ଚକୁଳିଆ ପଣ୍ଡା ଓ ବୁଢ଼ୀ ଅସୁରୁଣୀ
ବୁଢ଼ୀ ଗାଧୋଇଗଲା ବେଳେ ଝିଅ ଅଖା ଖୋଲିଲା । ତା ଭିତରେ କନ୍ଦର୍ପ ପରି ଏକ ଟୋକାକୁ ଦେଖି ଝିଅ ଲାଜେଇଗଲା । ମନ ଭିତର କଣ ନାଇଁ କଣ ହେଇଗଲା ଏତେ ଯୁଗ ପରେ ମଣିଷ ପିଲାକୁ ଦେଖି । ତା ଦିହରେ ବିଜୁଳି ଚାଲିଗଲା ସାଇଁକରି ।
ସେ ତ ଅସୁରୁଣୀ ସାଙ୍ଗେ ରହି ଢେର ରକମର କୁହୁକ ବିଦ୍ୟା ଜାଣିଥିଲା । ସେ ଟୋକା ଉପରକୁ ମନ୍ତ୍ର ଫୁଙ୍କି ତାକୁ ଗୋଟେ ମାଛି କରି ଦେଲା । ତାକୁ ନେଇ ନିଜ ଶୋଇବା ଘର କାନ୍ଥରେ ବସେଇଦେଲା ଅତି ଯତନରେ ।
ଝିଅ ତା ଶୋଇବା ଘରକୁ ଆସି ଚକୁଳିଆପୁଅକୁ ପୁଣି ମଣିଷ କରିଦେଲା । ପଲଙ୍କରେ ବସି ଦୁହେଁ ଖୁସିଗପରେ ମାତିଗଲେ । ଝିଅ ତା କାହାଣୀ କହିଲା । ସେ ଗୋଟିଏ ରଜାଝିଅ । ଏଇ ଅସୁରୁଣୀ ଯାଇ ରଜା, ରାଣୀ, ରାଜ କୁମାର, ପାତ୍ର, ମନ୍ତ୍ରୀ, କଟୁଆଳ ସଭିଙ୍କୁ ଗିଳିଦେଲା । ମୁଁ କୁନି ଝିଅଟିଏ ବୋଲି ମୋତେ ନଖାଇ ଆଣି ଝିଅ ପରି ପାଳିଲା । ସେଦିନୁ ମୁଁ ବୁଢ଼ୀ ଅସୁରୁଣୀ ଘରେ ଅଛି । ମୁକ୍ତିର ଦିନ ଗଣୁଛି ।
ରୋଜ୍ ରୋଜ୍ ବୁଢ଼ୀ ବାହାରକୁ ଶିକାରପାଇଁ ଗଲେ କିମ୍ବା ଶୋଇ ପଡ଼ିଲେ ଏ ଦିଜଣ ଗପସପ କରନ୍ତି । ଅଲଗା ସମୟରେ ଚକୁଳିଆ ଟୋକା ମାଛିଟିଏ ହେଇ ଭୁଲୁକ୍ ଭୁଲୁକ୍ ସବୁ ଦେଖୁଥାଏ । କେବେ କେମିତି ବୁଢ଼ୀ ପଚାରେ
– ଇଲୋ ନାତୁଣୀ, ମଣିଷ ମଣିଷ କିସ ବାସୁଛି ବା ?
ନାତୁଣୀ ହସି ହସି ଗଡ଼ି ଯାଇ କୁହେ …..
ଗୋଟିଏ ଗାଁରେ ଚକୁଳିଆ ପଣ୍ଡା ଜଣେ ରହୁଥିଲା। ଘର ଘର ବୁଲି ଗୀତ ଗାଇ ଗାଇ ଦାନ ଦକ୍ଷିଣାରେ ଚଳୁଥିଲା। ତାର ପୁଅଟିଏ ଥିଲା । ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା । ଗାଁ ଲୋକମାନେ ବାପପୁଅ ଦିହିଁଙ୍କୁ ଭାରି ସୁଖ ପାଉଥିଲେ । ପିଠାପଣା , ଭଲମନ୍ଦ ଦରବ ହେଲେ ନା ତାଙ୍କ ପାଇଁ ସାଇତି ରଖୁଥିଲେ ।
ଚକୁଳିଆ ପଣ୍ଡାର ବେଳ ହେଇଗଲା । ପୁଅକୁ ପାଖରେ ବସାଇ ଢେର୍ ଭାଗବତ ବାଣୀ ଶୁଣେଇଲା । ଜନ୍ମ ମୃତ୍ୟୁ ବିଷୟରେ ଜ୍ଞାନ ଦେଲା ।
ମର୍ତ୍ତ୍ୟମଣ୍ଡଳେ ଦେହ ବହି
ଦେବତା ହେଲେ ହେଁ ମରଇ ।
ବୁଢ଼ାର ମାଣ ପୁରିଲା । ଦୀପରୁ ତେଲ ସରିଲା । ଚକୁଳିଆପଣ୍ଡା ପୁଅକୁ ଏକା କରିଦେଇ ମର ସଂସାର ତେଜିଲା ।
ପୁଅ କାନ୍ଦି ବୋବେଇ ଉଚ୍ଛନ୍ନ ହେଲା । ଗାଁ ଲୋକେ ବୁଝେଇଲେ । ଆମେ ଥାଉଁ ଥାଉଁ ତୋର କି ଚିନ୍ତା ବୋଲି କହି ଆଶ୍ଵାସନା ଦେଲେ । ଶେଷକୁ ପଣ୍ଡାପୁଅ ତୁନି ହେଲା । ମୁଣ୍ଡକାନ ଆଉଁସି ରହିଲା ।
ଦିନେ ପେଡି଼ ପେଟରା ଅଣ୍ଡାଳୁ ଅଣ୍ଡାଳୁ ଗୋଟେ ବଇଁଶୀ ପାଇଲା । କେଉଁ କାଳରେ ଜାଗର ଯାତରେ ତା ବାପ କିଣି ଦେଇଥିଲା । ଟୋକା ବହେ ଖୁସି ହେଇଗଲା । ବକଟେ ବୋଲି ପେଟ । ସେ ସବୁଦିନ ଗାଁ ବୁଲି ନଯାଇ , ବଣରେ ବସି ବଇଁଶୀ ବଜେଇଲା । ଆସ୍ତେ ଆସ୍ତେ ତା ବଇଁଶୀରୁ ଏମିତି ମଧୁର ରାଗ ରାଗିଣୀ ବାହାରିଲା ଯେ ବାଘ ମିରିଗ ସାଙ୍ଗରେ ଠିଆ ହେଇ ତନ୍ମୟ ହେଇ ଶୁଣିବାକୁ ଲାଗିଲେ ।
ଦିନକର କଥା । ସାଧବଘରେ ମଣ୍ଡାପିଠା ତିଆରି ହେଉଥାଏ । ଚକୁଳିଆପୁଅ ଆସି ଦାଣ୍ଡରେ ଠିଆ । ସାଧବାଣୀ ଛରଫର ହେଇ ଦିଗଣ୍ଡା ପିଠା ତାକୁ ଦେବାକୁ ଆସିଲା । ଟୋକା କହିଲା ,
– ସାଧବାଣିଏ , ମୋ ପେଇଁ ଅବିକା ଗୋଟେ ଶଗଡ଼ ଚକ ପରି ମଣ୍ଡା ଗଢ଼ି ଦିଅନ୍ତ କି , ମୁଁ ଦିନଭରି ତାକୁ ଟିକେ ଟିକେ କରି ଖାଆନ୍ତି ।
ସାଧବାଣୀ ଭାରି ଶରଧାରେ ତା ପାଇଁ ପିଠାଟିଏ ଗଢ଼ିଦେଲେ । ଟୋକା ମହା ଖୁସ୍ ହେଇ ଚାଲିଲା ବଣକୁ । ଗୋଟାଏ ଝଙ୍କାଳିଆ ତେନ୍ତୁଳି ମୂଳେ ବସି ପଇଲା । ସୁଲୁ ସୁଲୁ ବାଆ , ବଇଁଶୀ ମୂର୍ଚ୍ଛନା ଆଉ ମଣ୍ଡାପିଠାର ପାଟି ଲାଳେଇବା ବାସ୍ନା , ଆଃ !!
ସେ ତେନ୍ତୁଳି ଡାଳଟା କାହିଁ କେଉଁକାଳୁ ବୁଢ଼ୀ ଅସୁରୁଣୀର ବିଶ୍ରାମ ଥାନ । ଡାଳ ଉପରେ ଗହଳ ପତ୍ର ଆଢୁଆଳରେ ସେ ଗଭୀର ନିଦ୍ରାରେ ଥିଲା । ଟୋକା ଯେମିତି ବଂଶୀ ବଜେଇଛି, ଅସୁରୁଣୀର ନିଦ ଚାଉଁକିନା ଭାଙ୍ଗିଗଲା ।
ହଇରେ ଛତରଖିଆ, ବଡ଼ରୋଗିଆ, ତୋତେ ଜାଗା ମିଳାଲାନି କିରେ ? ଆସି ମୋ ନିଦ ଭାଙ୍ଗୁଛୁ କୋଉ ସାହାସରେ ?
ଚକୁଳିଆ ପୁଅ ଏମିତି କିଳିକିଳା ରଡି଼ ଶୁଣି ଡରିହରି ଥରଥର । ବଇଁଶୀରୁ ଆଉ ରାଗ ରାଗିଣୀ ଭାଆରିଲା ନାଇଁ । ଖାଲି ଫୁଉଉ , ଫୁଉଉଉଉ ।
ଟୋକାଟା ଯା ହେଲେ ବାହ୍ମୁଣ ଛୁଆ । କୋଟି କନ୍ଦର୍ପ ଜିଣା ରୂପକାନ୍ତି । ଲହୁଣୀ ପରି ରଙ୍ଗ । ତାକୁ ଯେମିତି ଅସୁରୁଣୀ ଦେଖିଛି ତା ପାଟିରୁ ଲାଳ ବୋହିଲା । ଏ ଟୋକା ଦେଖିବାକୁ ଏଡ଼େ ସୁନ୍ଦର ଇଆ ମାଉଁସ କେଡ଼େ ସୁଆଦ ହେଇ ନଥେବ ।
ଏକୁ କାଇଦା କରି ନେଲେ ବୋଇଲେ ଛାତି ଓରମାନ ମେଣ୍ଟିବ , ପାଟିର ଅରୁଚି ଛାଡ଼ିବ । କାହିଁ କୋଉ ଯୁଗରୁ ମଣିଷ ମାଉଁସ ଟିକେ ପାଟିରେ ବାଜି ନାଇଁ । କୁକୁର , ବିଲୁଆ ଖାଇ ଖାଇ ଜୀଭ ଚିକିଟା ହେଲାଣି ।
ଦେଖୁ ଦେଖୁ ଅସୁରୁଣୀ ଏକ ଅଣ୍ଟା ନଇଁ ଯାଇଥିବା କୋତରୀ ବୁଢ଼ୀ ଭେଷ ଧରି ଆଇଲା ତା ପାଖକୁ ।
ଥରଥର ହେଇ କହିଲା ,
– କିଅଣ ଖାଉଛୁ କିରେ ପୁଅ ? ମୋତେ ଦିଟା ଦିଅନ୍ତୁ ବୋଇଲେ ବଡ଼ ଧରମ ହୁଅନ୍ତା । ଚାରିଦିନ ହେଲା ଉପାସ ।
ଟୋକାର ମନ ତରଳି ଗଲା ,
– ହଇଗୋ ଆଈ , ମଣ୍ଡା ପିଠା ଖାଉଥିଲି ଏକା । ଦେଖା ତୋ ଅଣ୍ଟି ।
– ନାଇଁରେ ପୁଅ, ପିଠା ତ ଅଣ୍ଟି ଅଣ୍ଟି ବାସିବ ରେ ।
– ତା ହେଲେ , ହେଇ ସେ ଶାଳ ପତରଟା ଆଣେ ।
– ନାଇଁରେ ପୁଅ , ହେଟା ତ ପତର ପତର ବାସିବ ରେ ।
– ତାହେଲେ କେମିତି ନବୁ କିଲୋ ?
– ଆରେ ମୋ ହାତରେ ଦିଖଣ୍ଡ ଧରେଇ ଦେ ତ ବାପା ।
– ହଉ ନେ ,
ଟୋକା ଯେମିତି ତା ହାତ ବଢ଼ାଇଛି , ଅସୁରୁଣୀ ଖପ୍ କିନା ଧରି ପକେଇଲା ତା ହାତକୁ । ତାକୁ ଗୋଟେ ଅଖାରେ ପୁରେଇ ଧାଇଁଲା ସିଧା ତା ଘରକୁ ।
ବାଟରେ ବୁଢ଼ୀକୁ ପୋଖରୀପାଣି ନାଗିଲା । ସେ ଗୋଟାଏ ବନ୍ଧ କରରେ ଅଖାକୁ ଥୋଇ ଦେଇ ଲଣ୍ଡଭଣ୍ଡ ହେଇ ଧାଇଁଲା ପୋଖରୀପାଣି । ଅଖା ମୁହଁ ବାନ୍ଧିବାକୁ ହେତୁ ନାଇଁ ।
ଟୋକା ଓର ଉଣ୍ଡି ଚଟାପଟ୍ ଅଖାରୁ ବାହାରି , ତା ଭିତରେ କାଦୁଅ , ପଥର କଣ୍ଟାଝଣ୍ଟା ପୁରେଇ ମାରିଲା ଚମ୍ପଟ୍ ।
ବୁଢ଼ୀ ଅସୁରୁଣୀ ଆସି ତାକୁ ପିଠିରେ ନଦି ଚାଲିଲା ମଣିଷ ମାଉଁସ ଖାଇବାର ସପନକୁ ଗୁଣି ଗୁଣି ।
ବାଟରେ ତା ପିଠିରେ ପଥର ଢୋ ଢା ବାଜିଲା ।
– ରହ ରହ ଟୋକା ମୋତେ ବିଧା ମାରୁଛୁ । ଚାଲେ ଘରୁକୁ ଏକା ।
ପୁଣି କଣ୍ଟା ଫୋଡି଼ ହେଇଗଲା ତା ପିଠିରେ ,
– ରହ ରହ ଟୋକା , ମୋତେ ଚିମୁଟୁଛୁ । ଚାଲ୍ ଚାଲ୍
ପୁଣି କାଦୁଅ ଥପ୍ କିନା ବାଜେ ଆଉ ଓଦା ଓଦା ଭି ଲାଗେ ।
– ରହ ରହ ଟୋକା , ମୋ ପିଠିରେ ହଗାମୁତା କରୁଛୁ ।
ଘରେ ପହଞ୍ଚି ତରଛରରେ ତା ନାତୁଣୀକୁ ଡାକ ପକେଇଲା ।
– ନାତୁଣୀ ଲୋ , ଦେଏଖ୍ ଲୋ ମୁଁ ଗୋଟିଏ ବଢ଼ିଆ ଜିନିଷ ଆଣିଛି । ତାକୁ କାଟିକୁଟିକି ଜତନରେ ରାଆନ୍ଧ କି ମୁଁ ଗାଧୋଇ ପଡ଼ି ଆସେ ।
ଅସୁରୁଣୀ ଗଲା ଗାଧେଇ । ନାତୁଣୀ ଅଖା ଖୋଲି ଦେଖେ ତ ଗନ୍ଧରେ ନାକ ଫାଟିଯାଏ ।
ଅସୁରୁଣୀ ବୁଢ଼ୀ ଆଇଲାରୁ ବଡ଼ ଖପାଟାଏ ହେଇ ଗାଳିଦିଏ ,
– ଇଲୋ ତୋତେ ଆଉ କିଛି ମିଳିଲାନି ଯେ ଏଇ ଗୋବର ଗୁହ ମୁଣ୍ଡେଇ କି ଆଣିଛୁ । ଏକୁ କେମିତି ରାନ୍ଧି ଥାଆନ୍ତି କିଲୋ ?
ଓହୋ , ଟୋକାଟା ତାହେଲେ ଧପ୍ପା ଦେଇ ପଳେଇଚି । ହେଉ ହେଉ , ଟୋକା କାଲି କୁଆଡ଼େ ଯିବ ।
ତା ପରଦିନ ପୁଣି ଟୋକା ବଂଶୀ ବଜେଇ ମଣ୍ଡା ଖାଇବାରେ ମଶଗୁଲ ଥାଏ । ଅସୁରୁଣୀ ତାକୁ ଦେଖି ବଡ୍ଡ ଖୁସିଟାଏ ହେଇଗଲା ।
ଆଜି କୁଆଡ଼େ ଯିବୁରେ ପୁଅ ? ଏଥର ଧରା ପଡ଼ିବ ଗୁଣମଣି ।
ସିଏ ପୁଣି ତା ସାମନାକୁ ଆସି ପିଠା ମାଗିଲା ।
– ଦେ ଦେ ରେ ପୁଅ , ପିଠା ଦିଖଣ୍ଡ । ଭୋକରେ ମୋ ହଂସା ଉଡୁଛି ।
– ଯା ଯା ଲୋ ବୁଢ଼ୀ । କାଲି ମୋତେ ଅଖାରେ ପୁରେଇ ଯୋଉ ନାମ ଦେଇଛୁ … ଆଉ ତୋତେ ପିଠା ଦେବି ନା ? ଯା ଭାଗ୍ ଏଠୁ ।
– ରାମ୍ ରାମ୍ ପୁଅ । ମୁଁ ତୋତେ କେବେ ଅଖାରେ ପୁରେଇଲି । ମୁଁ ତ ତୋତେ ଆଜି ପହିଲା ଦେଖୁଛି । ଓହୋ , ବୁଝିଲି ଏକା । ଆରେ ସେ ତ ମୋର ଜାଆଁଳା ଭଉଣୀ ଥିଲା ବୋଧେ । ଭାରି ବଦମାସ । ଦେ ବାପ ଦେ । ମୋ ପେଟ ଜଳି ପୋଡ଼ି ଗଲାଣି । ନଖାଇଲେ ଏଇଲେ ପ୍ରାଣ ଛାଡ଼ିଯିବ ।
ଚକୁଳିଆ ପୁଅକୁ ଭାରି ଦୟା ଲାଗିଲା । ତାର ଭେଳିକି କଥାରେ ଭୁଲିଗଲା ସବୁ । ସେ ପୁଣି ପିଠା ଦେବାକୁ ହାତ ବଢେଇଲା । ଅସୁରୁଣୀ ତାକୁ ମାଡ଼ି ବସିଲା । ଅଖାରେ ପୁରେଇ ତା ମୁହଁକୁ ଭଲକି ବାନ୍ଧି ଦେଲା । ଆଉ ଅତର୍ଛା ଦଉଡ଼ିଲା ତା ଘର ଆଡ଼େ । ପୋଖରୀପାଣି ଯିବାକୁ ଭୀଷଣ ତଲବ ହେଲା । ତଥାପି ପେଟକୁ ଗୋଟିଏ ହାତରେ ଚାପିଧରି ଚାଲିଲା । ଘରେ ପହଞ୍ଚିଲା ପରେ ଯାଇଁ ଦମ୍ ନେଲା ।
– ନେ ଲୋ ନାତୁଣୀ , ନେ ଲୋ । ଝଅଟ ରାନ୍ଧିପକା ମୋ ମାଆ । ତୋତେ ପାଇଲା ଦିନଠୁଁ ମଣିଷ ମାଉଁସଟିକେ ପାଟିରେ ବାଜିନି । ଅନେକ ଦିନ ପରେ ମଣିଷ ଶିକାର ମିଳିଛି । ଆଜି ମନଭରି ମଣିଷ ମାଉଁସ ଖାଇବା ।
ବୁଢ଼ୀ ଗାଧୋଇଗଲା ବେଳେ ଝିଅ ଅଖା ଖୋଲିଲା । ତା ଭିତରେ କନ୍ଦର୍ପ ପରି ଏକ ଟୋକାକୁ ଦେଖି ଝିଅ ଲାଜେଇଗଲା । ମନ ଭିତର କଣ ନାଇଁ କଣ ହେଇଗଲା ଏତେ ଯୁଗ ପରେ ମଣିଷ ପିଲାକୁ ଦେଖି । ତା ଦିହରେ ବିଜୁଳି ଚାଲିଗଲା ସାଇଁକରି ।
ସେ ତ ଅସୁରୁଣୀ ସାଙ୍ଗେ ରହି ଢେର ରକମର କୁହୁକ ବିଦ୍ୟା ଜାଣିଥିଲା । ସେ ଟୋକା ଉପରକୁ ମନ୍ତ୍ର ଫୁଙ୍କି ତାକୁ ଗୋଟେ ମାଛି କରି ଦେଲା ।ତାକୁ ନେଇ ନିଜ ଶୋଇବା ଘର କାନ୍ଥରେ ବସେଇଦେଲା ଅତି ଜତନରେ ।
ଏଣେ ଗୋଟିଏ କୁକୁର ମାରି ତା ମାଉଁସ ରାନ୍ଧି ବୁଢ଼ୀକୁ ଖାଇବାକୁ ଦେଲା । ବୁଢ଼ୀ ଅସୁରୁଣୀ ବଡ଼ ହେଉଡି଼ଟାଏ ମାରି ଶୋଇ ପଡ଼ି ଘୁଙ୍ଗୁଡ଼ି ମାଇଲା ।
ଝିଅ ତା ଶୋଇବା ଘରକୁ ଆସି ଚକୁଳିଆପୁଅକୁ ପୁଣି ମଣିଷ କରିଦେଲା । ପଲଙ୍କରେ ବସି ଦୁହେଁ ଖୁସିଗପରେ ମାତିଗଲେ । ଝିଅ ତା କାହାଣୀ କହିଲା । ସେ ଗୋଟିଏ ରଜାଝିଅ । ଏଇ ଅସୁରୁଣୀ ଯାଇ ରଜା , ରାଣୀ , ରାଜ କୁମାର , ପାତ୍ର , ମନ୍ତ୍ରୀ , କଟୁଆଳ ସଭିଙ୍କୁ ଗିଳିଦେଲା । ମୁଁ କୁନି ଝିଅଟିଏ ବୋଲି ମୋତେ ନଖାଇ ଆଣି ଝିଅ ପରି ପାଳିଲା । ସେଦିନୁ ମୁଁ ବୁଢ଼ୀ ଅସୁରୁଣୀ ଘରେ ଅଛି । ମୁକ୍ତିର ଦିନ ଗଣୁଛି ।
ରୋଜ୍ ରୋଜ୍ ବୁଢ଼ୀ ବାହାରକୁ ଶିକାରପାଇଁ ଗଲେ କିମ୍ବା ଶୋଇ ପଡ଼ିଲେ ଏ ଦିଜଣ ଗପସପ କରନ୍ତି । ଅଲଗା ସମୟରେ ଚକୁଳିଆ ଟୋକା ମାଛିଟିଏ ହେଇ ଭୁଲୁକ୍ ଭୁଲୁକ୍ ସବୁ ଦେଖୁଥାଏ । କେବେ କେମିତି ବୁଢ଼ୀ ପଚାରେ ,
– ଇଲୋ ନାତୁଣୀ, ମଣିଷ ମଣିଷ କିସ ବାସୁଛି ବା ?
ନାତୁଣୀ ହସି ହସି ଗଡ଼ି ଯାଇ କୁହେ ,
– ଆଈ ଲୋ , ଯୋଉଦିନୁ ମଣିଷ ମାଉଁସ ଖଇଛୁ ତୋ ମୁଣ୍ଡ ବିଗିଡ଼ି ଯାଇଛି । ଏଠି ଆଉ ମଣିଷ କୁଆଡୁ ଆସିବ ? ମୁଇଁ ତୋତେ ମଣିଷ ବାସୁଥିବି । ମୋତେ ଖାଇବୁ ?
ଅସୁରୁଣୀ ଏଡେ ଜୀଭ କାମୁଡ଼ି ପକାଏ ।
– ଛିଆ , ଛିଆ , କି କଥା ଇଏ ?
