ଗୌରୀ ବ୍ରତ, ବାଲି ତୃତୀୟା

Share it

ଗୌରୀ ବ୍ରତ, ବାଲି ତୃତୀୟା
================

ଆମ ହିନ୍ଦୁ ପରମ୍ପରାରେ ବର୍ଷ ସାରା ବିଭିନ୍ନ ପର୍ବ ପର୍ବାଣୀ ଲାଗିରହିଥାଏ। ମାସ,ବାର,ତିଥି,ନକ୍ଷତ୍ର ଦେବା ଦେବୀଙ୍କୁ ଭିତ୍ତିକରି ଅସୁମାରୀ ପର୍ବ । ଆମ ରାଜ୍ୟ ଓଡ଼ିଶା ତନ୍ମଧ୍ୟରୁ ଏକ ନିଆରା ପର୍ବ ବହୁଳ ରାଜ୍ୟ । ସେହିଭଳି ଗୋଟିଏ ପର୍ବ ବାଲି ତୃତୀୟା ଯାହା ଗୌରୀ ବ୍ରତ ଓ ହରିତାଳିକା ନାମରେ ମଧ୍ୟ ପ୍ରସିଦ୍ଧ । ହିନ୍ଦି ଭାଷା ଭାଷୀ ଅଞ୍ଚଳରେ ଏହା ତିଜ ବ୍ରତ ଭାବେ ପାଳନ ହୁଏ । ଭାଦ୍ରବ ଶୁକ୍ଳ ତୃତୀୟା ତିଥିରେ ପଡ଼ି ଥାଏ ଏହି ପର୍ବ । ଏହା ହିନ୍ଦୁ ନାରୀ ସମାଜର ଏକ ପ୍ରଧାନ ପର୍ବ । ସଧବା ନାରୀଗଣ ସ୍ୱାମୀର ମଙ୍ଗଳ କାମନା କରି ଓ କୁଆଁରୀ ଝିଅ ମାନେ ଉତ୍ତମ ବର ପ୍ରାପ୍ତିପାଇଁ ଏହି ବ୍ରତ ପାଳନ କରିଥାନ୍ତି ।

ବାଲିତୃତୀୟା ବା ଗୌରୀବ୍ରତ ପାଳନ ପଛରେ ଏକ ସୁନ୍ଦର ପୌରାଣିକ କିମ୍ବଦନ୍ତୀ ରହିଛି ।

ମାଆ ପାର୍ବତୀଙ୍କ ବିବାହ ବୟସ ଉପସ୍ଥିତ । ପିତା ନଗାଧିରାଜ ହିମାଳୟ ଝିଅର ବିବାହ ଶ୍ରୀ ବିଷ୍ଣୁଙ୍କ ସହ ସ୍ଥିରକଲେ । କିନ୍ତୁ ମା’ ପାର୍ବତୀ ମନେ ମନେ ଶିବଙ୍କୁ ବରଣ କରି ସାରି ଥାନ୍ତି । ପିତାଙ୍କ ପ୍ରସ୍ତାବ, ବିଷ୍ଣୁଙ୍କ ସହ ବିବାହକୁ ସେ ଗ୍ରହଣ କରି ପାରିଲେ ନାହିଁ । ତାଙ୍କର ଏକା ଜିଦ ମୋତେ କୋଟିଏ ଜନ୍ମ ଲାଗୁ ପଛେ ମୁଁ ଶିବଙ୍କୁ ହିଁ ବରିବି ନହେଲେ ଚିର କୁମାରୀ ରହିବି :-
ଜନ୍ମ କୋଟି ଲଗି ରଗର ହମାରୀ
ବରଉଁ ଶମ୍ଭୁ ନ ତ ରହଉଁ କୁଆଁରୀ ।।

କିନ୍ତୁ ମା’ପାର୍ବତୀ ତାଙ୍କର ଏ ମନୋଭାବ ପିତାଙ୍କ ଆଗରେ ପ୍ରକାଶ କରିପାରୁ ନଥାନ୍ତି । ବିବାହ ଦିନ ସ୍ଥିର ହେଲା । ସେଦିନ ଉମା ତାଙ୍କ ସଖୀ ମାନଙ୍କୁ ଧରି ଘରଛାଡ଼ି ଜଙ୍ଗଲକୁ ପଳାୟନ କଲେ l ଯାଉଁ ଯାଉଁ ବାଟରେ ଏକ ନଦୀ ପଡ଼ିଲା l ଉମା ସେହି ନଦୀ ବାଲିରେ ଶିବଲିଙ୍ଗଟିଏ ଗଢ଼ି ପୂଜା କଲେ l ତାଙ୍କ କଠୋର ବ୍ରତରେ ଶିବଙ୍କ ମତି ଟଳି ଗଲା l ଶିବ ଆସି, ପାର୍ବତୀଙ୍କ ସମ୍ମୁଖରେ ପ୍ରକଟ ହୋଇ ତାଙ୍କୁ ସ୍ୱୀକୃତି ଦେବାରୁ ପାର୍ବତୀ ତାଙ୍କ ଗଳାରେ ବରଣ ମାଳ ଲମ୍ବାଇ ଦେଲେ l ସେ ଦିନଟି ଥିଲା ଭାଦ୍ରବ ଶୁକ୍ଳତୃତୀୟା l ପାର୍ବତୀ ସେଦିନ ବାଲୁକା ନିର୍ମିତ ଶିବଲିଙ୍ଗ ପୂଜନ କରି ଶିବଙ୍କୁ ପତିରୂପେ ପାଇଥିବାରୁ ଝିଅମାନେ ମନୋମତ ବର ପାଇବା ପାଇଁ ଏହି ବାଲିତୃତୀୟା ବ୍ରତ ପାଳନ କରିଥାନ୍ତି l

