ଗଲା ପରେ ଆମେ, ପିଣ୍ଡ ଦେଉଥିବୁ ନଶୁଣେଇ ଆମ ପିଲାଂକ କାନେ

Share it

ସଂସାର ବିଚିତ୍ରା
—- ତ୍ରିଲୋଚନ

ଆପଣା ନିପଟ ଗାଁ ହେଉ ଅବା
ପେଟପାଟଣାର ସହର ଯାଏ
କାହାରି ପାଖରୁ ଆପଣାପଣର
ମହକ ବାସିଲେ ହାଜିର ହୁଏ॥

ସେଦିନ ଯାହାକୁ ଭେଟିଲି ଗାଁରେ
ହିସାବରେ ସିନା ଦେଠେଈ ମୋର
ପାଂଚପୁଅ ତୁଣ୍ଡୁ ଛଡେଇକେତେଯେ 
ନ ଖୁଆଇଛି ମୋତେ ଲବଣୀ ସର॥

ପଂଚାନବେ ନବେ ନୁଢା ବୁଢୀଙ୍କର
ପୁଳେ ମ‍ାଂସ ନାହିଁ କାହାରି ଦେହେ
ଉଠିଲା ଦେଠେଈ ତଥାପି ଆଣ୍ଠେଇ
ଖୁଆଇବ ମୋତେ ଆଦର ସ୍ନେହେ॥

ହାତ ଚଳୁ ନାହିଁ ଖୁଆଇବ କ’ଣ
ପାଚିଆରେ ଭୁଜା ଦେଲା ଧରେଇ
ଭୁଜାଖିଆ ମୋ ଶୁଖିଲା ମୁହଁକୁ
କାନିରେ ପୋଛିଲା କୋଳେଇ ନେଇ

******* *****

ପୁଅବୋହୂ କେହି ପାଖରେ ନାହାନ୍ତି
ଚାରିଆଡେ ଟିକେ ବୁଲେଇ ଅ‍ାଖି
ପଚାରିବି ବୋଲି ହେଉଥିଲା ବେଳେ
ଦେଠେଈ ଆସିଲା ପାଖକୁ ଲାଖି॥

କହିଲା ଧନରେ କିଛି କହନାରେ
ପାଟିଖୋଲି ଯାହା ଭାବୁଛୁ ମନେ
ଦି ଦିନରେ ଯେଉଁ ବକତେ ମିଳୁଛି
ତାହା ମିଳିବନି କେବେ ବି ଦିନେ॥

***** ******

ଫେରିଲା ବେଳକୁ ଦୁହେଁ ବିକଳରେ
ଯାହା କହିଥିଲେ ରହିଛି ମନେ
“ଗଲା ପରେ ଆମେ, ପିଣ୍ଡ ଦେଉଥିବୁ
ନଶୁଣେଇ ଆମ ପିଲାଂକ କାନେ॥

୦-୦-୦-୦-୦-୦
ଧାମନଗର, ଭଦ୍ରକ।।


Share it

Join the Conversation

4 Comments

  1. ଆଜିକାଲି ବହୁ ଦଦେଇ ଦେଠେଈ
    ଭୋଗୁଛନ୍ତି ପରା ସମାନ ଦୁଃଖ,
    କାହାପାଇଁ କିଏ ପିଣ୍ଡ ପାଣି ଦେବ
    ପାଞ୍ଚ ପୁଅ ଥିଲେ ନମିଳେ ଢ଼ୋକ।।

Leave a comment

Leave a Reply to Arati Sahoo Cancel reply

Your email address will not be published. Required fields are marked *

Verified by MonsterInsights