ଏଣେ ରଜାଝିଅ ଆଉ ଟୋକା ଏମିତି ନିଇତ୍ କଥାବାର୍ତ୍ତା ହେଉଁ ହେଉଁ ପରସ୍ପର ପ୍ରତି ଗୋଟେ ମାୟା ଜାଗେ । ଦୁହେଁ ଗୋଟିଏ ପୂର୍ଣ୍ଣିମା ରାତିରେ ଠାକୁରଙ୍କୁ ସାକ୍ଷୀ ରଖି ଗନ୍ଧର୍ବ ବିବାହ କରନ୍ତି । ଗୁପ୍ତ ଅଭିସାରରେ ମାତନ୍ତି ।
ସବୁଦିନେ ମାଛି ହେଇ ହେଇ ଟୋକାକୁ ଦିକ୍ ଦାର୍ ଲାଗେ ।ରଜାଝିଅକୁ କୁହେ
– ଚାଲ୍ ପଳେଇବା ଏଠୁ ।
ରଜାଝିଅ ଭୟରେ କାତର ହେଇ କୁହେ ,
– ନାଇଁ ନାଇଁ , ବୁଢ଼ୀ ମୋ ଦିହରେ କୁହୁକ ସୂତା ବାନ୍ଧିଛି । ମୁଁ ବାହାରକୁ ଗଲେ ଜାଣି ପାରିବ । ସେ ମଲେ ଯାଇଁ ତା କୁହୁକ ସରିବ ।
ଟୋକା ଦିନରାତି ଉପାୟ ପାଞ୍ଚେ ଅସୁରୁଣୀକୁ ମାରିବା ପାଇଁ । ଦିନେ ଆପଣା ମନ ଇଚ୍ଛା ରଜାଝିଅକୁ କୁହେ । ଅସୁରୁଣୀ କୁ ତ ଛୁରୀ ପନିକି , ବିଷ ମହୁରା କିଛି କାଟୁ କରିବ ନାହିଁ ।
ଦୁହେଁ ମିଶି ଏକ ଉପାୟ ଚିନ୍ତା କରନ୍ତି ।
ସେଦିନ ବୁଢ଼ୀ ଆସି ଖାଇସାରି ଶୋଇଲା ବେଳେ , ରଜାଝିଅ ଆସି ତା ପାଦ ମୋଡି଼ ବସିଲା । ସୁଁ ସୁଁ କାନ୍ଦିଲା ।
– ଇଲୋ ନାତୁଣୀ , କିଅଣ ହେଲା ବା , କାନ୍ଦୁଛୁ କିମ୍ପା ?
– ଆଈଲୋ , ତୁ ମରିଗଲେ ମୁଁ ଏକୁଟିଆ କେମିତି ରହିବି କିଲୋ ?
– ନାତୁଣୀ ଲୋ , ମୁଁ ସହଜରେ ମରିବି ନାଇଁ ଲୋ ମୋ ମାଆ ।
– ତେବେ କେମିତି ମରିବୁ ?
– ହେଇ ଯୋଉଁ ଅଗନାଅଗନି ବଣ ସେପାଖେ ପଦୁଅଁ ପୋଖରୀ ଅଛି , ସେଥିରେ ଅଛି ସାତତାଳ ପାଣି , ତା ତଳେ ସାତତାଳ ପଙ୍କ । ତା ତଳେ ଗୋଟିଏ ରୂପା ସିନ୍ଦୁକ । ତା ଭିତରେ ଗୋଟେ ସୁନା ଫରୁଆ । ସୁନା ଫରୁଆ ଭିତରେ ଗୋଟିଏ କଟୁପୋକ । ସେଇ ପୋକ ମୋର ଜୀବନ ନାଟିକା । ତାର ହାତ ଗୋଡ଼ ଛିଣ୍ଡେଇ ମୁଣ୍ଡ ଗଣ୍ଡି ଦିଖଣ୍ଡ କଲେ ଯାଇଁ ମୁଁ ମରିବି । ଡରନା ଲୋ ଝିଅ । ଯା ଶୋଇବୁ ଯା ।
ରଜାଝିଅ ଖୁସି ହେଇ ଯାଇ ଶୋଇ ପଡେ । ଟୋକା ତ ସବୁ ଶୁଣିଥାଏ ।
ତା ପରଦିନ ଯେମିତି ବୁଢ଼ୀ ପଦାକୁ ଯାଆଛି । ରଜାଝିଅ ତାକୁ ମଣିଷ କରି ଦେଲା । ଟୋକା ଚାଲିଲା ଅଗନାଅଗନି ବନସ୍ତ ଆଡ଼େ । ପଦ୍ମ ପୋଖରୀ ଦେଖି ତା ଭିତରେ ପଶିଲା । ସାତତାଳ ପାଣି ସାତତାଳ ପଙ୍କ ପାରିହେଇ ପାଇଲା ରୂପା ସିନ୍ଦୁକ । ତାକୁ ଖୋଲି ସୁନା ଫରୁଆ ଟିକୁ ଖୋଲି ଧରିଲା ସେ କଟୁ ପୋକକୁ । ପ୍ରଥମେ ଗୋଟାଏ ହାତ ଛିଣ୍ଡେଇ ଦେଲା । ତେଣେ ଅସୁରୁଣୀର ଗୋଟିଏ ହାତ ଛିଣ୍ଡିଗଲା । ସେ କିଳିକିଳା ରଡି଼କରି ଧାଇଁଲା ଘରୁକୁ ।
ଟୋକା ତାର ଆଉ ଗୋଟିଏ ହାତ ଛିଣ୍ଡେଇ ଦେଲାରୁ ତାର ଆର ହାତଟା ବି କଟିଗଲା । ଅସୁରୁଣୀ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା । ଘରପାଖ ହେଲାଣି । ଟୋକା ତାର ଗୋଟାଏ ଗୋଡ଼ ଛିଣ୍ଡେଇ ଦେଲା । ବୁଢ଼ୀର ବି ଗୋଟେ ଗୋଡ଼ ଛିଣ୍ଡିଗଲା । ବୁଢ଼ୀ ଲଙ୍ଗଡି଼ ଟାଁଗ ଖେଳିଲା ପରି ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପହଞ୍ଚି ଗଲା ତା ଦୁଆରେ ।
– ନାତୁଣୀ ଲୋ, କିସ କଲୁ ଲୋ ?