ପାର୍ବତୀ ଏହି ବ୍ରତର ପ୍ରଚଳନ କରି ଥିବାରୁ ଏହା ଗୌରୀ ବ୍ରତ ନାମରେ ପ୍ରସିଦ୍ଧ l ଶଙ୍କରଙ୍କ ସହିତ ମାତା ପାର୍ବତୀ,ଗଣେଶଙ୍କୁ ମଧ୍ୟ ପୂଜା କରିବା ଵିଧି ଏଥିରେ ରହିଛି l ପ୍ରକାଶ ଥାଉକି ତ୍ରେତା ଯୁଗରେ ଜାନକୀ ଓ ଦ୍ୱାପର ଯୁଗରେ ଗୋପୀମାନେ ମାଆ ଗୌରୀଙ୍କୁ ପୂଜାକରି ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ପତି ଭାବେ ଲାଭକରିବାକୁ ପ୍ରାର୍ଥନା କରିଥିଲେ l ଭାଗବତରେ ଉଲ୍ଲେଖ ଅଛି :-

ଭୋ ମାତ ଶଙ୍କର ଯୁବତୀ
ନନ୍ଦ କୁମର ଦିଅ ପତି ।।
ଷୋଳ ଶହସ୍ର ଗୋପନାରୀ
ବର ଇଛିଲେ ନରହରି ।।

ମାତା ସୀତାଙ୍କ ଗୌରୀ ପୂଜନ ସମ୍ବନ୍ଧରେ ରାମ ଚରିତ ମାନସରେ ଉଲ୍ଲେଖ ଅଛି :-
ମଜ୍ଜନୁ କରି ସର ସଖିହ୍ନ୍ନ ସମେତା
ଗଇ ମୁଦିତ ମନ ଗୌରୀ ନିକେତା ll
ପୂଜା କୀହ୍ନି ଅଧିକ ଅନୁରାଗା
ନିଜ ଅନୁରୂପା ଶୁଭଗ ବରୁ ମାଗା ll

ବ୍ରତରେ ନାରୀମାନେ ନିର୍ଜଳଉପବାସ କରିଥାନ୍ତି l ପ୍ରଭାତରେ ସ୍ନାନ ମାର୍ଜନ ସାରି ଦିନସାରା ଉପାସ ରହି ପୁଣି ସନ୍ଧ୍ୟାସମୟରେ ନଦୀରେ ଯାଇ ସ୍ନାନ କରନ୍ତି l ନଦୀ ତୁଠରେ ବାଲୁକାଲିଙ୍ଗ ସ୍ଥାପନକରି ପୂଜାର୍ଚ୍ଚନା ପରେ କିଛି ବାଲୁକା ଆଣି ଘରେ ଏକା କିମ୍ବା ସମବେତ ଭାବେ ଲିଙ୍ଗ ନିର୍ମାଣ କରି ପୂଜା କରିଥାନ୍ତି l ଲିଙ୍ଗଙ୍କୁ ଯଥାରୀତି ନୈବେଦ୍ୟ ଅର୍ପଣ କରି ବାଲିତୃତୀୟା ବ୍ରତମାହାତ୍ମ୍ୟ ପଠନ, ଶ୍ରବଣ କରାଯାଏ l ଏହି ବ୍ରତର ମୂଳ ମନ୍ତ୍ର ହେଲା :-

ନମଃ ଶିବାୟ ଶାନ୍ତାୟ ପଞ୍ଚବକ୍ରାୟ ମୀତୁଷେ,
ନନ୍ଦୀଭୃଙ୍ଗ ମହାକାଳ ଗଣ ଯୁକ୍ତାୟଃ ସମ୍ଭବେ,
ଶିବାୟେସର୍ବମଙ୍ଗଲ୍ୟେ ଶିବାୟ ସତତଂନମଃ ll

ନାରୀ ସମାଜରେ ବାଲି ତୃତୀୟା ଏକ ଶ୍ରେଷ୍ଠ ବ୍ରତ ରୂପେ ବିବେଚିତ ହୁଏ l ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ନାରୀ ଜନ୍ମ ସଫଳ ହୁଏ ଓ ମୃତ୍ୟୁ ଉପରାନ୍ତେ ଶିବଲୋକ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି l ପୂଜା ଶେଷରେ ଓଷା ମାହାତ୍ମ୍ୟ ପାଠ କରି ବୋଲା ଯାଇଥାଏ :-

ସର୍ବ ମଙ୍ଗଳା ସ‌ହିତେ ଶିବଙ୍କୁ ପ୍ରଣାମ
ଶିବେ ସର୍ବଦାତ୍ରୀ ଶିବରୂପେ ନମୋନମଃ ।।
ଭବସାଗରେ ପଡ଼ି ମୁଁ କରୁଛି ଦଇନି
ପ୍ରସନ୍ନେ ସୌଭାଗ୍ୟଦିଅ ହେ ସିଂହବାହିନୀ ।।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights