼, ଚକୋର, ବଗ, ଶାଗୁଣା, ପେଚା, କପୋତ, କୁଆ ଓ ଘରଚଟିଆ ।

କାର୍ତ୍ତିକ ଚନ୍ଦ୍ର ପଣ୍ଡା
, ଭୁବନେଶ୍ୱର
ତା ୦୫-୧୨-୨୦୨୩


Share it

Leave a comment

Your email address will not be published. Required fields are marked *

Verified by MonsterInsights