ଚିତ୍କାର କରୁଥାଏ ।
ଏତିକି ବେଳେ ଟୋକା ପୋକର ତାର ଆର ଗୋଡ଼କୁ ବି ଛିଣ୍ଡାଇ ଦେଲା । ବୁଢ଼ୀ ଦୁଲ୍ କିନା ପଡ଼ିଲା ମାଟି ଉପରେ । ମନ୍ତୁରା ଛେପ ଟିକେ ରଜାଝିଅ ଉପରକୁ ଥୁ କରିବା ଆଗରୁ ଟୋକା କଟୁପୋକର ବେକ ମୋଡି ଦେଲା । ଅସୁରୁଣୀର ପ୍ରାଣବାୟୁ ଉଡ଼ିଗଲା ।
ଚକୁଳିଆ ପୁଅ ଆସି ଦେଖିଲା , ରଜାଝିଅ ବିକଳ ହେଇ କାନ୍ଦୁଛି । ଯା ହେଲେ ତାକୁ ପାଳିଥିଲା ଅସୁରୁଣୀ । ତାକୁ ସେ ଆଦର କରି ବୋଧ ଦେଲା । ଦୁହେଁ ମିଶି ଗଲେ ଝିଅର ରାଜ୍ୟକୁ । ପ୍ରଜାମାନେ ତାଙ୍କ ରାଜଜେମାକୁ ପାଇ ଖୁସି ହେଇଗଲେ ।
କେତେଦିନୁ ଅରାଜକ ହେଇ ପଡ଼ିଥିବା ରାଜ୍ୟରେ ଚକୁଳିଆ ପୁଅ ରାଜା ହେଲା । ମହା ଧୁମଧାମରେ ଦିଜଣଙ୍କ ବିବାହ ସମ୍ପନ୍ନ ହେଲା । ଭୋଜି ଭାତ ମଉଛବ ହେଲା । କେତେଲୋକଙ୍କୁ ନେମତା ହେଲା । ସମସ୍ତେ ଖାଇଲେ ।
ଛିଆ ଲୋ ଛିଆ , ମୋତେ କେହି ନେମତା ଦେବାକୁ ବି ଟିକେ ହେଜିଲେ ନାହିଁ ।
ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ
*** **** ****
(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।
https://play.google.com/store/apps/details?id=com.esulekha.magazine)
ମୋତେ ତ ବହୁତ ବଢିଆ ଲାଗିଲା
ପିଲାବେଳ କଥା ମନେ ପଡିଗଲା
ଶୀତଦିନେ ଦଳେ ପିଲା ସଞ୍ଜବେଳେ ଘର ପିଣ୍ଢାରେ କୁଙ୍କୁରି କାଙ୍କୁରୀ ହେଇ ବସି ଏଇମିତିକା ଗପ ସବୁ ଶୁଣିବା ସ୍ମୃତି ମନେପଡିଗଲା
ମୋତେ ତ ଏସବୁ ଏତେ ଭଲ ଲାଗେ ଯେ ସବୁ ସ୍ମୁତି ଅଣ୍ଡାଳି ପୁଣିଥରେ ଲେଖୁଛି